Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ଗାନ୍ଧୀନଗରଠାରେ ସ୍ୱଚ୍ଛ ଶକ୍ତି 2017- ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗୁଜରାଟର ଗାନ୍ଧୀନଗରଠାରେ ସ୍ୱଚ୍ଛ ଶକ୍ତି 2017-  ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗୁଜରାଟର ଗାନ୍ଧୀନଗରଠାରେ ସ୍ୱଚ୍ଛ ଶକ୍ତି 2017-  ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗୁଜରାଟର ଗାନ୍ଧୀନଗରଠାରେ ସ୍ୱଚ୍ଛ ଶକ୍ତି 2017-  ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଦେଶର କୋଣ ଅନୁକୋଣରୁ ଆସିଥିବା ଏବଂ ନିଜ ଦାୟିତ୍ୱକୁ ସଠିକ୍ ଭାବରେ  ତୁଲାଇ ଏକ ପ୍ରେରଣା ରୂପେ କାମ କରିଥିବା, ଏଭଳି ସମସ୍ତ ମାଆମାନେ, ଭଉଣୀମାନେ ।

ମୋର ସୌଭାଗ୍ୟ ଯେ ଆଜି 8 ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଦେଶର କୋଣ ଅନୁକୋଣରୁ ଆସିଥିବା ମାଆ, ଭଉଣୀମାନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଲା, ସେମାନଙ୍କ ଆଶୀର୍ବାଦ ପାଇବାର ସୌଭାଗ୍ୟ ମିଳିଲା ।

 ମତେ କୁହାଯାଇଛି ଯେ ଆପଣମାନଙ୍କ ମଧ୍ୟରୁ କିଛି ଲୋକ 3ଦିନ ଧରି ଏଠାରେ ଅଛନ୍ତି, କେହି ଦୁଇ ଜଣ ଦିନେ ହେବ ଅଛନ୍ତି, କିଛି ଲୋକ ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ରହିବେ, ଅଲଗା-ଅଲଗା ଜିଲ୍ଲାରୁ ଲୋକ ଆସିଛନ୍ତି, ଗାଁ କେମିତି ହୋଇଥାଏ; ତାହା ଦେଖିକରି ଆସିଛନ୍ତି । ଏଠାରେ ମଧ୍ୟ ଆପଣମାନେ ଦୁଇଟି ପ୍ରଦର୍ଶନୀ ଦେଖିଥିବେ; ଏକ ଗାଁ – ଗାଁର ବିକାଶ ଆଉ ସେଥିରେ ସ୍ୱଚ୍ଛତାର ମାହାତ୍ମ୍ୟ, ଆଧୁନିକ ଟେକ୍ନୋଲଜିରେ ବହୁତ ଭଲ ପ୍ରକାରର ପ୍ରଦର୍ଶନୀ ଏଠି ଲାଗିଛି । ମତେ ଆସିବାରେ ଯେଉଁ କିଛି ଡେରି ହୋଇଛି, ତାହାର ଏକ କାରଣ ସେହି ପ୍ରଦର୍ଶନୀରେ ମୋର ମନ ଲାଗିଯାଇଥିଲା; ମୁଁ ଦେଖୁ ଦେଖୁ ଟିକେ ରହିଗଲି; ତ ସେହି କାରଣରୁ ଏଠି ପହଞ୍ଚିବାରେ ଡେରି ହୋଇଗଲା । ଏତେ ଭଲ ପ୍ରଦର୍ଶନୀ ହୋଇଛି, ଆପଣମାନଙ୍କୁ ମୋର ଅନୁରୋଧ କି ତାହାକୁ ସରକାରୀ ଦୃଷ୍ଟିରେ ନ ଦେଖନ୍ତୁ । ଜଣେ ବିଦ୍ୟାର୍ଥୀ ଭାବେ ସେହି ପୁରା ପ୍ରଦର୍ଶନୀକୁ ଆପଣ ଦେଖନ୍ତୁ । କାରଣ ସରପଞ୍ଚ ଭାବେ ଆପଣ ଯେଉଁ ଦାୟିତ୍ୱ ତୁଲାଉଛନ୍ତି ସେହି କାମ କରିବା  ପାଇଁ ଆପଣମାନଙ୍କୁ ଏକ ନୂଆ ଦିଗ ମିଳିବ, ସୂଚନାମାନ ମିଳିବ, ଆପଣଙ୍କ ସଂକଳ୍ପ ଆହୁରି ଦୃଢ ହେବ, ଏହି ବିଶ୍ୱାସ ମୋର ଅଛି ।

ଦ୍ୱିତୀୟରେ ଏହା ହେଉଛି ସ୍ୱଚ୍ଛ ଶକ୍ତି ସମାରୋହ । ଗାନ୍ଧିଜୀଙ୍କ ଜନ୍ମଭୂମୀ ଗୁଜୁରାଟରେ ହେଉଛି, ଗାନ୍ଧିଜୀଙ୍କ ନାମରେ ପ୍ରତିଷ୍ଠିତ ସହରରେ ହେଉଛି, ଆଉ ଗାନ୍ଧିଜୀ ଯାହାଙ୍କୁ ଆମେ ମହାତ୍ମା କହୁଥିଲୁ, ସେହି ମହାତ୍ମା ମନ୍ଦିରରେ ହେଉଛି; ଏଥିରେ ଏହାର କେତେ ମାହାତ୍ମ୍ୟ ଅଛି, ଆପଣ ବୁଝି ପାରୁଥିବେ । ଏଠାରେ ଏକ ଡିଜିଟାଲ ପ୍ରଦର୍ଶନୀ, ଭରଚୁଆଲ ସଂଗ୍ରହାଳୟ ପୂଜ୍ୟ ବାପୁଙ୍କ ଜୀବନୀ ଉପରେ ଅଛି । ଗାନ୍ଧୀ କୁଟୀର ଯାହା ଏଠାରେ ତିଆରି ହୋଇଛି, ଆପଣ ତାକୁ ମଧ୍ୟ ନିଶ୍ଚିତ ଦେଖନ୍ତୁ । ପୂଜ୍ୟ ବାପୁଙ୍କ ଜୀବନକୁ ଯଦି ଆମେ ବୁଝିବା ତ ସ୍ୱଚ୍ଛତା ପାଇଁ ଯାହା ପୂଜ୍ୟ ବାପୁଙ୍କ ଅନୁରୋଧ ଥିଲା, ତାକୁ ପରିପୂର୍ଣ୍ଣ କରିବା ପାଇଁ ଆମର ସଂକଳ୍ପ ଏବଂ ପରିଣାମ ଆଣିବା ପାଇଁ ଆମର ପ୍ରୟାସ କେବେ ମଧ୍ୟ ବ୍ୟର୍ଥ ହେବ ନାହିଁ ।

2019ରେ ମହାତ୍ମା ଗାନ୍ଧୀଙ୍କୁ 150 ହେବାକୁ ଯାଉଛି । ପୂଜ୍ୟ ବାପୁ କହୁଥିଲେ ଯେ ହିନ୍ଦୁସ୍ଥାନ ଗାଁରେ ହିଁ ରହିଛି । ଆଉ ଏକ କଥା କହୁଥିଲେ ଯେ “ମତେ ଯଦି ସ୍ୱାଧୀନତା ଓ ସ୍ୱଚ୍ଛତା, ଦୁଇଟି ଯାକ ମଧ୍ୟରୁ ପ୍ରଥମେ ଗୋଟିଏକୁ ପସନ୍ଦ କରିବାକୁ ପଡିବ ତେବେ ମୁଁ ସ୍ୱଚ୍ଛତାକୁ ପସନ୍ଦ କରିବି” । ଗାନ୍ଧିଜୀଙ୍କ ଜୀବନରେ ସ୍ୱଚ୍ଛତାର କେତେ ମାହାତ୍ମ୍ୟ ଥିଲା ତାହା ତାଙ୍କର ଏହି ପ୍ରତିବଦ୍ଧତାରୁ ଜଣା ପଡୁଛି । 2019 ରେ ଯେବେ ଆମେ ଗାନ୍ଧୀଜୀଙ୍କ 150 ତମ ଜୟନ୍ତୀ ପାଳନ କରୁଛେ, କ’ଣ ସେ ପର୍ଯ୍ୟନ୍ତ ଆମେ ସ୍ୱଚ୍ଛତା ବିଷୟରେ ଯାହା ଗାନ୍ଧିଜୀଙ୍କର ପ୍ରୟାସ ଥିଲା ତାହା ହାସଲ କରିପାରିବାନାହିଁ? କୌଣସି ଗୋଟିଏ ସରକାରର ଏହା ପ୍ରୟାସ ହୋଇ ରହିନାହିଁ; ଗାନ୍ଧିଜୀଙ୍କ ସମୟରୁ ଏହା ଚାଲି ଆସୁଛି । ପ୍ରତ୍ୟେକ କିଛି ନା କିଛି କରିଛନ୍ତି । କିନ୍ତୁ ଏବେ ଆମେ ସ୍ଥିର କରିବା କି ଏହା ଭିତରେ ଆମକୁ ବହୁତ କିଛି କରି ଦେବାର ଅଛି । ଏହା ପରେ ଏହି ବିଷୟ ଆମ ସ୍ୱଭାବର ଏକ ଅଂଶ ହୋଇଯିବ, ଆମର ରାଷ୍ଟ୍ରୀୟ ପରିଚୟ ହୋଇଯିବ; ଆମ ରକ୍ତରେ ସ୍ୱଚ୍ଛତାର ଅନୁଭବ ହେବ । ଏଭଳି ସ୍ଥିତି ଆମେ ସୃଷ୍ଟି କରିବାକୁ ଚାହୁଁଛୁ । ଆଉ ଏହା ଦେଶ କରି ପାରିବ ।

ଏମାନେ ସେହି ସରପଞ୍ଚ ଭଉଣୀମାନେ, ଯେଉଁମାନେ ନିଜ ଗାଁରେ ଏହା କରି ଦେଖାଇଛନ୍ତି । ଖୋଲା ଜାଗାକୁ ଶୌଚ ହେବାକୁ ଯିବା, ଏହା ବିରୁଦ୍ଧରେ ସେମାନେ ସଂଘର୍ଷ କରିଛନ୍ତି । ଗାଁର ଏହି ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ପ୍ରୟାସ କରିଛନ୍ତି । ସେହି ସ୍ୱଚ୍ଛତାର ସନ୍ଦେଶକୁ ସଫଳତାପୂର୍ବକ ନିଜ ଗାଁରେ ଲାଗୁ କରିଲାବାଲା ଶକ୍ତିରୂପା ଲୋକ ଏଠି ବସିଛନ୍ତି । ଆଉ ଏଥିପାଇଁ  ମୋର ବିଶ୍ୱାସ ରହିଛି ଯେ, ଯେଉଁ ଗତିରେ ଚାଲିଛି ସେହି ଗତିକୁ ଯଦି ଆମେ ବହୁତ ସମୟବଦ୍ଧ ଭାବରେ ଏବଂ ସଠିକ ଢଙ୍ଗରେ ପ୍ରୟାସ କରିବା, ତ ଗାନ୍ଧୀଜୀଙ୍କ 150 ତମ ଜୟନ୍ତୀ ପାଳନ ବେଳକୁ ଆମେ ବହୁତ କିଛି ପରିବର୍ତ୍ତନ ଆଣି ପାରିବା ।

ଏବେ ଆପଣ ଏକ ଛୋଟ ଚଳଚିତ୍ର ଦେଖିଲେ, ସେଥିରେ କ’ଣ ଅଛି, ସ୍ୱଚ୍ଛତାକୁ ନେଇ ଆଗେ  ଆମ ମାନ୍ୟତା 42% ପର୍ଯ୍ୟନ୍ତ ଥିଲା । ଏତେ କମ୍ ସମୟରେ ଆମେ 62 ପର୍ଯ୍ୟନ୍ତ ପହଞ୍ଚି ଗଲେ । ଯଦି ଏତେ କମ୍ ସମୟ ମଧ୍ୟରେ 20ପ୍ରତିଶତ ଆମେ ଉନ୍ନତି କରି ପାରୁଛେ, ଉପରକୁ ଉଠିପାରିଛେ, ତ ଆଗାମୀ ଦେଢ ବର୍ଷରେ ଆମେ ଆହୁରି ଅଧିକ କରି ପାରିବା, ଏହି କଥା ସ୍ପଷ୍ଟ ଭାବରେ ଆପଣମାନେ କରି ଦେଖାଇଛନ୍ତି ।

ଆଜି ଯେଉଁ ମାତାମାନଙ୍କୁ, ଭଉଣୀମାନଙ୍କୁ ସମ୍ମାନିତ କରିବାର ମତେ ଅବସର ମିଳିଲା, ତାର ଏକ – ଏକ ମିନିଟର ଛୋଟ ଛୋଟ ଫିଲ୍ମ ଆମେ ଦେଖିଲୁ । କିଛି ଲୋକଙ୍କର ଯେଉଁ ଭ୍ରମ ରହିଥାଏ, ସେମାନଙ୍କ ଭ୍ରମକୁ ଭାଙ୍ଗୁ ଥିବା ଏହି ସବୁ ଫିଲ୍ମ ଅଟେ । କିଛି ଲୋକଙ୍କୁ  ଳାଗେ ଯେ କେବଳ ପଢା-ଲେଖା ଶିଖିଥିବା ଲୋକମାନେ କିଛି କାମ କରି ପାରିବେ, ଏହି ଭଉଣୀମାନେ କରି ଦେଖାଇଦେଲେ ।

କିଛି ଲୋକଙ୍କୁ ଲାଗେ ସହରରେ ରହୁଥିବେ, ଧଡାଧଡ ଇଂରାଜୀ କହୁଥିବେ ସେମାନେ ହିଁ କିଛି କରି ପାରିବେ । ସେମାନେ ନିଜ ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବେ, ତାହାଲେ ମଧ୍ୟ ସେମାନେ କରି ପାରିବେ । ଯଦି କୌଣସି ବିଷୟ ସହିତ ବ୍ୟକ୍ତି ଯୋଡି ହୋଇଯାଏ, ଜୀବନର ଲକ୍ଷ୍ୟ ଯଦି ତାକୁ ମିଳିଯାଏ, ତାହେଲେ ସେ ତାକୁ ନିଶ୍ଚିତ ଅତିକ୍ରମ କରିଯାଏ । ବହୁତ ଲୋକଙ୍କୁ ତ ଜଣା ହିଁ ନ ଥାଏ ଯେ ତାଙ୍କ ଜୀବନର ଲକ୍ଷ୍ୟ କ’ଣ । ଆପଣ ପଚାରିବେ, କାଲି କ’ଣ କରିବ ତ କହିବେ ସଂଧ୍ୟାରେ ଭାବିବି । ଯାହାକୁ ନିଜ ଜୀବନର ଲକ୍ଷ୍ୟ ହିଁ ଜଣା ନାହିଁ ସେ ଜୀବନରେ କିଛି ହେଲେ ମଧ୍ୟ କରି ପାରିବେ ନାହିଁ; ଜୀବନ ଅତିବାହିତ କରି ନିଅନ୍ତି, ଦିନ ଗଣୁଥାନ୍ତି ଏବଂ କିଛି ଜିନିଷ ମଧ୍ୟରୁ ଦୁଇ ଚାରୋଟି ଭଲ କଥା ହୋଇଗଲା ତ ତାକୁ ବାଜା ବଜାଇ ଦିନ ଅତିବାହିତ କରି ରାତିରେ ଶୋଇ ଯାଆନ୍ତି ।

କିନ୍ତୁ ଯାହାକୁ ଜୀବନର ଲକ୍ଷ୍ୟ ମିଳିଯାଏ, ଜୀବନର ଉଦ୍ଦେଶ୍ୟ ଯାହାକୁ ଜଣା ଯାଏ, ସେ ରହି ନ ଯାଇ, ଥକି ନ ଯାଇ, ନଇଁ ନ ଯାଇ, ନିଜର ଲକ୍ଷ୍ୟର ପୂରଣ ପାଇଁ, ଯାହାର ବି ଆବଶ୍ୟକତା ପଡେ ତାକୁ ସାଙ୍ଗରେ ନେଇ; ସଂଘର୍ଷ କରିବାକୁ ପଡେ ତ ସଂଘର୍ଷ କରି, ଆହ୍ୱାନ ଗୁଡିକର ମୁକାବିଲା କରିବାକୁ ପଡେ ତ ମୁକାବିଲା କରି ନିଜ ଲକ୍ଷ୍ୟକୁ ପୂରଣ କରିବା ପର୍ଯ୍ୟନ୍ତ ସେ ସ୍ଥିର ହୋଇ ବସନ୍ତି ନାହିଁ ।

ଆପଣମାନଙ୍କ ମଧ୍ୟରୁ ସମସ୍ତେ ସରପଞ୍ଚ ହେବା କିଛି ଛୋଟ କଥା ନୁହେଁ । କିଛି ଲୋକ ଥିବେ ଯେଉଁମାନଙ୍କୁ ସରପଞ୍ଚ ହେବାରେ ବୋଧହୁଏ କୌଣସି ଅସୁବିଧା ହୋଇ ନଥିବ, କିନ୍ତୁ ଅଧିକାଂଶ ଏମିତି ଥିବେ ଯେଉଁମାନଙ୍କୁ ଏହି ଲୋକତାନ୍ତ୍ରିକ ପରମ୍ପରାରେ, ଏ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନେକ କିଛି କରିବାକୁ ପଡିଥିବ ।

ଆଜକୁ 15 ବର୍ଷ ପୂର୍ବେ କେବେ ସରପଞ୍ଚଙ୍କର ବୈଠକ ହେଉଥିଲା, 33 ପ୍ରତିଶତ ସଂରକ୍ଷଣ ଥିଲା, କିନ୍ତୁ ମୁଁ ମଧ୍ୟ ବୈଠକମାନଙ୍କରେ ଅନୁଭବ କରୁଥିଲି; ମୁଁ ପ୍ରଥମେ ଗୁଜୁରାଟ ବାହାରେ କାମ କରୁଥିଲି, କେତେ ଅଲଗା ଅଲଗା ରାଜ୍ୟରେ ମୁଁ କାମ କରିଛି । ମୁଁ ପଚାରୁଥିଲି ତ ସେ ପରିଚୟ ଦେଇ କହୁଥିଲେ, ପୁରୁଷ; ମୁଁ ହେଉଛି SP । ମତେ ଲାଗୁଥିଲା ଏହି ସରକାରୀ ଲୋକ ଏଠାକୁ କେମିତି ଆସିଲେ? ଏହାତ ହେଉଛି ଦଳୀୟ ସଭା, ତ ମୁଁ ପଚାରୁଥିଲି ଭାଇ ଆପଣ SP ଅର୍ଥାତ କେଉଁଠାରେ ଚାକିର କରିଛନ୍ତି? କହିଲେ ନା, ନା ମୁଁ ହେଉଛି SP, ତ ମୁଁ ପଚାରିଲି ଏହାର ଅର୍ଥ କ’ଣ? ତ କହିଲେ ମୁଁ ହେଉଛି ସରପଞ୍ଚ ପତି । କହିଲେ ମୋ ସ୍ତ୍ରୀ ସରପଞ୍ଚ କିନ୍ତୁ ସଭାକୁ ମୁଁ ହିଁ ଯାଉଛି । ଏଭଳି ସମୟ କେବେ ଥିଲା କିନ୍ତୁ ଆଜି ସେଭଳି ସ୍ଥିତି ନାହିଁ । ଯେଉଁ ମହିଳାଙ୍କୁ ସରପଞ୍ଚ ଭାବେ କାମ ମିଳିଛି, ତାଙ୍କୁ ଲାଗୁଛି ପାଞ୍ଚ ବର୍ଷ ପାଇଁ ମତେ ସୁଯୋଗ ମିଳିଛି, ମୁଁ କିଛି କାମ କରି ଯିବାକୁ ଚାହୁଁଛି । ସେ ନିଜ ପାରିବାରିକ ଦାୟିତ୍ୱ ମଧ୍ୟରେ ସବୁ କିଛି ବ୍ୟବସ୍ଥିତ କରୁଛି । ପରିବାରରେ ମଧ୍ୟ ନିଜର ଗୁରୁତ୍ୱକୁ ଲୋକ ସ୍ୱୀକାର କରନ୍ତୁ  ସେଭଳି ପରିବେଶ ତିଆରି କରେ । ଆଉ ଅନୁଭବ ଏହା କହେ ଯେ ପୁରୁଷ ସରପଞ୍ଚଙ୍କ ଠାରୁ ମହିଳା ସରପଞ୍ଚମାନେ ନିଜ କାମ ପ୍ରତି ଅଧିକ ସମର୍ପିତ । ତାହାକୁ ଗୁରୁତ୍ୱ ଦେଇଥାନ୍ତି । ପୁରୁଷ ସରପଞ୍ଚ ଆଉ 50ଟି କାମ କରିବାରେ ଲାଗି ରହିଥାଏ । ସେ ସରପଞ୍ଚ ହୋଇଥାଏ ଏବଂ ଆର ଥରକୁ ଜିଲ୍ଲା ପରିଷଦକୁ ଯିବା ପାଇଁ ଭାବି ଚାଲିଥାଏ । ଜିଲ୍ଲା ପରିଷଦରେ ଥାଏ ତ ବିଧାନସଭାକୁ ଯିବାପାଇଁ ଭାବୁ ଥାଏ । କିନ୍ତୁ ମହିଳାମାନେ ଯେଉଁ ସମୟରେ ଯେଉଁ କାମ ମିଳିଲା ତାକୁ ମନଦେଇ ସଂପୂର୍ଣ୍ଣ କରିବାର ପ୍ରୟାସ କରନ୍ତି । ଆଉ ତାର ପରିଣାମ ମିଳିଥାଏ ।

ଗୋଟିଏ ସଂସ୍ଥା ବଡ଼ ମଜାଦାର ସର୍ଭେ କରିଛନ୍ତି ଆଉ ସେହି ସର୍ଭେରେ ସେ ବଡ଼ ମହତ୍ୱପୁର୍ଣ୍ଣ ଜିନିଷ ପାଇଛନ୍ତି । ଆଉ ସେ ସବୁ ଯେଉଁ ବୃତ୍ତିଧାରୀ ମହିଳା ଅଛନ୍ତି ସେମାନଙ୍କର ସର୍ଭେ କରିଥିଲେ ଏବଂ ସେହି ସର୍ଭେରୁ ଜଣା ପଡିଲା ନୂଆ ଜିନିଷ ଶିଖିବାର ପ୍ରବୃତ୍ତି ମହିଳାଙ୍କ ପାଖରେ ଅଧିକ ଥାଏ । ଯେଉଁ କାମ ତାକୁ ଦିଆ ଯାଇଥାଏ, ତାକୁ ପୁରା କରିବା ପାଇଁ ନିଜକୁ ଯେତିକି କ୍ଷମତା ସମ୍ପନ୍ନ କରିବା ଦରକାର, ଶକ୍ତି ଲଗାଇବା ଦରକାର ସେଥିରେ ସେ କେବେ ପଛରେ ରହନ୍ତି ନାହିଁ । ଯେଉଁ କାମ ତାକୁ ମିଳିଲା, ତାହା ସଂପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ସେ ସ୍ଥିର ହୋଇ ବସନ୍ତି ନହେିଁ । ସେ ଲଗାତର ତା ପଛେ ପଛେ ଲାଗି ରହିଥାଏ । ନିଜ କାମ କରିବା ପାଇଁ, ତାଙ୍କ ଦାୟିତ୍ୱରେ ଯାହା ସ୍ଥିର କରାଯାଇଛି, ତାକୁ ଶେଷ କରିବା ପାଇଁ କେଉଁ କେଉଁ ସମ୍ବଳ ନିୟୋଜିତ କରିବା ଦରକାର, କାହା କାହାର ଶକ୍ତି ଯୋଡିବା ଦରକାର ଖୁବ୍ ସହଜରେ ସେ ତାହା କରି ଦିଏ ତାହାର କୌଣସି ଅହଂଭାବ ନ ଥାଏ । କାହାକୁ ନମସ୍କାର କରି କାମ କରାଇବାର ଅଛି ତ ନମସ୍କାର କରି କାମ କରାଇ ନେବ, କାହା ଉପରେ ରାଗି କାମ କରାଇବାର ଅଛି ତ ରାଗି କରି କାମ କରି ନେଇ ଥାଏ । ଏହା ବଡ ମଜାଦାର ସର୍ଭେ ଅଟେ ।

ଆମ ଦେଶର 50 ପ୍ରତିଶତ ମାତୃଶକ୍ତି ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାଗିଦାର ହେଲେ ତ ଆମେ ଦେଶକୁ କେଉଁଠୁ ନେଇ କେଉଁଠାରେ ପହଂଚାଇ ପାରିବା । ଆଉ ଏଥିପାଇଁ  ବେଟି ବଚାଓ, ବେଟି ପଢାଓ, ଏହି ମନ୍ତ୍ରକୁ ନେଇ ମଧ୍ୟ ଦେଶରେ କାମ କରିବାର ବହୁତ ଆବଶ୍ୟକତା ଅଛି । କିଛି ନ ହେଲେ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେହି ଗ୍ରାମରେ ତ ଭୃଣ ହତ୍ୟା ନ ହେବା ଦରକାର । ମା’ ଗର୍ଭରେ ଝିଅକୁ ମାରି ଦେବାର ପାପ ସେହି ଗ୍ରାମରେ କେବେ ମଧ୍ୟ ନ ହେବା ଦରକାର । ଆଉ ସେହି ସଚେତନତା କାର୍ଯ୍ୟ ଜଣେ ସରପଞ୍ଚ ଭଉଣୀ ଯଦି ସ୍ଥିର କରନ୍ତି ତ କରି ପାରିବେ । ପାରିବାରିକ ଚାପରେ କୌଣସି ବୋହୁ ଉପରେ ଯଦି ଅତ୍ୟାଚାର ହେଉଛି ତ ସରପଞ୍ଚ ତାହାର ରକ୍ଷକ ହୋଇ ଠିଆ ହୋଇ ପାରିବେ ଆଉ ଥରେ ସେ କହିବାକୁ ଲାଗିବ ତ କେହି କିଛି କରି ପାରିବେ ନାହିଁ । ବେଟି ବଚାଓ! ଆଜି ସମାଜ, ଜୀବନରେ କିଭଳି ଦୁର୍ଦ୍ଦଶା ଆସିଛି ! 1000 ପୁଅଙ୍କ ତୁଳନାରେ କେଉଁଠି 800, କେଉଁଠି 850, କେଉଁଠି 900, କେଉଁଠି 925 ଝିଅ ଅଛନ୍ତି । ଯଦି ସମାଜରେ ଏତେ ବଡ ଅସନ୍ତୁଳନ ସୃଷ୍ଟି ହେବ ତ ଏ ସମାଜ, ଏ ସମାଜଚକ୍ର କିଭଳି ଚାଲିବ? ଆରେ ଏହା ପାପ ଅଟେ, ଏହା ବିରୁଦ୍ଧରେ ସମାଜର ଦାୟିତ୍ୱ ରହିଛି ।

ସରପଞ୍ଚ ମହିଳାମାନେ ବୋଧହୁଏ ସେଥିରେ ଅଧିକ ସଫଳତା ପାଇ ପାରିବେ । ସମାଜରେ ଯେଉଁ ମାନସିକତା ରହିଛି, ଝିଅ ଟିଏ! ଏବେ ଛାଡ, ତାକୁ ତ ଅନ୍ୟ ଘରକୁ ଯିବାକୁ ପଡିବ । ପୁଅଟିଏ, ଟିକେ ସମ୍ଭଳି ଯାଅ । ଆପଣ ମଧ୍ୟ ଯେତେବେଳେ ଛୋଟ ଥିବେ, ମାଆ! ମାଆ ମଧ୍ୟ ତ ହେଉଛି ନାରୀ; କିନ୍ତୁ ଯେତେବେଳେ ଖାଇବା ବାଢନ୍ତି ଆଉ ଘିଅ ପକାନ୍ତି ତ ପୁଅକୁ ଦୁଇ ଚାମଚ ଘିଅ ଦିଅନ୍ତି, ଝିଅକୁ ଏକ ଚାମଚ ଦିଅନ୍ତି । କାହିଁକି? ତାକୁ ତ ଅନ୍ୟ ଘରକୁ ଯିବାକୁ ପଡିବ । ପୁଅ ଅଛି ତ ବହୁତ ଖୁସି ଅଛି, ଏହା ଆଦୌ ସତ୍ୟ ନୁହେଁ । ମୁଁ ଏଭଳି ଝିଅ ଦେଖିଛି ମାଆ-ବାପାଙ୍କର ଏକମାତ୍ର ଝିଅ, ବୁଢା ମାଆ-ବାପାଙ୍କୁ ଜୀବନରେ କଷ୍ଟ ନ ହେଉ; ଏଥି ପାଇଁ ସେହି ଝିଅ ବିବାହ କରି ନାହାନ୍ତି, ପରିଶ୍ରମ କରୁଛନ୍ତି ଏବଂ ବାପା- ମାଆଙ୍କର କଲ୍ୟାଣ କରୁଛନ୍ତି; ଆଉ ମୁଁ ଏମିତି ପୁଅ ଦେଖିଛି ଯେ ଚାରି ଚାରୋଟି ପୁଅ ଥିବେ, ଆଉ ମାଆ-ବାପା ବୃଦ୍ଧାଶ୍ରମରେ ଜୀବନ କାଟୁଥିବେ, ଏମିତି ମଧ୍ୟ ପୁଅ ଦେଖିଛି ।

ଆଉ ଏଥିପାଇଁ ଏ ଯେଉଁ ଭେଦଭାବର ମାନସିକତା ରହିଛି, ସେହି ମାନସିକତା ବିରୁଦ୍ଧରେ ଆମକୁ ଦୃଢ ସଂକଳ୍ପ ହୋଇ ପରିବର୍ତନ ଆଣିବାକୁ ହେବ, ପରିବର୍ତ୍ତନ ଆସୁଛି । ଏମିତି ନୁହେଁ, କି ଆସୁ ନାହିଁ । ଆପଣ ଦେଖନ୍ତୁ ଏଥର ହିନ୍ଦୁସ୍ଥାନର ନାମ ଅଲମ୍ପିକ୍ସରେ କିଏ ଚମକାଇଛି! ସମସ୍ତେ ହେଉଛନ୍ତି ମୋ ଦେଶର ଝିଅ । ଦେଶର ମଥାକୁ ଉଚ୍ଚା କରିଦେଲେ । ଆଜି ଦଶମ, ଦ୍ୱାଦଶ ପରୀକ୍ଷାର ଫଳାଫଳକୁ ଦେଖନ୍ତୁ, ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଝିଅ ହିଁ ଝିଅ ରହୁଛନ୍ତି । ଖୋଜିବାକୁ ପଡୁଛି ଯେ ପୁଅଙ୍କର ନମ୍ବର ଲଗିଛି କି? କ୍ଷମତାକୁ ସେହିମାନେ ସିଦ୍ଧ କରି ଦେଇଛନ୍ତି ।

ଯେଉଁଠାରେ ମଧ୍ୟ, ଯେଉଁଭଳି ଅବସର ମଧ୍ୟ ମିଳିଲା, ସେହି କାମକୁ ଦୀପ୍ତିମାନ କରିବାର କାମ ଆମ ମାଆମାନେ, ଭଉଣୀମାନେ କରିଛନ୍ତି, ଆଉ ଏଥି ପାଇଁ ବେଟି ବଚାଓ, ବେଟି ପଢାଓ । ଏହା ଆମର ସାମାଜିକ ଦାୟିତ୍ୱ, ରାଷ୍ଟ୍ରୀୟ ଦାୟିତ୍ୱ, ମାନବୀୟ ଦାୟିତ୍ୱ ଅଟେ । ଅମାନବୀୟ କଥାକୁ ସମାଜ ସ୍ୱୀକୃତି ଦେଇ ପାରେ ନାହିଁ ଆଉ ଆମ ଶାସ୍ତ୍ରରେ କୁହାଯାଇଛି, ଝିଅଙ୍କ ମାହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି-

ଯାବତ ଗଙ୍ଗା କୁରୁକ୍ଷେତ୍ରେ, ଯାବତ ତିଷ୍ଠତି ମେଦିନି ।

ଯାବତ ସୀତା କଥାଲୋକେ, ତାବତ ଜୀବେତୁ ବାଳିକା ।

ଯେ ପର୍ଯ୍ୟନ୍ତ ଗଙ୍ଗା, କୁରୁକ୍ଷେତ୍ରେ ଆଉ ହିମାଳୟ ଅଛି, ଯେ ପର୍ଯ୍ୟନ୍ତ ସୀତାଙ୍କ ଗାଥା ଏହି ଲୋକରେ ଅଛି, ବାଳିକା ତୁମେ ସେ ପର୍ଯ୍ୟନ୍ତ ଜୀବିତ ରହ । ତୁମର ନାମ ସେ ପର୍ଯ୍ୟନ୍ତ ଦୁନିଆ ମନେ ରଖିବ । ଏହା ଆମ ଶାସ୍ତ୍ରରେ ଝିଅମାନଙ୍କ ପାଇଁ କୁହା ଯାଇଛି । ଆଉ ଏଥିପାଇଁ ବେଟି ବଚାଓ, ବେଟି ପଢାଓ; କୌଣସି ଭେଦଭାବ ନାହିଁ ।

ଆମର ସରପଞ୍ଚ ମହିଳାମାନଙ୍କୁ ମୋର ଏହି ଅନୁରୋଧ କି ଏହି କଥାକୁ ଗାଁରେ ସର୍ବାଗ୍ରେ ରଖନ୍ତୁ । ଯଦି ପୁଅ ପଢୁଛି, ଗାଁର ଝିଅ ମଧ୍ୟ ପଢିବା ଦରକାର । ଗରିବରୁ ଗରିବ ହୁଅନ୍ତୁ, ଆଉ ସରପଞ୍ଚ ଏହା ନ ଭାବନ୍ତୁ ଏଥିପାଇଁ ବଜେଟର, ବଜେଟର ଆବଶ୍ୟକତା ହୋଇ ନ ଥାଏ । ସରକାର ସ୍କୁଲ ତିଆରି କରିଛନ୍ତି । ସରକାର ଶିକ୍ଷକ ରଖିଛନ୍ତି । ସେଥି ପାଇଁ ଗାଁକୁ ଅଲଗା ଖର୍ଚ୍ଚ କରିବାର ନାହିଁ, ଖାଲି ଆପଣଙ୍କୁ ନଜର ରଖିବାକୁ ପଡିବ କି ଝିଅମାନେ ସ୍କୁଲକୁ ଯାଉଛନ୍ତି କି ନାହିଁ, ସେମିତି କେଉଁ ପରିବାର ଅଛନ୍ତି ଯେଉଁମାନେ ଝିଅକୁ ସ୍କୁଲକୁ ପଠାଉ ନାହାନ୍ତି; ଏତିକି ସବୁ ଦେଖି ନିଅନ୍ତୁ ।

ଆପଣ ହେଉଛନ୍ତି ସରପଞ୍ଚ, କେବେ ଗୋଟିଏ କାମ କରନ୍ତୁ, ଆପଣଙ୍କୁ ମଧ୍ୟ ଭଲ ଲାଗିବ । ସ୍କୁଲରେ ପିଲାଙ୍କୁ କୁହନ୍ତୁ, କି ଗାଁର ସରପଞ୍ଚଙ୍କ ନାମ ଲେଖନ୍ତୁ । ସେହି ଗାଁର, ଅନ୍ୟ ଗାଁର ନୁହେଁ । ଆପଣ ହେଉଛନ୍ତି ଗାଁର ସରପଞ୍ଚ, କିଏ ଦୁଇ ବର୍ଷ ହେବ ସରପଞ୍ଚ ଥିବେ, ତିନି ବର୍ଷ ହେବ ସରପଞ୍ଚ ଥିବେ, କିନ୍ତୁ ଆପଣଙ୍କ ଗାଁ ସ୍କୁଲର ପିଲା ଆପଣଙ୍କ ନାମ ଜାଣି ନ ଥିବ, କି ସେ ଯେଉଁ ଗାଁରେ ରହୁଛି, ସେହି ଗାଁର ସରପଞ୍ଚ ହେଉଛନ୍ତି କିଏ; ଜାଣି ନ ଥିବ । ତାକୁ ଏହା ଜଣାଥିବ ପ୍ରଧାନମନ୍ତ୍ରୀ କିଏ, ତାକୁ ଏହା ଜଣାଥିବ ମୁଖ୍ୟମନ୍ତ୍ରୀ କିଏ, କିନ୍ତୁ ତାକୁ ଏହା ଜଣା ନ ଥିବ କି ତାଙ୍କ ଗାଁର ସରପଞ୍ଚ କିଏ? ଆଉ ଯାହାକୁ ଜଣାଥିବ ତାକୁ କୁହନ୍ତୁ ଟିକେ ନାମ ଲେଖୁ, ତ ଆପଣଙ୍କୁ ଧ୍ୟାନରେ ଆସିବ ଆପଣ ହେଉଛନ୍ତି ଯେଉଁ ଗାଁର ସରପଞ୍ଚ, ଯେଉଁ ଗାଁରେ ଆପଣଙ୍କ ଗାଁରେ ସ୍କୁଲ ଅଛି, ଶିକ୍ଷକଙ୍କୁ ଦରମା ଦିଆ ଯାଉଛି, ହଜାର- ହଜାର ଲକ୍ଷ- ଲକ୍ଷ ଟଙ୍କାର କୋଠା ତିଆରି ହୋଇଛି, ଆଉ ସେହି ଗାଁର ପିଲାଙ୍କୁ ଆପଣଙ୍କ ନାମର ବନାନ ଠିକ୍ ଭାବେ ଲେଖି ଆସୁ ନାହିଁ, ତ ଆପଣଙ୍କୁ ଦୁଃଖ ଲାଗିବ ନା ଲାଗିବ ନାହିଁ? ଆପଣ ଟିକେ ବୁଦ୍ଧି ପ୍ରୟୋଗ କରନ୍ତୁ । ଦେଖିଲେ ତ କହି ଦେବ ହଁ, ଇଏ ହେଉଛନ୍ତି ଆମର ପ୍ରଧାନ ଜୀ, କିନ୍ତୁ ନାମ ଜଣା ନ ଥିବ ।

ମୁଁ ଏହା କହୁ ନାହିଁ  କି ଆପଣ ନିଜ ଗାଁର ପୁରା ମାନ ସମ୍ମାନ କରୁଛନ୍ତି କି କରୁ ନାହାନ୍ତି? ମାସକୁ ଥରେ ଅଧେ ଅଧ ଘଂଟା ପାଇଁ ଗାଁରେ ଯେତେ ଶିକ୍ଷକ ଅଛନ୍ତି, ନିଜ ଘରକୁ କେବେ କେମିତି ଚା’ ପିଇବା ପାଇଁ ଡାକନ୍ତୁ । ଏମତି ତାଙ୍କୁ କୁହନ୍ତୁ କି ଭାଇ ଦେଖନ୍ତୁ, ମୁଁ ହେଉଛି ସରପଞ୍ଚ ଆଉ ଏହି ଗାଁରେ କୌଣସି ପିଲା ପାଠ ପଢାରେ ପଛୁଆ ରହି ନଯାଉ, ତହସିଲରେ ସ୍ତରରେ ସ୍ଥାନ ପାଉ, ଜିଲ୍ଲା ସ୍ତରରେ ସ୍ଥାନ ପାଉ, ରାଜ୍ୟ ସ୍ତରରେ ସ୍ଥାନ ପାଉ । କୁହନ୍ତୁ ଆପଣଙ୍କୁ ଏଥିରେ  କୌଣସି ଅସୁବିଧା ଅଛି କି? ଦେଖନ୍ତୁ ଥରେ ଆପଣ ଚା’ ପାଇଁ ଡାକନ୍ତୁ ନା ମାସରେ ଥରେ ଅଧେ, ଆଉ ବର୍ଷର ଚାରିମାସ ତ ଛୁଟି ରହେ ତ ସାତ ଆଠ ଥର ହିଁ ବର୍ଷ କରେ ଡାକିବାକୁ ପଡିବ । ସେଥିରେ ଥରେ ଅଧେ ଦୀପାବଳିର ସମୟ ଆସିଯିବ, ଥରେ ଅଧେ ହୋଲିର ସମୟ ଆସିଯିବ, କୌଣସି ପର୍ବର ସମୟ ଆସିଯିବ ତ ମାତ୍ର ଦୁଇ ଥର ହିଁ ଡାକିବାକୁ ପଡିବ । କିନ୍ତୁ ସେହି ଶିକ୍ଷକଙ୍କୁ ଲାଗିବ ଯେ ସରପଞ୍ଚ ବହୁତ ସକ୍ରିୟ, ଗାଁରେ ଭଲ ଶିକ୍ଷା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ଅଧିକାଂଶ ସରପଞ୍ଚ ବାକି 50 କାମ କରିବେ,ଏଇ ମୌଳିକ କାମ, ଆଉ ଆଜି ଗାଁକୁ, ଆଗେ ସ୍ଥିତି ଏଭଳି ଥିଲା ଗାଁର ସରପଞ୍ଚ ଇଏ ଗାଁର ଶ୍ରେଷ୍ଠ ବ୍ୟକ୍ତି ହେଉଥିଲେ, କାହିଁକି? ଯିଏ ବି ଅତିଥି ଆସୁଥିଲେ ସେମାନଙ୍କର ଖାଇବା, ରହିବା ଚା’ ପିଇବା ସେହି ଗୋଟିଏ ଲୋକ ଘରେ ହିଁ ରହୁଥିଲେ । ଆଜି ତ ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ଦୁଇ ଲକ୍ଷ କୋଟି ଟଙ୍କା ସିଧା-ସିଧା ଗାଁକୁ ଯାଉଛି । ଦୁଇ ଲକ୍ଷ କୋଟି ଟଙ୍କା କିଛି କମ୍ ଅର୍ଥ ନୁହେଁ ।

ଆପଣ ଗାଁରେ ଯଦି ନିର୍ଦ୍ଧାରତ କରିବେ କି 5 ବର୍ଷରେ ଏହି 25 କାର୍ଯ୍ୟ ମତେ ଶେଷ କରିବାକୁ ଅଛି, ଆପଣ ଆରାମରେ କରି ପାରିବେ । ଆଉ ଆପଣ ସଫଳତା ପୂର୍ବକ କରି ପାରିବେ । ଗାଁରେ କେବେ ଅଙ୍ଗନୱାଡିରେ କାମ କରୁଥିବା ଭଉଣୀ ମାନଙ୍କୁ ଡାକନ୍ତୁ, କେବେ ଆପଣ ଅଙ୍ଗନୱାଡିକୁ ଚାଲି ଯାଆନ୍ତୁ, ସ୍ୱଚ୍ଛତା ଅଛି କି ନାହିଁ, ଶିକ୍ଷକ ଠିକ୍ ଅଛନ୍ତି କି ନାହିଁ, ଖାଦ୍ୟ ଠିକ୍ ଖାଇବାକୁ ଦେଉଛନ୍ତି କି ଖାଇବାକୁ ଦେଉ ନାହାନ୍ତି । ପିଲାମାନଙ୍କୁ ଯେଉଁ ଖେଳନା ଦରକାର ସେମାନେ ଖେଳାଉଛନ୍ତି କି ଖେଳାଉ ନାହାନ୍ତି । ଯଦି ଆପଣ ଟିବେ ଧ୍ୟାନ ଦେବେ, ଆପଣଙ୍କୁ  ନେତୃତ୍ୱ ଦେବା ଦରକାର ।

ଆପଣ ଦେଖିଛନ୍ତି ସରକାର ଖର୍ଚ୍ଚ କରନ୍ତି ଟୀକାକରଣ ପାଇଁ, ଆଉ ମୁଁ ସେହି କାମ ଆପଣମାନଙ୍କୁ ବତାଉଛି, ଯେଉଁଥି ପାଇଁ ଅଲଗା ବଜେଟର ଆବଶ୍ୟକତା ନାହିଁ । ଆପଣଙ୍କୁ, ଆପଣଙ୍କ ଗାଁକୁ ଏକ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକ ନାହିଁ । କଣ କେବେ ଆପଣ ଭାବିଛନ୍ତି କି ଆପଣଙ୍କ ଗାଁରେ 50 ବାଳକଙ୍କ ଟୀକାକରଣ ହେବା ଦରକାର? କିନ୍ତୁ ଏଥର 40 ହେଲେ, 10 କାହିଁକି ହେଲେ ନାହିଁ? ସେହି 10 ପିଲାଙ୍କ ଟୀକାକରଣ କେମିତି କରିବେ? ଯଦି ଆପଣଙ୍କ ଏଠି ଗାଁର ସମସ୍ତ ପିଲାଙ୍କ ଟୀକାକରଣ ଆପଣ କରାଇ ନେଇଛନ୍ତି, ସରପଞ୍ଚ ଭାବେ ଠିକ୍ କରି ନେଉଛନ୍ତି, ଯେତେବି ଟୀକାକରଣ ହୋଇଥାଏ, ପୁରା ମାତ୍ରା କରାଇ ଦେଉଛନ୍ତି, କଣ ସେହି ପିଲା କେବେ ଗମ୍ଭୀର ରୋଗର ଶିକାର ହେବ କି? ଆପଣଙ୍କ ଗାଁର ପ୍ରତ୍ୟେକ ପିଲା; ଆପଣଙ୍କ କାର୍ଯ୍ୟକାଳରେ ଯେତେ ଛୋଟ ପିଲା ଥିବେ, ସେମାନେ ଯଦି ଠିକ୍ ରହିବେ, କିଛି ରୋଗ ଆସିବାର ସମ୍ଭାବନା ନ ରହିବ ତ ଯେବେ ସେମାନେ 20 ବର୍ଷର ହେବେ, 25 ବର୍ଷର ହେବେ ତ ଆପଣଙ୍କୁ ଗର୍ବ ହେବ କି ହଁ ଗାଁରେ ମୁଁ ଶତ-ପ୍ରତିଶତ ଟୀକାକରଣ କରାଇଥିଲି ତ ମୋ କାଳଖଣ୍ଡରେ ଯେତେ ପିଲା ଗାଁର ଥିଲେ, ସମସ୍ତେ ହେଉଛନ୍ତି ସୁସ୍ଥ ସବଳ ପିଲା । ଆପଣ କୁହନ୍ତୁ ବାର୍ଦ୍ଧକ୍ୟରେ ଆପଣଙ୍କୁ ଜୀବନରେ କେତେ ଆନନ୍ଦ ମିଳିବ ।

କିନ୍ତୁ ଟୀକାକରଣ ହେଉଛି । ଆଚ୍ଛା, ଆଚ୍ଛା ଆପଣମାନେ କିଛି ଖିଆ ପିଆ କରିଛନ୍ତି, ଚାପିଇଛନ୍ତି, ଠିକ୍ ଅଛି, ଠିକ୍ ଅଛି କରି ନିଅନ୍ତୁ । ନା, ମୁଁ ସରପଞ୍ଚ ଅଟେ, ମୋ ଗାଁରେ କେହି ଟୀକାକରଣ ବିନା ରହିବେ ନାହିଁ । ମୁଁ ସରପଞ୍ଚ ଅଟେ, ମୋ ଗାଁରେ କେହି ଝିଅ ସ୍କୁଲ ନ ଯାଇ ରହିବେ ନାହିଁ । ମୁଁ ସରପଞ୍ଚ ଅଟେ, ମୋ ଗାଁରେ କେହି ପିଲା ସ୍କୁଲ ଛାଡି ଘରକୁ ଦୌଡିବ ନାହିଁ । ମୁଁ ସରପଞ୍ଚ ଅଟେ, ମୋ ଗାଁରେ କେହି ଟୀକାକରଣ ବିନା ରହିବେ ନାହିଁ । ମୁଁ ସରପଞ୍ଚ ଅଟେ, ମୋ ଗାଁର ଶିକ୍ଷକ ନିୟମିତ ଆସୁଛନ୍ତି କି ଆସୁ ନାହାନ୍ତି, ମୁଁ ସଂପୂର୍ଣ୍ଣ ଧ୍ୟାନ ରଖିବି

ଏହି କାମର ନେତୃତ୍ୱ ଯଦି ଆମ ସରପଞ୍ଚଙ୍କ ଦ୍ୱାରା କରାଯାଇ ପାରିବ, କୌଣସି ଖର୍ଚ୍ଚ ନ କରି, କୌଣସି ନୂଆ ପଇସା ଲଗାଇବାର ନାହିଁ, ସରକାରଙ୍କ ଯୋଜନା ଗୁଡିକୁ ଲାଗୁ କରିବା ଦ୍ୱାରା ହିଁ ବହୁତ ବଡ଼ ଲାଭ ହେବ । କେବେ କେବେ ଆମେ ଭାବି ଥାଉ ଯେ ଗାଁ ଭିତରେ ରୋଗର କାରଣ ରହିଛି ।

ଏବେ ଆମେ ସମସ୍ତେ ଶୌଚାଳୟ ଆଡକୁ ଆମର ଧ୍ୟାନ କେନ୍ଦ୍ରୀତ କରୁଛେ, ଏଇ କିଛି ଦିନ ହେବ । କିନ୍ତୁ ଏହା କ’ଣ କେବେ ଭାବିଛେ ଯେ, ସ୍ୱଚ୍ଛତା ଦ୍ୱାରା କେତେ ଆର୍ଥିକ ଲାଭ ହୁଏ? ବିଶ୍ୱ ବ୍ୟାଙ୍କର ରିପୋର୍ଟ କହେ ଯେ ଆବର୍ଜନା କାରଣରୁ ଯେଉଁ ଗରିବ ପରିବାର ଗୁଡିକୁ ରୋଗ ବେମାରୀ ଆସିଥାଏ, ହାରାହାରି 7 ହଜାର ଟଙ୍କା ଗୋଟିଏ ଗରିବ ପରିବାରର ଔଷଧରେ ଖର୍ଚ୍ଚ ହୋଇଯାଏ । ଯଦି ଆମେ ସ୍ୱଚ୍ଛତା ରଖିବା, ଗାଁରେ ରୋଗ ବେମାରୀକୁ ପଶିବାକୁ ଦେବା ନାହିଁ ତ ଏଇ ଗରିବ ପରିବାରର ବର୍ଷକର 7ହଜାର ଟଙ୍କା ବଞ୍ଚି କି ବଞ୍ଚିବ ନାହିଁ? ସେହି ପଇସାରେ ସେ ପିଲାମାନଙ୍କୁ ଖିର ପିଆଇ ପାରିବ କି ନ ପିଆଇ ପାରିବ? ସେହି ସୁସ୍ଥ ସବଳ ପିଲାମାନେ ଆପଣଙ୍କ ଗାଁର ଶୋଭା ବଢାଇବେ କି ବଢାଇବେ ନାହିଁ, ଆଉ ଏଥିପାଇଁ ଗାଁର ସରପଞ୍ଚ ହିସାବରେ, ଗାଁର ପ୍ରଧାନ ହିସାବରେ, ମୋ କାର୍ଯ୍ୟ କାଳ ମଧ୍ୟରେ, ମୋ ଗାଁରେ ଏହି ସବୁ କାମ ହେବା ଆବଶ୍ୟକ । ଏଥିରେ ମୁଁ କୌଣସି ସାଲିସ ହେବାକୁ ଦେବି ନାହିଁ, ଏହି ବିଶ୍ୱାସର ସହିତ ଆମ ମାନଙ୍କୁ କାମ କରିବା ଆବଶ୍ୟକ ।

ଆମ ଦେଶରେ ଗାଁର ମାହାତ୍ମ୍ୟ ଯେ କେହି ବ୍ୟକ୍ତ କରିଛନ୍ତି । କିନ୍ତୁ ରବୀନ୍ଦ୍ର ନାଥ ଟାଗୋର 1924ରେ, ସହର ଏବଂ ଗାଁ ତା ଉପରେ କିଛି ପଂକ୍ତି ଲେଖିଥିଲେ, ବଙ୍ଗଳା ଭାଷାରେ ଲେଖିଥିଲେ, କିନ୍ତୁ ତାର ହିନ୍ଦୀ ଅନୁବାଦ ମୁଁ କିଛି ଜଣାଉଛି । ଆପଣଙ୍କୁ ଲାଗିବ ହଁ ଆମ ସହିତ ପୁରାପୁରି ଫିଟ୍, ଆଉ 1924ରେ ଲେଖିଥିଲେ । ଅର୍ଥାତ ଆଜିଠାରୁ ପାଖାପାଖି 90 ବର୍ଷ ପୁର୍ବେ । ସେ ଲେଖିଥିଲେ- ଆଉ ଏହା ମହିଳା ବର୍ଷ ତେଣୁ ବହୁତ ସଠିକ୍ ଲାଗୁଛି-

ରବୀନ୍ଦ୍ର ନାଥ ଟାଗୋର ଲେଖିଥିଲେ-

ଗାଁ ମହିଳାମାନଙ୍କ ଭଳି ହୋଇଥାଏ, ଅର୍ଥାତ ଯେଭଳି ଗାଁ; ଗାଁ ସେହି ଅଟେ ଯେଭଳି ମହିଳା ; ସେ କହିଥିଲେ । ତାଙ୍କ ଅସ୍ତିତ୍ୱରେ ସମସ୍ତ ମାନବ ଜାତିର କଲ୍ୟାଣ ନିହିତ ଥାଏ, ନାରୀ ସ୍ୱଭାବର ପ୍ରତିବିମ୍ବ ଅଟେ । ସହର ତୁଳନାରେ ଗାଁରେ ପ୍ରକୃତି ଅଧିକ ନିକଟତର, ଆଉ ଜୀବନଧାରାରେ ଅଧିକ ଯୋଡି ହୋଇଥାଏ । ତାଙ୍କ ଠାରେ ପ୍ରାକୃତିକ ଭାବେ Healing Power ଅର୍ଥାତ ସମସ୍ତ କ୍ଷତକୁ ଭରିଦେବାର ଶକ୍ତି ଥାଏ । ମହିଳାମାନଙ୍କ ଭଳି ଗାଁ ମଧ୍ୟ ମନୁଷ୍ୟକୁ ଖାଦ୍ୟ, ଖୁସି ଭଳି ମୌଳିକ ଆବଶ୍ୟକତା ପୂରଣ କରିଥାଏ ଜୀବନର ଏକ ସରଳ କବିତା ଭଳି । ଏହା ସହିତ ମହିଳାମାନେ ଗାଁରେ ସ୍ୱତଃ ଜନ୍ମ ନେଉଥିବା ସୁନ୍ଦର ପରମ୍ପରା ଗୁଡିକ ଭଳି ଉଲ୍ଲାସରେ ଭରି ଦିଅନ୍ତି, କିନ୍ତୁ ଯଦି ଗ୍ରାମ ବା ମହିଳାଙ୍କ ଉପରେ ଅନବରତ ଭାର ଲଦି ଦିଆଯାଏ, ଗାଁର ସଂସାଧନ ଗୁଡିକର ଶୋଷଣ କରାଯାଏ ତାହେଲେ ସେମାନଙ୍କର ତେଜ ଚାଲି ଯାଇଥାଏ ।

ଏବେ ଆମେ ମଧ୍ୟ ଭାବିବା ଯେ ଗାଁର ସଂସାଧନ ଗୁଡିକର ଶୋଷଣ ହେବା ଠିକ୍ କି? ପ୍ରାକୃତିକ ସୁରକ୍ଷା ହେବା ଦରକାର କି ଦରକାର ନାହିଁ? ଗଛ-ଲତା, ସବୁଜିମା, ପାଣି, ବିଶୁଦ୍ଧ ବାୟୁ ପାଇଁ ଆମେ ଏଭଳି ଗାଁ କାହିଁକି ତିଆରି ନ କରିବା, ଯେ ସହରରେ ରହୁଥିବା ଲୋକମାନଙ୍କ ମନ କରିବେ ଯେ ଗାଁରେ ମଧ୍ୟ ଗୋଟିଏ ଛୋଟ ଘର ତିଆରି କରିବା । ଆଉ କେବେ ସପ୍ତାହରେ ଦିନେ ଅଧେ ବା ଦୁଇ ଦିନ ଗାଁକୁ ଆସି ଜୀବନ ବିତାଇବାର ମନ ହେବ – ଏଭଳି ଗାଁ ଆମେ କାହିଁକି ତିଆରି ନ କରିବା । ହୋଇ ପାରିବ, ଆଜି ଯେଉଁ ଚଳଣୀ ଚାଲୁଛି, ରହୁଛନ୍ତି ଗାଁରେ କିନ୍ତୁ ଗୋଟେ ଅଧେ ଘର ସହରରେ ରହିଛି । ଛୁଟିଦିନମାନଙ୍କରେ ଯିବା, ପିଲାମାନଙ୍କୁ ନେଇ ଯିବା । ସେହି ଚଳଣୀ ମଧ୍ୟ ଆରମ୍ଭ ହୋଇ ପାରିବ ଯେ, ଗାଁ ଏଭଳି ହେବ ଯେ ଛୁଟିଦିନ ମାନଙ୍କରେ ସାଙ୍ଗମାନଙ୍କୁ ନେଇ ଗାଁକୁ ଯିବା, କିଛି ସମୟ ଗାଁରେ କଟାଇ ଫେରି ଆସିବା । ଏମିତି ଗାଁ ତିଆରି କରାଯାଇପାରେ ।

ସରକାରଙ୍କର ମଧ୍ୟ ପ୍ରୟାସ ଅଛି ରୁର୍ବାନ ମିଶନ । ଆତ୍ମା ଗାଁର ହେଉ, ସୁବିଧା ସହର ଭଳି ମିଳୁ । ଅପ୍ଟିକାଲ ଫାଇବର ନେଟୱ୍ୱାର୍କ ଦ୍ୱାରା ପ୍ରତ୍ୟେକଟି ପଞ୍ଚାୟତକୁ ଯୋଡିବା ଦିଗରେ କାମ ଚାଲୁ ରହିଛି । ଅଢେଇ ଲକ୍ଷ ପଞ୍ଚାୟତ ରହିଛି । ପାଖାପାଖି 70 ହଜାର ପଞ୍ଚାୟତ ପର୍ଯ୍ୟନ୍ତ କାମ ସଂମ୍ପୂର୍ଣ୍ଣ ହୋଇଛି । ସ୍କୁଲ ପର୍ଯ୍ୟନ୍ତ କେବୁଲ୍ ଲାଗିବ, ପଞ୍ଚାୟତ ଘର ପର୍ଯ୍ୟନ୍ତ କେବୁଲ୍ ଲାଗିବ । ଗାଁର ଆବଶ୍ୟକତା ଅନୁସାରେ ସେହି କେବୁଲ୍ କୁ ବିସ୍ତାରିତ କରାଯିବ । ଆଧୁନିକତା ଗାଁକୁ ମଧ୍ୟ ମିଳୁ, ସେହି ଦିଗରେ ସରକାର କାମ କରୁଛନ୍ତି । ଏବେ ଗାଁରେ ମଧ୍ୟ, ମୁଁ ଏବେ ଯେଉଁ ପ୍ରଦର୍ଶନୀ ଦେଖୁଥିଲି; ତ ଆମର ସଚିବ ମହୋଦୟ ମତେ କହୁଥିଲେ ଯେ ଗାଁର ଯେଉଁ ସରପଞ୍ଚ ଭଉଣୀମାନେ ଆସିଛନ୍ତି ସେମାନେ ମନ ଧ୍ୟାନ ଦେଇ ପ୍ରଦର୍ଶନୀ ଦେଖୁଛନ୍ତି ଏବଂ କହିଲେ ସମସ୍ତେ ସେଲ୍ଫି ଉଠାଉଛନ୍ତି । କେବେ କେବେ ଆମେ ପାର୍ଲାମେଣ୍ଟରେ ଶୁଣୁ ଟେକ୍ନୋଲଜି କିଭଳି ଆସିବ, ଗାଁରେ ଲୋକମାନଙ୍କ ପାଖରେ ଟେକ୍ନୋଲଜି ନାହିଁ, ଏବେ ସେ ଭଳି ଦେବା ପାଇଁ କହୁଛନ୍ତି ଯେ କ’ଣ କାରଣ ଅଟେ ମତେ ଜଣା ନାହିଁ, କିନ୍ତୁ ମୋର ଅନୁଭବ ଅଲଗା । ଟେକ୍ନୋଲଜି ଏତେ ବଡ଼ ଆନ୍ଦୋଳନ କରିଛି, ମୁଁ ଯେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି କପରାଡ଼ା ଭାବେ ଗୋଟିଏ ସ୍ଥାନ ଅଛି, ସେଠାକୁ ଯାଇଥିଲି । ବଡ଼ ପଛୁଆ ତହସିଲ ଅଟେ, ସଂପୂର୍ଣ୍ଣ ଗାଉଁଲି ଅଂଚଳରେ ଏକ ଛୋଟ କାର୍ଯ୍ୟକ୍ରମ ଥିଲା ଦୁଗ୍ଧ ଶିତଳୀକରଣ କେନ୍ଦ୍ରର ଉଦ୍ଘାଟନ, ଆଦିବାସୀ ଗାଁରେ । ଆଉ ସେଠାରେ ପଡିଆ ମଧ୍ୟ ନ ଥିଲା କାରଣ ଜଙ୍ଗଲ ଥିଲା ତେଣୁ ସଭା କରିବା ପାଇଁ ସେଠାରୁ ତିନି କିଲୋମିଟର ଦୂର ଏକ ସ୍କୁଲ ପଡିଆରେ ସଭା ରଖାଗଲା ଆଉ ଶିତଳୀକରଣ କେନ୍ଦ୍ର ଏକ ଅନ୍ୟ ଜାଗାରେ ଥିଲା । ମୁଁ ଶିତଳୀକରଣ କେନ୍ଦ୍ର ଉଦ୍ଘାଟନ ପାଇଁ ଗଲି ତ ସେଠାରେ ଦୁଗ୍ଧ ଭରୁଥିବା 25-30 ଜଣ ମହିଳା ମଧ୍ୟ ଥିଲେ । ସେ ଭଉଣୀମାନେ ସେଠାରେ ଠିଆ ହୋଇଥିଲେ । ଆମେ ତାହାର ଦୀପ ଜଳାଇବା, ଫିତା କାଟିବା, ଏସବୁ କରୁଥିଲୁ । ଆଉ ମୁଁ ଦେଖିଲି ସବୁ ମହିଳା, ଆଉ ଏ କଥା ମୁଁ ପାଖାପାଖି 10 ବର୍ଷ ତଳର କଥା କହୁଛି, ସବୁ ମହିଳା, ଆଦିବାସୀ ମହିଳାମାନେ ନିଜ ମୋବାଇଲ ଫୋନ୍ ରେ ଫଟୋ ଉଠାଉଥିଲେ । ମୁଁ ଆଶ୍ଚର୍ଯ୍ୟ ଥିଲି, ମୁଁ ତାଙ୍କ ପାଖକୁ ଗଲି; ମୁଁ କହିଲି ଆପଣଙ୍କ ଫଟୋ ତ ଆସୁ ନାହିଁ, ମୋ ଫଟୋ ଉଠାଇ କ’ଣ କରିବ? କ’ଣ ଆପଣଙ୍କୁ ଫଟୋ ଉଠାଇ ଆସେ? ଆଦିବାସୀ ଭଉଣୀମାନେ ଥିଲେ, ଅପାଠୁଆ ଥିଲେ । ସେମାନେ ମତେ ଯେଉଁ ଉତ୍ତର ଦେଲେ, ସେହି ଉତ୍ତର ମୋ ପାଇଁ ଓ ମୋ ମନ ଉପରେ ପ୍ରଭାବଶାଳୀ ଥିଲା । ସେମାନେ କହିଥିଲେ ଯେ ଆମେ ଯାଇ ଡାଉନ୍-ଲୋଡ କରାଇ ଦେବୁ । ମୁଁ ଆଶ୍ଚର୍ଯ୍ୟ ରହିଗଲି ଆଜ୍ଞା ଏମାନେ ପଢି-ଲେଖି ଶିଖି ଥିବା ଭଉଣୀମାନେ ନ ଥିଲେ ଆଉ ସେମାନେ କହୁଥିଲେ ଯେ ଆମେ ଯାଇ ଡାଉନ୍-ଲୋଡ କରାଇ ଦେବୁ ।

କିଭଳି ଭାବରେ ଟେକ୍ନୋଲଜି ଜନ-ସମାଜର ଜୀବନରେ ପ୍ରବେଶ କରି ଯାଇଛି । ଆମେ ନିଜର ବ୍ୟବସ୍ଥାରେ, ଏବେ ଆପଣଙ୍କ ଏଠି ଗାଁରେ ସାଧାରଣ ସେବା କେନ୍ଦ୍ର ଭାରତ ସରକାର ଗାଁରେ ଖୋଲିଛନ୍ତି । ଆପଣ କେବେ ଦେଖିଛନ୍ତି କି ସାଧାରଣ ସେବା କେନ୍ଦ୍ରରେ ଟେକ୍ନୋଲଜି ମାଧ୍ୟମରେ ଏହି ଯେଉଁ ଯୁବକଙ୍କୁ ଏଠାରେ ରାଜଗାର ମିଳିଛି, ତା ପାଖରେ କମ୍ପ୍ୟୁଟର ଅଛି, କ’ଣ କ’ଣ ସେବା ପ୍ରଦାନ କରୁଛି? ସେହି ସେବା ଗୁଡିକ ଆପଣଙ୍କ ଗାଁରେ କିଭଳି ଉପଲବ୍ଧ ହୋଇପାରିବ, ଆପଣ ଏହି ବ୍ୟବସ୍ଥାର ଲାଭ ଉଠାଇ ପାରିବେ କି ନୁହେଁ? ମୋର କହିବାର ତାତ୍ପର୍ଯ୍ୟ ଏହି ଯେ, ଆମେ ଆବଶ୍ୟକତା ଅନୁସାରେ ସଂପୂର୍ଣ୍ଣ ଚେଷ୍ଟା କରି, ଟେକ୍ନୋଲଜିର ଉପଯୋଗ ନିଜ ଗାଁକୁ ଆଣିବା ଦିଗରେ ପ୍ରୟାସ କରିବା । ଆପଣ ଦେଖନ୍ତୁ ଆପଣଙ୍କ ଗାଁରେ ଏକ ବହୁତ ବଡ ପରିବର୍ତ୍ତନ ଏହି ଟେକ୍ନୋଲଜି ମାଧ୍ୟମରେ ଆସି ପାରିବ ।

ହୋଇପାରେ ଆମକୁ ସବୁ କିଛି ଆସେ ନାହିଁ କିନ୍ତୁ ଯେତିକି ଆସେ ତାକୁ ଆମେ ପାଖରେ ରଖି ପାରିବୁ । ପୁରୁଷମାନଙ୍କର ଅହଂଭାବ ଥାଏ ସେମାନେ ରଖିବେ ନାହିଁ, ଆପଣଙ୍କ ଘରେ ଦ୍ୱାଦଶ ଶ୍ରେଣୀର ପିଲା ଥିବ ତ ତାକୁ ମଧ୍ୟ ପଚାରିଲେ କହିଦେବ ଯେ ଏମିତି ଏମିତି କରାଯିବ । କିନ୍ତୁ ଥରେ ଆପଣ ଦେଖନ୍ତୁ ଆପଣଙ୍କ ଶକ୍ତି ଅନେକ ଗୁଣ ବଢିଯିବ ।

ଆମେ ଗାଁରେ ରହୁ, କେବେ ଆମେ ଚିନ୍ତା କରିଛୁ ଯେ ଆମ ଗାଁରେ ସରକାରୀ କୋଷାଗାରରୁ ଦରମା ନେଉଥିବା କେତେ ଲୋକ ଅଛନ୍ତି? କେହି ଭାବି ନଥିବେ । ଯିଏ ମଧ୍ୟ ସରକାରୀ ଦରମା କୋଷାଗାରରୁ ନେଉଛନ୍ତି ସେମାନେ ଏକ ପ୍ରକାର ସରକାର ହିଁ ଅଟନ୍ତି । କ’ଣ ମାସରେ ଥରେ ଆପଣଙ୍କ ଗାଁରେ ଏଭଳି ଏକ ଛୋଟ ଆକାରର ସରକାରଙ୍କ ମିଟିଂ/ସଭା  ହୋଇ ପାରିବ? କେହି ଡ୍ରାଇଭର ଥିବ ଆପଣଙ୍କ ଗାଁର ହୋଇଥିବ ସରକାରୀ ବସ୍ ଚଲାଉଥିବ, କିଏ କମ୍ପାଉଣ୍ଡର ଥିବ, କିଏ ପିଅନ ଥିବ, କିଏ କିରାଣୀ ଥିବ, କିଏ ଶିକ୍ଷକ ଥିବ ଯାହାଙ୍କୁ ସରକାରଙ୍କ ଠାରୁ ଦରମା ମିଳୁଥିବ । ପ୍ରତ୍ୟେକ ଗାଁରେ ଏଭଳି 15-20 ଲୋକ ମିଳିବେ ଯିଏ କୌଣସି ନା କୌଣସି ଭାବରେ ସରକାରଙ୍କ ସହ ଯୋଡି ହୋଇଥିବେ । କ’ଣ ମାସରେ ଥରେ ଏହି ଯେଉଁ ସରକାରଙ୍କର ପ୍ରତିନିଧିତ୍ୱ କରୁଛନ୍ତି, ସରକାରଙ୍କଠାରୁ ଦରମା ନେଉଛନ୍ତି, ସରକାର ହେଉଛନ୍ତି କ’ଣ ଯାହାକୁ କିଛି ଜଣା ଅଛି, ସରକାରଙ୍କ ଉପର ଲୋକଙ୍କୁ ଜାଣନ୍ତି । କ’ଣ କେବେ ଆପଣ ପ୍ରତି ମାସରେ ଥରେ, ନିଜ ଗାଁରେ କେଉଁଠି ବି କାମ କରିଲାବାଲା ଏବଂ ଗାଁରେ ରହୁଥିବା ଲୋକ, ସଂଧ୍ୟାରେ ଗାଁକୁ ଆସି ଯାଆନ୍ତି; ଏମିତି ଲୋକଙ୍କୁ ମାସରେ ଥରଟିଏ ବସାଇ, ଭାଇ ନିଜ ଗାଁରେ କ’ଣ କରି ପାରିବା? ସରକାରଙ୍କଠାରୁ କ’ଣ ସାହାଯ୍ୟ ଆଣି ପରିବା? କେମିତି ଆଣି ପରିବା? ତୁମର କେହି ଚିହ୍ନା ପରିଚିତ ଅଛନ୍ତି କି? ଏହିପରି ଯଦି ବ୍ୟବସ୍ଥା ବିକଶିତ କରିବା ତ ଆପଣଙ୍କ ଶକ୍ତି  ।

ଆଜି କ’ଣ ହେଉଛି, ସରକାର ଅର୍ଥାତ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାର…ରୁ ଅଧିକ ଆପଣଙ୍କୁ କେହି ଦେଖନ୍ତି ନାହିଁ, କିନ୍ତୁ ଅଙ୍ଗନୱାଡୀ କର୍ମୀ ହେଉ, ଆଶା କର୍ମୀ ହେଉ, ଶିକ୍ଷକ ହୁଅନ୍ତୁ, ସେମାନେ ସମସ୍ତେ ହେଉଛନ୍ତି ସରକାରଙ୍କର ପ୍ରତିନିଧି । ଆପଣ କେବେ ସେହି ବ୍ୟକ୍ତିଙ୍କୁ ଯୋଡି ନାହାନ୍ତି ତ, ମୋର ଅନୁରୋଧ ହେଉଛି କି ସେମାନଙ୍କୁ ଯୋଡନ୍ତୁ, ଆପଣଙ୍କ ଶକ୍ତି ଅନେକ ଗୁଣ ବଢିଯିବ ଏବଂ ଆପଣଙ୍କ କାମ ମଧ୍ୟ ସରଳ ହୋଇଯିବ ।

ଅନ୍ୟ ଏକ କାମ, ବର୍ଷରେ ଥରେ ନିଶ୍ଚୟ କରନ୍ତୁ । ଆପଣଙ୍କ ଗାଁରୁ ବହୁତ ଲୋକ ଗାଁ ଛାଡି ସହରକୁ ଚାଲି ଯାଇଥିବେ । କେବେ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିବେ, ସଂପର୍କୀୟଙ୍କ ଘରକୁ ଆସିଥିବେ । ଗାଁର ଜନ୍ମଦିନ ପାଳନ କରନ୍ତୁ । କ’ଣ କେବେ ଆପଣ ଚିନ୍ତା କରିଛନ୍ତି, ଯେଉଁ ଗାଁ ଗୁଡିକୁ ଜଣା ନାହିଁ ଯେ ତାଙ୍କର ଜନ୍ମଦିନ କେବେ ସେମାନେ ଚିଠି ବାହାର କରି ସ୍ଥିର କରନ୍ତୁ ଯେ ଏଇ ଅମୁକ ତାରିଖ ଆମ ଗାଁର ଜନ୍ମ ଦିନ । ଆଉ ପୁଣି ଆମେ ପ୍ରତି ବର୍ଷ ବଡ଼ ଗର୍ବ ଓ ଗୌରବର ସହିତ ଗାଁର ଜନ୍ମଦିନ ପାଳନ କରିବା, ପ୍ରତି ବର୍ଷ । ଆଉ ସେହି ଦିନ ଆପଣଙ୍କ ଗାଁର ଯେତେଲୋକ ବାହାରକୁ ଯାଇଛନ୍ତି ସେମାନଙ୍କୁ ଡକାଇବା ଦରକାର । ତିନି ଚାରି ଦିନର କାର୍ଯ୍ୟକ୍ରମ ହେବା ଦରକାର । ଗାଁର 75ରୁ ଅଧିକ ବର୍ଷ ବୟସର ଯେତେ ଲୋକ ଅଛନ୍ତି ସେମାନଙ୍କୁ ସମ୍ମାନିତ କରିବା ଦରକାର, ଗାଁରେ ପ୍ରତ୍ୟେକଙ୍କୁ ଗଛ ଲଗାଇବା ପାଇଁ କହିବା ଦରକାର; ଗାଁର ପିଲାମାନଙ୍କୁ ସ୍ୱଚ୍ଛତା ଅଭିଯାନ ସହିତ ଯୋଡିବା ଦରକାର ଆଉ ଗାଁର ଯେଉଁ ଲୋକ ବାହାରେ ରହୁଛନ୍ତି ସେମାନଙ୍କୁ ବିଶେଷ ଭାବେ ଡକାଇବା ଦରକାର ଆଉ ତାଙ୍କୁ କହିବା ଦରକାର ଭାଇ କୁହନ୍ତୁ ଗାଁ ପାଇଁ ଆପଣ କ’ଣ କରି ପାରିବେ । ଆପଣ ଦେଖନ୍ତୁ ସାରା ଗାଁ ଗୋଟିଏ ପ୍ରାଣବନ୍ତ ଗାଁ ହୋଇଯିବ । ଗାଁ ଜୀବନ୍ତ ହୋଇ ଉଠିବ । ଗାଁ ଅର୍ଥାତ ଏବେ ଛାଡି ଦିଅ ଭାଇ, ଶୀଘ୍ର 18 ବର୍ଷର ହୋଇଯାଅ, ଚାଲିଯିବା, ଛାଡିଦେବା, କ’ଣ କରିବା ଜୀବନ ତ ଏହି ଭଳି ଜୀଇଁବା ପାଇଁ । ଏହାଠାରୁ ଓଲଟା କାମ କରିବାର ସମୟ ଆସିଯାଇଛି ଆଉ ଆପଣ ଯଦି ଏହି କାମକୁ କରିବେ ମୋର ବିଶ୍ୱାସ ଆପଣଙ୍କ ଗାଁରେ ଏକ ନୂଆ ଜୀବନ ଆସିଯିବ ।

ଆଉ ଯେମିତି ମୁଁ କହିଲି ଆମ ଗାଁରେ ଗୃହପାଳିତ ପଶୁ ଅଛନ୍ତି । କିଛି ଲୋକ ଏଠାରେ ଦେଖି ଯାଇଥିବେ, ମତେ କୁହାଯାଇଛି କି କିଛି ଏହି ଗାନ୍ଧୀନଗର ପାଖରେ ପଶୁମାନଙ୍କ ପାଇଁ ଗୋଶାଳା କିଛି ଗାଁରେ ଅଛି । ଦେଖିଥିବେ ଯେ ଗାଁରେ ଅଳିଆ- ଆବର୍ଜନା କିଭଳି ଥାଏ, ବର୍ଜ୍ୟବସ୍ତୁରୁ ସଂପଦ ପ୍ରସ୍ତୁତ କରାଯାଇପାରେ । ଏହାକୁ ଆମେ ଯେଉଁ ବର୍ଜ୍ୟବସ୍ତୁ ଭାବି ନେଇଛେ ତାହା ବର୍ଜ୍ୟବସ୍ତୁ ନୁହେଁ ତାହା ହେଉଛି ସଂପଦ ।

ଆପଣ ଗାଁରେ ଚେଷ୍ଟା କରନ୍ତୁ, କିଛି ଲୋକଙ୍କୁ ଲଗାନ୍ତୁ, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରନ୍ତୁ । ଗାଁର ଅଳିଆ-ଆବର୍ଜନାରୁ ଖତଗଦା ତିଆରି କରନ୍ତୁ, ଗାଁ ଖତ ବିକ୍ରି ହେବ, ପଞ୍ଚାୟତର ଆୟ ହେବ । ଆଉ ମାଟିରେ ସୁଧାର ହେବ ତ ଗାଁ ଲୋକଙ୍କର କ୍ଷେତ ଭଲ ରହିବ । ଛୋଟ ଛୋଟ କାମ ଯେଉଁଥିପାଇଁ ଅଲଗା ବଜେଟର ଆବଶ୍ୟକତା ପଡି ନ ଥାଏ, ଆପଣ ନିଜେ ସ୍ୱୟଂ କିଛି ଶୁଭାରମ୍ଭ କରନ୍ତୁ, ଆପଣ ନିଜ ଗାଁକୁ ଯେମିତି ସ୍ୱଚ୍ଛ ରଖୁଛନ୍ତି ସେମିତି ସମର୍ଥ ମଧ୍ୟ କରି ପାରିବେ । ସ୍ୱଚ୍ଛତାକୁ ନିଜ ସ୍ୱଭାବ କରି ରଖିବା ଶିଖନ୍ତୁ ଆଉ ସ୍ୱଚ୍ଛତା ଏଭଳି ଏକ ବିଷୟ ଯାହାକୁ ଆମକୁ ନିଜେ କରିବାକୁ ପଡିବ । ମାନି ନିଅନ୍ତୁ ଆମେ କେଉଁଠିକି ଯାଉଛେ, ହଠାତ୍ ଆମ ଶରୀର ଉପରେ କୌଣସି ଅଳିଆ ପଡିଗଲା, କୌଣସି ଅଳିଆ ଜିନିଷ ପଡିଗଲା । ଆମେ ଅପେକ୍ଷା କରୁଛେ କି? ପାଖ ପଡୋଶୀରେ ଯିଏ ଯାଉଛି ସିଏ ସଫା କରିଦେବ, ଏଭଳି କରୁଛେ କି? ଆମେ ଯେତେବଡ ମହାପୁରୁଷ ହେଉ ନା କାହିଁକି, ଆମେ ସାଙ୍ଗେ ସାଙ୍ଗେ, ପକେଟରୁ ରୁମାଲ ବାହାର କରୁ ଆଖି ପିଛୁଳାକେ ସଫା କରିବା ଆରମ୍ଭ କରି ଦେଉ, କାହିଁକି? ଆବର୍ଜନା ଗୋଟିଏ କ୍ଷଣ ପାଇଁ ମଧ୍ୟ ଆମର ପସନ୍ଦ ନୁହେଁ । ଆମ ଶରୀର ଉପରେ ଯଦି ସାମାନ୍ୟ ମାତ୍ର ଆବର୍ଜନା ପଡିଲା ତ ଆମେ ତରନ୍ତ ସଫା କରି ଦେଉ । ଏମିତି ମଧ୍ୟ ଇଏ ଆମର ମାଟି ମାଆ ଭାରତ ମାତା, ତା ଉପରେ ଯଦି କୌଣସି ଆବର୍ଜନା ପଡିଲା ତ ତାକୁ ଆମ ସମସ୍ତଙ୍କୁ ମିଶି ସଫା କରିବାକୁ ପଡିବ । ଏହି ସ୍ୱଚ୍ଛତାକୁ ସ୍ୱଭାବରେ ପରିଣତ କରି ଦିଅ । ଯଦି ଏହି ସ୍ୱଚ୍ଛତାକୁ ସ୍ୱଭାବ କରି ଦେବା, ଆଉ ଯଦି ଥରେ ଆବର୍ଜନା ଚାଲିଯିବ; ଆପଣ ଦେଖନ୍ତୁ ପୁଣି ଦେଶରେ କୁ-ପୋଷଣର ସମସ୍ୟା, ରୋଗ ପାଇଁ ଖର୍ଚ୍ଚ, ଏ ସବୁଥିରେ ହ୍ରାସ ଘଟିବ ।

ଗରିବକୁ ସବୁଠାରୁ ଅଧିକ ଲାଭ ହେବ । ଆବର୍ଜନାରୁ ସବୁଠାରୁ ଅଧିକ ଅସୁବିଧା କାହାକୁ ହେଉଛି ତ ଗରିବକୁ, ନୂଆଣିଆ ଚାଳ ଘରେ ଜୀବନ କାଟୁଥିବା ଲୋକଙ୍କୁ ଅସୁବିଧା ହୁଏ, ମଇଳା ପାଣି ପିଇଲା ଲୋକଙ୍କୁ ଅସୁବିଧା ହୁଏ । ଏହା ମାନବତାର କାମ ଅଟେ, ଏହି ମାନବତାର କାମକୁ ଯଦି ଆମେ ସେହି ଭାବ ନେଇ କରିବା, ଜନ ସେବା, ଏହା ପ୍ରଭୁଙ୍କ ସେବା, ଆମର ଏଠି ଏହା କୁହାଯାଏ; ସେହି ଭାବର ସହିତ ଯଦି ଆମେ କରିବା ତ ମୋର ବିଶ୍ୱାସ 2019 ରେ, ସ୍ୱଚ୍ଛ ଭାରତରେ କିଛି ହାସଲ କରିବାର ଅଛି ପରିବର୍ତ୍ତନ ଅନୁଭୂତ ହେଉ – ଏ ଭଳି ସ୍ଥିତି ସୃଷ୍ଟି କରିବାକୁ ହେବ ଆଉ ଏହା ସରକାରଙ୍କ ନାମରେ କରାଯିବ ଏଭଳି କଥା ମୋର ନୁହେଁ । ଏହାକୁ ସମାଜର ସ୍ୱଭାବ କରିବାକୁ ହେବ, ସମାଜରେ ଆନ୍ଦୋଳନ କରିବାକୁ ହେବ, ଆବର୍ଜନା ପ୍ରତି ବିତୃଷ୍ଣାର ବାତବରଣ ସୃଷ୍ଟି କରିବାକୁ ପଡିବ ତ ନିଜକୁ ନିଜେ ସବୁ ହୋଇଯିବ । ଶୌଚାଳୟ ହେଉଛି ତାହାର ଏକ ଅଂଶ । ଶୌଚାଳୟ ହୋଇଗଲା ଅର୍ଥ ସ୍ୱଚ୍ଛତା ହୋଇଗଲା, ଏହା ମୋର କଳ୍ପନା ନୁହେଁ । ଆଉ ସାରା ଦେଶରେ ଆଗରୁ କେବେ ସ୍ୱଚ୍ଛତା ଉପରେ ଚର୍ଚ୍ଚା ହେଉ ନଥିଲା । ଭଲ ହେଲା ବିଗତ ଦୁଇ ବର୍ଷ ଧରି ଲଗାତାର ସ୍ୱଚ୍ଛତା ଉପରେ ଚର୍ଚ୍ଚା ହେଉଛି । ଆଉ ମୁଁ ମଧ୍ୟ ଏହି କଥାକୁ ଜନ ସାଧାରଣଙ୍କ ସମ୍ମୁଖରେ ସ୍ୱୀକାର କରୁଛି ଯେ ସାଧାରଣ ଭାବେ ସରକାରଙ୍କ ତରଫରୁ କୌଣସି କଥା କୁହାଯାଏ ତ ସେହି ଦିନ ଗଣମାଧ୍ୟମ ସେଥିରୁ ଦୋଷ ତୃଟି ବାହାର କରିବାରେ ଲାଗିପଡେ, କ’ଣ ଅସୁବିଧା ଅଛି, କ’ଣ ଭୁଲ ଅଛି, କ’ଣ ମିଛ କହୁଛନ୍ତି ତା’କୁ ସେ ଧରନ୍ତି ।

ସ୍ୱଚ୍ଛତା ଏଭଳି ଏକ ବିଷୟ ମୁଁ ଦେଖିଲି, ଗଣମାଧ୍ୟମ ଯାହାକୁ କୋଳେଇ ନେଇଛି ଆଉ ସରକାର ଯେତେ କାମ କରୁଛନ୍ତି ଗଣମାଧ୍ୟମର ଲୋକେ ତା’ଠାରୁ ଦୁଇପାଦ ଆଗକୁ କରୁଛନ୍ତି । ଏହା ଏଭଳି ଏକ ବିଷୟ ଯାହାକୁ ଦେଶର ପ୍ରତ୍ୟେକ ଲୋକ ସ୍ୱୀକାର କରିଛନ୍ତି; ପ୍ରତ୍ୟେକ ଲୋକ ସ୍ୱୀକାର କରିଛନ୍ତି । ଯେଉଁ କାମକୁ ପ୍ରତ୍ୟେକ ଲୋକ ସ୍ୱୀକାର କରିଛନ୍ତି ସେଥିରେ ସଫଳତା ମିଳିବା ସ୍ୱଭାବିକ ଅଟେ, ତାହାକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ପଡିବ । କେବଳ ସ୍ୱଚ୍ଛତାର ମନ୍ତ୍ର କହିଲେ ହେବ ନାହିଁ ଏହାକୁ ଆମକୁ ବାସ୍ତବିକ ଶାରୀରିକ ଭାବେ କରିବାକୁ ପଡିବ । ଆଉ ଗାଁରେ ସଫେଇ ହେବ, ତ ପରିବର୍ତ୍ତିତ ହିନ୍ଦୁସ୍ଥାନ ନଜରକୁ ଆସିବ । ଆମ ପରିବର୍ତ୍ତିତ ଜୀବନ ନଜରକୁ ଆସିବ ।

ମୋର ଆପଣମାନଙ୍କ ସହିତ, ଯେଉଁ ଯେଉଁ ଲୋକମାନଙ୍କ ସହିତ ସାକ୍ଷାତ ହୋଇଛି ମୁଁ ସେମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ଆଉ ସେମାନଙ୍କ କାର୍ଯ୍ୟ ସେମାନଙ୍କ ଜୀବନ, ସେମାନଙ୍କ ପୁରୁଷାର୍ଥ, ସେମାନଙ୍କ ସଂକଳ୍ପ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହେବ । ଆଉ ସାରା ଦେଶରୁ ଆସିଥିବା ମହିଳା ମାନେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ସ୍ୱଚ୍ଛତା ଏବଂ ମହିଳା; ସିଧା-ସିଧା ସମ୍ବନ୍ଧ ରହିଛି । କାରଣ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରର ସ୍ୱଚ୍ଛତା ରଖିବାରେ ଯଦି ସବୁଠାରୁ ଅଧିକ କେହି ଯୋଗଦାନ ଦେଇଛି ତ ଆମ ଦେଶର ନାରୀ ଶକ୍ତି ଦେଇଛନ୍ତି । ପ୍ରତ୍ୟେକ ପ୍ରକାରର ସ୍ୱଚ୍ଛତା, ସାମାଜିକ ଜୀବନର ପ୍ରତ୍ୟେକ ଲୁକ୍କାୟିତ ସ୍ୱଚ୍ଛତା, ଯଦି ଆଜି ମଧ୍ୟ ବଞ୍ଚି ରହିଛି, ସଂସ୍କାର ବଞ୍ଚି ରହିଛି, ସଦଗୁଣ ବଂଚି ରହିଛି,  ସତ୍କାର୍ଯ୍ୟ ବଞ୍ଚି ରହିଛି ତ ସେଥିରେ ସବୁଠାରୁ ଅଧିକ ଯୋଗଦାନ ମାତୃଶକ୍ତିର ରହିଛି ।

ସ୍ୱଚ୍ଛତାର ଏହି ଅଭିଯାନକୁ ମଧ୍ୟ ମାତୃଶକ୍ତିଙ୍କର ଆଶୀର୍ବାଦ ମିଳିବ, ଅଭୂତପୂର୍ବ ସଫଳତା ମିଳିବ, ଏହି ବିଶ୍ୱାସ ସହିତ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

**********