Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦେଶ ଓ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ଏହି ପବିତ୍ର ଦିବସରରେ ଏଠାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭକ୍ତଜନ ଭାଇ ଓ ଭଉଣୀମାନେ ।

ଶ୍ରୀ ଗୁରୁ ରବିଦାସ ଜୀଙ୍କ ଜୟନ୍ତୀ ଅବସରରେ ମୁଁ ଆପଣ ସମସ୍ତଙ୍କୁ ଏବଂ ସାରା ବିଶ୍ୱରେ ରହିଥିବା ସମସ୍ତ ଅନୁଗାମୀମାନଙ୍କ ସମେତ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ମୁଁ ଆଜି ଅତ୍ୟନ୍ତ ପ୍ରସନ୍ନ ଯେ ଗୁରୁ ରବିଦାସଙ୍କ କୃପା ତାଙ୍କର ଆଶୀର୍ବାଦ କାରଣରୁ ମୁଁ ନିଜ ପ୍ରତିଶ୍ରୁତି ପୂରଣ କରିବା ଲାଗି ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇଛି । ବର୍ଷ 2016ରେ ଆଜିର ପବିତ୍ର ଦିନରେ ହିଁ ମୋତେ ଏଠାରେ ମଥାନତ କରିବା ଏବଂ ଲଙ୍ଗରରେ ସାମିଲ ହେବାର ସୁଯୋଗ ମିଳିଥିଲା । ସେତେବେଳେ ମୁଁ ଏହି ସମ୍ପୂର୍ଣ୍ଣ ପ୍ରାଙ୍ଗଣ ଏବଂ ଗୁରୁଙ୍କ ଜନ୍ମସ୍ଥାନର ସୌନ୍ଦର୍ଯ୍ୟକରଣ ଏବଂ ଏହାକୁ ବିକଶିତ କରିବା କଥା ଆପଣମାନଙ୍କୁ ସମସ୍ତଙ୍କୁ କହିଥିଲି । ଏହା ପରେ ଯେତେବେଳେ ଉତ୍ତର ପ୍ରଦେଶରେ ଯୋଗୀଜୀଙ୍କ ନେତୃତ୍ୱରେ ସରକାର ଗଠନ ହେଲା, ମୁଁ ତାଙ୍କୁ ଏକ ବ୍ୟାପକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଅନୁରୋଧ କରିଥିଲି । ମୁଁ ଖୁସି ଯେ ଯାହାପାଇଁ ଆପଣମାନେ ଦୀର୍ଘଦଶନ୍ଧି ଧରି ଦାବି କରିଆସୁଥିଲେ, ଯାହାର ଆବଶ୍ୟକତା ଏଠାରେ ଅନୁଭୂତ ହେଉଥିଲା । ସରକାର ଆସିଲେ ଗଲେ, ଆଲୋଚନା କରିଚାଲିଲେ, କିନ୍ତୁ ଆପଣମାନଙ୍କ ଆଶା କେବେହେଲେ ପୂରଣ ହେଲାନାହିଁ, ଏହାକୁ ପୂରଣ କରିବା ଦିଗରେ ଆଜି ଏକ ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଛି । ଶୁଭାରମ୍ଭ ହୋଇଛି ।

ସମସ୍ତ ଭକ୍ତଗଣ, ପ୍ରଥମ ପର୍ଯ୍ୟାୟରେ ପାଖାପାଖି 50 କୋଟି ଟଙ୍କା ବ୍ୟୟରେ ସମ୍ପ୍ରସାରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଏହାର ଅନ୍ତର୍ଗତ ଏହି ସ୍ଥାନ ପାଇଁ ଯାହା ବିଏଚୟୁ ଠାରୁ ଆସିଥିବା ରାସ୍ତାରେ ପଡ଼ୁଛି ଏହାକୁ ସାଜସଜ୍ଜା କରାଯିବ । 12 କିଲୋମିଟରର ଆଉ ଏକ ରାସ୍ତା ନିର୍ମାଣ କରାଯିବ । ଗୁରୁ ରବିଦାସଜୀଙ୍କ କାଂସ୍ୟ ପ୍ରତିମା ପ୍ରତିଷ୍ଠା କରାଯିବ । ଏକ ମାର୍ଗର ନିର୍ମାଣ ହେବ । କମ୍ୟୁନିଟି ହଲ ତିଆରି ହେବ ଏବଂ ଅନ୍ୟ ଜନସୁବିଧାର ବିକାଶ ମଧ୍ୟ ହେବ । ଅର୍ଥାତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଆପଣମାନଙ୍କୁ ଏବଂ ଏଠାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କୁ ଏକପ୍ରକାରେ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ ।

ସାଥୀଗଣ, ସନ୍ଥ ରବିଦାସଜୀଙ୍କ ଜନ୍ମସ୍ଥଳୀ କୋଟି କୋଟି ଲୋକଙ୍କ ପାଇଁ ଆସ୍ଥା ଏବଂ ଶ୍ରଦ୍ଧାର ସ୍ଥଳ । ଆହୁରି ଏଠାକାର ସାଂସଦ ହୋଇଥିବା ଦୃଷ୍ଟିରୁ, ଆପଣମାନଙ୍କ ପ୍ରତିନିଧି ହୋଇଥିବା ଦୃଷ୍ଟିରୁ ଏହା ମୋ ପାଇଁ ସୌଭାଗ୍ୟର କଥା ଯେ ଏହି ପବିତ୍ର ମାଟିର ସେବା କରିବା ଲାଗି ମୋତେ ସାମାନ୍ୟ ସୁଯୋଗ ମିଳିଛି । ଭାରତର ସାମାଜିକ ଜୀବନକୁ ମାର୍ଗ ଦେଖାଇବାରେ ଏବଂ ଅନୁପ୍ରାଣିତ କରିବାରେ ଏହି ମାଟିର ଭୂମିକା ରହିଛି । ସନ୍ଥ ରବିଦାସଜୀଙ୍କ ବିଚାରର ବିସ୍ତାର ଅସୀମ । ସେ ଯେଉଁ ଦର୍ଶନ ଶିଖାଇଛନ୍ତି ତାହା ସଠିକ ଜୀବନ ବଂଚିବାର ରାସ୍ତା ଏବଂ ତାହା ଅତି ସରଳ ଢଙ୍ଗରେ ଦେଖାଇଥାଏ । ରବିଦାସ କହିଛନ୍ତି-

‘ଏସା ଚାହୁ ରାଜ୍ ମେ, ଜହାଁ ମିଲେ ସବନ କୋ ଅନ୍ନ,

ଛୋଟ-ବଡ଼ୋ ସବ ସମାନ ବସେ, ରବିଦାସ ରହେ ପ୍ରସନ୍ନ’

ଅର୍ଥାତ ଗୁରୁଜୀ ଏପରି ଭାରତର ପରିକଳ୍ପନା କରିଥିଲେ ଯେଉଁଠି କୌଣସି ଭେଦଭାବ ବିନା ସମସ୍ତଙ୍କ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ରଖାଯିବ ।

ସାଥୀଗଣ, କେନ୍ଦ୍ର ସରକାର ଗତ ସାଢ଼େ ଚାରି ବର୍ଷ ଧରି ଏହି ଭାବନାକୁ ସମ୍ପୂର୍ଣ୍ଣ ନିଷ୍ଠାପର ଭାବେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଭରପୂର ପ୍ରୟାସ କରିଚାଲିଛନ୍ତି । “ସବକା ସାଥ ସବକା ବିକାଶ’ ଏବଂ ବିକାଶର ପଞ୍ଚଧାରା ଅର୍ଥାତ ଶିଶୁଙ୍କୁ ଶିକ୍ଷା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ପ୍ରତ୍ୟେକ ଲୋକର ଆପତ୍ତି ଶୁଣିବା, ଏହା ସୁନିଶ୍ଚିତ କରିବାରେ ଆମ ସରକାର ଲଗାତାର ପ୍ରୟାସ କରୁଛି, ଲାଗି ରହିଛି । ଏବେ ଠାରୁ କିଛି ସମୟ ପରେ ମୁଁ ବନାରସରେ ଦୁଇଟି କ୍ୟାନସର ହସପିଟାଲ ସହିତ ଅନେକ ସ୍ୱାସ୍ଥ୍ୟ ସୁବିଧାର ଉଦଘାଟନ ଏବଂ ଲୋକାର୍ପଣ କରିବା ଲାଗି ମଧ୍ୟ ଯାଉଛି । ଏହାବ୍ୟତୀତ, ବାରାଣସୀ ଏବଂ ପୂର୍ବାଞ୍ଚଳ ଜୀବନକୁ ସହଜ କରୁଥିବା ଅନେକ ପ୍ରକଳ୍ପ ମଧ୍ୟ ଆଜି ଠାରୁ ଆରମ୍ଭ ହେଉଛି । ଏ ସମସ୍ତ ସୁବିଧାର ଲାଭ ସମାଜର ପ୍ରତ୍ୟେକ ବର୍ଗକୁ ସମାନ ଭାବେ ମିଳିବ ।

ଭାଇ ଓ ଭଉଣୀମାନେ, ଆମ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ପ୍ରତ୍ୟେକ ଯୋଜନା ପୂଜ୍ୟ ଶ୍ରୀ ଗୁରୁ ରବିଦାସଜୀଙ୍କ ଭାବନା ଅନୁକୂଳ । ଗରିବ ପରିବାରକୁ ପକ୍କା ଘର, ପ୍ରତ୍ୟେକ ଘରେ ନିଜସ୍ୱ ଶୌଚାଳୟ, ପ୍ରତ୍ୟେକ ପରିବାରୁ ଉଜ୍ଜ୍ୱଳା ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର, ଗରିବଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, ଗରିବ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା, ଗରିବ ଏବଂ ମଧ୍ୟମବର୍ଗର ଯୁବକମାନଙ୍କୁ ବିନା ଗ୍ୟାରେଂଟି ବ୍ୟାଙ୍କରୁ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ, କୃଷକମାନଙ୍କ ଜମି ପର୍ଯ୍ୟନ୍ତ ଜଳସେଚନର ପାଣି ପହଁଚାଇବା ଏବଂ ଦେଶର ପାଖାପାଖି 12 କୋଟି ଗରିବ କୃଷକ ପରିବାରକୁ ପ୍ରତ୍ୟେକ ବର୍ଷ 6 ହଜାର ଟଙ୍କାର ସିଧାସଳଖ ସହାୟତା ଏବଂ ଏହା ତ’ ଏବେ ମାତ୍ର ଆରମ୍ଭ ହୋଇଛି । ଏପରି ଅନେକ ଯୋଜନା, ଯାହା ସମାଜର ପ୍ରତ୍ୟେକ ସେହି ବର୍ଗକୁ ଉପରକୁ ଉଠାଇବା ଲାଗି ଆରମ୍ଭ କରାଯାଉଛି, ଯେଉଁମାନେ ସବୁବେଳେ ଉପେକ୍ଷିତ ହୋଇ ରହିଥିଲେ, ବଂଚିତ ରହିଥିଲେ ।

ଗୁରୁଦେବ କହୁଥିଲେ, ଜାତି, ବର୍ଗ, ସମ୍ପ୍ରଦାୟ, ଭେଦଭାବ ଠାରୁ ଊଦ୍ଧ୍ୱର୍ରେ ଜଣେ ମଣିଷ ହେବା ଦୃଷ୍ଟିରୁ ସମସ୍ତଙ୍କୁ ଏପରି ଯୋଜନାର ଏକପ୍ରକାରର ଲାଭ ମିଳୁ ଏବଂ ମୁଁ ସନ୍ତୁଷ୍ଟ ଯେ ଏହା ମିଳୁଛି । ସାଥୀଗଣ, ପୂଜ୍ୟ ସନ୍ଥ ରବିଦାସ ଜୀ, ଏପରି ସମାଜ ଚାହୁଁଥିଲେ, ଯେଉଁଠି ଜାତି ଏବଂ ବର୍ଗର ଆଧାରରେ ସମାଜରେ କୌଣସି ଭେଦଭାବ ନଥିବ । ସେ କହିଥିଲେ-

ଜାତି ଜାତି ମେ ଜାତି ହୈ, ଜୋ କେତନ କେ ପାତ ।

ରୈଦାସ ମନୁଷ ନା ଜୁଡ଼ ସକେ, ଜବ ତକ ଜାତି ନ ଜାତ । ।

ଅର୍ଥାତ ଜାତି କଦଳୀ ପତ୍ର ଭଳି ହୋଇଥାଏ, ଯେଉଁଠି ପତ୍ର ଭିତରେ ବି ପତ୍ର ରହିଥାଏ । ଜାତିରେ ମଧ୍ୟ ଅନେକ ଅନେକ ଜାତି ଥାଏ । ଏପରି ସ୍ଥିତିରେ ଯେପର୍ଯ୍ୟନ୍ତ ଜାତି ନାଁରେ କାହା ସହ ଭେଦଭାବ ହେବ, ସେପର୍ଯ୍ୟନ୍ତ ସବୁ ମଣିଷ ପରସ୍ପର ସହ ଯୋଡ଼ି ହୋଇପାରିବେ ନାହିଁ । ସାମାଜିକ ସମାନତା ସମ୍ଭବ ହୋଇପାରିବ ନାହିଁ, ସାମାଜିକ ଏକତା ସମ୍ଭବ ହୋଇପାରିବ ନାହିଁ, ସମାଜରେ ସମାନତା ଆସିବ ନାହିଁ, ସାଥୀଗଣ ଗୁରୁଙ୍କ ପ୍ରଦର୍ଶିତ ଏହି ରାସ୍ତାରେ ଯଦି ସମ୍ପୂର୍ଣ୍ଣ ନିଷ୍ଠାର ସହ ଆମେ ଚାଲିଥାନ୍ତେ ତା’ହେଲେ ଆଜିର ଭାରତ ଜାତି ନାଁରେ ହେଉଥିବା ଅତ୍ୟାଚାରରୁ ମୁକ୍ତ ହୋଇପାରିଥାନ୍ତା, କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ହୋଇପାରିଲା ନାହିଁ ।

ଭାଇ ଓ ଭଉଣୀମାନେ, ନୂତନ ଭାରତ ଏହି ସ୍ଥିତିକୁ ବଦଳାଇବାକୁ ଯାଉଛି । ଆମର ନବଯୁବକ ସାଥୀ, ଯେଉଁମାନେ ଡିଜିଟାଲ ଇଣ୍ଡିଆର ସମୟରେ, ପ୍ରଯୁକ୍ତିର ଯୁଗରେ ସାମାଜିକ ଏବଂ ରାଜନୈତିକ ବ୍ୟବସ୍ଥାର ଅଂଶବିଶେଷ ହେଉଛନ୍ତି । ଆମେ ସମସ୍ତେ ଏହି ସ୍ଥିତିକୁ ବଦଳାଇବାକୁ ଯାଉଛୁ । ଆମକୁ ସେହି ଲୋକମାନଙ୍କ ସ୍ୱାର୍ଥକୁ ଚିହ୍ନିବାକୁ ହେବ, ଯେଉଁମାନେ କେବଳ ନିଜର ଦାନାପାଣି ନିଜ ରାଜନୈତିକ ସ୍ୱାର୍ଥ ଲାଗି ଜାତିଭେଦକୁ ଉଠାଉଛନ୍ତି ।

ସାଥୀଗଣ, ଆଉ ଏକ ଖରାପ କଥା ପ୍ରତି ଗୁରୁ ଆମର ଧ୍ୟାନ ଆକର୍ଷଣ କରିଥିଲେ, ଯେଉଁ କାରଣରୁ ଆମ ଦେଶକୁ, ଆମ ସମାଜକୁ, ବହୁତ ବଡ଼ ହାନି ହୋଇଛି । ଏହା ଖରାପ ଏବଂ ବେଇମାନୀ, ଅନ୍ୟର ଅଧିକାରକୁ ଛଡ଼ାଇ ନେଇ ନିଜର ସ୍ୱାର୍ଥ ସାଧନ । ଗୁରୁଜୀ କହିଥିଲେ-

ଶ୍ରମ କଉ ଇସର ଜାନି କେଇ, ଜଉ ପୁଜେ ହି ଦିନ-ରୈନ

ଅର୍ଥାତ ସଚ୍ଚୋଟ ଶ୍ରମ ହିଁ ଈଶ୍ୱରଙ୍କ ସ୍ୱରୂପ ହୋଇଥାଏ । ସଚ୍ଚୋଟତା ସହିତ ଯେଉଁ କାମ କରାଯାଇଥାଏ, ତାହାର ଆୟରୁ ହିଁ ଜୀବନରେ ସୁଖ ଏବଂ ଶାନ୍ତି ମିଳିଥାଏ । ଗୁରୁଜୀଙ୍କ ଏହି ଭାବନାକୁ ଗତ ସାଢ଼େ ଚାରି ବର୍ଷରେ ଆମ ରାଜନୈତିକ ଏବଂ ସାମାଜିକ ସଂସ୍କାରରେ ପ୍ରତିଫଳିତ କରିବାର ପ୍ରୟାସ ଆମ ସରକାର କରିଛି । ବିମୁଦ୍ରୀକରଣ ହେଉ, ବେନାମୀ ସମ୍ପତ୍ତି ବିରୋଧରେ ନିଆଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନ ହେଉ କିମ୍ବା ପୁଣି କଳାଧନ ଏକାଠିର ପ୍ରବୃତି ବିରୋଧରେ କଠୋରତାର ସହ ଏହି ପ୍ରବୃତିକୁ ଶେଷ କରିବାର ପ୍ରୟାସ ହେଉ ଯାହାକୁ ବ୍ୟବସ୍ଥାର ଅଂଶବିଶେଷ ଭାବେ ଗ୍ରହଣ କରିନିଆଯାଇଛି । ଭାରତରେ ଏସବୁ ଚାଲେ । ଏପରି ମାନସିକତା ଘର କରି ନେଇଛି ।

ସାଥୀଗଣ, ସନ୍ଥ ରବିଦାସ ଜୀଙ୍କ ଆଶୀର୍ବାଦରୁ ନୂତନ ଭାରତରେ ବେଇମାନୀ ଲାଗି ଭ୍ରଷ୍ଟ ଆଚରଣ ଲାଗି କୌଣସି ସ୍ଥାନ ନାହିଁ । ଯେଉଁମାନେ ସଚ୍ଚୋଟତାର ସହ ନିଜ ଶ୍ରମ ଦ୍ୱାରା ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସରକାର ପ୍ରତ୍ୟେକ ସ୍ତରରେ କାନ୍ଧ ସହ କାନ୍ଧ ମିଳାଇ ଛିଡ଼ା ହୋଇନ୍ତି । ନିକଟରେ ଆପଣମାନେ ଦେଖିଥିବେ ଯେ ଯେଉଁମାନେ ସଚ୍ଚୋଟତାର ସହ ଟିକସ ଦେଉଛନ୍ତି, କର ଦେଉଛନ୍ତି, ସେପରି କୋଟି କୋଟି ମଧ୍ୟବିତ ସାଥୀମାନଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଯୋଗ୍ୟ ଆୟ ଉପରେ ଟିକସ ଉଚ୍ଛେଦ କରାଯାଇଛି । ଗୋଟିଏ ପଟେ ଜନତାଙ୍କ ଟଙ୍କା ଲୁଟୁଥିବା ଲୋକଙ୍କୁ ଦଣ୍ଡ ଦିଆଯାଉଛି, ଅନ୍ୟପଟେ ସଚ୍ଚୋଟତାର ସମ୍ମାନ ମଧ୍ୟ କରାଯାଉଛି ।

ଭାଇ ଓ ଭଉଣୀମାନେ, ଆମେ ସମସ୍ତେ ଭାଗ୍ୟଶାଳୀ ଅଟୁ, କାରଣ ଆମମାନଙ୍କୁ ଗୁରୁ, ସନ୍ଥ, ଋଷି, ମୁନି, ମନିଷୀମାନଙ୍କ ମାର୍ଗଦର୍ଶନ ମିଳିଛି । ଗୁରୁମାନଙ୍କ ଏହି ଜ୍ଞାନ, ଏହି ମହାନ ପରମ୍ପରା ଏମିତି ଆମ ପିଢ଼ିକୁ ରାସ୍ତା ଦେଖାଉ, ସେଥିପାଇଁ ମଧ୍ୟ ଆମ ସରକାର ନିରନ୍ତର ପ୍ରୟାସ କରୁଛି । ଗତ ବର୍ଷ ହିଁ ମଗହରରେ ସନ୍ଥ କବୀର ଜୀଙ୍କ ସହ ଜଡ଼ିତ ସ୍ମାରକ ପାଇଁ ଶିଳାନ୍ୟାସ କରିବା ଲାଗି ମୁଁ ନିଜେ ଯାଇଥିଲି । ସେହିପରି, ସାରନାଥରେ ଭଗବାନ ବୁଦ୍ଧଙ୍କ ଜଡ଼ିତ ସଂସ୍କାରଗୁଡ଼ିକୁ ପବିତ୍ର ସ୍ଥାନଗୁଡ଼ିକୁ ସଂରକ୍ଷିତ କରାଯାଇଛି । ସୌନ୍ଦର୍ଯ୍ୟକରଣ କରାଯାଇଛି । ସେହିପରି ଆମେ ଗୁରୁନାନକ ଦେବଜୀଙ୍କ 550ତମ ଜୟନ୍ତୀ ସମାରୋହକୁ ସାରା ବିଶ୍ୱରେ ବ୍ୟାପକ ସ୍ତରରେ ପାଳନ କରାଯାଉଛି ।

ଭାଇ ଓ ଭଉଣୀମାନେ, ଆମ ଦେଶ ପାଇଁ, ଆମ ସମାଜ ପାଇଁ ଯେଉଁମାନେ ନିଜର ଯୋଗଦାନ ଦେଇଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ସହିତ ସମ୍ମାନ ମିଳୁ, ସେଥିପାଇଁ ଆମ ସରକାର, ଭାରତ ସରକାର ଏବଂ ରାଜ୍ୟ ଉତ୍ତରପ୍ରଦେଶ ସରକାର ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଆମର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆମର ଶକ୍ତି, ଆମର ପ୍ରେରଣା, ଆପଣମାନଙ୍କ ଜୀବନ ସହଜ ହେଉ, ସେଥିପାଇଁ ଗୁରୁ ରବିଦାସଙ୍କ ପ୍ରଦର୍ଶିତ ମାର୍ଗକୁ ଆମେ ଆହୁରି ସଶକ୍ତ କରିବାକୁ ଯାଉଛୁ । ପୁଣି ଥରେ ଆପଣ ସମସ୍ତଙ୍କୁ ପୂଜ୍ୟ ଗୁରୁ ରବିଦାସଜୀଙ୍କ ଜୟନ୍ତୀ, ଜନ୍ମ ସ୍ଥଳୀର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଅନେକ ଅନେକ ଶୁଭକାମନା ଦେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ପୂଜ୍ୟ ଗୁରୁ ମହାରାଜ ଜୀଙ୍କ ଚରଣରେ ପ୍ରଣାମ କରି ମୋର ବାଣୀକୁ ବିରାମ ଦେଉଛି ।

ବହୁତ ବହୁତ ଧନ୍ୟବାଦ ।

***************