Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ତନଖି ଫାଟକ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହା କହିଛନ୍ତି । ସେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ ବଡ଼ ସାଧାରଣ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ଡେରା ବାବା ନାନକଙ୍କ ପବିତ୍ର ସ୍ଥଳୀରେ କର୍ତାରପୁର କରିଡର ରାଷ୍ଟ୍ରକୁ ସମର୍ପିତ କରି ସେ ଗୌରବାନ୍ୱିତ ମନେ କରୁଛନ୍ତି ।

ଏଥିପୂର୍ବରୁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୌମୀ ସେବା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଏହାକୁ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପାଦପଦ୍ମରେ ସମର୍ପିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 550ତମ ଗୁରୁ ନାନକ ଜୟନ୍ତୀ ଅବସରରେ ଆଇସିପି ଏବଂ କର୍ତାରପୁର କରିଡର ଉଦଘାଟନ ଏକ ଶୁଭ ଆଶୀର୍ବାଦ ଯାହା ଏବେ ପାକିସ୍ତାନରେ ଗୁରୁଦ୍ୱାରା ଦରବାର ସାହିବ ଲାଗି ଯାତ୍ରାକୁ ସୁଗମ କରିବ ।

ପ୍ରଧାନମନ୍ତ୍ରୀ ଏସପିଜି, ପଞ୍ଜାବ ସରକାର ଏବଂ ସେହି ଲୋକମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ଯେଉଁମାନେ ସୀମା ଆରପଟକୁ ତୀର୍ଥ ଯାତ୍ରୀଙ୍କ ଗମନାଗମନ ପାଇଁ ସୁବିଧା କରିବା ଉଦେ୍ଦଶ୍ୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କରିଡର ନିର୍ମାଣ ଶେଷ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କୁ କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱ ପାଇଁ ଏକ ପ୍ରେରଣା ବୋଲି କହିଥିଲେ । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀ କେବଳ ଗୁରୁ ନୁହନ୍ତି, ବରଂ ଏକ ଦର୍ଶନ ତଥା ସେ ଆମ ଜୀବନ ପାଇଁ ଆଧାର ସ୍ତମ୍ଭ । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀ ଆମକୁ ଆଦର୍ଶ ଜୀବନଯାପନର ମହତ୍ୱ ବିଷୟରେ ଶିକ୍ଷା ଦେଇଥିଲେ । ସେ ଆମକୁ ସଚ୍ଚୋଟତା ଏବଂ ଆତ୍ମବିଶ୍ୱାସ ଆଧାରିତ ଏକ ଆର୍ଥିକ ବ୍ୟବସ୍ଥା ମଧ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ନାନକ ଦେବ ଜୀ ସମାଜରେ ସମାନତା, ଭାଇଚାରା ଓ ଏକତାର ଶିକ୍ଷା ଦେଇଥିଲେ ଏବଂ ସେ ବିଭିନ୍ନ ସାମାଜିକ କଳୁଷତାକୁ ଦୂର କରିବା ଲାଗି ସଂଘର୍ଷ କରିଥିଲେ ।

ପ୍ରଧାନମନ୍ତ୍ରୀ କର୍ତାରପୁରକୁ ନାନକ ଦେବ ଜୀଙ୍କ ଦିବ୍ୟ ଆଭା ପୂର୍ଣ୍ଣ ଏକ ପବିତ୍ର ସ୍ଥାନ ବୋଲି ବର୍ଣ୍ଣନା କରି କହିଥିଲେ ଯେ ଏହି କରିଡର ଦେଇ ହଜାର ହଜାର ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିକୁ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରିଛନ୍ତି । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଅବସରରେ ସାରା ଦେଶରେ ଏବଂ ଆମ ଦୂତାବାସଗୁଡ଼ିକ ଜରିଆରେ ସାରା ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ସେ ସ୍ମରଣ କରାଇ ଦେଇଥିଲେ ଯେ ଗୁରୁ ଗୋବିନ୍ଦ ସିଂହଙ୍କ 350ତମ ଜୟନ୍ତୀ ସାରା ଦେଶରେ ପାଳନ କରାଯାଇଥିଲା । ସେ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସମ୍ମାନରେ ଗୁଜରାଟର ଜାମନଗରରେ 750 ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁନେସ୍କୋ ସହାୟତାରେ ଗୁରୁ ବାଣୀକୁ ବିଶ୍ୱର ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି ଯାହାଦ୍ୱାରା ଯୁବପିଢ଼ି ଏଥିରୁ ଲାଭାନ୍ୱିତ ହୋଇପାରିବ । ସେ କହିଥିଲେ ଯେ ସୁଲତାନପୁର ଲୋଧୀକୁ ଏକ ଐତିହ୍ୟ ସହର ଭାବେ ବିକଶିତ କରାଯାଉଛି । ଗୁରୁ ନାନକ ଦେବଙ୍କ ସହିତ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯୋଡ଼ିବା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଅକାଳ ତଖତ, ଦାମ ଦାମା ସାହିବ, ତେଜପୁର ସାହିବ, କେଶଗଢ଼ ସାହିବ, ପଟନା ସାହିବ ଓ ହୁଜୁର ସାହିବ ମଧ୍ୟରେ ଟ୍ରେନ ଏବଂ ବିମାନ ଯୋଗାଯୋଗ ସୁଦୃଢ଼ କରାଯାଉଛି । ଅମୃତସର ଏବଂ ନାନ୍ଦୋଡ ମଧ୍ୟରେ ଏକ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରାଯାଇଛି । ସେହିପରି ଅମୃତସରରୁ ଲଣ୍ଡନକୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ସମୟରେ ଏକ ଓଁକାର ବାର୍ତ୍ତା ବଜାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହାର ଲାଭ ସାରା ବିଶ୍ୱରେ ରହୁଥିବା ବିଭିନ୍ନ ଶିଖ ପରିବାରକୁ ମିଳିଛି । ବିଦେଶରେ ରହୁଥିବା ଅନେକ ଶିଖ ଯେଉଁମାନେ ଭାରତକୁ ଆସିବା ଲାଗି ବର୍ଷ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଏବେ ଦୂର କରି ଦିଆଯାଇଛି । ଏବେ ଅନେକ ପରିବାର ଭିସା ଏବଂ ଓସିଆଇ କାର୍ଡ ପାଇଁ ଆବେଦନ କରିପାରିବେ । ସେମାନେ ଭାରତରେ ନିଜ ସମ୍ପର୍କୀୟଙ୍କୁ ସହଜରେ ଭେଟି ପାରିବେ ଓ ତୀର୍ଥସ୍ଥଳୀ ବୁଲିପାରିବେ ।

ସେ କହିଥିଲେ କେନ୍ଦ୍ର ସରକାରଙ୍କ ଅନ୍ୟ ଦୁଇଟି ନିଷ୍ପତ୍ତି ମଧ୍ୟ ଶିଖ ସମୁଦାୟର ସହାୟତା କରିଛି । ଏଥିରୁ ପ୍ରଥମଟି ହେଉଛି ଅନୁଚ୍ଛେଦ 370 ଉଚ୍ଛେଦ । ଏହାଦ୍ୱାରା ଏବେ ଜମ୍ମୁ-କଶ୍ମୀର ଓ ଲେହରେ ରହୁଥିବା ଶିଖ ସମୁଦାୟକୁ ସହାୟତା ମିଳିପାରିବ ଏବଂ ସେମାନଙ୍କୁ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର ମିଳିବ । ସେହିପରି ନାଗରିକତା ସଂଶୋଧନ ବିଲ ଦ୍ୱାରା ଶିଖମାନଙ୍କୁ ଦେଶର ନାଗରିକ ହେବା ସହଜ ହୋଇପାରିବ ।

ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀଙ୍କ ଠାରୁ ଆରମ୍ଭ କରି ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପର୍ଯ୍ୟନ୍ତ ଅନେକ ଆଧ୍ୟାତ୍ମିକ ଗୁରୁ ଭାରତର ଏକତା ଓ ସୁରକ୍ଷା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ । ଅନେକ ଶିଖ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ । କେନ୍ଦ୍ର ସରକାର ଏହାକୁ ଉଜ୍ଜିବିତ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି । ସେ କହିଥିଲେ ଯେ ଜାଲିଆନାୱାଲା ବାଗ ସ୍ମାରକୀର ଆଧୁନିକୀକରଣ କରାଯାଉଛି । ଶିଖ ଛାତ୍ରଛାତ୍ରୀଙ୍କ ଦକ୍ଷତାରେ ସୁଧାର ଏବଂ ସ୍ୱରୋଜଗାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଏହି ସନ୍ଦର୍ଭରେ ସେ ପାଖାପାଖି 27 ଲକ୍ଷ ଶିଖ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଛାତ୍ରବୃତି ବିଷୟରେ ଉଲ୍ଲେଖ କରିଥିଲେ ।

********