Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୋରଖପୁରରେ ପ୍ରସ୍ତାବିତ ଏମ୍ସ ଓ ସାର କାରଖାନାର ପୁନରୁଦ୍ଧାର ଲାଗି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଗୋରଖପୁରରେ ପ୍ରସ୍ତାବିତ ଏମ୍ସ ଓ ସାର କାରଖାନାର ପୁନରୁଦ୍ଧାର ଲାଗି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ଭାରତ ମାତାକୀ ଜୟ, ଭାରତ ମାତାକୀ ଜୟ,

ମଞ୍ଚ ଉପରେ ବିରାଜମାନ ସମସ୍ତ ବରିଷ୍ଠ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ଗୋରଖପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଗୋରଖପୁରଠାରେ ସାରକାରଖାନା ଏବଂ ଏମ୍ସ(AIIMS) ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଯୁବକଯୁବତୀଙ୍କୁ ପ୍ରଣାମ । ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହେଁ । ଯଦି କେହି କହୁଥାଏ ଯେ ଛବିଶବର୍ଷ ଧରି ବନ୍ଦ ହୋଇ ପଡିଥିବା ଏ କାରଖାନା ମୋ କାରଣରୁ ହୋଇଛି, ମୋଦୀ କାରଣରୁ ଚାଲୁ ହୋଇଛି ଏହା ତାଙ୍କର ଭୁଲ ଧାରଣା । ଛବିଶ ବର୍ଷ ପରେ ଏ କାରଖାନା ପୁଣି ଥରେ ଆରମ୍ଭ ହୋଇଛି, ତ ଏହାର ଶ୍ରେୟ, ଏହାର ପୁରା ଶ୍ରେୟର ଯଦି କେହି ଅଧିକାରୀ ହୋଇଥାନ୍ତି, ତେବେ ସେ ହେଉଛନ୍ତି ଆପଣମାନେ, ଜନତାଜନାର୍ଦ୍ଦନ । ଯଦି ଆପଣମାନେ ମୋତେ ଉତ୍ତର ପ୍ରଦେଶରୁ ନିର୍ବାଚିତ କରି ପଠାଇ ନଥାନ୍ତେ, ଯଦି ଆପଣମାନେ ଉତ୍ତରପ୍ରଦେଶରୁ ଏକତରଫା ଭାବେ ଭାରତୀୟ ଜନତା ପାର୍ଟି ଏବଂ ସାଥୀମାନଙ୍କୁ ବିଜୟୀ କରାଇ ନଥାନ୍ତେ, ତାହେଲେ ଏ ଛବିଶ ବର୍ଷର କାର୍ଯ୍ୟ ଆଜି ବି ସେମିତି ଲଟକି ରହିଥାନ୍ତା । ଏହା ଏଥିପାଇଁ ସମ୍ଭବ ହେଲା, କାରଣ ଆପଣମାନେ ଆପଣମାନଙ୍କ ସକାଶେ କାର୍ଯ୍ୟ କରିବା ଭଳି ଏକ ସରକାରକୁ ନିର୍ବାଚିତ କରିଛନ୍ତି । ସେଇଥିପାଇଁ ତ ଏତେ କାର୍ଯ୍ୟ ହୋଇପାରୁଛି । ଯଦି ଆପଣମାନେ ନିଜ ହିତକୁ ଧ୍ୟାନରେ ରଖି ଏକ ସରକାରକୁ ବାଛନ୍ତି, ତାହେଲେ ସରକାର ବି ଆପଣମାନଙ୍କ ସକାଶେ କାର୍ଯ୍ୟ କରିବାକୁ ଦୌଡିବ ।

ମୁଁ ଆପଣମାନଙ୍କୁ ଏଇ କଥା ଲାଗି ଅଭିନନ୍ଦନ ଜଣାଇବାକୁ ଚାହେଁ ଯେ ସମଗ୍ର ଉତ୍ତରପ୍ରଦେଶରେ ଯଦି ଆପଣମାନେ ଆମକୁ ଏପରି ବଳ ଦେଇ ନଥାନ୍ତେ, ତାହେଲେ ଭାରତରେ ଦୀର୍ଘ ତିରିଶ ବର୍ଷ ପରେ ଯେଉଁ ମଜଭୁତ ଓ ସ୍ଥିର ସରକାର ଗଠିତ ହୋଇଛି ତାହା କଦାପି ସମ୍ଭବପର ହୋଇନଥାନ୍ତା ।

ଆପଣମାନଙ୍କୁ ମୁଁ ତୃତୀୟ ଅଭିନନ୍ଦନ ଏଇଥିପାଇଁ ଦେବାକୁ ଚାହେଁ ବିଶେଷ କରି ପୂର୍ବ ଉତ୍ତର ପ୍ରଦେଶ ଲୋକଙ୍କୁ ଯେ ଆପଣମାନେ ଏଠାରୁ ଯେଉଁ ସମର୍ଥ ସାଂସଦଙ୍କୁ ନିର୍ବାଚିତ କରି ପଠାଇଛନ୍ତି । ଏପରି ଜଣେ ଜାଗ୍ରତ ସାଂସଦ, ସକ୍ରିୟ ସାଂସଦଙ୍କୁ ପଠାଇଛନ୍ତି ଯିଏ ଦିନରାତି ଦିଲ୍ଲୀରେ ଆପଣମାନଙ୍କ ସମସ୍ୟାକୁ ନେଇ ସମସ୍ତଙ୍କ ନିକଟରେ, ମୋ ନିକଟରେ ଉପସ୍ଥାପନ କରୁଛନ୍ତି । ସେଥିଲାଗି ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ମୋତେ ଲୋକମାନେ ପଚାରୁଛନ୍ତି ଯେ ମୋଦୀଜୀ ଆପଣ ଶୋଉଛନ୍ତି କେତେବେଳେ ? ଆରେ, ଆପଣମାନେ ଯେତେବେଳେ ଏଡେ ସମର୍ଥ ସାଂସଦଙ୍କୁ ନିର୍ବାଚିତ କରି ପଠାଇଛନ୍ତି, ସେମାନେ କଣ ମୋତେ ଶୁଆଇଦେବେ ? ଆଜି ଯେଉଁ ସିଦ୍ଧି ହେଉଛି ତାର ଶ୍ରେୟ ଯୋଗୀ ଆଦିତ୍ୟନାଥଙ୍କଠାରୁ ଆରମ୍ଭ କରି, ସବୁ ସାଂସଦମାନେ ଦୟାକରି ଆପଣମାନେ ଠିଆ ହୋଇପଡନ୍ତୁ । ଯେଉଁମାନେ ଦିନରାତି କାର୍ଯ୍ୟ କରିଚାଲିଛନ୍ତି, ସେଇଥିପାଇଁ ଗୋଟିକ ପରେ ଗୋଟିଏ କାମ ସଫଳ ହୋଇଚାଲିଛି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ସମ୍ମାନ ଜଣାଉଛି ।

ଭାଇ ଓ ଭଉଣୀମାନେ, ପ୍ରଥମରୁ ମୋର ମତ ଏଇଆ ଯେ ଯଦି ଭାରତର ବିକାଶ କରାଯିବ ତେବେ ଦୁଇଟି ଚକବାଲା ଏଇ ପ୍ରଗତିର ରଥକୁ ଚଲାଇବାକୁ ପଡିବ । ଗୋଟିଏ ଚକ ହେଲା ପଶ୍ଚିମ ଭାରତର ଏବଂ ଅନ୍ୟଟି ହେଲା ପୂର୍ବ ଭାରତର । ଯଦି ପୂର୍ବ ଭାରତର ଚକ ମଜଭୁତ ହେବନାହିଁ, ଏବଂ କେବଳ ପଶ୍ଚିମ ପଟ ଚକ ଦୃଢ଼ ହେବ, ଗୁଜରାଟ ହେଉ, ରାଜସ୍ଥାନ ହେଉ, ହରିୟାଣା ହେଉ, ଗୋଆ ହେଉ, ଏସବୁ ହେଲା ଭାରତର ପଶ୍ଚିମ ଭାଗ । ତେବେ ଭାରତର ପୂର୍ବାଞ୍ଚଳ ଯଥା ପୂର୍ବ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ, ଓଡିଶା, ଉତ୍ତର-ପୂର୍ବାଞ୍ଚଳ, ଯଦି ଏହାର ଚକଟି ମଜଭୁତ ନହେଲା, ତେବେ ବିକାଶର ରଥ କଦାପି କ୍ଷିପ୍ରତାର ସହ ଆଗକୁ ବଢି ପାରିବନାହିଁ । ତେଣୁ ଭାଇ ଓ ଭଉଣୀମାନେ, ମୋର ସମସ୍ତ ସାମର୍ଥ୍ୟ ଏବେ ଲାଗିଛି ଯେ ପୂର୍ବ ଭାରତର ଏହି ପ୍ରଗତିର ଚକ କିପରି ମଜଭୁତ ହେବ, ପଶ୍ଚିବ ପଟ ଚକ ପରି ବିକାଶ ଧାରାକୁ ଆଗକୁ ନେଇଯିବ । ପୂର୍ବ ଭାରତକୁ ଆଗକୁ ନେବାକୁ ହେଲେ ଆମକୁ ବୈପ୍ଳବିକ ମାତ୍ରାରେ ଆଗକୁ ଯିବାକୁ ପଡିବ ।

ଭାରତରେ ଯଦି ଦ୍ୱିତୀୟ କୃଷି ବିପ୍ଳବ କେଉଁଠି ହେବାର ଅଛି ତାହା ହେଲା ପୂର୍ବ ଭାରତରେ । ପୂର୍ବ ଉତ୍ତର ପ୍ରଦେଶରେ ଏହି କ୍ରାନ୍ତି ହେବାର ଅଛି । ଏଥିପାଇଁ ଆମ କୃଷକମାନଙ୍କୁ ସାର ଦରକାର । ଆପଣମାନେ କେବେ ଦେଖିଛନ୍ତି ଯେ ଘରେ ତ ସାର କାରଖାନା ବନ୍ଦ ହୋଇପଡିଛି । ବିଦେଶରୁ ସାର ଆମଦାନି କରାଯାଇ ଆସୁଥିଲା । ଏପରି ଭୁଲ କୌଣସି ସାଧାରଣ ମଣିଷ କରିପାରେ ? ଯଦି ଆପଣଙ୍କ ଘରେ ଖାଦ୍ୟ ପଦାର୍ଥ ପଡିରହିଛି, ତାହେଲେ ବାହାରୁ କାହାଠାରୁ ମାଗିବା କି ଆବଶ୍ୟକ ? କିନ୍ତୁ ଦିଲ୍ଲୀରେ ଏମିତି ସରକାର ଥିଲା ଯେ ଘର କାରଖାନାକୁ ବନ୍ଦ କରି ବାହାରୁ ଉର୍ବରକ(ସାର) ମଗାଇ ଚାଲୁଥିଲେ । ଆମେ ସ୍ଥିର କଲୁ ଯେ କୃଷକମାନେ ଯେତେ ଚାହିଁବେ ସେତେ ୟୁରିଆ ଆମେ ଯୋଗାଇବୁ । କିନ୍ତୁ ତାର ଆଗରୁ ଦେଶରେ ବନ୍ଦ ହୋଇ ପଡିଥିବା ସାର କାରଖାନାକୁ ପୁନଃ ଉତ୍ପାଦନକ୍ଷମ କରିବା ଦରକାର ଏବଂ ଏ ସବୁ କାରଖାନା ପୂର୍ବ ଭାରତରେ ଅବସ୍ଥିତ । ସିନ୍ଧ୍ରିର ହେଉ, ବରାଉନୀ ହେଉ, ଗୋରଖପୁର ହେଉ ଏହି ଅଞ୍ଚଳର କୃଷକମାନଙ୍କ ପ୍ରତି ଏହା ଘୋର ଅନ୍ୟାୟ ଏବଂ ସେଥିପାଇଁ ଭାଇ ଓ ଭଉଣୀମାନେ, କେବଳ ଏ କାରଖାନା ନୁହେଁ, ସିନ୍ଧ୍ରିର ଓ ବରାଉନୀ କାରଖାନାକୁ ବି ଆମେ ଚାଲୁ କରିବୁ । ଏ ବିଶ୍ୱାସ ଓ ଭରସା ମୁଁ ଆପଣମାନଙ୍କୁ ଦେଉଛି ।

ଭାଇ ଓ ଭଉଣୀମାନେ, ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ମୁଁ ସଦାବେଳେ ଭାରତ ସରକାରଙ୍କୁ ଗୋଟିଏ ଲେଖାଏଁ ଚିଠି ଲେଖୁଥିଲି । ସେଥିରେ ମୁଁ ଅଭିଯୋଗ କରୁଥିଲି ଯେ ମୋ କୃଷକ ଭାଇଭଉଣୀମାନଙ୍କର ୟୁରିଆ ଦରକାର ଏବଂ ଆପଣ ୟୁରିଆ ଦିଅନ୍ତୁ । ଏବଂ ଦିଲ୍ଲୀ ସରକାର କୌଣସି ଉତ୍ତର ଦେଉନଥିଲା । ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲି, ପ୍ରଥମ ବର୍ଷ ହିଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ନିକଟରୁ ମୋ ପାଖରୁ ଅନୁରୂପ ଚିଠି ମାନ ଆସିଲା । ଆମକୁ ୟୁରିଆ ଦରକାର ଏବଂ ମୁଁ ଖବରକାଗଜରୁ ପଢ଼ିଲି ଯେ ୟୁରିଆ କଳାବଜାରରେ ବିକ୍ରି ହେଉଛି । କୃଷକମାନେ ୟୁରିଆ ପାଇଁ ଦୋକାନ ସାମ୍ନାରେ 12-12ଘଣ୍ଟା, 15-15ଘଣ୍ଟା ଅପେକ୍ଷା କରି ଠିଆ ହୋଇ ରହୁଛନ୍ତି । ୟୁରିଆ ପାଇଁ ସେମାନେ ଯାଇଥିବା ବେଳେ ପୁଲିସ ଲାଠିଚାର୍ଜ କରୁଛି । ସେପରି ଦିନ କଥା ଆପଣମାନେ ମନେପକାନ୍ତୁ । ଏପରି ହେଉଥିଲା ନା ନାହିଁ । ଭାଇ ଓ ଭଉଣୀମାନେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ମୋ ନିକଟକୁ ଜଣେ ହେଲେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଆସିନି । କେଉଁଠି ହେଲେ ଲାଠିଚାର୍ଜ ହୋଇନି । କେଉଁଠି ହେଲେ ୟୁରିଆ କଳାବଜାର ବା ବ୍ଲାକ ମାର୍କେଟିଂ ହୋଇନି ।

କିନ୍ତୁ ଭାଇ ଓ ଭଉଣୀମାନେ ଏଥିପାଇଁ କୃଷକମାନଙ୍କ ସକ୍ରିୟତାର ଆବଶ୍ୟକତା ରହିଛି । ଏଇ କଥାକୁ ଆଗକୁ ବଢ଼ାଇବା ଲାଗି ଯେତେବେଳେ ଦେଶରେ ବିଜୁଳି କ୍ଷେତ୍ରରେ କ୍ଷତି ହେଉଛି, କୃଷକଙ୍କ ମୁଣ୍ଡ ଉପରେ ସେ ଦୋଷ ଲଦି ଦିଆଯାଉଛି । ୟୁରିଆ ଅଭାବ ପାଇଁ ବି ଚାଷୀଙ୍କ ମୁଣ୍ଡରେ ଦୋଷ ଲଦାଯାଉଛି । ବାସ୍ତବତା ଏଇଆ ଥିଲା ଯେ କୃଷକମାନଙ୍କ ପାଖରେ ୟୁରିଆ ପହଞ୍ଚୁନଥିଲା । ୟୁରିଆ ସାର କାରଖାନାରୁ ବାହାରି ସିଧା ଚାଲିଯାଉଥିଲା କେମିକାଲ କାରଖାନାକୁ । ବିଚରା କୃଷକ ସେମିତି ଅପେକ୍ଷା କରି ରହିଥିବ । ସବୁ ସବସିଡି କେମିକାଲ ପ୍ଳାଣ୍ଟବାଲା ପାଉଥିଲେ । କୃଷକମାନଙ୍କ ଭାଗ୍ୟରେ ତାହା ଜୁଟୁ ନଥିଲା । ଆମେ ତାର ସମାଧାନ ଉପାୟ ଖୋଜି ବାହାର କଲୁ । ଭାବିଲୁ, ୟୁରିଆ ଉପରେ ନିମ୍ବ ପ୍ରଲେପ ଦିଆଯିବ । ତାହେଲେ ସେ ୟୁରିଆର ଗୋଟିଏ ଗ୍ରାମ ବି କେମିକାଲ ଫେକ୍ଟ୍ରିକୁ ବା ରାସାୟନିକ କାରଖାନାକୁ ଯାଇ ପାରିବ ନାହିଁ । ସେମାନଙ୍କ କାମରେ ଆସିବନି । କେହି ଚୋରି କରିପାରିବେନି । ସେ ୟୁରିଆ କେବଳ କ୍ଷେତ ପାଇଁ କାମରେ ଆସିବ । ଏଥିଯୋଗୁ ଚୋରି ବନ୍ଦ ହେଲା, ଭ୍ରଷ୍ଟାଚାର ବନ୍ଦ ହେଲା, ବେଇମାନୀ ଗଲା, କୃଷକଙ୍କ ନାମରେ ଯେଉଁ ନକଲି ବିଲ କରାଯାଉଥିଲା, ତାହା ବି ବନ୍ଦ ହୋଇଗଲା । ଏବେ କୃଷକମାନଙ୍କୁ ଆବଶ୍ୟକ ଅନୁସାରେ ୟୁରିଆ ଉପଲବଧ ହେଉଛି । ଭାଇ ଓ ଭଉଣୀମାନେ, ଆମର ଯୋଜନା ହେଉଛି, ଆଗାମୀ ବର୍ଷମାନଙ୍କରେ ୟୁରିଆ ଉତ୍ପାଦନର ଏପରି କୌଶଳ ପ୍ରସ୍ତୁତ କରିବୁ ଯଦ୍ୱାରା ବିଦେଶରୁ ୟୁରିଆ ଆମଦାନ କରିବାକୁ ପଡିବନି । ବିଦେଶରେ ଯେଉଁଠି ଗ୍ୟାସ ଉପଲବ୍ଧ, ଆମେ ସେଇଠି ୟୁରିଆ ଉତ୍ପାଦନ କରିବୁ ଏବଂ ସେଠାରୁ ୟୁରିଆ ଆଣିବୁ ।

ଭାଇ ଓ ଭଉଣୀମାନେ, ଆମ ଦେଶରେ ଯଦି ଟମାଟୋ ଦାମ୍ ବଢ଼ିଗଲା, ତାହେଲେ ଚବିଶ ଘଣ୍ଟା ସରକାରଙ୍କୁ ସମାଲୋଚନା ଲାଗି ଲୋକମାନେ ପ୍ରସ୍ତୁତ ରହିଥାନ୍ତି । ପନିପରିବା ଦାମ ବଢ଼ିଲେ ବି ସେଇ ଅବସ୍ଥା । କିନ୍ତୁ ସେମାନଙ୍କୁ କେତେବେଳେ ହେଲେ ଏ କୃଷକମାନଙ୍କ କଥା ସ୍ମରଣ ଆସେନି । କୃଷକମାନଙ୍କୁ ସେମାନଙ୍କ ହକ୍ ମିଳିବା ଦରକାର ନା ନାହିଁ । ସେମାନଙ୍କୁ ନିଜ ପରିଶ୍ରମର ଲାଭ ମିଳିବା ଉଚିତ କି ନାହିଁ ? ଭାଇ ଓ ଭଉଣୀମାନେ ଆମ ଦେଶରେ ମହଙ୍ଗା କଥା ଖୁବ୍ ଜୋରସୋରରେ ଆଲୋଚନା ହେଉଛି । ଏପରି ହେବା ସ୍ୱାଭାବିକ । କିନ୍ତୁ ଯେତେବେଳେ କିଛି ଫଇସଲା ହୋଇଯାଏ ଦାମ କମିଗଲେ ସବୁ କମିଯାଏ । ଲୋକ ସବୁ ଭୁଲିଯାଅନ୍ତି । ଏଠି ଯେତେ କୃଷକଭାଇ ଅଛନ୍ତି, ଆପଣମାନେ କେବେ ଶୁଣିଛନ୍ତି, ଗତ ତିନି ବର୍ଷରେ… ମୁଁ ଆହ୍ୱାନ କରୁଛି, କେବେ ବି ସାର ଦାମ କମ୍ ହେଉ ବୋଲି ଦାବି ହୋଇଛି ? କେହି ଶୁଣିଛନ୍ତି ? ଶୁଣିନାହାନ୍ତି ନା ? ପ୍ରଥମ ଥର ପାଇଁ ଆପଣମାନେ ଦିଲ୍ଲୀରେ ଏପରି ଏକ ସରକାର ଅବସ୍ଥାପନ କରିଛନ୍ତି, ମୁଁ ଆଜି ଏକଥା ସୂଚୀତ କଲାବେଳେ ଖୁସି ଅନୁଭବ କରୁଛି ଯେ ଆମ ସରକାରଙ୍କ ନୀତି କାରଣରୁ ଭ୍ରଷ୍ଟାଚାର ଦୂର କରିବାର ଉଦ୍ୟମ ଯୋଗୁ, ସାଧାରଣ କୃଷକଙ୍କ ହିତ ପାଇଁ ଆମ ଚିନ୍ତା କାରଣରୁ ଆମ ସରକାର TLP ସାର ଯେଉଁଥିରେ କି ପ୍ରତି ଟନ ମୂଲ୍ୟରେ ଅଢ଼େଇ ହଜାର ଟଙ୍କା ହ୍ରାସ କରିବାରେ ସଫଳ ହୋଇଛୁ । ଏବେ ଜଣେ କୃଷକ 50 କିଲୋଗ୍ରାମ ଓଜନର ବସ୍ତାଟିଏ କିଣିଲେ ତାକୁ 125 ଟଙ୍କା କମ୍ ମୂଲ୍ୟ ଦେବାକୁ ପଡୁଛି । ଏ କାମ ଆମେ କରିପାରିଛୁ । MOP, କୃଷକମାନଙ୍କୁ MOP(ପଟାସ ସାର) ମିଳିବା ଦରକାର । ଏହାର ପ୍ରତି ଟନ ମୂଲ୍ୟରେ 5 ହଜାର ଟଙ୍କା ହ୍ରାସ କରି ଦେଖାଇଛୁ । ଅର୍ଥାତ, ଜଣେ କୃଷକ 50 କିଗ୍ରା ବସ୍ତାରେ ଅଢ଼େଇଶହ ଟଙ୍କା ବଞ୍ଚାଇପାରିବ । ଭାଇ ଓ ଭଉଣୀମାନେ ଏହାର ଦାମ ମିଶ୍ରିତ ସାର NPK ସାରର ପ୍ରତି ଟନ ମୂଲ୍ୟରେ 1 ହଜାର ଟଙ୍କା କମ୍ କରିଛୁ । ଏଥିରେ ବସ୍ତାପିଛା କୃଷକଙ୍କୁ 50 ଟଙ୍କାର ଲାଭ ମିଳୁଛି । କୃଷକଙ୍କୁ ଏଭଳି ରିହାତି କଥା ତ ପୂର୍ବରୁ କୌଣସି ସରକାର ଚିନ୍ତା ସୁଦ୍ଧା କରୁନଥିଲେ । ଏହା ପ୍ରଥମ ସରକାର ଯିଏ ଏଇ ଦିଗରେ ଚିନ୍ତା କରି ତାକୁ ସାକାର କରିଛି ।

ଭାଇ ଓ ଭଉଣୀମାନେ, ଆମେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛୁ । ଯଦି କୃଷକମାନେ ଥରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଯିବେ, ସବୁ ପ୍ରକାର ସଂକଟ ପରିସ୍ଥିତିରେ ତାହା କାମକୁ ଆସିବ । ତାର ପରିବାର ବର୍ଷ ସାରା ଆରାମରେ ବଞ୍ଚିପାରିବ । ଏଭଳି ବ୍ୟବସ୍ଥା ଏହି ଯୋଜନାରେ କରାଯାଇଛି । ପୁଣି ଏହି ବୀମା ଯୋଜନାରେ ସର୍ବନିମ୍ନ ପ୍ରିମିୟମ ଓ ସର୍ବାଧିକ ଲାଭ ବ୍ୟବସ୍ଥା କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠାରୁ କୃଷକମାନଙ୍କ ହିତ ଲାଗି ପ୍ରଥମ ଥର ଏଭଳି ବ୍ୟବସ୍ଥା ହୋଇଛି । ଭାଇମାନେ, ଆଖୁଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ । ମୁଁ ପ୍ରଧାନମନ୍ତ୍ରୀ ହେବା ବେଳକୁ ହଜାର ହଜାର କୋଟି ଟଙ୍କାର ବକେୟା ଥିଲା । ଦୁଇ ବର୍ଷ ଲଗାତାର ମରୁଡି ରହିଲା । କୃଷିକ୍ଷେତ୍ର ଢ଼େର ସମସ୍ୟା ଭିତରେ ରହିଲା । ତାର ପ୍ରଭାବ ସରକାରଙ୍କ ଉପରେ ବି ପଡୁଥିଲା । କିନ୍ତୁ ଏହା ସତ୍ତ୍ୱେ ଆମେ ଗୋଟିଏ ପରେ ଗୋଟିଏ କରି ଏମିତି ପଦକ୍ଷେପ ଗ୍ରହଣ କଲୁ । ଆଖୁଚାଷୀଙ୍କର କେତେ ହଜାର କୋଟି ଟଙ୍କା ବାକିଆ ଅର୍ଥ ଥିଲା । ମୋ କଥା ଧ୍ୟାନପୂର୍ବକ ଶୁଣନ୍ତୁ, ଏବେ ସେଥିରୁ ମାତ୍ର 170, 175, 180 କୋଟି ଟଙ୍କା ବାକି ଅଛି । କାହିଁ ହଜାର-ହଜାର କୋଟି କାହିଁ 175 କୋଟି ଟଙ୍କା । କେବଳ ସେତିକି ନୁହେଁ ସେଥିରୁ ବି ବର୍ତ୍ତମାନ ହିସାବରେ 93% ପୈଠ ସାରିଛୁ ଏବଂ ମୁଁ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରୁଛି ଯଦି ଭାରତ ସରକାର ଏତେ ସାହାଯ୍ୟ କଲେ, ତା ହେଲେ ଅବଶିଷ୍ଟ 7% ଉପରେ କାହିଁକି ରୋକ ଲଗାଇ ବସିଛନ୍ତି । ତାକୁ ବି ପୂରା କରିଦିଅନ୍ତୁ । ଯଥାଶୀଘ୍ର ଶତପ୍ରତିଶତ ପୈଠ ହେବା ଦରକାର ।

ଭାଇ ଓ ଭଉଣୀମାନେ, ଦୁନିଆରେ ଚିନି ଦର କମ ହେଉ, ଅଧିକ ହେଉ, ତାର ପ୍ରତ୍ୟକ୍ଷ ପ୍ରଭାବ ଆମ କୃଷକମାନଙ୍କ ଉପରେ ପଡୁଛି । ଚିନି ସହ ଇଥାନଲ(Ethanol)ର କାମ ବି ଆରମ୍ଭ କରାଯାଇଛି । ଆଖୁରୁ ଚିନି ପ୍ରସ୍ତୁତ ପୂର୍ବରୁ ଇଥାନଲ ବନାଅ, ସରକାର ତାକୁ କିଣିବେ, ତଦ୍ଦ୍ୱାରା ଚିନି ଦର କମ ବେଶୀ ହେଲେ ତଥାପି ଆଖୁଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ଏଭଳି ସ୍ଥାୟୀ ବ୍ୟବସ୍ଥା ସକାଶେ ଆମେ କାମ କରୁଛୁ । ଏଥିସହ ପର୍ଯ୍ୟାବରଣର ବି ସୁରକ୍ଷା କରୁଛୁ । ଆମ ଗାଡି, ଟ୍ରାକ୍ଟର ଆଦିରେ ଇଥାନଲର ବ୍ୟବହାର ହୋଇପାରିବ ସରକାର ଅଧିକୃତ ଭାବେ ଏଥିଲାଗି ଅନୁମତି ପ୍ରଦାନ କରିଛନ୍ତି ।

ଭାଇ ଭଉଣୀମାନେ, କୃଷକମାନଙ୍କୁ କିପରି ସାହାଯ୍ୟ କରାଯାଇପାରିବ, କିପରି ସେମାନଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଅଣାଯିବ, ସେଥିପାଇଁ ଆମେ ସର୍ବଦା ଚେଷ୍ଟିତ । ଏହି ସାର କାରଖାନା କେବଳ କୃଷକଙ୍କ ପାଇଁ ସାର ଉତ୍ପାଦନକାରୀ ଏକ କାରଖାନା ନୁହେଁ ଏହା ଏକ ବଡ ପରିବର୍ତ୍ତନର ବାର୍ତ୍ତାବହ । ଏହି କ୍ଷେତ୍ରରେ ଏକ ଗ୍ୟାସଭିତ୍ତିକ ଅର୍ଥ ବ୍ୟବସ୍ଥାକୁ ଏହା ଜନ୍ମ ଦେବ । ଯେଉଁ ପାଇପଲାଇନ୍ ଜଗଦୀଶପୁରଠାରୁ ହଳଦିଆ ଯାଇଛି, ସେହି ପାଇପଲାଇନକୁ ଏବେ ଗୋରଖପୁର ଏବଂ ପୂର୍ବ ଉତ୍ତର ପ୍ରଦେଶର ଏହି କ୍ଷେତ୍ରକୁ ଗ୍ୟାସ ଆସିବା ଆରମ୍ଭ ହେବ । ଏହି କାରଖାନା ସେଇ ଗ୍ୟାସ ଅଧାରରେ ୟୁରିଆ ଉତ୍ପାଦନ କରିବ । ଏହାର ଖର୍ଚ୍ଚ କମ ହେବ କିନ୍ତୁ ଏ ଗ୍ୟାସ କେବଳ କାରଖାନା ଲାଗି ଉପଲବ୍ଧ ହେବନାହିଁ ।

ଗୋରଖପୁରର ପ୍ରତ୍ୟେକ ପରିବାରଙ୍କ ଘରକୁ ଯେମିତି ପାଇପ୍ ଯୋଗେ ପିଇବା ପାଣି ଆସୁଛି, ସେମିତି ଗ୍ୟାସ ଯୋଗାଇ ଦିଆଯିବ । ଏଇ ଇଲାକାର ମା ଓ ଭଉଣୀମାନେ ମୋତେ ଆଶୀର୍ବାଦ ଦିଅନ୍ତୁ ଯେ ମୁଁ ଆପଣମାନଙ୍କ ଚୂଲା ସହ ଗ୍ୟାସ ସଂଯୋଗ ଲାଗି ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛି । ଯେତେବେଳେ ବିଜୁଳି ମିଳିବ, ଗ୍ୟାସ ମିଳିବ ଏବଂ କାମ କରିବା ଲାଗି ଯୁବଶକ୍ତି ଉପଲବ୍ଧ ହେବ, ସେତେବେଳେ ଉଦ୍ୟୋଗ ସ୍ଥାପନ କରିବାଲାଗି ଲୋକଙ୍କର ଏଠାକୁ ଧାଡି ଲମ୍ବିବ ।

ସମଗ୍ର ଉତ୍ତର ପ୍ରଦେଶରେ ଏବେ ଔଦ୍ୟୋଗିକ ବିପ୍ଳବର ଅୟମାରମ୍ଭ ଘଟୁଛି । ଭାଇ ଓ ଭଉଣୀମାନେ ଏହା କେବଳ ଏକ କାରଖାନାର ଯୋଜନା ନୁହେଁ, ଏକ ବିଜୟ ଯାତ୍ରାର ଆଜି ଶିଳାନ୍ୟାସ ହୋଇଛି । ଏହି ବିଜୟ ଯାତ୍ରା ହେଉଛି ଦାରିଦ୍ର୍ୟ ବିନାଶର ବିଜୟ ଯାତ୍ରା । ବେରୋଜଗାରୀକୁ ଦୂର କରିବାର ବିଜୟ ଯାତ୍ରା । ବିନାଶକୁ ରୋକି ବିକାଶଧାରାକୁ ତ୍ୱରାନ୍ୱିତ କରିବାର ଯାତ୍ରା । ଏହା ସବୁ ପରିବାରକୁ ସୁଖ ଓ ସନ୍ତୋଷ ପହଞ୍ଚାଇବ । ଆଜି ଏଠାରୁ ଏହି ବିଜୟ ଯାତ୍ରାର ଅୟମାରମ୍ଭ ଘଟିଛି ।

ଭାଇ ଓ ଭଉଣୀମାନେ, ଯେତେବେଳେ ଗ୍ୟାସ ଆସୁଛି, ଆର୍ଥିକ ସ୍ଥିତିରେ ତାହା କିଭଳି ପରିବର୍ତ୍ତନ ଆଣୁଛି, ଯେଉଁ ଲୋକମାନଙ୍କୁ ଏହା ଜଣାଅଛି, ସେମାନେ ଆଗାମୀ ସମୟରେ ତାହା ଉଲ୍ଲେଖ କରିବେ ।

ଆଜି ଯେଉଁ ଦ୍ୱିତୀୟ କାର୍ଯ୍ୟଟି ଆମେ କରୁଛୁ ତାହା ହେଲା ଏମ୍ସ ଶିଳାନ୍ୟାସ । ଭାଇ ଓ ଭଉଣୀମାନେ, ହସ୍ପିଟାଲତ ଅନେକ ଅଛି । କିନ୍ତୁ ଭାରତରେ ଏମ୍ସର ଏକ ବିଶେଷ ମାନଦଣ୍ଡ ରହିଛି । ଆପଣମାନେ ମୋତେ କହନ୍ତୁ, ଏମ୍ସ(AIIMS) କେବଳ କଣ ଦିଲ୍ଲୀବାଲାଙ୍କ ପାଇଁ ? ଉତ୍ତରପ୍ରଦେଶର ମୋର ଭାଇଭଉଣୀମାନଙ୍କୁ କଣ ଏମ୍ସ ସୁବିଧା ମିଳିବା ଉଚିତ ନୁହେଁ ? ଏଠାରୁ ଦୂର ଦୂରାନ୍ତରୁ ଲୋକଙ୍କୁ ଦିଲ୍ଲୀ ଯିବାକୁ ପଡୁଛି । ସେମାନଙ୍କୁ ଏଠାରେ ଔଷଧ ଓ ଚିକିତ୍ସା ସୁବିଧା ମିଳିବା ଉଚିତ କି ନୁହେଁ ? ଭାଇ ଓ ଭଉଣୀମାନେ ଏହି ପ୍ରତିଷ୍ଠାନ ପାଇଁ 1000 କୋଟିରୁ ଅଧିକ ଟଙ୍କା ଲାଗିବ । କିନ୍ତୁ 700 ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯିବ । ଏବେ ଆମର ନଡ୍ଡାଜୀ ଓ ଅନୁପ୍ରିୟାଙ୍କ ନେତୃତ୍ୱରେ ଭାରତରେ ଆରୋଗ୍ୟ ଯୋଜନାକୁ ଆଗକୁ ବଢ଼ାଇବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତାହା ମଧ୍ୟରୁ ଗୋଟିଏ ହେଲା ଗୋରଖପୁରଠାରେ ଏମ୍ସ ପ୍ରତିଷ୍ଠା କରିବା ।

ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ନିର୍ବାଚନ ବେଳେ ଆସିଥିଲି ସେତେବେଳେ ମୁଁ ଏଇ କଥା ଉଲ୍ଲେଖ କରିଥିଲି । ଯେତେବେଳେ ମୁଁ ମସ୍ତିଷ୍କ ଜ୍ୱର କଥା ଶୁଣିଥିଲି । ଭାରତରେ ଏହାକୁ ଜାପାନୀ ଜ୍ୱର କହନ୍ତି । କେତେ ପିଲାଙ୍କ ଜୀବନ ଯାଇଛି, ବାଳକବାଳିକା ଦିବ୍ୟାଙ୍ଗ ହୋଇଯାଇଛନ୍ତି, ସେମାନଙ୍କୁ ଆଉ ମରିବାକୁ ଦିଆଯିବ ନାହିଁ । ଏବଂ ମୁଁ ସେତେବେଳେ କହିଥିଲି ବିହାରର ଯେଉଁ ଇଲାକାରେ କଳାଜ୍ୱର ଲୋକଙ୍କୁ ଚିନ୍ତିତ କରିପକାଇଥିଲା, ତା ପଛରେ ଆମେ ଲାଗିଗଲୁ । ଏବେ ସେଇ ଦିଗରେ ସଫଳତାର ସହ ଆଗକୁ ବଢ଼ୁଛୁ । ଏମ୍ସ ମାଧ୍ୟମରେ ଏଠାକାର ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ଏବେ କାର୍ଯ୍ୟହେବ । ତେଣୁ ଏଠାକାର ଲୋକଙ୍କ ଉତ୍ଥାନ ଦରକାର । ବେମାରୀକୁ ଚାହିଁ ଏହାର ଅଧ୍ୟୟନ କରାଯିବ । ପ୍ରତିକାର ବ୍ୟବସ୍ଥା କରାଯିବ । ଏଠାରୁ ଉତ୍ତୀର୍ଣ୍ଣ ଡାକ୍ତରମାନଙ୍କର ସେଇସବୁ ବେମାରୀ ଉପରେ ବିଶେଷ ଜ୍ଞାନ ରହିବ । ତେବେଯାଇ ଏଠାକାର ବେମାର ଲୋକମାନଙ୍କୁ ପ୍ରକୃତ ସାହଯ୍ୟ ମିଳିପାରିବ । ତେଣୁ ଭାଇ ଓ ଭଉଣୀମାନେ, ଏଠାରେ ଯେତେବେଳେ ଏମ୍ସ ଯୋଜନା ଚାଲିଛି, ତାହାକୁ ସାକାର ହେବାକୁ ପଡିବ । ଖୁବ୍ କମ ସମୟ ଭିତରେ ଏହି ପ୍ରକଳ୍ପ ଏତେ ବାଟ ଆଗେଇଛି ।

ଏହି କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ମୁଁ ଆଉ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରି ଏଠାକୁ ଆସିଛି । ଗୋଟିଏ ହେଲା ମହନ୍ତ ଅବୈଦ୍ୟନାଥଙ୍କ ପ୍ରତିମା ଅନାବରଣ, ଯାହା କରିବାର ସୁଯୋଗ ମୋତେ ମିଳିଛି । ଦ୍ୱିତୀୟଟି ହେଉଛି, ଭାରତ ସରକାରଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମ । ଏହି ଦୁଇଟି ସାରିବା ପରେ ମୁଁ ଏଠାରେ ତୃତୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ପହଞ୍ଚିଛି । ଏହାର ବିସ୍ତାରିତ ଚର୍ଚ୍ଚା ମୁଁ ଆପଣମାନଙ୍କ ନିକଟରେ କରୁଛି । କାରଣ ଭାଇ ଓ ଭଉଣୀମାନେ ଏଇ ହଜାର କୋଟି ଟଙ୍କା ପ୍ରକଳ୍ପରୁ ଦରିଦ୍ରରୁ ଦରିଦ୍ରତର ଲୋକଙ୍କୁ ଉପକାର ମିଳିବା ଆବଶ୍ୟକ । ସେଇଥିପାଇଁ ଆମେ ଏକାମ କରୁଛୁ । ମୁଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡାଜୀଙ୍କୁ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟାଜୀଙ୍କୁ ସେମାନଙ୍କର ସବୁ ସାଥୀମାନଙ୍କୁ, ସରକାରୀ ଅଧିକାରୀଗଣଙ୍କୁ ଗୋଟିଏ କଥା ଲାଗି ଅନେକ ଅନେକ ଅଭିନନ୍ଦନ ଦେବାକୁ ଚାହେଁ । ସେମାନେ ଯେଉଁ ଇନ୍ଦ୍ରଧନୁଷ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ମୁଁ ଜାଣେ ଟୀକାକରଣ କାର୍ଯ୍ୟକ୍ରମ ତ ଚାଲିଛି, ଯେଉଁମାନେ ରହିଯାଆନ୍ତି, ସେମାନେ ରହିଯାଆନ୍ତି, ସେମାନଙ୍କୁ ଦେଖିବାକୁ କେହିନଥାଏ । ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଧ୍ୟମରେ ନଡ୍ଡାଜୀ ଓ ଅନୁପ୍ରିୟାଜୀଙ୍କ ନେତୃତ୍ୱରେ ପୁରା ଦେଶରେ ଯେଉଁ ପିଲାମାନେ ଛାଡି ହୋଇଯାଉଛନ୍ତି ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି । ଏଭଳି 50 ଲକ୍ଷ ଲୋକଙ୍କୁ ବସ୍ତି ଓ ପଲ୍ଲୀ ଅଞ୍ଚଳରୁ ଖୋଜି ପାଇବା ବଡ ଜଟିଳ କାର୍ଯ୍ୟ । ଏହା ବହୁତ ବଡ ସେବା ଯଜ୍ଞ ।

ଭାଇ ଓ ଭଉଣୀମାନେ, ଆମକୁ ବିକାଶର ଅନେକ ଶୀର୍ଷ ସୋପାନ ହାସଲ କରିବାକୁ ପଡିବ । କିନ୍ତୁ ଚିକିତ୍ସା ସେବା କ୍ଷେତ୍ରରେ ମୁଁ ଆଜି ଏଠାରେ କହିବାକୁ ଚାହେଁ ଯେ, ଉତ୍ତରପ୍ରଦେଶ ପାଇଁ ଭାରତ ସରକାର ବଜେଟରେ 7000 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହା କିନ୍ତୁ ସାମାନ୍ୟ ପରିମାଣ ନୁହେଁ । କିନ୍ତୁ ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ଏ ପର୍ଯ୍ୟନ୍ତ 7000 କୋଟି ଟଙ୍କା ପ୍ରସ୍ତୁତ ରହିଛି । ସେଥିରେ ଗୋଟିଏ ନିୟମ ଅଛି, ଯେମିତି ଖର୍ଚ୍ଚ କରିବ, ତାର ସବୁ ହିସାବ ଦେବ ଓ ଅର୍ଥ ମିଳି ଚାଲିବ । ଏ ପର୍ଯ୍ୟନ୍ତ ରାଜ୍ୟ ସରକାର 2850 କୋଟି ମାତ୍ର ନେଇ ପାରିଛନ୍ତି । 7000 କୋଟି ଟଙ୍କା ସେମିତି ପଡିଛି । ଏହାକୁ ନେବା ପାଇଁ ଫୁରସତ ନାହିଁ । କାରଣ, କାମ କରିବା ସାମର୍ଥ୍ୟ ତାଙ୍କର ନାହିଁ । ସରକାର ଆପଣମାନଙ୍କ ସ୍ୱାସ୍ଥ୍ୟପାଇଁ କାମ କରିବାକୁ ଅସମର୍ଥ । ଭାରତ ସରକାର ଟଙ୍କା ଦେବା ସତ୍ତ୍ୱେ, କାମ ଅଟକି ରହିଛି । ଏହା ମାନସିକ ବେମାରୀ କି ଅନ୍ୟ ଯେ କୌଣସି ବେମାରୀ ହୋଇପାରେ । ଆପଣଙ୍କୁ କେବେ ବି ସ୍ୱାସ୍ଥ୍ୟସେବା ମିଳିବନି । ଆପଣମାନେ ଯେଉଁ ସରକାର ଦିଲ୍ଲୀରେ ବସାଇଛନ୍ତି, ସେ ଆପଣମାନଙ୍କ ପାଇଁ ଦୌଡୁଛି, ଲକ୍ଷ୍ନୌରେ ବି ଏମିତି ସରକାର ହେବା ଦରକାର ଯିଏ ଆପଣଙ୍କ ଲାଗି ଦୌଡିବ ।

ଭାଇ ଓ ଭଉଣୀମାନେ, ମୋତେ ଆଉ ଗୋଟିଏ କାମ କରିବାକୁ ହେବ । ମୁଁ ମାନୁଛି ଯେ ପୂର୍ବ ଉତ୍ତରପ୍ରଦେଶରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । କୃଷି ବିପ୍ଳବର ସମ୍ଭାବନା ରହିଛି । ଔଦ୍ୟୋଗିକ କ୍ରାନ୍ତିର ସମ୍ଭାବନା ରହିଛି । ଭଗବାନ ବୁଦ୍ଧଙ୍କର ସାରା ବିଶ୍ୱରେ ଅଜସ୍ର ଭକ୍ତ ଅଛନ୍ତି । ସେମାନେ ଏଠାକୁ ଆସିବାକୁ ଚାହାନ୍ତି । ସେଥିପାଇଁ ଭଲ ସଡ଼କ ଆବଶ୍ୟକ । ଭଲ ରେଳ ସଂଯୋଗ ହେବା ଦରକାର । ଉତ୍ତମ ବିମାନସେବା ହେବା ଜରୁରୀ । ଆମେ ବିମାନ ସେବା ଲାଗି ନୂଆ ନୀତି ପ୍ରଣୟନ କରିଛୁ । ଏଥିରେ ଗୋରଖପୁର ଭଳି ଛୋଟ ଛୋଟ ସହରକୁ ବିମାନ ସେବା ଉପଲବ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇବ । ତଦ୍ଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବଢ଼ିବ । ସଡକ ନିର୍ମାଣ ଅଭିଯାନ ଆରମ୍ଭ କରାଯାଇଛି । ସଡକ ନିର୍ମାଣ ଲାଗି 1000 କୋଟି ଟଙ୍କା ବ୍ୟୟ କରାଯାଉଛି । ଯଦି ଏ ଇଲାକାରେ ଭଲ ସଡ଼କ ନିର୍ମାଣ ହେବ, ପର୍ଯ୍ୟଟକମାନେ ସହଜରେ ଏଠାକୁ ଯାତାୟାତ କରିପାରିବେ । ଗରିବରୁ ଗରିବତମ ବ୍ୟକ୍ତିଙ୍କୁ ରୋଜଗାର ମିଳିବ । ଏଥିଲାଗି ପ୍ରଚୁର ଅର୍ଥ ଦରକାର । ଅଟୋ ରିକ୍ସା ବି ରୋଜଗାର କରୁଛି, ଟେକ୍ସିବାଲା, ହୋଟେଲ ମାଲିକ, ଚା ଦୋକାନୀ, ବିସ୍କୁଟ ବିକାଳି, ଫଳଫୁଲ ବିକାଳି, ପ୍ରସାଦ ବିକ୍ରେତା, ଖେଳନା ବିକାଳି ସମସ୍ତେ ଉପାର୍ଜନ କରୁଛନ୍ତି । ସମସ୍ତଙ୍କ ରୋଜଗାର ବୃଦ୍ଧି ପାଇଁ ଆମେ ପର୍ଯ୍ୟଟନ ସହ ଓ ସଡକ ନିର୍ମାଣ ଉପରେ ଗୁରୁତ୍ୱ ଦେଉଛୁ । ସୋନାଲୀଠାରୁ ଗୋରଖପୁର, ଜାତୀୟ ରାଜପଥ ପାଇଁ 570 କୋଟି ଟଙ୍କା, ଭାରତ-ନେପାଳ ସୀମାର ରାଜୌରୀ ପର୍ଯ୍ୟନ୍ତ 550 କୋଟି ଟଙ୍କା, ଗୋରଖପୁର-ବାରଣାସୀ ଚାରିଲେନ ଲାଗି 650 କୋଟି ଟଙ୍କା ମଞ୍ଜୁର ହୋଇଛି । ଭାଇ ଓ ଭଉଣୀମାନେ, ଗାଁ ସଡ଼କ ନିର୍ମାଣ ଲାଗି ଅଲଗା ଅର୍ଥ ମଞ୍ଜୁର ହୋଇଛି । ପୁଣି ରେଳବାଇ କଥା ତ ଆପଣମାନେ ଦେଖୁଛନ୍ତି । କେତେ ଦ୍ରୁତ ଗତିରେ କାମ ଚାଲିଛି ।

ଭାଇ ଓ ଭଉଣୀମାନେ, ଆମେ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ଦ୍ୱିତୀୟ ମହତ୍ୱପୂର୍ଣ୍ଣ କାର୍ଯ୍ୟଟି ବିଷୟରେ ଏବେ ପୀୟୁଷଜୀ କହୁଥିଲେ । ଦେଶ ସ୍ୱାଧୀନ ହେବାର 70 ବର୍ଷ ପୂରଣ ହେବାକୁ ଯାଉଛି । ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନତାର 70 ତମ ବାର୍ଷିକୀ ପାଳନ କରାଯିବ । କିନ୍ତୁ ଭାଇ ଓ ଭଉଣୀମାନେ, ମୁଁ ଗୋଟିଏ ଦିନ ହିସାବ କରୁଥିଲି 18,500 ଗାଁ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ସୁଦ୍ଧା ବିଜୁଳି ଦେଖିନଥିଲେ । ବିଜୁଳି ଖୁମ୍ବଟିଏ ବି ସେଠାରେ ପୋତା ହୋଇନଥିଲା । କିଛି ଦିନ ପୂର୍ବରୁ ମୁଁ ହିସାବକିତାବ ମାଗିଲି । ଅଧିକାରୀମାନେ କହିଲେ 18,500 ଗାଁକୁ ବିଜୁଳି ଯୋଗାଇବାକୁ ସାତ ବର୍ଷ ଲାଗିବ । ମୁଁ କହିଲି ଭାଇ ଇଏ ମୋଦୀ, ସିଢ଼ି ବି ଚଢ଼ିଲା ବେଳେ ଦୌଡିଦୌଡି ଚଢ଼େ । ସାତ ବର୍ଷ କାହିଁକି ଲାଗିବ ? ମୁଁ ଦିନେ ଲାଲକିଲା ଠାରୁ କହିଦେଇଛି, ମୋତେ ହଜାର ଦିନ ଭିତରେ ଏ କାମ ପୂରା କରିବାକୁ ହେବ । ଏବେ 340 ଦିନରେ ପହଞ୍ଚିଛୁ । ଏବେ ମୁଁ ଗର୍ବର ସହ କହିପାରେ ଯେ 9 ହଜାର 33 ଗାଁକୁ ବିଜୁଳି ପହଞ୍ଚି ସାରିଛି ।

ଭାଇ ଓ ଭଉଣୀମାନେ, ଉତ୍ତରପ୍ରଦେଶର ବି 1529 ଗାଁ ଏପରି ଥିଲା ଯିଏ ଅଷ୍ଟାଦଶ ଶତାବ୍ଦୀରେ ବଞ୍ଚୁଥିଲା । ବିଜୁଳି କଣ ସେକଥା ସେମାନଙ୍କୁ ଜଣା ସୁଦ୍ଧା ନଥିଲା । ସେଇ 1529 ଗାଁକୁ ଖୋଜି ଆମେ ସେଠାରେ ବିଜୁଳି ପହଞ୍ଚାଇବା ଦାୟିତ୍ୱ କାନ୍ଧକୁ ନେଇଛୁ । ଆଜି ସନ୍ତୁଷ୍ଟିର ସହ ମୁଁ କହିପାରେ ଯେ 340 ଦିନରେ ସେଥିରୁ ମାତ୍ର 175 ଗାଁ ବଳକା ଅଛି । ଖୁବ୍ ଶୀଘ୍ର ସେଗୁଡିକୁ ବି ବିଜୁଳି ପହଞ୍ଚିବ ।

ଭାଇ ଓ ଭଉଣୀମାନେ, ଉତ୍ତରପ୍ରଦେଶ ମୋତେ ଏତେ ଦେଇଛି ଯେ ମୁଁ ସେ ଋଣ ଶୁଝିବା ଲାଗି ଦିନ ରାତି ଲାଗିଛି । ଦିନରାତି କାମ କରୁଛି ।

ଭାଇ ଓ ଭଉଣୀମାନେ, ପାରିବାରିକ ରାଜନୀତି ଢ଼େର ହୋଇଗଲା । ଜାତିବାଦ ରାଜନୀତି ବି ହୋଇଗଲା । ନିଜ-ପର ରାଜନୀତି ବି ବେଶ ଖେଳାଗଲା । ସମସ୍ତଙ୍କ ଝୁଲି ଭରିବା ଆପଣମାନେ ଦେଖିଛନ୍ତି । କିନ୍ତୁ ଆପଣଙ୍କ ଥାଳ ଭରୁଛି କି ? ଯୁବକମାନଙ୍କ ଥାଳ ଭରିଛି କି ? କୃଷକଙ୍କ ମଙ୍ଗଳ ହୋଇଛି କି ? ଭାଇ ଓ ଭଉଣୀମାନେ, ଏବେ ସମୟ ଆସିଛି, ଚିନ୍ତା କରନ୍ତୁ ମୋର ଯୁବବନ୍ଧୁଗଣ, ଏ ଜାତିବାଦର ଜହର, ପରିବାରବାଦର ଖେଳ, ଉତ୍ତରପ୍ରଦେଶର ହିତ ସାଧନ କରିବ ନାହିଁ । ଆପଣମାନଙ୍କର ବି ମଙ୍ଗଳ କରିବ ନାହିଁ । କେବଳ ବିକାଶବାଦ ହିଁ ଆପଣଙ୍କ ମଙ୍ଗଳ କରିବ । ବିକାଶର ରାଜନୀତି ହିତସାଧନ କରିବ । ତେଣୁ ଏହି ବିକାଶ ଯାତ୍ରାରେ ସାମିଲ ହେବାକୁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ମୁଁ ଆସିଛି । ଆସନ୍ତୁ, ଆପଣମାନେ ଯେମିତି ମୋତେ ଆଶୀର୍ବାଦ ଦେଇଛନ୍ତି, ଆଗମୀ ଦିନରେ ସେମିତି ଆଶୀର୍ବାଦ ଦେଇଚାଲନ୍ତୁ । ଆମେ ଆପଣଙ୍କ ସ୍ୱପ୍ନ ସାକାର କରିଚାଲିବୁ। ଏଇ କଥା ସହ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ । ଧନ୍ୟବାଦ ଦେଉଛି ।