Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରାମାଞ୍ଚଳ ବିଦ୍ୟୁତକରଣ, ସୌଭାଗ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


2014 ମସିହା ପରେ ଦେଶବ୍ୟାପୀ ବିଦ୍ୟୁତକରଣ ହୋଇଥିବା ଗ୍ରାମଗୁଡ଼ିକର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ଭିଡିଓ ବ୍ରିଜ୍ କାର୍ଯ୍ୟକ୍ରମ ଜରିଆରେ ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ – ‘ସୌଭାଗ୍ୟ’ ଯୋଜନାର ହିତାଧିକାରୀମାନଙ୍କ ସହ କଥା ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ଶୃଙ୍ଖଳାର ଏହା ଥିଲା ଦଶମ ପର୍ଯ୍ୟାୟ ।

ନିକଟରେ ବିଦ୍ୟୁତକରଣ ହୋଇଥିବା 18 ହଜାର ଗ୍ରାମର ଲୋକଙ୍କ ସହ ବାର୍ତାଳାପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ଅନ୍ଧାର ଦେଖି ନଥିବା ଲୋକମାନେ ଆଲୋକସଜ୍ଜାର ଅର୍ଥ ବୁଝି ପାରିବେନି । ଅନ୍ଧାର ମଧ୍ୟରେ ଯେଉଁମାନେ ଜୀବନ କାଟି ନଥିବେ ସେମାନେ ଆଲୋକର ମୂଲ୍ୟ ବୁଝିବାକୁ ଅସମର୍ଥ’ ।

ଭାବ ବିନିମୟ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ହଜାର ହଜାର ଗ୍ରାମରେ ବିଦ୍ୟୁତକରଣ ହୋଇପାରିଛି । ପୂର୍ବ ସରକାର ଭଳି ମିଥ୍ୟା ପ୍ରତିଶ୍ରୁତି ଦେବା ବଦଳରେ ବର୍ତମାନର ସରକାର ଗ୍ରାମଗୁଡ଼ିକରେ ବିଦ୍ୟୁତକରଣ କରୁଛି । କେବଳ ବିଦ୍ୟୁତକରଣ ନୁହେଁ, ବରଂ ଦେଶବ୍ୟାପୀ ବିଦ୍ୟୁତ ବଂଟନ ବ୍ୟବସ୍ଥା ପ୍ରତି ମଧ୍ୟ ସରକାର ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ବିଦ୍ୟୁତକରଣ ହୋଇ ନଥିବା ଏହି 18 ହଜାର ଗ୍ରାମ ଗତ 4 ବର୍ଷ ମଧ୍ୟରେ ଆଲୋକ ଦେଖିଛି । ଏପ୍ରିଲ 28, 2018ରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଲେଇସିଙ୍ଗ ଗ୍ରାମ ଶେଷ ଗ୍ରାମ ଭାବେ ବିଦ୍ୟୁତକରଣ ହୋଇଛି । ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି 18 ହଜାର ଗ୍ରାମରେ ବିଦ୍ୟୁତକରଣ କରିବା କଷ୍ଟକର ଥିଲା, କାରଣ ଅନେକ ଦୁର୍ଗମ, ପାହାଡ଼ିଆ ଏବଂ ଖରାପ ଯୋଗାଯୋଗ ଅଂଚଳରେ ଥିଲା । ସେ କହିଥିଲେ ଯେ, ସମସ୍ତ ସମସ୍ୟା ସତ୍ୱେ ଗ୍ରାମଗୁଡ଼ିକୁ ବିଦ୍ୟୁତକରଣ କରିବା ଦିଗରେ ଏକ ଉତ୍ସର୍ଗୀକୃତ ଟିମ୍ କାର୍ଯ୍ୟ କରିଥିଲେ ଏବଂ ସଫଳତା ହାସଲ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତର ସ୍ଥିତି ବଦଳାଇବାରେ ସରକାର ସଫଳ ହୋଇଛନ୍ତି । ବିଦ୍ୟୁତକରଣ ହୋଇଥିବା 18 ହଜାର ଗ୍ରାମରୁ 14,582 ପୂର୍ବ ଭାରତର ଏବଂ 5790 ଉତ୍ତର-ପୂର୍ବର । ସେ କହିଥିଲେ ଯେ, ପୂର୍ବ ଭାରତର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏବେ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ଦ୍ୱାରା ପୂର୍ବ ଭାରତ ଦେଶର ବିକାଶ ଯାତ୍ରାରେ ଏବେ ବୃହତର ଭୂମିକା ଗ୍ରହଣ କରିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ପ୍ରତ୍ୟେକ ଘରକୁ ବିଜୁଳି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ । ଏହି ଯୋଜନାରେ ଏ ପର୍ଯ୍ୟନ୍ତ 86 ଲକ୍ଷରୁ ଅଧିକ ପରିବାରଙ୍କୁ ବିଜୁଳି ଆଲୋକ ଯୋଗାଇ ଦିଆଯାଇପାରିଛି । ଯୋଜନାର ସଫଳତା ବଢ଼ି ଚାଲିଛି ଏବଂ ପ୍ରାୟ 4 କୋଟି ପରିବାରକୁ ବିଜୁଳି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ ବେଳେ ହିତାଧିକାରୀମାନେ କହିଥିଲେ, ବିଜୁଳି ଆଲୋକ ସେମାନଙ୍କ ଜୀବନରେ ସବୁ ଦିନ ପାଇଁ ପରିବର୍ତ୍ତନ ଆଣିପାରିଛି । ସୂର୍ଯ୍ୟାସ୍ତ ପୂର୍ବରୁ ତରବରରେ କାମ ସାରି ସନ୍ଧ୍ୟାରେ କିରାସିନି ଆଲୋକରେ ପିଲାମାନଙ୍କୁ ପଢ଼ିବାକୁ ବାଧ୍ୟ କରିବା, ବିଦ୍ୟୁତକରଣ ପରେ ତାହା ଆଉ ଆବଶ୍ୟକ ପଡ଼ୁନାହିଁ । ଅନେକ ହିତାଧିକାରୀ କହିଥିଲେ ଯେ ସେମାନଙ୍କ ଜୀବନରେ ସାମଗ୍ରିକ ବିକାଶ ଆସିପାରିଛି । ସେମାନଙ୍କ ଘରେ ବିଜୁଳି ଆଲୋକ ପହଂଚାଇଥିବାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

***