ପିଏମଇଣ୍ଡିଆ
ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସନ୍ଦେଶର ମୂଳ ପାଠ ନିମ୍ନରେ ପ୍ରଦାନ କରାଗଲା ।
“ଆପଣମାନଙ୍କୁ ଏବଂ ସମଗ୍ର ଶିକ୍ଷକ ସମୁଦାୟକୁ ଶିକ୍ଷକ ଦିବସର ଶୁଭକାମନା !”
ଏହିଦିନ ସମଗ୍ର ଶିକ୍ଷକ ସମ୍ପ୍ରଦାୟକୁ ସେମାନଙ୍କ କଠୋର ପରିଶ୍ରମ, ସମର୍ପଣ ଏବଂ ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ପ୍ରଦାନ କରିବାର ଦିନ । ଶ୍ରେଣୀଗୃହରେ ଶିକ୍ଷା ସହିତ ଜଡିତ ବିଷୟକୁ ପଢ଼ାଇବା ବ୍ୟତୀତ, ଶିକ୍ଷକ ଅସାଧାରଣ ମାର୍ଗଦର୍ଶକ ଏବଂ ଗୁରୁ ମଧ୍ୟ ହୋଇଥା’ନ୍ତି, ଯେଉଁମାନେ କି ସେମାନଙ୍କ ଛାତ୍ରମାନଙ୍କ ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।
ଶିକ୍ଷକମାନଙ୍କ ନିଃସ୍ୱାର୍ଥପର ଭାବ ସମଗ୍ର ବିଶ୍ୱରେ ପ୍ରଶଂସନୀୟ । ବ୍ୟସ୍ତ କାର୍ଯ୍ୟକ୍ରମ ଏବଂ ପାରିବାରିକ ଦାୟିତ୍ୱ ସତ୍ତ୍ୱେ, ଶିକ୍ଷକ ଏହା ସୁନିଶ୍ଚିତ କରିଥାନ୍ତି କି ଛାତ୍ରମାନେ ସହଜରେ ନୂତନ ବିଚାର ସମ୍ବନ୍ଧରେ ଯେପରି ଜାଣିପାରିବେ ଏବଂ ନୂତନ ବିଷୟ ଶିଖିପାରିବେ ।
ପରିଣାମ ଉପରେ ଧ୍ୟାନ ଦିଅନ୍ତୁ:
ସମ୍ପ୍ରତି ଭାରତର ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସୁଛି । ଏବେ ଆମେ କେବଳ ବ୍ୟୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ପାରମ୍ପରିକ ପ୍ରକ୍ରିୟାରୁ ବାହାରି ପରିଣାମକୁ ପ୍ରାଥମିକତା ପ୍ରଦାନ କରିବା ଆଡକୁ ପାଦ ବଢ଼ାଇଛୁ । ଶିକ୍ଷକମାନେ ଯୁବବର୍ଗଙ୍କ ମଧ୍ୟରେ ଅନୁସନ୍ଧାନ ଏବଂ ନବାଚାର ଭାବନାକୁ ବୃଦ୍ଧି କରିବା ପାଇଁ କଠିନ ପରିଶ୍ରମ କରୁଥିବାର ଦେଖି ମୋତେ ଆନନ୍ଦ ମିଳେ । ଏହି ଭାବନା ଆମ ଯୁବକମାନଙ୍କୁ ରାଷ୍ଟ୍ର ପାଇଁ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ପ୍ରଦାନ କରିବ ।
ପ୍ଲାଷ୍ଟିକର ଏକକ ଉପଯୋଗ ଉପରେ ଅଙ୍କୁଶ ଲଗାଇବା ପାଇଁ ସହାୟତା କରନ୍ତୁ:
ଏହି ଶିକ୍ଷକ ଦିବସରେ ମୁଁ ମୋର ସାଥି ଶିକ୍ଷକଙ୍କୁ ଏକ ଅନୁରୋଧ କରିବାକୁ ଚାହିଁବି । ଆପଣମାନେ ଜାଣନ୍ତି କି ଦେଶ ପ୍ଲାଷ୍ଟିକର ଏକକ ଉପଯୋଗକୁ ବନ୍ଦ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛି । ମୁଁ ଏହି ଜନ ଆନ୍ଦୋଳନରେ ଶିକ୍ଷକ ସମୁଦାୟର ସକ୍ରିୟ ସହାୟତା ଏବଂ ଭାଗିଦାରିତା ଚାହୁଁଛି । ଯେତେବେଳେ ଶିକ୍ଷକ ସେମାନଙ୍କ ଛାତ୍ରମାନଙ୍କୁ ପ୍ଲାଷ୍ଟିକର ଏକକ ଉପଯୋଗ ଦ୍ୱାରା ପରିବେଶକୁ ହେଉଥିବା କ୍ଷତି ବାବଦରେ ବୁଝାଇବେ ଏବଂ ଏହାର ଉପଯୋଗ ନ କରିବା ପାଇଁ ପରାମର୍ଶ ଦେବେ ସେତେବେଳେ ଛାତ୍ରମାନେ ମଧ୍ୟ ଏହି ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରେରିତ ହେବେ । ଏହା ପୂଜ୍ୟ ବାପୁଙ୍କୁ ତାଙ୍କ 150ତମ ଜୟନ୍ତୀ ଅବସରରେ ଏକ ସଚ୍ଚା ଶ୍ରଦ୍ଧାଞ୍ଜଳି ହେବ ।
ମୁଁ ଆଜିର ଦିବସରେ ମହାନ ଗୁରୁ ଡଃ ଏସ. ରାଧାକ୍ରିଷ୍ଣନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ମୁଁ କାମନା କରୁଛି କି ତାଙ୍କ ଜୀବନ ଅଧିକରୁ ଅଧିକ ଲୋକଙ୍କୁ ଶିକ୍ଷା କ୍ଷେତ୍ର ସହିତ ଯୋଡୁ ଏବଂ ଯୁବ ମନକୁ ସର୍ବଦା ପ୍ରେରିତ କରୁ ।
ପୁଣି ଥରେ ଗୁରୁ ଦିବସର ଶୁଭକାମନା !”
***************