Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟରେ ଆସନ୍ତାକାଲି ବେଞ୍ଜାମିନ ନେତାନ୍ୟାହୁଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଂଜାମିନ ନେତାନ୍ୟାହୁ ଏବଂ ଶ୍ରୀମତୀ ସାରା ନେତାନ୍ୟାହୁ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯାଉଛନ୍ତି । ପ୍ରଥମେ ଶ୍ରୀମତୀ ସାରା ନେତାନ୍ୟାହୁ ଏବଂ ଶ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ଅହମଦାବାଦ ସହର ପକ୍ଷରୁ ଅଭ୍ୟର୍ଥନା ପ୍ରଦାନ କରାଯିବ । ତାହା ପରେ ସେମାନେ ସାବରମତୀ ଆଶ୍ରମକୁ ଯିବେ ଏବଂ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହି ଅବସରରେ ଅହମ୍ମଦାବାଦ ପୌରାଂଚଳ ଅନ୍ତର୍ଗତ ଦେଓ ଢୋଲେରା ଗ୍ରାମରେ iCreate ସେଂଟରକୁ ମିଳିତ ଭାବେ ଉଦଘାଟନ କରିବେ । ଦୁଇ ନେତା ଏକ ଷ୍ଟାର୍ଟ-ଅପ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ସେଠାରେ ସିଇଓ ଏବଂ ନବସୃଜନକାରୀମାନଙ୍କ ସହ ମତ ବିନିମୟ କରିବେ । ଦୁଇ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ବନସ୍କାଂଟା ଜିଲାର ସୁଇଗାମ ତାଲୁକାକୁ ଏକ ଭ୍ରାମ୍ୟମାଣ ଲୁଣାଜଳ ପରିସ୍କରଣ ଭ୍ୟାନକୁ ଲୋକାର୍ପଣ କରିବେ । ଏହି ଅବସରରେ ସେଠାରେ ଦୁଇ ନେତା ଏକ ଜନ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ଗସ୍ତ ଅବସରରେ ବନସ୍କାଂଟା ଜିଲାର ଭଦରାଦଠାରେ ଥିବା ଉତ୍କର୍ଷ ପରିବା କେନ୍ଦ୍ର ବୁଲି ଦେଖିବେ । ଏହି ପରିଦର୍ଶନ କାଳରେ କୃଷି ବିଜ୍ଞାନୀମାନେ ସେମାନଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ନେଇ ସମ୍ୟକ ଭାବେ ଅବଗତ କରାଇବେ । ସେହିଭଳି ଦୁଇ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଭୁଜ ଜିଲାର କୁକମାଠାରେ ଖଜୁରୀ ଉତ୍ପାଦନ ସମ୍ବନ୍ଧୀତ ଏକ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିବେ । ଶ୍ରୀ ମୋଦୀ ଏବଂ ଶ୍ରୀ ନେତାନ୍ୟାହୁ ସେଠାକାର ସମବେତ ଚାଷୀମାନଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗୁଜରାଟ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୁମ୍ବାଇ ଯାତ୍ରା କରିବେ ।

*******