Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଖେଲୋ ଇଣ୍ଡିଆ’ ଯୋଜନାକୁ ନୂଆ ରୂପ; ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୨୦୨୬-୨୭ ରୁ ୨୦୩୦-୩୧ ଅବଧି ପାଇଁ ମୋଟ ୩୬,୪୪୧ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଖେଲୋ ଇଣ୍ଡିଆ’ ଯୋଜନାର ସମ୍ପ୍ରସାରଣ ଏବଂ ଜାତୀୟ କ୍ରୀଡ଼ା ମହାସଂଘ ଗୁଡ଼ିକୁ ସହାୟତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ଯୁବ ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ କ୍ରୀଡ଼ାର ଶକ୍ତିକୁ ଉପଯୋଗ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

ସ୍ୱାଧୀନତା ପରଠାରୁ ଏହା ଦେଶର ସବୁଠାରୁ ମହତ୍ୱାକାଂକ୍ଷୀ କ୍ରୀଡା ବିକାଶ କାର୍ଯ୍ୟକ୍ରମ। ଏହା କ୍ରୀଡା ପ୍ରତି ଦେଶର ଯୁବପିଢ଼ିଙ୍କ ଆକାଂକ୍ଷାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଆଗାମୀ ଦଶନ୍ଧିରେ ଏହାର ପରିବର୍ତ୍ତନକାରୀ ପ୍ରଭାବ ପଡ଼ିବ।

ଅନୁମୋଦିତ ବ୍ୟୟବରାଦ ପୂର୍ବ ଖେଲୋ ଇଣ୍ଡିଆ ଯୋଜନାର ପ୍ରାୟ ଆଠ ଗୁଣ, ଯାହା ଯୁବ ବିକାଶ, ରାଷ୍ଟ୍ର ନିର୍ମାଣ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ଶକ୍ତିକେନ୍ଦ୍ର ଭାବରେ ଉଭା ହେବାର ମୂଳଦୁଆ ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହି ସଂଶୋଧିତ ଯୋଜନାଟି ପ୍ରତ୍ୟେକ ପ୍ରତିଭାବାନ୍ ଯୁବ ଭାରତୀୟଙ୍କ ପାଇଁ ସ୍କୁଲ ଖେଳପଡ଼ିଆ ଏବଂ ଗ୍ରାମୀଣ କ୍ରୀଡ଼ାଙ୍ଗନରୁ ଆରମ୍ଭ କରି ଅଲିମ୍ପିକ୍ସ ପୋଡିୟମ୍ ପର୍ଯ୍ୟନ୍ତ ଏକ ସୁଗମ ମାର୍ଗ ତିଆରି କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଭୌଗୋଳିକ ସ୍ଥିତି, ଆର୍ଥିକ ଅବସ୍ଥା କିମ୍ବା ସୁଯୋଗର ଅଭାବ ହେତୁ ଯେପରି କୌଣସି ବି କ୍ରୀଡ଼ା ପ୍ରତିଭା ଲୁଚି ନରହେ ତାହା ଏହା ସୁନିଶ୍ଚିତ କରିବ। 

‘ଖେଲୋ ଇଣ୍ଡିଆ ନୀତି ୨୦୨୫’ ଏବଂ ‘ଜାତୀୟ ଶିକ୍ଷା ନୀତି ୨୦୨୦’ର ଦୃଷ୍ଟିକୋଣ ସହିତ ସଂଯୁକ୍ତ, ଏହି ଯୋଜନା ଶିକ୍ଷା, ଫିଟନେସ୍, ପ୍ରଯୁକ୍ତିବିଦ୍ୟା ଏବଂ ଉଚ୍ଚ-ପ୍ରଦର୍ଶିତା ତାଲିମ ସହିତ କ୍ରୀଡାକୁ ସମନ୍ୱିତ କରେ। ଏହା ଭାରତର ଦୀର୍ଘକାଳୀନ କ୍ରୀଡା ମହତ୍ତ୍ୱାକାଂକ୍ଷା ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଦେଶରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଏବଂ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ଦାବି।

ଉତ୍କର୍ଷତା ହାସଲ ଲାଗି ପ୍ରତ୍ୟେକ ପ୍ରତିଭାବାନ ଯୁବକଙ୍କୁ ପଥ ମିଳିବ:

ପ୍ରଥମ ଥର ପାଇଁ, ଯୁବ କ୍ରୀଡ଼ାବିତମାନଙ୍କୁ ପ୍ରତ୍ୟେକ ପର୍ଯ୍ୟାୟରେ ସହାୟତା କରିବା ପାଇଁ-ପ୍ରତିଭା ଚିହ୍ନଟ ଏବଂ ବୈଜ୍ଞାନିକ ତାଲିମଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ଅଲିମ୍ପିକ୍ ପ୍ରସ୍ତୁତି ପର୍ଯ୍ୟନ୍ତ-ଏକ ସମ୍ପୂର୍ଣ୍ଣ କ୍ରୀଡ଼ାବିତ୍ ବିକାଶ ମାର୍ଗ ତିଆରି କରାଯାଇଛି।

ଏହି ଯୋଜନା ନାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (NCOE), ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍ ଏକ୍ସଲେନ୍ସ (KICoE), ଏସଏଆଇ (SAI) ଟ୍ରେନିଂ ସେଣ୍ଟର (STC), ଖେଲୋ ଇଣ୍ଡିଆ ସ୍ୱୀକୃତିପ୍ରାପ୍ତ ଏକାଡେମୀ (KIAA), ଖେଲୋ ଇଣ୍ଡିଆ ସେଣ୍ଟର (KIC) ଏବଂ ସଶସ୍ତ୍ର ବାହିନୀର ୟୁଥ୍ ସ୍ପୋର୍ଟସ କମ୍ପାନୀ (YSC) କୁ ନେଇ ଏକ ସମନ୍ୱିତ ଦେଶବ୍ୟାପୀ କ୍ରୀଡ଼ା ବାତାବରଣ ସୃଷ୍ଟି କରୁଛି। ଏହି ସଂସ୍ଥାଗୁଡ଼ିକ ମିଳିତ ଭାବେ ସମଗ୍ର ଦେଶରେ ବିଶ୍ୱସ୍ତରୀୟ କୋଚିଂ, କ୍ରୀଡ଼ା ବିଜ୍ଞାନ ସହାୟତା ଏବଂ ଆଧୁନିକ ଭିତ୍ତିଭୂମି ଯୋଗାଇ ଦେବେ।

ସ୍କୁଲ କ୍ରୀଡ଼ା ପରିବେଶକୁ ସୁଦୃଢ଼ କରିବା ପାଇଁ, ସରକାର ଦୁଇଟି ନୂତନ ପଦକ୍ଷେପ-‘ଖେଲୋ ଇଣ୍ଡିଆ ଫିଡର ସ୍କୁଲ’ (KIFS) ଏବଂ ‘ଖେଲୋ ଇଣ୍ଡିଆ ଉତ୍କୃଷ୍ଟ ବିଦ୍ୟାଳୟ’ (KIUV) ଆରମ୍ଭ କରିଛନ୍ତି-ଯାହା କ୍ରୀଡ଼ାକୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବ ଏବଂ ପ୍ରତିଭାବାନ୍ ପିଲାମାନଙ୍କର ଶୀଘ୍ର ଚିହ୍ନଟ ଓ ସୁସଂଗଠିତ ବିକାଶକୁ ସକ୍ଷମ କରିବ।

ଦଶଗୁଣ ବଢିବ ଭାରତର କ୍ରୀଡ଼ାବିତ୍‌ ସଂଖ୍ୟା: 

ଏହି ଯୋଜନା ଅଧୀନରେ ଏକ ପ୍ରମୁଖ ସଂସ୍କାର ହେଉଛି ବର୍ତ୍ତମାନର ‘ଖେଲୋ ଇଣ୍ଡିଆ ଆଥଲେଟ୍ସ’ କାର୍ଯ୍ୟକ୍ରମ ସହିତ ‘ଉଦୀୟମାନ ଖେଲୋ ଇଣ୍ଡିଆ ଆଥଲେଟ୍ସ’ (E-KIAs) ବର୍ଗର ସୃଷ୍ଟି। ଏହା ସୁସଂଗଠିତ କ୍ରୀଡ଼ାବିତ୍ ବିକାଶ ପରିବେଶକୁ ପାଖାପାଖି ଦଶ ଗୁଣ ସମ୍ପ୍ରସାରିତ କରିବ, ଯାହା ଫଳରେ ହଜାର ହଜାର ଅତିରିକ୍ତ ଯୁବ କ୍ରୀଡ଼ାବିତ୍ ପେସାଦାର କୋଚିଂ, ବୈଜ୍ଞାନିକ ସହାୟତା ଏବଂ ଦୀର୍ଘକାଳୀନ ମାର୍ଗଦର୍ଶନ ପାଇପାରିବେ।

ପ୍ରତିଭା ଚିହ୍ନଟ ବିକାଶ କମିଟି, ଜୋନାଲ କମିଟି, ଟ୍ୟାଲେଣ୍ଟ ସ୍କାଉଟ୍, ହାଇ ପରଫରମାନ୍ସ ଡାଇରେକ୍ଟର ଏବଂ ହାଇ ପରଫରମାନ୍ସ ମ୍ୟାନେଜରଙ୍କୁ ନେଇ ଗଠିତ ଏକ ସୁଦୃଢ଼ ଦେଶବ୍ୟାପୀ ପ୍ରତିଭା ଚିହ୍ନଟ ପ୍ରକ୍ରିୟା ସମଗ୍ର ଦେଶରେ ପ୍ରତିଭାବାନ୍ କ୍ରୀଡ଼ାବିତ୍ମାନଙ୍କର ନିରନ୍ତର ଚିହ୍ନଟ, ଟ୍ରାକିଂ ଏବଂ ବିକାଶକୁ ସୁନିଶ୍ଚିତ କରିବ।

ଏହି ଯୋଜନା ତୃଣମୂଳ ସ୍ତରର ପ୍ରତିଯୋଗିତାରୁ ଖେଲୋ ଇଣ୍ଡିଆ ଏବଂ ପରବର୍ତ୍ତୀ ସମୟରେ ‘ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ ପର୍ଯ୍ୟନ୍ତ ଏକ ସ୍ପଷ୍ଟ ଅଗ୍ରଗତିର ମାର୍ଗ ପ୍ରସ୍ତୁତ କରୁଛି, ଯାହା ଯୋଗ୍ୟ କ୍ରୀଡ଼ାବିତ୍ମାନଙ୍କୁ ସର୍ବୋଚ୍ଚ ସ୍ତରରେ ପଦକ ଜିତିବା ପାଇଁ ବିଶ୍ୱସ୍ତରୀୟ ତାଲିମ, ଅନ୍ତର୍ଜାତୀୟ ଏକ୍ସପୋଜର ଏବଂ ସମ୍ପୂର୍ଣ୍ଣ ସହାୟତା ପାଇବାରେ ସକ୍ଷମ କରିବ।

ଅଧିକ ପ୍ରତିଯୋଗିତା, ଅଧିକ ସୁଯୋଗ: 

କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ନିୟମିତ ପ୍ରତିଯୋଗିତା ଉପରେ ନିର୍ଭର କରେ ବୋଲି ସ୍ୱୀକାର କରି, ଏହି ସଂଶୋଧିତ ଯୋଜନା ଭାରତର ଘରୋଇ ପ୍ରତିଯୋଗିତା ପରିବେଶକୁ ଯଥେଷ୍ଟ ସୁଦୃଢ଼ କରିବାକୁ ଯାଉଛି। ଯୁବ କ୍ରୀଡ଼ାବିତମାନଙ୍କୁ ନିରନ୍ତର ପ୍ରତିଯୋଗିତାମୂଳକ ସୁଯୋଗ ଯୋଗାଇବା ପାଇଁ ଏହା ଜାତୀୟ ଚାମ୍ପିୟନସିପ୍ ସହିତ ସ୍କୁଲ, ବିଶ୍ୱବିଦ୍ୟାଳୟ, ଆଞ୍ଚଳିକ ଏବଂ କ୍ରୀଡ଼ା-ଭିତ୍ତିକ ଲିଗ୍ ଗୁଡ଼ିକୁ ସହାୟତା ପ୍ରଦାନ କରିବ।

ମହିଳା କ୍ରୀଡ଼ାବିତ୍, ପାରା-କ୍ରୀଡ଼ାବିତ୍, ପାରମ୍ପରିକ/ଦେଶୀ କ୍ରୀଡ଼ା, ଏବଂ ଶାନ୍ତି, ସମାବେଶ ଓ ସମ୍ପ୍ରଦାୟର ବିକାଶ ପାଇଁ କ୍ରୀଡ଼ାକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ସୁଯୋଗର ସମ୍ପ୍ରସାରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନା ଜାତୀୟ କ୍ରୀଡ଼ା ଆୟୋଜନ କରିବା ଏବଂ ଭାରତରେ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ ପାଇଁ ମଧ୍ୟ ସହାୟତା ଯୋଗାଇଥାଏ।

ଏକ ଅଧିକ ସୁସ୍ଥ ଏବଂ ଫିଟ୍ ଭାରତର ନିର୍ମାଣ: 

ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସକୁ ଏକ ଦେଶବ୍ୟାପୀ ଆନ୍ଦୋଳନ ଭାବରେ ପ୍ରୋତ୍ସାହିତ କରିବା ପାଇଁ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ର ବିସ୍ତାର କରାଯିବ। ଅଭିଯାନଗୁଡ଼ିକ ସକ୍ରିୟ ଜୀବନଶୈଳୀ, କ୍ରୀଡ଼ାରେ ମହିଳାଙ୍କ ଅଂଶଗ୍ରହଣ, ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଏବଂ ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ କ୍ରୀଡ଼ା-ଭିତ୍ତିକ ପଦକ୍ଷେପକୁ ଉତ୍ସାହିତ କରିବ, ଯାହା ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ଭାବରେ କ୍ରୀଡ଼ାର ଭୂମିକାକୁ ଅଧିକ ସୁଦୃଢ଼ କରିବ।

କୋଚ୍, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ନିବେଶ: 

କ୍ରୀଡ଼ାବିତମାନେ କେବଳ ବିଶ୍ୱସ୍ତରୀୟ ସହାୟତା ପ୍ରଣାଳୀ ଦ୍ୱାରା ହିଁ ଶ୍ରେଷ୍ଠତା ହାସଲ କରିପାରିବେ ବୋଲି ସ୍ୱୀକାର କରି, ସରକାର ପ୍ରଶିକ୍ଷଣ ଯୋଗ୍ୟତାକୁ ମାନକୀକୃତ କରିବା, ପେସାଦାର ମାନଦଣ୍ଡରେ ସୁଧାର ଆଣିବା ଏବଂ ସମଗ୍ର ଦେଶରେ ପ୍ରଶିକ୍ଷକ ଓ ସହାୟକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ନ୍ୟାସନାଲ କୋଚ୍ ଆକ୍ରେଡିଟେସନ୍ ବୋର୍ଡ’ (ଏନସିଏବି) ସ୍ଥାପନ କରିବେ।

ଏହି ଯୋଜନା ଏକ ଏକୀକୃତ ଡିଜିଟାଲ୍ ସ୍ପୋର୍ଟସ୍ ପ୍ଲାଟଫର୍ମର ପରିକଳ୍ପନା ମଧ୍ୟ କରେ ଯାହା କ୍ରୀଡ଼ାବିତ୍ ଡାଟାବେସ୍, ଭିତ୍ତିଭୂମି, ପ୍ରତିଯୋଗିତା, କୋଚିଂ ସମ୍ବଳ, ପ୍ରତିଭା ଆକଳନ, ଆର୍ଥିକ ସହାୟତା ଏବଂ ଫିଟ୍ ଇଣ୍ଡିଆ ଅଂଶଗ୍ରହଣକୁ ଏକତ୍ରିତ କରିବ। ଏହି ପ୍ଲାଟଫର୍ମ ତଥ୍ୟ-ଆଧାରିତ ଯୋଜନା, ସ୍ୱଚ୍ଛ ପ୍ରଶାସନ ଏବଂ ବ୍ୟକ୍ତିଗତ କ୍ରୀଡ଼ାବିତଙ୍କ ବିକାଶକୁ ସକ୍ଷମ କରିବ।

କ୍ରୀଡ଼ା ଶ୍ରେଷ୍ଠତା ପାଇଁ ସୁଦୃଢ଼ ଭାଗିଦାରୀ: 

କ୍ରୀଡ଼ା ଭିତ୍ତିଭୂମି, ପ୍ରତିଭା ବିକାଶ ଏବଂ କ୍ରୀଡ଼ାବିତ୍ମାନଙ୍କ ସହାୟତା କ୍ଷେତ୍ରରେ ପୁଞ୍ଜିନିବେଶ, ନବସୃଜନ ଓ ବିଶେଷଜ୍ଞତାର ଉପଯୋଗ କରିବା ପାଇଁ ସରକାର ବେସରକାରୀ ଏକାଡେମୀ, କର୍ପୋରେଟ୍ ସହଯୋଗୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହିତ ସହଯୋଗକୁ ଅଧିକ ନିବିଡ଼ କରିବେ। ଏହା ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରର ଭାଗିଦାରୀ ଦ୍ୱାରା ପରିଚାଳିତ ଏକ ପ୍ରକୃତ ଜାତୀୟ କ୍ରୀଡ଼ା ପରିବେଶ ସୃଷ୍ଟି କରିବ।

ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା ଅଭିଳାଷକୁ ସହାୟତା: 

ସଂଶୋଧିତ ‘ଖେଲୋ ଇଣ୍ଡିଆ’ ଯୋଜନାର ଏକ ପରିପୂରକ ଯୋଜନାଭାବେ ସରକାର ୨୦୨୬-୩୧ ଅବଧି ପାଇଁ ‘ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସହାୟତା’ (ଏଏନଏସଏଫ) ବୃଦ୍ଧି ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ଯୋଜନା ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଆଧୁନିକ ଉପକରଣ, ଅନ୍ତର୍ଜାତୀୟ ଏକ୍ସପୋଜର, ପ୍ରଶିକ୍ଷଣ ଶିବିର, ବିଦେଶୀ ବିଶେଷଜ୍ଞଙ୍କ ନିୟୋଜନ ଏବଂ ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଅର୍ଥ ଯୋଗାଇ ଭାରତୀୟ କ୍ରୀଡ଼ାବିତ୍ ଏବଂ ଦଳଗୁଡ଼ିକୁ ସହାୟତା କରିବ। ଏହା ବିଶ୍ବ ଦକ୍ଷିଣର ଦେଶଗୁଡ଼ିକ ସହିତ କ୍ରୀଡ଼ା ସହଯୋଗକୁ ମଧ୍ୟ ସହାୟତା କରିବ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ପାରମ୍ପରିକ/ଦେଶୀ ଖେଳଗୁଡ଼ିକୁ ପ୍ରୋତ୍ସାହିତ କରିବ।

ବିକଶିତ ଭାରତ ପାଇଁ ଏକ ଜାତୀୟ ମିଶନ୍: 

ଏହି ସଂଶୋଧିତ ‘ଖେଲୋ ଇଣ୍ଡିଆ’ ଯୋଜନା ଭାରତର କ୍ରୀଡ଼ା ଭବିଷ୍ୟତ ଲାଗି କରାଯାଇଥିବା ସର୍ବବୃହତ ନିବେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା କେବଳ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ନୁହେଁ, ବରଂ ଯୁବ ଭାରତୀୟମାନଙ୍କୁ ସୁଯୋଗ, ଆତ୍ମବିଶ୍ୱାସ ଏବଂ ଶ୍ରେଷ୍ଠତା ମାଧ୍ୟମରେ ସଶକ୍ତ କରିବାର ଏକ ଜାତୀୟ ମିଶନ୍।

ତୃଣମୂଳ ସ୍ତରର ପ୍ରତିଭାରୁ ଆରମ୍ଭ କରି ବିଶ୍ୱସ୍ତରୀୟ କ୍ରୀଡ଼ା ସଫଳତା ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ମାର୍ଗ ପ୍ରସ୍ତୁତ କରି, ଏହି ଯୋଜନାର ଲକ୍ଷ୍ୟ ହେଉଛି ବିଜେତା/ଚାମ୍ପିୟନ୍ ତିଆରି କରିବା, ଫିଟନେସ୍ ସଂସ୍କୃତିକୁ ଉତ୍ସାହିତ କରିବା, ଭାରତର କ୍ରୀଡ଼ା ପରିବେଶକୁ ସୁଦୃଢ଼ କରିବା ଏବଂ ‘ବିକଶିତ ଭାରତ@୨୦୪୭’ ର ସଙ୍କଳ୍ପ ଆଡ଼କୁ ଅଗ୍ରସର ହେବା ସହିତ ଦେଶକୁ ବିଶ୍ୱର ପ୍ରମୁଖ କ୍ରୀଡ଼ା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାପିତ କରିବା।

 

TKM