Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ


ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଶକ୍ତି, ନବୀକରଣ ଶକ୍ତି ଏବଂ ଗୃହ ନିର୍ମାଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମୀକ୍ଷା କରିଥିଲେ । ଗତ ଏପ୍ରିଲ ଶେଷ ସପ୍ତାହରେ ଯୋଗାଯୋଗ ସଂକ୍ରାନ୍ତୀୟ ଭିତ୍ତିଭୂମି କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା ପରେ ଏହି ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ଏହା ପ୍ରାୟ 3 ଘଣ୍ଟା ଧରି ଚାଲିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ଭାରତ ସରକାରଙ୍କ ସମସ୍ତ ଭିତ୍ତିଭୂମି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ନୀତି ଆୟୋଗର ସିଇଓଙ୍କ ଉପସ୍ଥାପନାରୁ ଜଣାପଡ଼ିଥିଲା ଯେ ବିଗତ ଦିନଗୁଡ଼ିକରେ ନବୀକରଣ ଶକ୍ତି ଉତ୍ପାଦନ, ସୁଲଭ ଏବଂ ଗ୍ରାମୀଣ ଗୃହନିର୍ମାଣ, ଏଲଇଡି ବଲ୍ ସଂଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 1.98 କୋଟି ବିପିଏଲ ପରିବାର ଉପକୃତ ହୋଇଛନ୍ତି । ସହରାଞ୍ଚଳ ଗ୍ୟାସ ଆବଣ୍ଟନ ନେଟ୍ୱାର୍କରେ 81ଟି ସହରକୁ ସାମିଲ କରାଯାଇଛି ।

ଇଥାନଲ୍ ବ୍ଲେଣ୍ଡିଂ ଏବଂ ମେକାନିଜମ୍ ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯାହାଦ୍ୱାରା କୃଷକମାନେ ସର୍ବାଧିକ ଲାଭ ପାଇପାରିବେ । ସେ ଦ୍ୱିତୀୟ ପିଢ଼ିର ବାୟୋ-ଇଥାନଲ୍ ବିଶୋଧନାଗାର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଯାହା କୃଷିଜାତ ଅବଶେଷକୁ ବ୍ୟବହାର କରିପାରିବ ।

ଗ୍ରାମାଞ୍ଚଳ ବିଦ୍ୟୁତିକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ମୋଟ 18,452 ଟି ଗ୍ରାମ ମଧ୍ୟରୁ 13,000 ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି । ଏହି କାର୍ଯ୍ୟ 1000 ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । 2016-17 ରେ 22 ଲକ୍ଷ ଗ୍ରାମାଞ୍ଚଳ ବିପିଏଲ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଏବଂ ଏହି ସମୟ ମଧ୍ୟରେ 40 କୋଟି ଏଲଇଡି ବଲ୍ବ୍ ବଣ୍ଟନ କରାଯାଇଛି । ମେ 2014 ଠାରୁ ଏପ୍ରିଲ 2017 ମଧ୍ୟରେ 41 ଜିଗାୱାଟ୍ ପ୍ରସାରଣ କରାଯାଇଛି ।

ସେହିପରି ମୋଟ ନବୀକରଣ ଶକ୍ତି ଉତ୍ପାଦନ କ୍ଷମତା 57 ଜିଗାୱାଟକୁ ବୃଦ୍ଧି ପାଇଛି, ଗତ ଆର୍ଥିକ ବର୍ଷରେ ଏଥିରେ 24.5 % ଅଭିବୃଦ୍ଧି ଦେଖିବାକୁ ମିଳିଛି । 2017 ଆର୍ଥିକ ବର୍ଷରେ ସର୍ବାଧିକ 81 % ପ୍ରତିଶତ ଅଧିକ ସୌରଶକ୍ତି ଉତ୍ପାଦନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଦର୍ଶ ସୌର ସହର ପ୍ରତିଷ୍ଠା କରିବା ଲାଗି ଆହ୍ୱାନ ଜଣାଇଥିଲେ, ଯେଉଁଠି ଶକ୍ତି ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ଦ୍ୱାରା ପୂରଣ କରାଯିବ । ସେହିପରି କେତେକ ଅଂଚଳକୁ ସମ୍ପୂର୍ଣ୍ଣ କିରୋସିନ ମୁକ୍ତ କରିବା ଲାଗି ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସୌର ସରଞ୍ଜାମ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ନବୀକରଣ ଶକ୍ତି ଉତ୍ପାଦନ ଉଦ୍ୟମକୁ ଲାଭ ପହଞ୍ଚାଇବ ।

ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏହି ଯୋଜନାର ଅଗ୍ରଗତି ଅନୁଧ୍ୟାନ ଲାଗି ଆଇଟି ଏବଂ ମହାକାଶ ଆଧାରିତ ଆପ୍ଲିକେସନ୍ ଅଧିକ ବ୍ୟବହାର କରାଯାଇଛି । 2017 ଆର୍ଥିକ ବର୍ଷରେ 32 ଲକ୍ଷ ଗୃହ ନିର୍ମାଣ କରାଯାଇଛି । ଏହି ଯୋଜନାରେ ସମ୍ପୃକ୍ତ ରହୁଥିବା ଗ୍ରାମାଞ୍ଚଳ ରାଜମିସ୍ତ୍ରୀଙ୍କ ଦକ୍ଷତା ବୃଦ୍ଧି ଏବଂ ତାଲିମ୍ ଲାଗି କିଭଳି ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ ।

ବିଦ୍ୟୁତିକରଣ, ଆଇଟି ନେଟୱାର୍କ ଏବଂ ହାଉସିଂ ଭଳି ବିଭିନ୍ନ ଯୋଜନାରେ ସମାନୁପାତିକ ଦୃଷ୍ଟିକୋଣ ପୋଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହିତ ପ୍ରତି କ୍ଷେତ୍ରରେ 100ଟି ଖରାପ ପ୍ରଦର୍ଶନ କରୁଥିବା ଜିଲ୍ଲା ପ୍ରତି ବିଶେଷ ଗରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସେ ନିର୍ଦ୍ଦେଶ ଦେଇଥିଲେ ଯେ ପରବର୍ତ୍ତୀ ସମୀକ୍ଷା ବୈଠକରେ ଜିଲ୍ଲାସ୍ତରର ସମସ୍ୟାଗୁଡ଼ିକ ସମୀକ୍ଷା କରାଯିବା ଆବଶ୍ୟକ, ଯଦ୍ଵାରା ଦୁର୍ବଳ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକରେ ଯୋଜନା କାର୍ଯ୍ୟକାରୀତା ଭଲ ଭାବେ ସମୀକ୍ଷା କରାଯାଇପାରିବ ।

******