ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 17 ମାର୍ଚ୍ଚ 2019ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ପାରିକରଙ୍କ ଦୁଃଖଦ ବିୟୋଗରେ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ମନୋହର ପାରିକରଙ୍କ ସ୍ମୃତିରେ କ୍ୟାବିନେଟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
କ୍ୟାବିନେଟ ମଧ୍ୟ 18 ମାର୍ଚ୍ଚ, 2019ରେ ଭାରତ ସରକାରଙ୍କ ପକ୍ଷରୁ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ସହିତ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଗୋଆରେ ରାଜ୍ୟବ୍ୟାପୀ ଜାତୀୟ ପତାକାକୁ ଅଧନମିତ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲା ।
ଶ୍ରୀ ମନୋହର ପାରିକରଙ୍କ ଗଭୀର ସ୍ମୃତିରେ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ଶୋକ ପ୍ରସ୍ତାବକୁ ଅନୁମୋଦନ କରିଥିଲା :
“ଗୋଆର ପାଣାଜିଠାରେ 17 ମାର୍ଚ୍ଚ, 2019ରେ ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ପାରିକରଙ୍କ ଦୁଃଖଦ ବିୟୋଗରେ କ୍ୟାବିନେଟ ଗଭୀର ଶୋକ ପ୍ରକାଶ କରିଛି । ତାଙ୍କର ପରଲୋକ ସହିତ ଦେଶ ଜଣେ ବରିଷ୍ଠ ଏବଂ ବିଶିଷ୍ଟ ନେତାଙ୍କୁ ହରାଇଛି, ଯିଏକି ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଥିଲେ ।
ଡିସେମ୍ବର 13, 1955ରେ ଗୋଆର ମାପୁସାଠାରେ ଜନ୍ମିତ ଶ୍ରୀ ପାରିକର ମାଡଗାଓଁ ଲୋୟଲା ସ୍କୁଲରୁ ଶିକ୍ଷା ଲାଭ କରିବା ପରେ 1978ରେ ମୁମ୍ବାଇସ୍ଥିତ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନରୁ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ । ରାଜନୀତିରେ ଯୋଗ ଦେବା ପୂର୍ବରୁ ଶ୍ରୀ ପାରିକର ଖୁବ କମ ବୟସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ ଏବଂ ସ୍କୁଲର ଅନ୍ତିମ ବର୍ଷଗୁଡ଼ିକରେ ଜଣେ ମୁଖ୍ୟ ପ୍ରଶିକ୍ଷକ ହୋଇପାରିଥିଲେ । ଆଇଆଇଟିରୁ ସ୍ନାତକ ହାସଲ କରିବା ପରେ ସେ ମାପୁସାରେ ଆରଏସଏସ ପାଇଁ ପୁନଃ କାର୍ଯ୍ୟାରମ୍ଭ କରିଥିଲେ ଏବଂ 26 ବର୍ଷ ବୟସରେ ସଂଘ ଚାଳକ ହୋଇପାରିଥିଲେ ।
1994ରେ ଭାରତୀୟ ଜନତା ପାର୍ଟି(ବିଜେପି)ର କାର୍ଯ୍ୟକର୍ତ୍ତା ଭାବେ ଶ୍ରୀ ପାରିକର ଗୋଆ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । 24 ଅକ୍ଟୋବର 2000ରେ ପ୍ରଥମ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ 27 ଫେବୃଆରୀ, 2002 ପର୍ଯ୍ୟନ୍ତ ଏହି କାର୍ଯ୍ୟଭାର ତୁଲାଇଥିଲେ । 3 ଜୁନ, 2002ରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଏବଂ 2 ଫେବୃଆରୀ 2005 ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । 9 ମାର୍ଚ୍ଚ 2012ରେ ସେ ତୃତୀୟ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ 8 ନଭେମ୍ବର 2014 ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ । 9 ନଭେମ୍ବର 2014ରେ ଶ୍ରୀ ପାରିକର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ଏବଂ 13 ମାର୍ଚ୍ଚ, 2017 ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ପୁନର୍ବାର ସେ 14 ମାର୍ଚ୍ଚ, 2017ରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ନିଜର ସରଳତା ଏବଂ ଜଣେ ଅସାଧାରଣ ପ୍ରଶାସକ ଭାବେ ଶ୍ରୀ ପାରିକର ସବୁଦିନ ପାଇଁ ମନେ ରହିବେ । ଆଧୁନିକ ଗୋଆ ନିର୍ମାଣ, ସେନାବାହିନୀର ଆଧୁନିକୀକରଣ ସହିତ ପୂର୍ବତନ ସେନା କର୍ମଚାରୀମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଯୋଗଦାନ ଲାଗି ତାଙ୍କର ଯୋଗଦାନ କେବେବି ଭୁଲି ହେବ ନାହିଁ ।
ଶ୍ରୀ ପାରିକରଙ୍କୁ 2001ରେ ମୁମ୍ବାଇ ଆଇଆଇଟି ପକ୍ଷରୁ “ବିଶିଷ୍ଟ ପୁରାତନ ଛାତ୍ର ପୁରସ୍କାର”, 2018ରେ ଗୋଆ ଜାତୀୟ ପ୍ରାଦ୍ୟୋଗିକ ସଂସ୍ଥାନରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଏବଂ ଡ. ଏସ.ପି. ମୁଖାର୍ଜୀ ପୁରସ୍କାର ଆଦିରେ ଶ୍ରୀ ପାରିକରଙ୍କୁ ସମ୍ମାନିତ କରାଯାଇଛି । ତାଙ୍କର ଦୁଇ ଜଣ ପୁତ୍ର ଅଛନ୍ତି ।
ସରକାର ଏବଂ ସାରା ଦେଶ ପକ୍ଷରୁ ଗୋଆର ଜନସାଧାରଣ ଏବଂ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି କ୍ୟାବିନେଟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିଲା ।”
*****