Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଘୋଘା, ଦହେଜ୍ ମଧ୍ୟରେ ନୌ-ସେବା ଉଦ୍ଘାଟନ ସହ ପ୍ରଥମ ନୌଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଘୋଘା ଏବଂ ଦହେଜ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌକା ଚଳାଚଳ ସେବାର ଶୁଭାରମ୍ଭ କରିଛନ୍ତି । ଏହି ସେବା ସୌରାଷ୍ଟ୍ରର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ୍ ମଧ୍ୟରେ ଯାତ୍ରା ସମୟ ପାଖାପାଖି 8 ଘଣ୍ଟାରୁ ଏକ ଘଣ୍ଟାକୁ ହ୍ରାସ ପାଇବ । ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରାଯିବା ସହିତ ଯାତ୍ରୀମାନେ ନୌ-ପରିବହନ ସେବାର ସୁବିଧା ପାଇଛନ୍ତି । ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ଫେରୀ-ସେବା ଯୋଗେ ଯାତ୍ରୀ ଏବଂ ମୋଟରଗାଡି ମଧ୍ୟ ପରିବହନ କରାଯାଇପାରିବ ।

ଶ୍ରୀ ଭାବନଗର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡର ସର୍ବୋତ୍ତମ ଗୋଖାଦ୍ୟ ପ୍ଲାଣ୍ଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟକ୍ତିଗତ ଭାବେ ଗୁଜରାଟରେ ପହଂଚି ରାଜ୍ୟବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଉଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି । ସେ କହିଥିଲେ ଯେ ଘୋଘା ଏବଂ ଦହେଜ୍ ମଧ୍ୟରେ ଚଳାଚଳ ଆରମ୍ଭ କରିଥିବା ଏହି ନୌସେବା ସାରା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ପାଇଁ ଏପରି ସେବା ଆରମ୍ଭ ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ।

ସେ କହିଥିଲେ ଯେ, ନଦୀ ଏବଂ ସାମୁଦ୍ରିକ ବାଣିଜ୍ୟର ଗୁରୁତ୍ୱ ମାନବ ସଭ୍ୟତାର ଇତିହାସରେ ପ୍ରତିଫଳିତ ହୋଇଥାଏ । ଗୁଜରାଟ ହେଉଛି ସିନ୍ଧୁ ସଭ୍ୟତାର ପ୍ରାଚୀନ ସହର ଲୋଥାଲ(Lothal)ର ଭୂମି; ଏହା ଆମେ କିପରି ଭୁଲିପାରିବା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଆମ ଗୌରବମୟ ଅତୀତ ଜୀବନ୍ତ ହୋଇପାରିବ ଏବଂ ସୌରାଷ୍ଟ୍ରକୁ ଦକ୍ଷିଣ ଗୁଜରାଟ ସହ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି ଅଂଚଳର ଲୋକମାନେ ନିୟମିତ ଭାବେ ଉଭୟ ପାର୍ଶ୍ଵକୁ ଯାତାୟାତ କରିଥାନ୍ତି; ତେଣୁ ଏହି ନୌସେବା ଦ୍ୱାରା ସେମାନେ ଅଧିକରୁ ଅଧିକ ସମୟ ଏବଂ ଇନ୍ଧନ ବଂଚାଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ ଗୁଜରାଟର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସେ କହିଥିଲେ ଯେ ଗୁଜରାଟରେ ଏକ ବଡ଼ ଉପକୂଳ ରହିଛି ଏବଂ ଆମେ ଏଥିରେ ଥିବା ସମ୍ଭାବନାର ଉପଯୋଗ କରିବା ଉଚିତ । ଉପକୂଳ ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଏହି ନୌସେବା କେବଳ ଏହି ଗୋଟିଏ ମାର୍ଗରେ ଚଳାଚଳ କରିବାରେ ସୀମିତ ରହିବ ନାହିଁ, ଅନ୍ୟସ୍ଥାନକୁ ମଧ୍ୟ ନୌସେବା ଆରମ୍ଭ କରାଯିବ ବୋଲି ସେ କହିଥିଲେ । ପରିବହନ କ୍ଷେତ୍ରର ଏକୀକରଣ ଏବଂ ଅତ୍ୟାଧୁନିକୀକରଣ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଘୋଘାରୁ ଦହେଜ ଅଭିମୁଖେ ଆରମ୍ଭ ହୋଇଥିବା ପ୍ରଥମ ନୌଯାତ୍ରାରେ ଭ୍ରମଣ କରିଥିଲେ । ଏହି ଅବସରରେ ତାଙ୍କୁ ଯାତ୍ରୀବାହୀ ଜାହାଜ ବିଷୟରେ ଅବଗତ କରାଯାଇଥିଲା । ଜାହାଜରେ ଥିବା ଦିବ୍ୟାଙ୍ଗ ପିଲାଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ ।

ଦହେଜ ଠାରେ ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧି ପାଇଁ ବନ୍ଦର ନିର୍ମାଣ କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ଭାରତରେ ଉନ୍ନତ ବନ୍ଦର ଏବଂ ଅଧିକ ବନ୍ଦରର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ସଠିକ୍ ଯୋଗାଯୋଗ ନଥିଲେ ଦେଶର ଅର୍ଥନୈତିକ ବିକାଶ ଧିମେଇ ଯିବ । ସରକାର ବନ୍ଦର ଭିତ୍ତିଭୂମି ପ୍ରତି ଗୁରୁରତ୍ୱାରୋପ କରୁଥିବା ସେ କହିଥିଲେ ।

ସରକାର ନୀଳ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛନ୍ତି, ଏହା ନୂତନ ଭାରତର ଏକ ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

**********