Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ବନସକଣ୍ଠ ଜିଲ୍ଲାରେ ଛେନା କାରଖାନାର ଶୁଭାରମ୍ଭ ଅବସରରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଗୁଜରାଟର ବନସକଣ୍ଠ ଜିଲ୍ଲାରେ ଛେନା କାରଖାନାର ଶୁଭାରମ୍ଭ ଅବସରରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୦.୧୨.୨୦୧୬) ଗୁଜରାଟର ଦୀସାଠାରେ ବନସକଣ୍ଠ ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବନସ ଡାଇରୀର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ ଏହି ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଲନପୁରରୁ ରିମୋଟ ଜରିଆରେ ଏକ ଛେନା କାରଖାନା ଏବଂ ଶୁଷ୍କ ଛେନା ଓ ଘୋଳ ଦହି ପ୍ଳାଣ୍ଟର ଫଳକ ଉନ୍ମୋଚନ ପୂର୍ବକ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ଗୁଜରାଟର ଚାଷୀମାନେ ସେମାନଙ୍କର ସାମର୍ଥ୍ୟ ଏବେ ବିଶ୍ଵ ଆଗରେ ପ୍ରଦର୍ଶନ କରିଛନ୍ତି । ଏହି ଅଞ୍ଚଳରେ ବୁନ୍ଦା ଜଳ ସେଚନ କାର୍ଯ୍ୟକ୍ରମ ଚାଷୀମାନଙ୍କୁ ବିଶେଷ ଭାବେ ସହାୟକ ହୋଇଛି । “ଚାଷୀମାନେ ଏହି ଅଞ୍ଚଳରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପ୍ରତି ଆକୃଷ୍ଟ ହୋଇଛନ୍ତି । ଚାଷୀଙ୍କୁ ଏହା ବେଶ ଫାଇଦା ପହଞ୍ଚାଇଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ଶ୍ଵେତ ବିପ୍ଲବକୁ ମଧୁର ବିପ୍ଲବ ସହ ଯୋଡିବା ପାଇଁ ଲୋକଙ୍କୁ ମହୁ ଚାଷ ଉପରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସେ କହିଥିଲେ ।

ବିମୁଦ୍ରୀକରଣ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆତଙ୍କବାଦ ଏବଂ ଜାଲ ନୋଟ କାରବାରରେ ସମ୍ପୃକ୍ତ ଶକ୍ତିମାନଙ୍କୁ ଦୁର୍ବଳ କରିବାରେ ସରକାରଙ୍କ ଏହି ପଦକ୍ଷେପ ବେଶ ସଫଳ ହୋଇଛି ।

ଶ୍ରୀ ମୋଦୀ କହିଥିଲେ କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ଦିଗରେ ଅନବରତ କାର୍ଯ୍ୟ କରୁଛନ୍ତି । ବିମୁଦ୍ରୀକରଣ ପରିପ୍ରେକ୍ଷୀରେ ଇ-ବ୍ୟାଙ୍କିଙ୍ଗ ଏବଂ ଇ-ୱାଲେଟର ବ୍ୟବହାର ଦ୍ଵାରା ଦେଶରେ ଏକ ନଗଦମୁକ୍ତ କାରବାର ବ୍ୟବସ୍ଥା ପ୍ରତିଷ୍ଠା କରାଯାଇପାରିବ । ତାଛଡା ଭ୍ରଷ୍ଟାଚାର ଓ କଳାଧନ କାରବାର ମଧ୍ୟ ବନ୍ଦ ହେବ । ଏ ଦିଗରେ ଜନସାଧାରଣ କାର୍ଯ୍ୟ କଲେ ଭାରତ ଆଗକୁ ବଢିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

*****