Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ନୌସାରୀଠାରେ ସାମାଜିକ ଅଧିକାରିତା ଶିବିରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଗୁଜରାଟର ନୌସାରୀଠାରେ ସାମାଜିକ ଅଧିକାରିତା ଶିବିରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ବିଶ୍ୱ ମାନଚିତ୍ରରେ ନୌସାରୀ ଆଜି ନିଜ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଇଛି । ନୌସାରୀକୁ ଲକ୍ଷ ଲକ୍ଷ ଅଭିନନ୍ଦନ । ଆପଣମାନେ ଆଜି ତିନୋଟି ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗି ଦେଇଛନ୍ତି ଏବଂ ପୁରୁଣା ରେକର୍ଡ ତୁଳନାରେ ଯେଉଁ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ତାହା ଏତେ ଉଚ୍ଚ ଯେ ତାହାକୁ ଭାଙ୍ଗିବା ସହଜ ହେବ ନାହିଁ, ତାହା ପୁଣି ଦିବ୍ୟାଙ୍ଗମାନଙ୍କ ରେକର୍ଡ ବୋଲି କହିଲେ କଥାଟି ଆହୁରି ପ୍ରଶଂସନୀୟ ହେବ ।

କହିବାକୁ ଗଲେ ଏହି ନୌସାରୀ ଗ୍ରନ୍ଥ ତୀର୍ଥ ପାଲଟି ଯାଇଛି । ପୁସ୍ତକପ୍ରେମୀଙ୍କ ସହର ରୂପରେ ଜଣାଶୁଣା ଏହି ସହର ଆଜି ଦିବ୍ୟାଙ୍ଗମାନଙ୍କ ସମ୍ବେଦନାର ଶିଖର ସ୍ଥଳ ପାଲଟି ଯାଇଛି । ସରକାରଙ୍କ କାର୍ଯ୍ୟକ୍ରମ ସାଙ୍ଗକୁ ଆଜି ନୌସାରୀ ଏବଂ ଗୁଜରାଟକୁ ସାରା ଭାରତ ବର୍ଷରେ ପରିଚିତ କରାଇବା ପାଇଁ ଆପଣମାନେ କାର୍ଯ୍ୟ କରିଛନ୍ତି । ଗତକାଲି ରାତିରେ ମୁଁ ଟେଲିଭିଜନ ଖବରରେ ଦେଖୁଥିଲି ଯେ, ଏଠାକାର ଅନେକ ଦୋକାନୀ ଦିବ୍ୟାଙ୍ଗ ପିଲାମାନଙ୍କୁ ଯାହା ଦରକାର ତାହା ମାଗଣାରେ ଦେଉଥିଲେ । ଦିବ୍ୟାଙ୍ଗ ସଦସ୍ୟ ଥିବା 67ଟି ପରିବାରକୁ ଆଜି ଏଠାରେ ଗୌମାତାଙ୍କ ଦାନ କରାଗଲା । ଏଠାରେ କୋଡିଏ ହଜାର ଲୋକଙ୍କର ଏକ ତାଲିକା ଦିଆଗଲା, ଯେଉଁମାନେ କେହି ଜଣେ ଦିବ୍ୟାଙ୍ଗଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା କଥା ଘୋଷଣା କରିଛନ୍ତି ଏବଂ ସେମାନଙ୍କ ସମ୍ପୂର୍ଣ୍ଣ ଦାୟୀତ୍ୱ ବହନ କରିଛନ୍ତି । ମୋତେ ଏଠାରେ 67 ଲକ୍ଷ ଟଙ୍କାର ଗୋଟିଏ ଚେକ୍ ପ୍ରଦାନ କରାଗଲା । ସେହି 67 ଲକ୍ଷ ଟଙ୍କା ମୁଁ ଗୋଟିଏ ଟ୍ରଷ୍ଟକୁ ଦେଇ ଦେଲି ଯାହା ଦିବ୍ୟାଙ୍ଗମାନଙ୍କ କୌଶଳ ବିକାଶ କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ । ଯଦି କୌଣସି ଗୋଟିଏ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସମାଜର ଭାବନା କୁ ସ୍ପର୍ଶ କରିପାରେ, ଏହା ଆମର ଦାୟୀତ୍ୱ ବୋଲି ପ୍ରତ୍ୟେକ ବ୍ୟକ୍ତିର ମନରେ ଭାବନା ସୃଷ୍ଟି ହୁଏ . . . ଆଉ ଯେତେବେଳେ ସମାଜରେ ଏଭଳି ବାତାବରଣ ସୃଷ୍ଟି ହୁଏ, ସେତେବେଳେ କୌଣସି ସମସ୍ୟା ରହେନି। ପ୍ରତ୍ୟେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ ।

ବନ୍ଧୁଗଣ, ମୁଁ ଅତି ଭାଗ୍ୟବାନ ମଣିଷ । ମୁଁ ବିଭାଗର କର୍ମଚାରୀଙ୍କୁ ପଚାରୁଥିଲି, ଆମର ମନ୍ତ୍ରୀ ମହୋଦୟଙ୍କୁ ପଚାରୁଥିଲି ଯେ, ଆଗରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିଛି କି ? ସେମାନେ କହିଲେ – ନା । ତେବେ କୁହନ୍ତୁ ତ ? ମୁଁ ଭାଗ୍ୟବାନ ନୁହେଁ କି ? ସ୍ୱାଧୀନତା ପ୍ରାପ୍ତିକୁ 70 ବର୍ଷ ପୁରିଲା, ଏକ ଡଜନରୁ ଅଧିକ ପ୍ରଧାନମନ୍ତ୍ରୀ ଆସି କରି ଗଲେ, ଅଥଚ ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଯାହାକୁ ଦିବ୍ୟାଙ୍ଗଜନଙ୍କ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ଅନେକ କଥା ଆମ ଆଖି ଆଗରେ ଘଟେ, ଆମେ ପ୍ରତିଦିନ ଦେଖୁ, କିନ୍ତୁ କେତେବେଳେ ଏହା ଆମ ପ୍ରାଥମିକତାରେ ସ୍ଥାନ ପାଏନି ତ କେତେବେଳେ ଆମେ ଏଥିପ୍ରତି ସମ୍ବେଦନଶୀଳ ହୋଇ ନ ଥାଉ । ଫଳରେ ତା ପ୍ରତି ଆମ ପ୍ରତିକ୍ରିୟା ସାମାନ୍ୟ ହୋଇଥାଏ। ହଁ . . ହଁ . . ଠିକ ଅଛି ଭାଇ, ଭାରତ ଭଳି ଦେଶରେ ଏବେ – ଏମିତି ତ ହୁଏ, ସବୁ ଚଳୁଛି, ହଉ ଦେଖିବା – ଏ ସବୁର ଯୁଗ ଗଲା। ବିଶ୍ୱ ଭାରତଠାରୁ ଅନେକ କିଛି ଆଶା କରୁଛି । ଭାରତର ଅପାର କ୍ଷମତା ପ୍ରତି ବିଶ୍ୱ ଆକର୍ଷିତ ହୋଇଛି। ଏଭଳି ସ୍ଥିତିରେ ଦେଶର ଶହେ ପଚିଶ କୋଟି ଲୋକ ମଧ୍ୟ ଏହି ସୁଯୋଗ ଛାଡିବା କଥା ନୁହେଁ । ଏଥିପାଇଁ ଲୋକଙ୍କର ମଧ୍ୟ ପ୍ରସ୍ତୁତି ଆବଶ୍ୟକ । ସମଗ୍ର ନୌସାରୀ ସହରରେ ଏମିତି କୌଣସି ଲୋକ ନ ଥିବ, ଯାହାକୁ ଅପରିଷ୍କାର ପରିବେଶ ଭଲ ଲାଗେ । ଅପରିଷ୍କାରିତା କାହାକୁ ବି ଭଲ ଲାଗେନି, କିନ୍ତୁ ସ୍ୱଚ୍ଛତା ଆନ୍ଦୋଳନ ଚଳାଇବାକୁ କାହାରି ଇଚ୍ଛା ହେଲା କି? ଆଜି ଦେଶ ସ୍ୱାଧିନତାର ଏତେ ବର୍ଷ ପରେ ପ୍ରଥମ ଥର ଭାରତର ସଂସଦରେ ସ୍ୱଚ୍ଛତାକୁ ନେଇ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଲା । ଭାରତର ଟେଲିଭିଜନ ମାଧ୍ୟମ ସ୍ୱଚ୍ଛତା ପ୍ରତି ଲୋକମାନଙ୍କୁ ସଚେତନ କରାଇବା ପାଇଁ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁ ।

ଭାଇ ଓ ଭଉଣୀମାନେ, ଏହା ଏଭଳି ବିଷୟ ଯାହା ପ୍ରତି ଆମେ ଉଦାସୀନ ହୋଇଯାଉଛୁ । ଏ କଥା ନୁହେଁ ଯେ, ଅପରିଷ୍କାର ରହିବା ଆମର ପ୍ରକୃତି, କିନ୍ତୁ ଅପରିଷ୍କାରିତା ରହୁଛି । ହଁ. . ହଁ, ଏଗୁଡିକ ତ ରହିବ – ଏମିତି ମନୋଭାବ ଯୋଗୁ ସମସ୍ତେ ଚଳାଇ ଦେଉଛନ୍ତି । ହେଲେ, ଆଜି ଘରେ ଛୋଟ ପିଲାଟିଏ ଥିଲେ ମଧ୍ୟ ସେ ତା ଅଜାକୁ କହୁଛି – ଅଜା, ଏଠି ପକାଅନି, ମୋଦି ଅଜା ମନା କରିଛନ୍ତି । ପ୍ରତ୍ୟେକ ପରିବାର ଏହା ଅନୁଭବ କରିଛନ୍ତି ।

ଭାଇ ଓ ଭଉଣୀମାନେ, ସାମଜିକ ବିପ୍ଳବ ମଧ୍ୟରେ ଏହି ବୀଜ ବଟବୃକ୍ଷ ହୋଇ ସାମନାକୁ ଆସୁଛି । ଘର ଆଗରୁ ବି ତିଆରି ହେଉଥିଲା, ଶୌଚାଳୟ ମଧ୍ୟ ଆଗରୁ ନିର୍ମିତ ହେଉଥିଲା, ଅଫିସ ଘର ମଧ୍ୟ ନିର୍ମାଣ ହେଉଥିଲା, ଉତ୍ତମ ଡିଜାଇନ୍ର ଆର୍କିଟେକ୍ଚର ମଧ୍ୟ ନିର୍ମିତ ହେଉଥିଲା, କିନ୍ତୁ ଯିଏ ଚାଲି ପାରୁ ନାହାନ୍ତି, ତାଙ୍କ ପାଇଁ ଏ ଘରେ କିଛି ବ୍ୟବସ୍ଥା ଅଛି କି ନାହିଁ ସେ କଥା କେହି ଚିନ୍ତା କରୁ ନ ଥିଲେ। ଦିବ୍ୟାଙ୍ଗମାନଙ୍କ ପାଇଁ ଅଲଗା ପ୍ରକାର ଶୌଚାଳୟ ଆବଶ୍ୟକ, ସେ କଥା କେବେ ଚିନ୍ତା କରିଛନ୍ତି କି ? ସେ ବିଷୟରେ ଧାରଣା ନ ଥିଲା, ସେ କଥା ନୁହେଁ । ରେଳ ଆଗରୁ ବି ଚାଲୁଥିଲା, କିନ୍ତୁ ଏ କଥା କାହିଁକି ଚିନ୍ତା କରାଗଲାନି ଯେ, ଦିବ୍ୟାଙ୍ଗମାନଙ୍କ ପାଇଁ ରେଳ ଡବାରେ କିଛି ବ୍ୟବସ୍ଥା ଅଛି ନା ନାହିଁ । ସୁଗମ୍ୟ ଭାରତ ନାମରେ ଆମେ ଗୋଟିଏ ଅଭିଯାନ ଚଳାଇଲୁ, ଯଦି ସରକାରରେ ଥିବା ଲୋକମାନେ ସମ୍ବେଦନଶୀଳ ହୁଅନ୍ତି, ପ୍ରତ୍ୟେକ ଘଟଣା ପ୍ରତି ସଚେତନ ହୁଅନ୍ତି ତେବେ, ସମାଧାନର ବାଟ ମଧ୍ୟ ବାହାରି ଆସେ । ଦୀର୍ଘ ଦିନ ଧରି ଏହି ବିଭାଗ କାର୍ଯ୍ୟରତ। 1990-92ରୁ ଟ୍ରାଇ-ସାଇକେଲ ଆଉ ଏ ସବୁ ଚାଲିଛି । କିନ୍ତୁ ଏ କଥା ଜାଣି ଆପଣ ମର୍ମାହତ ହେବେ ଯେ, ଆମ ସରକାର ଗଠିତ ହେବା ପୂର୍ବରୁ ଏ ଦେଶରେ ଯେତେ ସରକାର ଆସିଲେ, ସେମାନଙ୍କ କାର୍ଯ୍ୟକାଳରେ ମାତ୍ର 57ଟି ଶିବିରର ଆୟୋଜନ ହୋଇଥିଲା । କିନ୍ତୁ ଭାଇମାନେ, ବିଗତ ଦୁଇ ବର୍ଷ ମଧ୍ୟରେ 4000ରୁ ଅଧିକ ଶିବିର ଆୟୋଜିତ କରି ହଜାର ହଜାର ଦିବ୍ୟାଙ୍ଗ ଭାଇ-ଭଉଣୀମାନଙ୍କ ପାଖକୁ ପହଞ୍ଚିବାର ବଳିଷ୍ଠ ପ୍ରୟାସ କରାଯାଇଛି । ଆଗରୁ କୌଣସି ଅଧିକାରୀଙ୍କର ଏହି ବିଭାଗକୁ ବଦଳି ହେଲେ ଅନ୍ୟ ଅଧିକାରୀମାନେ ଭାବୁଥିଲେ ଯେ ସେ ଅଧିକାରୀଙ୍କର ଅବମୂଲ୍ୟାୟନ ହୋଇଗଲା । କୌଣସି ପ୍ରଧାନମନ୍ତ୍ରୀ ଏହି ବିଭାଗରେ ବୈଠକ କରିବାର ସମୟ ମଧ୍ୟ ପାଇ ନାହାନ୍ତି ।

ଦିଲ୍ଲୀରେ ଏଭଳି ସମ୍ବେଦନଶୀଳ ସରକାର ରହିଛି, ଯାହା ଏହି ବିଭାଗକୁ ଆଗକୁ ଆଣିଲା ଏବଂ ଉତ୍ତମ ଅଧିକାରୀମାନଙ୍କୁ ଏହି ବିଭାଗରେ ନିଯୁକ୍ତ କଲା, ଯାହା ଫଳରେ କାର୍ଯ୍ୟର ଗତି ତ୍ୱରାନ୍ୱିତ ହେଲା । ଆପଣ ଏଠାରେ ଦେଖିପାରୁଥିବେ, ଯେଉଁ ଭଉଣୀମାନେ ମୋର ଏହି ଭାଷଣ ଶୁଣି ପାରୁ ନାହାନ୍ତି, ବିଭିନ୍ନ ମୁଦ୍ରା ମାଧ୍ୟମରେ ସେମାନଙ୍କ ନିକଟକୁ ଏହା ପହଞ୍ଚାଇ ଦିଆଯାଉଛି । ଆମେ ଜାଣି ପାରୁ ନାହୁଁ, କାରଣ ଏହି ସାଙ୍କେତିକ ଭାଷା ଉପରେ ଆମର ଜ୍ଞାନ ନାହିଁ । ହେଲେ ଆପଣମାନେ ମୋତେ କୁହନ୍ତୁ, କେହି ତାମିଲଭାଷୀ ବ୍ୟକ୍ତି ଆପଣଙ୍କୁ ଜୁଟିଯାଏ ଏବଂ ଆପଣଙ୍କ ସହ ତାମିଲ ଭାଷାରେ କଥାବାର୍ତ୍ତା କରିବା ଆରମ୍ଭ କରିଦିଏ, ତାହେଲେ ଆପଣ କଣ କରିବେ ? ସେ କଣ କହୁଛି, ତାହା ଜଣା ବି ପଡିବନି । ଯେମିତି ଅନ୍ୟ ଭାଷା ବୁଝିବା କଷ୍ଟ ହୁଏ . . . ଏବଂ ବନ୍ଧୁଗଣ, ଆପଣ ଏ କଥା ଜାଣି ଦୁଃଖିତ ହେବେ ଯେ, ସାରା ଦେଶରେ ଏହି ସାଙ୍କେତିକ ଭାଷା ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ ଶିକ୍ଷା ଦିଆଯାଉଛି । ଦୁଇ ମୂକ ବ୍ୟକ୍ତି ଯଦି ପରସ୍ପର ସହ କଥା ହେବାକୁ ଚାହିଁବେ ତେବେ, ସେମାନଙ୍କ ସଙ୍କେତ ମଧ୍ୟ ଭିନ୍ନ ଭିନ୍ନ ହୋଇଥିବ। କିନ୍ତୁ ଏ କଥା ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଏହି ସରକାର ଚିନ୍ତା କଲା ଯେ, ସାରା ଦେଶରେ ଆନ୍ତର୍ଜାତିକ ମାନଦଣ୍ଡ ବିଶିଷ୍ଟ ସାଇନ୍ ସିଷ୍ଟମ ବିକଶିତ କରାଯିବା ଉଚିତ । ଆମ ସମସ୍ତ ଶିକ୍ଷକମାନଙ୍କ ପାଇଁ ଗୋଟିଏ ପ୍ରକାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଉଚିତ । ଯାହା ଫଳରେ ଆମ ପିଲା ବିଶ୍ୱର ଯେ କୌଣସି ଦେଶକୁ ଗଲେ ମଧ୍ୟ ସେହି ସାଙ୍କେତିକ ଭାଷାରେ କଥାବାର୍ତ୍ତା କରିପାରିବ । କମନ୍ ସାଇନିଂ ଲାଙ୍ଗୁଏଜ ଉପରେ ଆମେ ଆଇନ ପ୍ରଣୟନ କରିଛୁ । ବଡ ଧରଣରେ ଏହା ଉପରେ କାମ ଚାଲିଛି । ଅନେକ ଥର କିଛି ଖବର ଖୁବ୍ ବଡ ହୋଇଥାଏ । ଏଭଳି କଥା ସାମାନ୍ୟତଃ ଦୃଷ୍ଟିକୁ ଆସେ ନାହିଁ, କିନ୍ତୁ ଏଭଳି ପରିବାର ପାଇଁ ଏହା ନୂତନ ଆଶାର ସଞ୍ଚାର କରିବ । ସ୍ୱଚ୍ଛତା କଥା ହେଉ କିମ୍ବା ଦିବ୍ୟାଙ୍ଗମାନଙ୍କ ସମସ୍ୟା କଥା ହେଉ, ଭାଇ ଓ ଭଉଣୀମାନେ, ସମାଜର ଉପେକ୍ଷିତ କାର୍ଯ୍ୟ, ସମାଜର ଉପେକ୍ଷିତ ଶ୍ରେଣୀର ଲୋକମାନଙ୍କ ପାଇଁ ସମ୍ବେଦନଶୀଳତା ରହିବା ଆବଶ୍ୟକ । ମୋର ବିଶ୍ୱାସ ଯେ, ଦିଲ୍ଲୀରେ ଆମେ ଏହି ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ, ଏହା ଆଗାମୀ ଦିନରେ ରାଜ୍ୟମାନଙ୍କରେ ମହାନଗରମାନଙ୍କରେ, ପୌରପାଳିକାରେ ଗୋଟିଏ ସାଧାରଣ ପ୍ରକୃତିଗତ କାର୍ଯ୍ୟ ହୋଇଯିବ । ପରବର୍ତ୍ତୀ ସମୟରେ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘର ଏବଂ ଅଫିସ ଘରମାନ ତିଆରି ହେବ ।

ଏବେ ରେଳବାଇରେ ଆମେ ଗୋଟିଏ ବଡ କାମ ଆରମ୍ଭ କରିଛୁ । ଯେତେବେଳେ କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ତାଙ୍କ ପାଇଁ କରାଯାଇଥିବା କୌଣସି ସୁବିଧା ଦେଖେ ସେତେବେଳେ ସିଏ ସନ୍ତୁଷ୍ଟ ହୁଏ ଆଉ ଭାବେ, ଯେ ମୁଁ ଏକା ନୁହେଁ, ମୋ ଦେଶ ମୋ ସହିତ ଠିଆ ହୋଇଛି । ସେତେବେଳେ ତାର ସେହି ଶକ୍ତି ଦେଶର ଶକ୍ତି ପାଲଟିଯାଏ । ଆପଣମାନେ ଏହି ଯେଉଁ ଦିବ୍ୟାଙ୍ଗ ଶବ୍ଦଟି ଶୁଣୁଛନ୍ତି ତାହା ମୁଁ କୌଣସି ଶବ୍ଦକୋଷରୁ ଖୋଜି ଆଣି ଥିବା ଶବ୍ଦ ନୁହେଁ । ମୁଁ ସାମାଜିକ ମାନସିକତା ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛି । ଆମେ ଯେତେବେଳେ କାହାକୁ ବିକଳାଙ୍ଗ ବୋଲି କହୁ, ସେତେବେଳେ ଆମ ଦୃଷ୍ଟି ତାର କେଉଁ ଅଙ୍ଗ ଖରାପ ସେ ଦିଗକୁ ଯାଏ । ସେମାନଙ୍କ ମଧ୍ୟରେ ଥିବା ଅପାର ଶକ୍ତି ଆଡକୁ ଯାଏ ନାହିଁ । ତେଣୁ ମୁଁ ଭାବିଲି ଯେ, ସରକାର ଏହି ବିକଳାଙ୍ଗ ଶବ୍ଦ ପ୍ରୟୋଗରୁ ଓହରିବା ଉଚିତ । ସେମାନଙ୍କ ପାଖରେ ହୁଏତ ଗୋଟିଏ ଅଙ୍ଗ ନାହିଁ, କିନ୍ତୁ ଅନ୍ୟ ସବୁ ଅଙ୍ଗରେ ତ ଦିବ୍ୟ ଅଙ୍ଗ ଭଳି ଶକ୍ତି ଭରି ରହିଛି । ଏହି ଭାବନାରୁ ସେହି ଶବ୍ଦର ଉତ୍ପତ୍ତି । ମୁଁ ଦିବ୍ୟାଙ୍ଗମାନଙ୍କ ଠାରୁ ଅଗଣିତ ଆଶୀର୍ବାଦ ପାଇଛି । ଯେଉଁ ପରିବାରରେ କୌଣସି ଦିବ୍ୟାଙ୍ଗର ଜନ୍ମ ହୋଇଥିବ, ସେମାନଙ୍କ ପାଖକୁ ଯେତେ ଶୁଭେଚ୍ଛାମାନ ପହଞ୍ଚିଥିବ, ସେତିକି ଶୁଭେଚ୍ଛା ମୋ ପାଇଁ ମଧ୍ୟ ରହିଥିବ । ବେଳେବେଳେ ଯାହା ପ୍ରତି ଆମେ ଉଦାସୀନ ମନୋଭାବ ପୋଷଣ କରିଥାଉଁ ସେ ହିଁ ଆମ ପାଇଁ ସୁନାମ ଆଣି ଦିଅନ୍ତି ।

କିଛି ଦିନ ପୂର୍ବରୁ ଅଲିମ୍ପିକ୍ସ ଖେଳ ଚାଲିଥିଲା । ଦେଶର ସୁନାମ ବୃଦ୍ଧି କଲେ ଏଇ ଦେଶର ଝିଅମାନେ । ଅଥଚ ଆମେ – “ଘରେ ବସ, ପାଠ ପଢି କଣ କରିବୁ” – ସେହି ମନୋଭାବ ପୋଷଣ କରିଥାଉଁ । ଆମ ଝିଅମାନଙ୍କ କୃତୀତ୍ୱ ଯୋଗୁ ଆମକୁ ଏହି ଦୃଷ୍ଟିକୋଣରେ ପରିବର୍ତ୍ତନ କରିବାକୁ ପଡିବ । ପୁଅ-ଝିଅ ଉଭୟେ ସମାନ, ଏକଥା କୌଣସି ଭାଷଣ ମାଧ୍ୟମରେ ହେଉ, ସରକାରୀ ନିୟମ ମାଧ୍ୟମରେ ହେଉ । କୋଟି କୋଟି ଟଙ୍କା ବ୍ୟୟରେ ହୋଇପାରୁଥିବା କାମ ଠାରୁ ମଧ୍ୟ ଉତ୍ତମ କାମ ଆମ ଝିଅମାନେ ଅଲିମ୍ପିକ୍ସରେ କରି ଦେଖାଇଛନ୍ତି । ଠିକ୍ ଏମିତି ମୋ ଦିବ୍ୟାଙ୍ଗଜନେ, ଲୋକଙ୍କୁ ଆମେ ବୁଝାଇବା, ସେମାନଙ୍କୁ ବୁଝିବାକୁ କେତେ ସମୟ ଲାଗିବ ତାହା ଆମକୁ ଜଣାନାହିଁ, କିନ୍ତୁ ଏବେ ପାରାଅଲିମ୍ପିକ୍ସ ରେ ଆମର 19 ଜଣିଆ ଦଳ ଯାଇଥିଲା, ସେଥିରୁ ଅଧିକାଂଶ ଖେଳାଳୀ ଉତ୍ତମ ପ୍ରଦର୍ଶନ କଲେ ଏବଂ ପଦକ ଜିତି ଆଣିଲେ । ସେତେବେଳେ ଦେଶ ଜାଣିଲା ଦିବ୍ୟାଙ୍ଗମାନଙ୍କ ଶକ୍ତି କେତେ । ଏହାକୁ ନେଇ ସମାଜର ଏକ ବିଶିଷ୍ଟ ଶ୍ରେଣୀ ପ୍ରତି ସମ୍ବେଦନଶୀଳତା ସୃଷ୍ଟି ହୋଇଛି । କୌଣସି ଦିବ୍ୟାଙ୍ଗ ଦୟାଭାବ ଚାହାନ୍ତି ନାହିଁ ସେମାନେ ସ୍ଵାଭିମାନ ସହ ବଞ୍ଚିବାକୁ ଚାହାନ୍ତି । ସେମାନେ ବିଚରା ନୁହନ୍ତି, ଆମ ଠାରୁ ଦୁଇଗୁଣ ଶକ୍ତି ସେମାନଙ୍କଠାରେ ଭରି ରହିଛି, ଦୁଇଗୁଣ ଆତ୍ମବିଶ୍ୱାସ ରହିଛି । ସେମାନେ ଚାହାନ୍ତି ମାତ୍ର ସମାନ ବ୍ୟବହାର । ତେଣୁ ସାମାଜିକ ଜୀବନରେ ସମସ୍ୟାର ସମାଧାନ କିଭଳି ହେବ ? ଦିନ ଥିଲା ଯେତେବେଳେ ସାଂସଦମାନଙ୍କୁ 25ଟି ଗ୍ୟାସ କୁପନ ମିଳୁଥିଲା । ତାହା ଏଥିପାଇଁ ଯେ, ତାଙ୍କ ଅଞ୍ଚଳରେ ଯଦି କାହାର ଗ୍ୟାସ କନେକ୍ସନ ଦରକାର ଏବଂ ସେ ଯଦି କୁପନ ଖଣ୍ଡିଏ ଦିଅନ୍ତି ତେବେ ସେ ପ୍ରଶଂସାର ପାତ୍ର ହୋଇପାରିବେ । ଲୋକ ସେମାନଙ୍କ ପଛେ ପଛେ ଗୋଡାଉଥିଲେ – “ସାର୍ , ପିଲାମାନେ ବଡ ହୋଇଗଲେଣି, ସେମାନଙ୍କ ବାହାଘର କରିବାର ଅଛି, ଗୋଟାଏ ଗ୍ୟାସ କନେକ୍ସନ ମିଳିଗଲେ ତାର ନିର୍ବନ୍ଧଟା ହୋଇଯାଆନ୍ତା ।” ଏମିତି ପରିସ୍ଥିତି ଥିଲା । ଗ୍ୟାସ କନେକ୍ସନ ପାଇଁ ସୁପାରିଶ ଦରକାର ହେଉଥିଲା । ନହେଲେ କଳାବଜାରରୁ କିଣିବାକୁ ପଡୁଥିଲା ।

ଭାଇ ଓ ଭଉଣୀମାନେ, ଆମେ ଉଜ୍ଜ୍ୱଳା ଯୋଜନା ଆଣିଲୁ ଏବଂ ସ୍ଥିର କଲୁ ଯେ ମୋର ଯେଉଁ ଗରିବ ମାଁ ମାନେ କୋଇଲା ଚୁଲିରେ ରୋଷେଇ କରୁଛନ୍ତି, ସେମାନଙ୍କ ଶରୀରରେ ଦୈନିକ ଯେଉଁ 400 ସିଗାରେଟ ପରିମାଣର ଧୂଆଁ ପ୍ରବେଶ କରୁଛି, ସେଥିରୁ ତାକୁ ରକ୍ଷା କରିବୁ । ଚିନ୍ତା କରନ୍ତୁ ତ, ଏଭଳି ପରିସ୍ଥିତିରେ ତାର କଣ ଅବସ୍ଥା ହେଉଥିବ ? ସେ ଘରେ ଥିବା ଛୋଟ ଛୋଟ ପିଲାଙ୍କ ଅବସ୍ଥା କଣ ହେଉଥିବ? ଏହି ସମ୍ବେଦନଶୀଳ ସରକାର ସ୍ଥିର କଲା ଯେ, ଦେଶର ପାଞ୍ଚ କୋଟି ଗରିବ ପରିବାରଙ୍କୁ ତିନି ବର୍ଷ ମଧ୍ୟରେ ଗ୍ୟାସ କନେକ୍ସନ ଉପଲବ୍ଧ କରାଇବା, ପାଞ୍ଚ କୋଟି ମାଁ ଭଉଣୀଙ୍କର ସ୍ୱାସ୍ଥ୍ୟ କଥା ଚିନ୍ତା କରିବା, ଗରିବ ପରିବାର କଥା ଚିନ୍ତା କରିବା । ଗୋଟିଏ ସମ୍ବେଦନଶୀଳ ସରକାର ସମାଜର ଦଳିତ, ପୀଡିତ, ଶୋଷିତ ଶ୍ରେଣୀ ବିଷୟରେ ଚିନ୍ତା କଲେ ଏଭଳି ସମ୍ବେଦନଶୀଳତା ସହ କାର୍ଯ୍ୟ କରିପାରିବ, ଏହାର ଉଦାହରଣ ଆପଣମାନଙ୍କୁ ବର୍ତ୍ତମାନର ସରକାରରେ ଦେଖିବାକୁ ମିଳିବ ।

ଭାଇ ଓ ଭଉଣୀମାନେ, ଏହା ଏଥିପାଇଁ ସମ୍ଭବ ହୋଇପାରୁଛି କାରଣ ଏହି ଦେଶର ପ୍ରଧାନ ସେବକ, ପ୍ରଧାନମନ୍ତ୍ରୀକୁ ଆପଣ ସେହିଭଳି ଢଙ୍ଗରେ ତିଆରି କରିଛନ୍ତି । ଆପଣମାନେ ମୋତେ ବଡ କରଛନ୍ତି । ମୋର ଦୋଷତୃଟିକୁ ଦୂର କରିବା ପାଇଁ ଗୁଜରାଟର ଲୋକେ ସଚେତନତାର ସହିତ ପ୍ରଚେଷ୍ଟା କରଛନ୍ତି । ଗୁଜରାଟ ମୋତେ ଅନେକ କିଛି ଶିଖାଇଛି । ଏହି ମାନବତା, ସମ୍ବେଦନଶୀଳତା, ସଂସ୍କାର ଏହି ଭୂମି ହିଁ ମୋତେ ଦେଇଛି, ତେଣୁ ଏଠାରେ ମୋର ଜନ୍ମଦିନର ଚର୍ଚ୍ଚା ହେଉଥିବା ବେଳେ ମୁଁ ଆପଣମାନଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି କାରଣ ଆପଣମାନେ ମୋତେ ଅନେକ କିଛି ଦେଇଛନ୍ତି । ମୁଁ ଦିଲ୍ଲୀରେ ରହେ, କିମ୍ବା କୌଣସି ବଡଲୋକଙ୍କ ସହ ରହେ, ଆପଣମାନେ ଦେଇଥିବା ସଂସ୍କାର ଯେମିତି ମୋ ଭିତରେ ଅକ୍ଷୁର୍ଣ୍ଣ ରହେ ତାହା ଦେଖିବା ମୋର ଦାୟୀତ୍ୱ । ଆପଣମାନେ ମୋତେ ଯେଉଁଭଳି ଭାବରେ ଗଢିଛନ୍ତି ସେହି ଭଳି ମୁଁ ନିଜ ଜୀବନକୁ ଶହେ ପଚିଶ କୋଟି ଦେଶବାସୀଙ୍କ ସେବାରେ ସମର୍ପିତ କରି ଦେବାକୁ ଚାହୁଁଛି । ଆପଣମାନଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି, ଦିବ୍ୟାଙ୍ଗଜନଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି ବୋଲି ମୋର ବିଶ୍ୱାସ, କୋଟି କୋଟି ମାଆମାନେ ଯେତେବେଳେ ଗ୍ୟାସ ଚୁଲି ଜଳାଉଛନ୍ତି ସେତେବେଳେ ପ୍ରଥମେ ମୋତେ ଆଶୀର୍ବାଦ କରୁଛନ୍ତି ।

ଭାଇ ଓ ଭଉଣୀମାନେ, କାର୍ଯ୍ୟ କଠିନ, ହେଲେ ଆମକୁ ତ କଠିନ କାମ ହିଁ ମିଳୁଛି – ଆଉ କଠିନ କାମ କରିବା ପାଇଁ ହିଁ ତ ଆପଣମାନେ ମୋତେ ବାଛିଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ଅନେକ କ୍ଷେତ୍ରରେ ଗୁଜରାଟ ଖୁବ ଭଲ କାର୍ଯ୍ୟ କରିଛି । ବିକାଶର ନୂତନ ଶିଖରକୁ ସ୍ପର୍ଶ କରିଛି । ମୋର ବିଶ୍ୱାସ ଯେ, ଗୁଜରାଟର ଜନ-ଜନଙ୍କ ବିଶ୍ୱାସ, ଗୁଜରାଟର ସାମୂହିକ ଶକ୍ତି ସମଗ୍ର ଭାରତର ଭବିଷ୍ୟତ ପାଇଁ ଉଦ୍ଦୀପକର କାର୍ଯ୍ୟ କରିବ ଏବଂ ଗୁଜରାଟ ଉନ୍ନତିର ନୂତନ ଶିଖରକୁ ଛୁଇଁ ଚାଲିଥିବ ।

କିଛି ଦିନ ପୂର୍ବେ ମୁଁ ଫିଜି ଯାଇଥିଲି । ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣି ନ ଥିବେ ଯେ, ନୌସାରୀରୁ ଅନେକ ଲୋକ ଫିଜି ଯାଇଥିଲେ । ଏଠାରେ ମୋର ଜଣେ ବନ୍ଧୁ ବେଣୀଭାଇ ପରମାର୍ ଥିଲେ, ସେ ମଧ୍ୟ . . . , ତାଙ୍କ ବନ୍ଧୁବାନ୍ଧବ ଫିଜିରେ ରହୁଥିଲେ । ଫିଜି ଯାଇଥିବା ସମୟରେ ମୁଁ ବିମାନ ବନ୍ଦରରୁ ବାହାରି ଗାଁର ନାମ ଦେଖିଲି, ଗାଁ ର ନାମ ହେଉଛି ନୌସାରୀ । ଏହାର କାରଣ ହେଲା, ଅନେକ ବର୍ଷ ପୂର୍ବେ ନୌସାରୀର ଲୋକ ଫିଜି ଯାଇଥିବେ, ତାହାରି ସ୍ମୃତି ଆଜି ମଧ୍ୟ ସେଠାରେ ରହିଛି, ଯାହା ଫଳରେ ଫିଜିର ଲୋକ ନୌସାରୀକୁ ଜାଣିଛନ୍ତି । ଆମର ଜଣେ ମହାଶୟ ସେଠାକାର ସଂସଦରେ ବାଚସ୍ପତି ଥିଲେ ।

ଭାଇ ଓ ଭଉଣୀମାନେ, ନୌସାରୀର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିଛି, ଗୋଟିଏ ସ୍ୱତନ୍ତ୍ର ଶକ୍ତି ରହିଛି । ଏଠାକାର ଲୋକେ ଉତ୍ସାହୀ । ଏଭଳି ନୌସାରୀର ନିମନ୍ତ୍ରଣ ଯୋଗୁ ଆଜି ମୋତେ ଏଠାକୁ ଆସିବାର ସୁଯୋଗ ମିଳିଲା, ଆମେ ଅନେକ ରେକର୍ଡ ସୃଷ୍ଟି କରିପାରିଲୁ । ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ।

ଧନ୍ୟବାଦ ବନ୍ଧୁଗଣ . . .