Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଲକାତାଠାରେ ପ୍ରଫେସର ଏସ.ଏନ ବୋଷଙ୍କ 125ତମ ଜୟନ୍ତୀ ପୂର୍ବାବଲୋକନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(ଭିଡିଓ କନଫରେନ୍ସିଂ ଜରିଆରେ)

କୋଲକାତାଠାରେ ପ୍ରଫେସର ଏସ.ଏନ ବୋଷଙ୍କ 125ତମ ଜୟନ୍ତୀ ପୂର୍ବାବଲୋକନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(ଭିଡିଓ କନଫରେନ୍ସିଂ ଜରିଆରେ)


ଆଜି ହେଉଛି ବହୁତ ଭଲ ଅବସର ଯେତେବେଳେ ଦେଶ ପାଇଁ ନିଜର ଜୀବନ ସମର୍ପିତ କରିଥିବା ଦେଶର ମହାନ ସନ୍ତାନକୁ ସ୍ମରଣ  କରୁଛେ । ଏମାନେ ଦେଶ ପାଇଁ ଅନବରତ କାମ କରିବାରେ, ନିଜକୁ ସମର୍ପିତ କରିଦେବାର ମାନସିକତା ରହିଛି, ଯିଏ ଆମକୁ ଦିନ-ସମୟ-ପହର ଚିନ୍ତାରୁ ଅଲଗା ରଖିଛନ୍ତି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ନାଥ ବୋଷଙ୍କ 125ତମ ଜନ୍ମୋତ୍ସବରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ବିଶେଷ କରି ବୈଜ୍ଞାନିକ ବନ୍ଧୁମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ବନ୍ଧୁଗଣ, ପ୍ରତ୍ୟେକ ବର୍ଷ ପ୍ରାରମ୍ଭରେ ପ୍ରସିଦ୍ଧ ବୈଜ୍ଞାନିକଙ୍କ ସହିତ ଭାବ ବିନିମୟ କରିବାର ଖୁସି ମୋତେ ମିଳୁଛି । ମୁଁ ଆଜି ଖୁସି, ଯେ ଆଜି ମୋତେ ଏକ ସୌଭାଗ୍ୟ ମିଳିଛି ଆପଣମାନଙ୍କ ସହିତ କିଛି  ଚିନ୍ତାଧାରା ଆଦାନପ୍ରଦାନ କରିବା ପାଇଁ ।

ଆଜି, ଆମେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ନାଥ ବୋଷଙ୍କ 125ତମ ଜନ୍ମୋତ୍ସବ ଦୀର୍ଘ ଏକ ବର୍ଷ ଧରି ପାଳନ କରିବା, ଯିଏକି 1894 ମସିହାର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ସମୟ ଏବଂ ସମାଜଠାରୁ ବହୁ ଦୂରରେ ରହି..  ମୁଁ ତାଙ୍କଠାରୁ ବହୁତ କିଛି ଶିକ୍ଷା କରିଛି  ।

ସାଥୀଗଣ, ଦେଶବନ୍ଧୁ ଚିତ୍ତରଂଜନ ଦାସ ନିଜର ଏକ ଗୀତ କାବ୍ୟରେ କହିଥିଲେ-

ବଙ୍ଗଳାର ଜଳ ଆଉ ବଙ୍ଗଳାର ମାଟିରେ ଗୋଟିଏ ଚିରନ୍ତନ ସତ୍ୟ ନିହିତ ରହିଛି

ଏହା ହେଉଛି ସେହି ସତ୍ୟ ଯାହା ବଙ୍ଗଳାର ଲୋକମାନଙ୍କୁ ଚିନ୍ତନ-ମନନର ସେହି ସ୍ତରକୁ ନେଇ ଯାଏ, ଯେଉଁଠାକୁ ପହଂଚିବା କଷ୍ଟସାଧ୍ୟ  ହୋଇଥାଏ । ଏହା ହେଉଛି ସେହି ସତ୍ୟ ଯାହା କାରଣରୁ ବଙ୍ଗଳା ଶତାବ୍ଦୀ-ଶତାବ୍ଦୀ ଧରି ଦେଶର ହୋଇ, ଦେଶକୁ ଧରି ରଖିଛି ।

ସ୍ୱତନ୍ତ୍ରତା ଆନ୍ଦୋଳନର କଥା ହେଉ, ସାହିତ୍ୟ ହେଉ, ବିଜ୍ଞାନ ହେଉ, କ୍ରୀଡ଼ା ହେଉ, ପ୍ରତ୍ୟେକ କ୍ଷେତ୍ରରେ ବଙ୍ଗଳାର ପାଣି ଆଉ ବଙ୍ଗଳା ମାଟିର ପ୍ରଭାବ ସ୍ପଷ୍ଟ ଦୃଷ୍ଟିଗୋଚର ହୁଏ । ସ୍ୱାମୀ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷ, ଶ୍ୟାମାପ୍ରସାଦ ମୁଖାର୍ଜୀ, ବଙ୍କିମ ଚନ୍ଦ୍ର-ଶରତ ଚନ୍ଦ୍ର, ସତ୍ୟଜିତ ରୟ, ଆପଣ କୌଣସି ମଧ୍ୟ କ୍ଷେତ୍ରର କଥା କହନ୍ତୁ, ବଙ୍ଗଳାର କୌଣସି ନା କୌଣସି ତାରକା ଚମକୁଥିବାର ଦେଖାଯିବ ।

ଭାରତ ପାଇଁ ଏହା ହେଉଛି ଗର୍ବର ବିଷୟ ଯେ ଏହି ଭୂମି ଗୋଟିଏରୁ ବଳି ଆଉ ଗୋଟିଏ ବୈଜ୍ଞାନିକ ମଧ୍ୟ ସମଗ୍ର ଦୁନିଆକୁ ଦେଇଛି ।  ଆମକୁ ଆଚାର୍ଯ୍ୟ ଏସ୍.ଏନ୍. ବୋଷଙ୍କ ବ୍ୟତୀତ ଜେ.ସି. ବୋଷ, ମେଘନାଦ ଶାହା, କେତେ ହିଁ ନାମ ଅଛି ଯେଉଁମାନେ ଦେଶରେ ଆଧୁନିକ ବିଜ୍ଞାନର ଆଧାରଶୀଳା ମଜବୁତ କରିଛନ୍ତି ।

ବହୁତ କମ୍ ସଂସାଧନ ଆଉ ବହୁତ ଅଧିକ ସଂଘର୍ଷ ମଧ୍ୟରେ ସେମାନେ ନିଜର ବିଚାର-ଆବିଷ୍କାର ଗୁଡ଼ିକ ଦ୍ୱାରା ଲୋକଙ୍କର ସେବା କରିଛନ୍ତି । ଆଜି ମଧ୍ୟ ଆମେ ତାଙ୍କ ପ୍ରତିବଦ୍ଧତା ଆଉ ସୃଜନଶୀଳତାରୁ ଶିକ୍ଷା ଗ୍ରହଣ କରୁଛେ ।

ବନ୍ଧୁଗଣ, ଆମକୁ ଆଚାର୍ଯ୍ୟ ଏସ୍.ଏନ୍. ବୋଷଙ୍କ ଜୀବନୀ ଏବଂ କାର୍ଯ୍ୟ ଶୈଳୀରୁ ବହୁତ କିଛି ଶିକ୍ଷା ଗ୍ରହଣ କରିବାର ଅଛି । ସେ ଜଣେ ନିଜସ୍ୱ ଚିନ୍ତଧାରାର ବିଦ୍ୱାନ ଥିଲେ, ସେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ନିଜ ଜୀବନରେ ସଫଳ ହୋଇଥିଲେ । ସାଧାରଣ ଗବେଷଣା ପାଇଁ ଔପଚାରିକ ଶିକ୍ଷାର ଅଭାବ ଏବଂ ବିଶ୍ୱ ବୈଜ୍ଞାନିକ ଗୋଷ୍ଠୀ ସହିତ କମ୍ ସମ୍ପର୍କ ସେଥିରେ ଅନ୍ତର୍ଭୁକ୍ତ । ତାଙ୍କ କାର୍ଯ୍ୟଧାରାରେ ଅବରୋଧ ସୃଷ୍ଟି ହେବାରୁ 1924ରେ ସେ ଉନ୍ମୁକ୍ତ ବିଜ୍ଞାନ ପ୍ରତି ଦୃଢ଼ ନିଷ୍ଠାବାନ ହୋଇଥିଲେ ।

ଆଧୁନିକ ପରମାଣୁ ସିଦ୍ଧାନ୍ତ ଆଧାରରେ ସେ କ୍ୱାଂଟମ୍ ଷ୍ଟାଟିସଟିକ୍ସର ମୂଳଦୂଆ ପକାଇଥିଲେ । ଆଇନଷ୍ଟାଇନଙ୍କ ଜୀବନୀ ଲେଖିଥିବା ଆବ୍ରାହମ ପେସ୍ ତାଙ୍କ କାର୍ଯ୍ୟକୁ ପୁରୁଣା କ୍ୱାଂଟମ୍ ଥିଓରିର ଶେଷ ଚାରୋଟି ବୈପ୍ଳବିକ ଦସ୍ତାବିଜ ରୂପେ ଗ୍ରହଣ କରିଥିଲେ । ସତ୍ୟେନ୍ଦ୍ର ନାଥ ବୋଷଙ୍କ ନାମ ବିଜ୍ଞାନର ଇତିହାସରେ ବିଭିନ୍ନ ପରିକଳ୍ପନା ଓ ଶବ୍ଦ ପାଇଁ ଅମର ହୋଇ ରହିଛି, ଯେପରିକି ବୋଷ ଷ୍ଟାଟିସଟିକ୍ସ, ବୋଷ ଆଇନଷ୍ଟାଇନ କନ୍ଡେନସେସନ୍ ଏବଂ ହକ୍ଟଳର ବୋସୋନ୍ ।

ତାଙ୍କ କାର୍ଯ୍ୟର ମୌଳିକ ଗୁରୁତ୍ୱ ଏହି ତଥ୍ୟ ଉପରେ ଆଧାରିତ ଥିଲା କି ନୋବେଲ ପୁରସ୍କାର ପାଇଥିବା ଅନେକ ପଦାର୍ଥ ବିଜ୍ଞାନୀ ନିଜ ଚିନ୍ତାଧାରାରେ ଏହାର ବିବିଧ ପ୍ରୟୋଗ ଓ ଭୌତିକ କାର୍ଯ୍ୟାନ୍ୱୟନ ପାଇଁ ଆଗକୁ ଅଗ୍ରସର ହେଉଥିଲେ ।

ପ୍ରଫେସର ବୋଷ ବିଭିନ୍ନ ଆଂଚଳିକ ଭାଷାରେ ବିଜ୍ଞାନ ପଢ଼ାଇବାରେ ସିଦ୍ଧହସ୍ତ ଥିଲେ । ସେ ବଙ୍ଗଳା ବିଜ୍ଞାନ ପତ୍ରିକା ଜ୍ଞାନ-ବିଜ୍ଞାନ ଆରମ୍ଭ କରିଥିଲେ ।

ଆମ ଯୁବକମାନଙ୍କ ମଧ୍ୟରେ ବିଜ୍ଞାନକୁ ବୁଝିବା ଓ ଭଲ ପାଇବାକୁ ପ୍ରେତ୍ସାହନ ଦେବା ପାଇଁ, ଏହା ଜରୁରୀ ଯେ ଆମେ ବହୁ ମାତ୍ରାରେ ବିଜ୍ଞାନ ଯୋଗାଯୋଗକୁ ଆଗେଇ ନେବା । ଭାଷା ଏ କ୍ଷେତ୍ରରେ ପ୍ରତିବନ୍ଧକ ନ ହେଉ ବରଂ ସୁବିଧା ପ୍ରଦାନକାରୀ ହେଉ ।

ସାଥୀଗଣ, ଭାରତରେ ବୈଜ୍ଞାନିକ ଗବେଷଣାର ବାତାବରଣ ବହୁତ ସୁଦୃଢ଼ ରହିଛି । ଆମର ଏଠାରେ ନା ପ୍ରତିଭା ଅଭାବ ଅଛି, ନା ପରିଶ୍ରମର, ନା ଆଉ ପ୍ରୟୋଜନର ।

ବିଗତ କିଛି ଦଶକରେ ଭାରତ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆହୁରି ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଆଇଟି ସେକ୍ଟର ହେଉ, ମହାକାଶ ଜ୍ଞାନ-କୌଶଳ ହେଉ, କ୍ଷେପଣାସ୍ତ୍ର ଟେକ୍ନୋଲଜି ହେଉ, ଭାରତ ନିଜର ଆଧିପତ୍ୟ ସାରା ଦୁନିଆରେ ଜାହିର କରିଛି । ଆମର ବୈଜ୍ଞାନିକମାନେ, ଆମର ବୈଷୟିକ ବିଶେଷଜ୍ଞଙ୍କର ଏହି ଉପଲବ୍ଧି ସମଗ୍ର ଦେଶ ପାଇଁ ହେଉଛି ଗର୍ବର ବିଷୟ ।

ଯେତେବେଳେ ଇସ୍ରୋର ରକେଟରେ ଥରକେ 100ରୁ ଅଧିକ ଉପଗ୍ରହ ଛଡ଼ା ଯାଇଥାଏ ତ ସମଗ୍ର ଦୁନିଆ ଆଖି ଖୋଲି ଦେଖିଥାଏ । ସେହି ସମୟରେ ଆମେ ଭାରତୀୟମାନେ ନିଜର ମୁଣ୍ଡ ଉପରକୁ କରି, ନିଜ ବୈଜ୍ଞାନିକମାନଙ୍କର ଏହି ପରାକ୍ରମ ପାଇଁ ପ୍ରଫୁଲ୍ଲିତ ହୋଇଥାଉ ।

ସାଥୀଗଣ, ଆପଣମାନେ ପରୀକ୍ଷାଗାରରେ ଯେଉଁ ପରିଶ୍ରମ କରିଥା’ନ୍ତି ନିଜର ଜୀବନ ନିୟୋଜିତ କରିଥାନ୍ତି ତାହା କେବଳ ଗବେଷଣାଗାରରେ ହିଁ ରହିଯିବ ତ ଏହା ଦେଶ ସହିତ, ଆପଣମାନଙ୍କ ସହିତ ବହୁତ ବଡ଼ ଅନ୍ୟାୟ ହେବ । ଦେଶର ବୈଜ୍ଞାନିକ କ୍ଷମତା ବଢ଼ାଇବା ପାଇଁ ଆପଣଙ୍କ ପରିଶ୍ରମ ସେତେବେଳେ ଆହୁରି ଅଧିକ ଫଳପ୍ରଦ ହେବ ଯେତେବେଳେ ଆପଣ ନିଜର ମୌଳିକ ଜ୍ଞାନକୁ, ଆଜିର ସମୟ ହିସାବରେ ଦେଶର ସାଧାରଣ ମଣିଷ ପାଖରେ ପହଂଚାଇ ପାରିବେ । ଏଥିପାଇଁ ଆଜି ବହୁତ ଆବଶ୍ୟକ ଅଟେ କି ଆମର ନବସୃଜନ, ଆମର ଗବେଷଣାର ଶେଷ ଫଳାଫଳ ସ୍ଥିତି ହେଉ; କାରଣ ଆପଣଙ୍କ ଆବିଷ୍କାର ଦ୍ୱାରା କୌଣସି ଗରିବର ଜୀବନ ସହଜ ହୋଇଥାଏ, ମଧ୍ୟମ ବର୍ଗର କୌଣସି ବ୍ୟକ୍ତିଙ୍କ ଅସୁବିଧା କମ୍ ହୋଇଥାଏ?

ଯେତେବେଳେ ଆମର ବୈଜ୍ଞାନିକ ପ୍ରୟୋଗର ଆଧାର ଆମର ସାମାଜିକ-ଆର୍ଥିକ ସମସ୍ୟାଗୁଡ଼ିକର ସମାଧାନ ହେବ, ତ ଆପଣଙ୍କୁ ସର୍ବଶେଷ ଫଳାଫଳ, ନିଜର ଲକ୍ଷ୍ୟ ସ୍ଥିର କରିବାରେ ସୁବିଧା ହେବ ।

ମୋର ବିଶ୍ୱାସ ରହିଛି କି ଆମ ଦେଶର ବୈଜ୍ଞାନିକ, ନିଜର ଚିନ୍ତାଧାରାର ପେଡ଼ି ଭିତରୁ ଦେଶକୁ ଏଭଳି ସୃଜନଶୀଳ ଟେକ୍ନୋଲଜି ସମାଧାନ ଦେଇ ଚାଲିଥିବେ, ଯାହାର ଲାଭ ସାଧାରଣ ନାଗରିକଙ୍କୁ ହେବ, ଯାହା ସେମାନଙ୍କର ଜୀବନକୁ ଆହୁରି ଅଧିକ ସହଜ କରିଦେବ ।

ମୋତେ ଅବଗତ କରାଯାଇଛି ଯେ ଅଲଗା-ଅଲଗା ବୈଜ୍ଞାନିକ ସଂସ୍ଥାନମାନେ  ସୌର ଶକ୍ତି, ସ୍ୱଚ୍ଛ ଶକ୍ତି, ଜଳ ସଂରକ୍ଷଣ ବର୍ଜ୍ୟ ବସ୍ତୁ ପରିଚାଳନା ଭଳି ବିଷୟଗୁଡ଼ିକୁ ଧ୍ୟାନରେ ରଖି ଗବେଷଣା ଓ ବିକାଶ ପ୍ରକଳ୍ପମାନ ଆରମ୍ଭ କରିଛନ୍ତି । ଏହି ପ୍ରକାରର ପ୍ରକଳ୍ପ  ଏବଂ ସେଗୁଡ଼ିକର ଫଳାଫଳ  ପରୀକ୍ଷାଗାରରେ ହିଁ ରହି ନ ଯାଉ, ଏହା ମଧ୍ୟ ଆମର ସାମୁହିକ ଦାୟିତ୍ୱ ।

ବିଶିଷ୍ଟ ବୈଜ୍ଞାନିକ ଓ ଛାତ୍ରଗଣ, ଆପଣ ସମସ୍ତେ ପଢ଼ିଛନ୍ତି ଏବଂ ସମ୍ଭବତଃ ଅପାଣମାନେ ହେଉଛନ୍ତ କ୍ୱାଂଟମ  ମେକାନିଜିମର ବିଶେଷଜ୍ଞ । ମୁଁ ଏହା ଅଧ୍ୟୟନ କରି ନାହିଁ । କିନ୍ତୁ ବୁଝିପାରୁଛି ଯେ ଏପରି ଅନେକ ଶିକ୍ଷା ରହିଛି ଯାହା ଆମକୁ ପଦାର୍ଥ ବିଜ୍ଞାନ ନିତି ଦିନିଆ ଜୀବନ ଶୈଳୀରେ ମାଧ୍ୟମରେ ଶିଖାଇ ପାରିବ । ଏକ ଗଭୀର କୂଅ ମଧ୍ୟରେ କ୍ଳାସିକାଲ କଣିକା ସହଜରେ ଲୁଚି ରହି ପାରିବ ନାହିଁ । କିନ୍ତୁ ଗୋଟିଏ କ୍ୱାଂଟମ କଣିକା ସହଜରେ ରହିବ !

କୌଣସି ଗୋଟିଏ କାରଣରୁ କିମ୍ବା, ଅନ୍ୟ କାରଣରୁ, ଆମେ ନିଜକୁ ନିଜେ ଅଲଗା କରି ନେଇଥାଉ । ଆମେ କ୍ୱଚିତ ଅନ୍ୟ ସଂସ୍ଥା କିମ୍ବା ରାଷ୍ଟ୍ରୀୟ ପ୍ରୟୋଗଶାଳାର ସହଯୋଗୀ ବୈଜ୍ଞାନିଙ୍କ ସହିତ ନିଜର ଅନୁଭୂତି,  ସହଯୋଗ ଏବଂ ସହଭାଗୀତାକୁ ବାଣ୍ଟି ଥାଉ ।

ଆମର ବାସ୍ତବିକ କ୍ଷମତା ପର୍ଯ୍ୟନ୍ତ ପହଂଚିବା ପାଇଁ ଭାରତୀୟ ବିଜ୍ଞାନକୁ ନିଜର ଉପଯୁକ୍ତ ଗୌରବ ପର୍ଯ୍ୟନ୍ତ ନେଇଯିବା ପାଇଁ, ଆମକୁ କ୍ୱାଂଟମ କଣିକା ଭଳି ହେବାକୁ ପଡିବ, ଯାହାକି ନିଜ ଅସ୍ତିତ୍ୱରୁ ମୁକୁଳିପାରିବ । ଆଜି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ବିଜ୍ଞାନ ବହୁମୁଖୀ ଅନୁଶାସନାତ୍ମକ ହୋଇଯାଇଛି ଏବଂ ବହୁତ ପ୍ରୟାସର ଆବଶ୍ୟକତା ଅଛି ।

ମୁଁ ଭୌତିକ ଏବଂ ଅନୁସଂଧାନର ଭିତ୍ତିଭୂମି ଅଧିକ ସହଭାଗୀର ଆବଶ୍ୟକତା ସଂପର୍କରେ କହୁଛି, ଯାହା ବ୍ୟୟ ବହୁଳ ଏବଂ ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦ୍ରୁତ ଗତିରେ ହାସଲ କରିବାକୁ ପଡିବ ।

ମୋତେ ଅବଗତ କରାଯାଇଛି ଯେ, ଆମର ବିଜ୍ଞାନ ବିଭାଗ ଏବେ ଏକ ବହୁମୁଖୀ ଉପଯୋଗୀ ଦୃଷ୍ଟିକୋଣରେ କାମ କରୁଛି । ମୁଁ ବୁଝି ପାରୁଛି କି ବୈଜ୍ଞାନିକ ସଂରଚନାକୁ ସହଭାଗୀ କରିବା ପାଇଁ ଏକ ପୋର୍ଟାଲ ବିକଶିତ କରାଯାଉଛି ଯାହା ବୈଜ୍ଞାନିକ ଭିତ୍ତିଭୂମିରେ ପାରଦର୍ଶିତା ଏବଂ ଦକ୍ଷତା ଟ୍ୟାଗିଂ ଏବଂ ସଂସାଧନ ଗୁଡ଼ିକର ସହଭାଗିତା ପାଇଁ ଅନୁମତି ଦେବ ।

ଗବେଷଣା ଓ ବିକାଶ ଅନୁଷ୍ଠାନ ଏବଂ ଶିକ୍ଷା ସଂସ୍ଥାନ ମଧ୍ୟରେ ମଜବୁତ ସହଯୋଗ ଓ ସଂଯୋଗ ପାଇଁ ଏକ ନେଟୱାର୍କ ବ୍ୟବସ୍ଥା ସ୍ଥାପନ କରାଯାଉଛି । ସହର ଆଧାରିତ ଗବେଷଣା ଓ ବିକାଶ କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି ଯାହା ମାଧ୍ୟମରେ ବିଜ୍ଞାନ ଏବଂ ବୈଷୟିକ ଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଏବଂ ଔଦ୍ୟୋଗିକ ଷ୍ଟାର୍ଟ-ଅପ୍ କୁ ସହଭାଗୀ ମାଧ୍ୟମରେ ଏକାଠି କରାଯାଇ ପାରିବ ।

ଏହି ପ୍ରୟାସର ସଫଳତା, ସମସ୍ତ ସଂସ୍ଥାଗୁଡ଼ିକୁ ଏବଂ ପ୍ରୟୋଗଶାଳାଗୁଡ଼ିକୁ ଗୋଟିଏ ରଣନୀତି ଆଧାରରେ ଏକାଠି କରିବା ଆମର ଦକ୍ଷତା ଉପରେ ନିର୍ଭର କରେ । ସହୃଦୟତାର ସହିତ ପ୍ରତ୍ୟେକଙ୍କର ସମର୍ଥନ ଉପରେ ଏହା ନିର୍ଭର କରେ । ଏହି ବ୍ୟବସ୍ଥା ସୁନିଶ୍ଚିତ କରିବା ଦରକାର ଯେ ଦେଶର ଦୂର-ଦୂରାନ୍ତର ବୈଜ୍ଞାନିକ ଦିଲ୍ଲୀ ଆଇଆଇଟି ଅବା ଡେରାଡୁନ ସ୍ଥିତ ସିଏସଆଇଆର ଗବେଷଣାଗାରର ସଂସାଧନ ନିକଟରେ ସହଜରେ ପହଂଚିପାରିବ । ଏହା ଆମର ଲକ୍ଷ୍ୟ ହେବା ଦରକାର ଯେ ଆମର ପ୍ରୟାସ ଓ କାର୍ଯ୍ୟ ସବୁ ସମୟରେ ବିଭିନ୍ନ ଭାଗକୁ ଅଧିକତର ଭାବେ ପହଂଚିବା ଦରକାର ।

ସାଥୀଗଣ, ବିକାଶ, ଉନ୍ନତି ଆଉ ପରିବର୍ତ୍ତନ ପାଇଁ ବିଜ୍ଞାନ ଆଉ ବୈଷୟିକ ଜ୍ଞାନ ଏକ ଅସାଧାରଣ ଇଞ୍ଜିନ ଭଳି କାର୍ଯ୍ୟ କରିଥାଏ । ମୁଁ ଆପଣମାନଙ୍କୁ, ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ପୁଣି ଥରେ ଅନୁରୋଧ କରିବି ଯେ ନିଜର ନବସୃଜନର ଦିଗ ଆମର ସାମାଜିକ-ଅର୍ଥନୈତିକ ଆହ୍ୱାନଗୁଡ଼ିକୁ ଆଖି ଆଗରେ ରଖି ସ୍ଥିର କରନ୍ତୁ ।

ଆପଣଙ୍କୁ ଜଣା ଅଛି କି ଦେଶରେ ଲକ୍ଷ-ଲକ୍ଷ ଲୋକ ବିଶେଷ କରି ଆଦିବାସୀ ସମୁଦାୟରେ ହଜାର-ହଜାର ପିଲା ସିକଲ୍ ସେଲ୍ ଆନେମିଆ ଦ୍ୱାରା ଆକ୍ରାନ୍ତ । ଏହା ଉପରେ ଦଶକ-ଦଶକ ଧରି ଗବେଷଣା ହେଉଛି କିନ୍ତୁ ଆମେ ଦୃଢ଼ ନିଶ୍ଚୟ କରିପାରିବା କି ଏହି ରୋଗର ମିତବ୍ୟୟୀ ସରଳ ପ୍ରତିକାର ସମଗ୍ର ଦୁନିଆକୁ ଦେବା?

କ’ଣ ଅପପୁଷ୍ଟି ଭଳି ଆହ୍ୱାନର ମୁକାବିଲା କରିବା ପାଇଁ ଆହୁରି ଅଧିକ ଶସ୍ତା ଏବଂ ପୁଷ୍ଟିସାର ଯୁକ୍ତ ଡାଲିର ନୂତନ କିସମ ପ୍ରସ୍ତୁତ କରାଯାଇ ପାରିବ? କ’ଣ ପନିପରିବା ଆଉ ଆମ ଫସଲର ଗୁଣାତ୍ମକ ମାନକୁ ଆହୁରି ଅଧିକ ଭଲ କରାଯାଇ ପାରିବ? କ’ଣ ନଦୀଗୁଡ଼ିକୁ ପରିଷ୍କାର କରିବା ପାଇଁ, ନଦୀଗୁଡ଼ିକୁ ମାଟି ଓ ପଥରରୁ ମୁକ୍ତି ଦେବା ପାଇଁ, ନଦୀଗୁଡ଼ିକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ବୈଷୟିକଜ୍ଞାନ ଉପରେ କାମକୁ ଆହୁରି ଦ୍ରୁତ କରାଯାଇ ପାରିବ?

କ’ଣ ମ୍ୟାଲେରିଆ, ଟ୍ୟୁବରକ୍ୟୁଲୋସିସ୍, ଜାପାନିଜ୍ ଏନ୍ସେଫାଲାଇଟିସ୍ ଭଳି ରୋଗର ନିୟନ୍ତ୍ରଣ ପାଇଁ ନୂତନ ଔଷଧ, ନୂତନ ପ୍ରତିଷେଧକର ବିକାଶ କରାଯାଇ ପାରିବ?କ’ଣ ଆମେ ଏଭଳି କ୍ଷେତ୍ର ବାଛି ପାରିବା ଯେଉଁଠାରେ ଆମର ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ବିଜ୍ଞାନକୁ ଏକ ସୃଜନାତ୍ମକ ଢ଼ଂଗରେ ସମ୍ମିଶ୍ରିତ କରାଯାଇ ପାରିବ?

ବନ୍ଧୁଗଣ, ଅନେକ କାରଣରୁ ଆମେ ପ୍ରଥମ ଶିଳ୍ପ ବିପ୍ଳବକୁ ଭୁଲି ଯାଇଥିଲେ । କିନ୍ତୁ ଆମେ ଆଜି ଏଭଳି ସୁଯୋଗକୁ କେବେ ଭୁଲିବା ନାହିଁ । ଆଗକୁ ଆସୁଥିବା କ୍ଷେତ୍ର ଯେପରିକି କୃତ୍ରିମ ବୌଦ୍ଧିକତା, ବୃହତ ଡାଟା ବିଶ୍ଳେଷଣ, ଯାନ୍ତ୍ରିକ ଶିକ୍ଷା, ସାଇବର-ଫିଜିକାଲ୍ ସିଷ୍ଟମ୍, ଜିଓନୋମିକ୍ସ, ଏବଂ ବୈଦ୍ୟୁତିକ ମୋଟରବାହନ ପାଇଁ ନୂଆ ନୂଆ ଜ୍ଞାନ କୌଶଳ – ଆମ ପାଇଁ ନୂଆ ଆହ୍ୱାନ ଯାହା ଉପରେ ଆପଣମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହି ନବସୃଜନ ଓ ବୃଦ୍ଧି ପାଉଥିବା ବୈଷୟିକ ଜ୍ଞାନ ଆଧାରରେ ଆମେ ଦେଶରେ ଶାନ୍ତି ବଜାୟ ରଖିବା ସୁନିଶ୍ଚିତ କରିବା ।

ଯେଉଁଭଳି ଭାବେ ବୈଜ୍ଞାନିକ ସମୁଦାୟ ଏହି ଆହ୍ୱାନର ମୁକାବିଲା କରୁଛନ୍ତି, ସ୍ମାର୍ଟ ସିଟି, ସ୍ମାର୍ଟ ବିନିର୍ମାଣ, 4.0 ଉଦ୍ୟୋଗ ଏବଂ ଇଂଟରନେଟ୍ ମାଧ୍ୟମରେ ଜିନିଷର ସମାବେଶ କ୍ଷେତ୍ରରେ ଆମ ସଫଳତାକୁ ପ୍ରତିପାଦିତ କରୁଛି । ଆମର ବୈଜ୍ଞାନିକ ବାତାବରଣ ସିଧାସଳଖ ଭାବେ ନବସୃଜନକାରୀ ଉଦ୍ୟୋଗ ସୃଷ୍ଟିକାରୀଙ୍କୁ ସଂଚାଳିତ ଓ ସଶକ୍ତ କରିବ ।

ସାଥୀଗଣ, ଆମ ଦେଶ ପାଖରେ ଯେତିକି ବିଶାଳ ଜନସଂଖ୍ୟାଗତ ଲାଭ ରହିଛି, ଯେତିକି ଶକ୍ତି ରହିଛି, ତାହା ଦ୍ୱାରା ସମଗ୍ର ଦୁନିଆକୁ ପ୍ରବଳ ଇର୍ଷା ହୋଇପାରେ । ଏହାକୁ ଧ୍ୟାନରେ ରଖି ସରକାର ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ, ଦକ୍ଷତା ବିକାଶ ମିଶନ୍, ପଧାନମନ୍ତ୍ରୀ ମୁଦ୍ରା ଯୋଜନା ଭଳି କାର୍ଯ୍ୟକ୍ରମ ଚଲାଉଛନ୍ତି । ଏହି ଶୃଙ୍ଖଳରେ ଆମେ ଦେଶରେ ଏଭଳି 20 ଟି ସଂସ୍ଥାନ ନିର୍ମାଣ କରିବା ପାଇଁ ପ୍ରୟାସ କରୁଛୁ କି ଯେଉଁମାନେ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିବେ, ଯେଉଁମାନଙ୍କର ପରିଚୟ ବିଶ୍ୱ ସ୍ତରୀୟ ଭାବେ ହେବ ।

ଉତ୍କର୍ଷ ଅନୁଷ୍ଠାନ ମିଶନରେ ସାମିଲ ହେବା ପାଇଁ ସରକାର ଉଚ୍ଚ ଶିକ୍ଷା ସହିତ ଯୋଡ଼ି ହୋଇଥିବା ଘରୋଇ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ  ନିଜେ ନିୟନ୍ତ୍ରଣ କରୁଛନ୍ତି । ଆମେ ନିୟମରେ ପରିବର୍ତ୍ତନ କରିଛୁ, ଆଇନରେ ପରିବର୍ତ୍ତନ କରିଛୁ । ସରକାରୀ ସ୍ତରରୁ ଯେଉଁ ସଂସ୍ଥାନ ବଛାଯିବେ, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ 1000 କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ ।

ଏସ୍.ଏନ୍.ବୋଷ ଜାତୀୟ ବେସିକ ସାଇନ୍ସ କେନ୍ଦ୍ର ଏବଂ ଏହିଭଳି ଅନ୍ୟ ସଂସ୍ଥାନକୁ ମୋର ଅନୁରୋଧ ଯେ ସେମାନେ ମଧ୍ୟ ନିଜ ସଂସ୍ଥାନକୁ ଶ୍ରେଷ୍ଠ ମାନ୍ୟତାବାଲା ସଂସ୍ଥାନ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା କରନ୍ତୁ, ତାହା ଉପରେ କାମ କରନ୍ତୁ । ଆଜି ମୋର ଆପଣମାନଙ୍କୁ ଆଉ ଏକ ଅନୁରୋଧ ଆପଣମାନେ ସଂସ୍ଥାନଗୁଡ଼ିକରେ ଏ ପ୍ରକାରର ବାତାବରଣ ତିଆରି କରନ୍ତୁ, ଯାହା ଦ୍ୱାରା ଛାତ୍ର ଏବଂ ଯୁବକମାନେ ଗବେଷଣା ପାଇଁ ଅଧିକ ଅନୁପ୍ରାଣିତ ହେବେ ।

ଯଦି ପ୍ରତ୍ୟେକ ବୈଜ୍ଞାନିକ କେବଳ ଜଣେ ଛାତ୍ରକୁ ବିଜ୍ଞାନ ପଢାଇ, ଗବେଷଣା ପ୍ରତି ତାହାର ଆଗ୍ରହ ବୃଦ୍ଧି ପାଇଁ  ନିଜର କିଛି ସମୟ  ଦେବାରେ ଲାଗିବେ ତ ଦେଶରେ ଲକ୍ଷ ଲକ୍ଷ  ଛାତ୍ରଙ୍କ ଭବିଷ୍ୟତ ନିର୍ମାଣ ହୋଇ ପାରିବ । ଆଚାର୍ଯ୍ୟ ଏସ.ଏନ ବୋଷଙ୍କର 125ତମ ଜନ୍ମ ବର୍ଷରେ ଏହା ତାଙ୍କ ଆମର ସ୍ମୃତି ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ।

ସାଥୀଗଣ, 2017ରେ ଆମେ ସମସ୍ତେ, ଶହେ ପଚିଶ କୋଟି ଭାରତୀୟ ମିଳିମିଶି ଏକ ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପ ହେଉଛି ନିଉ ଇଣ୍ଡିଆର । ଏହା ହେଉଛି 2022ପର୍ଯ୍ୟନ୍ତ ନିଜ ଦେଶକୁ ଆଭ୍ୟନ୍ତରୀଣ କୁ-ପ୍ରଥାରୁ ମୁକ୍ତ କାରିବାର ସଂକଳ୍ପ । ଏହି ସଂକଳ୍ପ ହେଉଛି ସେହି  ଭାରତ ନିର୍ମାଣର ଯାହାର ସ୍ୱପ୍ନ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ ।

2018ର ଏହି ବର୍ଷ ଏହି ସଂକଳ୍ପ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଏହା ହେଉଛି ସେହି ବର୍ଷ ଯେତେବେଳେ ଆମକୁ ନିଜର ସମସ୍ତ ଶକ୍ତି, ନିଜର ସମସ୍ତ ଉର୍ଜ୍ଜା ଏହି ସଂକଳ୍ପର ସିଦ୍ଧି ଉପରେ କେନ୍ଦ୍ରୀତ କରିବାର ଅଛି ।

ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ବିଭାଗ, ପ୍ରତ୍ୟେକ ମନ୍ତ୍ରଣାଳୟକୁ ନିଜ ନିଜ ତରଫରୁ ଯୋଗଦାନ ଦେବାର ଅଛି । ଯେଭଳି କୌଣସି ଷ୍ଟେସନରୁ ଟ୍ରେନ ଚାଲେ ତ ତାହା 5-10ମିନିଟ୍ ପରେ ନିଜର ସଂମ୍ପୂର୍ଣ୍ଣ ବେଗକୁ ଆସିଯାଇ ଥାଏ , ଠିକ୍ ସେହିଭଳି 2018ର ଏହି ବର୍ଷ ଆମକୁ ଆମର ସମ୍ପୂର୍ଣ୍ଣ ବେଗରେ ଆଣିବା ପାଇଁ ଅଛି ।

ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ମଧ୍ୟ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ସହିତ ଯୋଡି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ନବସୃଜନ ଏବଂ ଗବେଷଣାର କେନ୍ଦ୍ର ନିଉ ଇଣ୍ଡିଆର ନିର୍ମାଣ ଉପରେ କେନ୍ଦ୍ରୀତ କରିବାକୁ ହେବ ।

ଆପଣଙ୍କର  ନବସୃଜନ ଦେଶର ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ସୁଦୃଢ କରିବ, ଦେଶକୁ ମଜବୁତ କରିବ । ତାହା ହୁଏତ ଆଧାର କାର୍ଡ଼ ହେଉ, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ହେଉ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ହେଉ, ଉପଗ୍ରହ ଏବଂ ଡ୍ରୋନ ମାଧ୍ୟମରେ ଯୋଜନା ଗୁଡିକର ନିରୀକ୍ଷଣ ହେଉ, ଏ ସମସ୍ତ ବ୍ୟବସ୍ଥା ଆପଣଙ୍କ ଦ୍ୱାରା ହିଁ କରାଯାଇଛି ।

ଏଭଳି ଆଉ କ’ଣ କ’ଣ କରାଯାଇ ପାରିବ, କିଭଳି ନିଯୁକ୍ତି ସୃଷ୍ଟିକାରୀ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରାଯାଇ ପାରିବ, ଏହି ବିଷୟରେ ବୈଜ୍ଞାନିକ ସଂସ୍ଥା ଗୁଡିକ ବହୁତ ଯୋଗଦାନ କରି ପାରିବେ । ବିଶେଷ କରି ଦେଶର ଗ୍ରାମୀଣ କ୍ଷେତ୍ରରେ, ତାଙ୍କର ଆବଶ୍ୟକତା ଅନୁସାରେ ନୂତନ ଟେକ୍ନୋଲଜିର ନିର୍ମାଣ କରିବା, ନୂତନ ଟେକ୍ନୋଲଜିକୁ ଗାଁ ପର୍ଯ୍ୟନ୍ତ ପହଂଚାଇବାରେ ଆପଣଙ୍କ ଭୂମିକା ହେଉଛି ବହୁତ ମହତ୍ୱପୂର୍ଣ୍ଣ ।

ସାଥୀଗଣ, ଗୃହ ନିର୍ମାଣ, ପାନୀୟ ଜଳ, ଶକ୍ତି, ରେଳବାଇ, ନଦୀ, ସଡ଼କ, ବିମାନବନ୍ଦର, ଜଳସେଚନ, ଯୋଗାଯୋଗ, ଡିଜିଟାଲ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ନୂଆ-ନୂଆ ଉଦ୍ଭାବନ ଓ ନବସୃଜନ ଆପଣଙ୍କ ପ୍ରତୀକ୍ଷା କରି ରହିଛି ।

ସରକାର ଆପଣଙ୍କ ସହିତ ଅଛନ୍ତି, ସଂସାଧନ ଆପଣଙ୍କ ସହିତ ଅଛି, ସାମର୍ଥ୍ୟ ଆପଣମାନଙ୍କ ମଧ୍ୟରେ କାହା ପାଖରେ କମ୍ ନାହିଁ, ଏଥିପାଇଁ ସଫଳତାକୁ ମଧ୍ୟ ଆପଣଙ୍କ ପାଖକୁ ଆସିବାକୁ ପଡ଼ିବ । ଆପଣମାନେ ସଫଳ ହେବେ ତ ଦେଶ ସଫଳ ହେବ । ଆପଣଙ୍କ ସଂକଳ୍ପ ସିଦ୍ଧି ହେବ ତ ଦେଶର ସଂକଳ୍ପ ସିଦ୍ଧି ହେବ ।

ବନ୍ଧୁଗଣ, ଉଦ୍ଘାଟନ ସଫଳତା ହାସଲ କରିବ ଯଦି ଆପଣ ଯୋଜନାର କାର୍ଯ୍ୟାନ୍ୱୟନକୁ ସଠିକ୍ ଭାବେ ଅନୁସରଣ କରିବେ । ମୁଁ ଏହା ଶୁଣି ଖୁସି ଯେ ଗୁରୁତ୍ୱପୂର୍ଣ୍ଣ ଆଉ ଉତ୍ସାହଜନକ ଅନୁସରଣକାରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ମୋତେ ଅବଗତ କରାଯାଇଛି ଯେ ସ୍କୁଲ କଲେଜ ମାନଙ୍କରେ 100ଟି ଉଚ୍ଚସ୍ତରୀୟ ବ୍ୟାଖ୍ୟାନର ଯୋଜନା ପ୍ରସ୍ତୁତ କରାଯାଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ ବୈଜ୍ଞାନିକ ଆହ୍ୱାନ ଓ  ସମସ୍ୟାର ସମାଧାନ ପାଇଁ କର୍ମଶାଳା, ଏବଂ ପ୍ରତିଯୋଗିତା ଆୟୋଜନ କରାଯିବ ଯେଉଁଥିପାଇଁ  125ଟି ଏଜେଣ୍ଡା ପ୍ରସ୍ତୁତ କରାଯାଇଛି ।

ଅସାଧାରଣ ଚିନ୍ତାଧାରା ଏବଂ ତାହାର ପ୍ରାସଙ୍ଗିକତା ଥିବା ଯୁକ୍ତିଯୁକ୍ତ ଆହ୍ୱାନଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ । ଆଜି ମଧ୍ୟ ଆଚାର୍ଯ୍ୟ ବୋଷଙ୍କର କାର୍ଯ୍ୟ ବୈଜ୍ଞାନିକମାନଙ୍କୁ ଅବିରତ ଭାବେ ପ୍ରେରଣା ଯୋଗାଇ ଆସୁଛି ।

ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଉଙ୍କି ମାରୁଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆପଣମାନଙ୍କର ପ୍ରୟାସକୁ ସଫଳତା ମିଳୁ । ମୁଁ ଦୃଢ଼ ନିଶ୍ଚିତ ଯେ ଆପଣମାନଙ୍କର ଅକ୍ଳାନ୍ତ ପ୍ରଚେଷ୍ଟା ଦେଶକୁ ଉନ୍ନତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବ ।

ମୁଁ ଆପଣମାନଙ୍କ  ପାଇଁ ଏକ ଫଳପ୍ରସୂ ଏବଂ ସୃଜନାତ୍ମକ ନବବର୍ଷ କାମନା କରୁଛି ।

ଜୟ ହିନ୍ଦ!!!

**********