ପିଏମଇଣ୍ଡିଆ
ଆର୍ଥିକ ଦୃଷ୍ଟିରୁ ସବଳ ରାଜ୍ୟ ସରକାରୀ ସଂସ୍ଥାମାନେ ଏଣିକି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସିଧାସଳଖ ବୈଦେଶିକ ଋଣ ସହାୟତା ଯୋଗାଡ କରିପାରିବେ । ଏଥିନେଇ ଦ୍ୱିପାକ୍ଷିକ ସରକାରୀ ଉନ୍ନୟନ ସହାୟତା ଭାଗୀଦାରଙ୍କ ଠାରୁ ଋଣ ହାସଲ କରିବା ପାଇଁ ନୂତନ ନୀତି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନୀତିକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାରୀ ସଂସ୍ଥା ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ ଡେଭଲପମେଣ୍ଟ ଅଥରିଟି (ଏମ୍ଏମ୍ଆରଡିଏ) ଏବେ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମଟିଏଚଏଲ୍) ପ୍ରକଳ୍ପ ପାଇଁ ସିଧାସଳଖ ଜାପାନ ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା (ଜାଇକା) ଠାରୁ ସିଧାସଳଖ ଋଣ ଆଣିପାରିବ । ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ପାଇଁ ମୋଟ ବ୍ୟୟ ଅଟକଳ 17,854 କୋଟି ଟଙ୍କା ରଖାଯାଇଛି ଏଥିମଧ୍ୟରୁ ଜାଇକା 15,109 କୋଟି ଟଙ୍କା ଋଣ ଆକାରରେ ଦେବ ।
କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରି ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ଏଣିକି ସିଧାସଳଖ ବୈଦେଶିକ ଦ୍ୱିପାକ୍ଷିକ ସଂସ୍ଥା ଠାରୁ ଋଣ ଆଣିପାରିବେ ଯାହାର ମୂଳଧନ ଏବଂ ସୁଧ ସମ୍ପୃକ୍ତ ସଂସ୍ଥା ସମ୍ପୂର୍ଣ୍ଣ ରୂପେ ପଇଠ କରିବେ । ସମ୍ପୃକ୍ତ ରାଜ୍ୟ ସରକାର ୠଣ ଗ୍ୟାରେଂଟି ପ୍ରଦାନ କରିବେ । ଭାରତ ସରକାର ଋଣ ପାଇଁ କାଉଂଟର ଗ୍ୟାରେଂଟି ଦେବେ ।
ସଂସ୍ଥାଗତ ଦକ୍ଷତା ବୃଦ୍ଧି ଏବଂ ସାମାଜିକ କ୍ଷେତ୍ର ପ୍ରକଳ୍ପ ଏବଂ ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ବାହ୍ୟ ସହାୟତା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜଗତିକରଣ ହୋଇଥିବା ଅର୍ଥନୈତିକ ବ୍ୟବସ୍ଥାରେ ପ୍ରତିଯୋଗିତାମୂଳକ ଦୃଢ଼ତା ହାସଲ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପ ଲାଗି ପାଣ୍ଠି ଆବଶ୍ୟକତା ପୂରଣ କ୍ଷେତ୍ରରେ ଶୂନ୍ୟସ୍ଥାନ ସୃଷ୍ଟି ହେଉଥିବାରୁ ବାହ୍ୟ ସହାୟତାର ଆବଶ୍ୟକତା ଦେଖାଦେଇଛି । ବର୍ତ୍ତମାନ କେନ୍ଦ୍ରୀୟ କ୍ଷେତ୍ର ପ୍ରକଳ୍ପ/କାର୍ଯ୍ୟକ୍ରମ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ରାଜ୍ୟ ସରକାରୀ ସଂସ୍ଥା /ସ୍ଥାନୀୟ ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ/କାର୍ଯ୍ୟକ୍ରମ ଲାଗି ଭାରତ ସରକାର ବାହ୍ୟ ବିକାଶ ସହାୟତା ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ଉତ୍ସରୁ ଗ୍ରହଣ କରିପାରୁଛନ୍ତି । ତେବେ ବର୍ତ୍ତମାନ ରହିଥିବା ନୀତିନିୟମ ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ବାହ୍ୟ ସହାୟତା ଗ୍ରହଣ କରିବା ଲାଗି ଅନୁମତି ଦେଉନାହିଁ ।
ଜାତୀୟ ସ୍ୱାର୍ଥ ବହନ କରୁଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ରାଜ୍ୟ ସରକାରୀ ସଂସ୍ଥା ଏବେ ପ୍ରୟାସ କରୁଛନ୍ତି । ଋଣ ଏବଂ ଆର୍ଥିକ ସହାୟତା ଆଣିବା ସୀମିତ ହୋଇ ରହିଥିବାରୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ସମସ୍ୟା ଦେଖାଦେଉଛି । ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲାଗି ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପ ଲାଗି ବାହ୍ୟ ଦ୍ୱିପାକ୍ଷିକ ସଂସ୍ଥା ଠାରୁ ଋଣ ସହାୟତା ଆଣିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ସିଧାସଳଖ ଋଣ ଆଣିବା ଏବଂ ପରିଶୋଧ କରିବାର ଅଧିକାର ପାଇପାରିବେ । ସାମଗ୍ରୀ ଅଭିବୃଦ୍ଧି ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁଦ୍ଧିବଦ୍ଧତା ଏହି ନୂଆ ନୀତି ଦ୍ୱାରା ପ୍ରତିଫଳିତ ହୋଇଛି ।