ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର ପ୍ରଥମ ରେଳ ଏବଂ ପରିବହନ ବିଶ୍ୱବିଦ୍ୟାଳୟ – ଜାତୀୟ ରେଳ ଏବଂ ପରିବହନ ସଂସ୍ଥାନ (ଏନଆରଟିଆଇ) ଲାଗି କୁଳପତି ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।
କୁଳପତି ସଂସ୍ଥାନର ପ୍ରଧାନ କାର୍ଯ୍ୟକାରୀ ଅଧିକାରୀ ହେବେ, ସଂସ୍ଥାନ ବ୍ୟାପାରରେ ସାଧାରଣ ଅନୁଧ୍ୟାନ ଏବଂ ନିୟନ୍ତ୍ରଣର କାର୍ଯ୍ୟ କରିବେ ଏବଂ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ରୂପରେ ସଂସ୍ଥାନର ଅଧିକାରୀମାନଙ୍କ ନିଷ୍ପତ୍ତିକୁ ଲାଗୁ କରିବା ଲାଗି ମୁଖ୍ୟତଃ ଉତ୍ତରଦାୟୀ ହେବେ ।
ଏନଆରଟିଆଇ ଦୁଇଟି ସମ୍ପୂର୍ଣ୍ଣ ଆବାସିକ ସ୍ନାତକ ପାଠ୍ୟକ୍ରମ-ପରିବହନ ଟେକ୍ନୋଲଜିରେ ବିଏସସି ଏବଂ ପରିବହନ ପରିଚାଳନାରେ ଡିଭିଏ ଲାଗି 20ଟି ରାଜ୍ୟର 103 ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ବ୍ୟାଚ ଆରମ୍ଭ କରିଛି । 5 ସେପ୍ଟେମ୍ବର, 2018ଠାରୁ ଶ୍ରେଣୀ ଆରମ୍ଭ ହୋଇଛି । ତିନି ବର୍ଷୀୟା ଡିଗ୍ରୀ ପାଠ୍ୟକ୍ରମ ଅନ୍ତବିଷୟକ ଏବଂ ବିଶ୍ୱର ଅଗ୍ରଣୀ ପ୍ରତିଷ୍ଠାନର ମାନକ ଅନୁରୂପ ଅଟେ । ପାଠ୍ୟକ୍ରମରେ ଫାଉଣ୍ଡେସନ, କୋରା ଏବଂ ଇଲେକ୍ଟିଭ ଆଦି ବ୍ୟବସ୍ଥା ରହିଛି । ମିଳିତ ଗବେଷଣା ଏବଂ ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ବିନିମୟ କ୍ଷେତ୍ରରେ ଅଗ୍ରଣୀ ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକ ସହିତ ସହଯୋଗ କରିବା ଏନଆରଟିଆଇର ଉଦ୍ଦେଶ୍ୟ । ଏନଆରଟିଆଇ ଆମେରିକାର କର୍ଣ୍ଣଲ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆ ବର୍କଲେ, ଏମଆଇଆଇଟି, ମସ୍କୋ ଏବଂ ସେଂଟ ପୀଟର୍ସବର୍ଗ ଟ୍ରାନ୍ସପୋର୍ଟ ୟୁନିଭର୍ସିଟି, ରୁଷ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।
**********