ପିଏମଇଣ୍ଡିଆ
• ବ୍ରିକ୍ସ ରେଟିଂ ଏଜେନ୍ସୀ ପ୍ରତିଷ୍ଠା ପାଇଁ ଯଥାଶୀଘ୍ର ମାର୍ଗଚିତ୍ର ପ୍ରସ୍ତୁତ କରିବାକୁ ଆହ୍ୱାନ
• ଆନ୍ତର୍ଜାତିକ ସୌର ମେଣ୍ଟ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ବ୍ରିକ୍ସ ସଦସ୍ୟମାନଙ୍କୁ ନିବେଦନ
• ନବସୃଜନ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସୁଦୃଢ଼ ବ୍ରିକ୍ସ ଭାଗିଦାରୀ ଉପରେ ଗୁରୁତ୍ୱ
• ବ୍ରିକ୍ସ ଏବଂ ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ଯୁବଶକ୍ତିର ଦକ୍ଷତା ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ମହାମହିମ
ରାଷ୍ଟ୍ରପତି ଜି ଜିନପିଙ୍ଗ,
ରାଷ୍ଟ୍ରପତି ଜାକବ ଜୁମା,
ରାଷ୍ଟ୍ରପତି ମିଚେଲ ତେମେର,
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,
ପ୍ରଥମେ ମୁଁ ଏହି ସମ୍ମିଳନୀର ଭବ୍ୟ ଆୟୋଜନ ଏବଂ ଉତ୍ସାହପୂର୍ଣ୍ଣ ସ୍ୱାଗତ ପାଇଁ ରାଷ୍ଟ୍ରପତି ଜି’ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଅଧିବେଶନର ସୀମିତ ସମୟରେ ଆମର ଆଲୋଚନା ଗଠନମୂଳକ ରହିଥିଲା । ଏହା ଆମର ପାରସ୍ପରିକ ବୁଝାମଣା ଏବଂ ଆଭିମୁଖ୍ୟରେ ସମୃଦ୍ଧ ଥିଲା । ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତିଷ୍ଠା ହେବା ପରେ, ବ୍ରିକ୍ସ ସଦସ୍ୟଙ୍କ ମଧ୍ୟରେ ସହଯୋଗ ପାଇଁ ଏକ ମଜଭୂତ ଢାଂଚା ପ୍ରସ୍ତୁତ କରିଛି । ଅନିଶ୍ଚିତତାର ବିଶ୍ୱରେ ଆମେ ସ୍ଥିରତା ଏବଂ ଅଭିବୃଦ୍ଧି ପାଇଁ ଯୋଗଦାନ ଦେଉଛୁ । ଆମ ସହଯୋଗର ଭିତ୍ତି ବାଣିଜ୍ୟ ଏବଂ ଅର୍ଥବ୍ୟବସ୍ଥା ଉପରେ ପର୍ଯ୍ୟବସିତ, କିନ୍ତୁ ଆଜି ଆମର ପ୍ରୟାସ ବିଭିନ୍ନ କ୍ଷେତ୍ର ଯେପରିକି ପ୍ରଯୁକ୍ତି, ପରମ୍ପରା, ସଂସ୍କୃତି, ପରିବେଶ, ଶକ୍ତି, କ୍ରୀଡ଼ା ଏବଂ ଆଇସିଟି କ୍ଷେତ୍ରକୁ ଛୁଇଁଛି । ବ୍ରିକ୍ସ ରାଷ୍ଟ୍ରଗୁଡ଼ିକରେ ଭିତ୍ତିଭୂମି ବିକାଶ ଏବଂ ସାମଗ୍ରୀକ ଅଭିବୃଦ୍ଧି ନିମନ୍ତେ ସମ୍ବଳ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ନୂଆ ବିକାଶ ବ୍ୟାଙ୍କ ଋଣ ପ୍ରଦାନ କରିବା ଆରମ୍ଭ କରିଛି । ଏହିପରି ଏକ ସମୟରେ, ଆମର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ତ୍ୱରିତ ରିଜର୍ଭ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସଂଚାଳନ କରିବା ଲାଗି ପଦକ୍ଷେପ ନେଇଛି । ପ୍ରଗତିର ଏହିପରି ମାଇଲଖୁଂଟ୍ ଆମେ ନିର୍ମାଣ କରିପାରିବା । ଆଗକୁ ଦେଖିଲେ, ଆମ ଯାତ୍ରାର କେନ୍ଦ୍ରସ୍ଥଳୀରେ ଆମ ଲୋକମାନେ ରହିବା ଗୁରୁତ୍ୱପୂର୍ଣ୍ଣ । ଏହା ଉଲ୍ଲେଖ କରି ମୁଁ ଆନନ୍ଦିତ ଯେ ଗତବର୍ଷ ଠାରୁ ଚୀନ ଜନ-ଜନ ସମ୍ପର୍କ ବୃଦ୍ଧି ଓ ମତ ବିନିମୟ ଉପରେ ଗୁରୁତ୍ୱ ଦେଇଛି । ଏ ପ୍ରକାରର ମତବିନିମୟ ଦ୍ୱାରା ଆମର ସମ୍ପର୍କ ଆହୁରି ମଜଭୂତ ହେବ ଏବଂ ଆମ ବୁଝାମଣାକୁ ଆହୁରି ସୁଦୃଢ଼ କରିବ ।
ମହାମହିମ,
ଭାରତର ନିଜସ୍ୱ ରୂପାନ୍ତରଣକାରୀ ଦୂରଗାମୀ ଯାତ୍ରା ଆମର ଲୋକମାନଙ୍କୁ ସମ୍ମାନଜନକ ସ୍ଥାନ ଦେଇଛି । ଦାରିଦ୍ର୍ୟ ଦୂରୀକରଣ; ସ୍ୱାସ୍ଥ୍ୟସେବାରେ ଉନ୍ନତି, ପରିମଳ, ଖାଦ୍ୟ ସୁରକ୍ଷା, ଲିଙ୍ଗଗତ ସମାନତା, ଶକ୍ତି, ଶିକ୍ଷା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ସ୍ୱଚ୍ଛ ଗଙ୍ଗା, ନବୀକରଣ ଶକ୍ତି, ଡିଜିଟାଲ୍ ଇଣ୍ଡିଆ, ସ୍ମାର୍ଟ ସିଟି, ସମସ୍ତଙ୍କ ପାଇଁ ଆବାସ ଏବଂ ସ୍କିଲ୍ ଇଣ୍ଡିଆ ଆଦି ଆମର ଜାତୀୟ କାର୍ଯ୍ୟକ୍ରମ ସ୍ୱଚ୍ଛ, ସବୁଜ ଏବଂ ସାମଗ୍ରୀକ ବିକାଶ ଉପରେ ଆଧାରିତ । ଏହା ଆମର 800 ନିୟୁତ ଯୁବକଯୁବତୀଙ୍କ ସୃଜନାତ୍ମକ ଶକ୍ତିକୁ ମଧ୍ୟ ଦୋହନ କରୁଛି । ଆମର ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମଗୁଡ଼ିକ ବହୁମୁଖୀ ଫଳପ୍ରଦାନ କରୁଛି ଯାହା ରାଷ୍ଟ୍ରନିର୍ମାଣରେ ନାରୀମାନଙ୍କୁ ମୁଖ୍ୟସ୍ରୋତକୁ ଆଣିପାରିଛି । ଆମେ ମଧ୍ୟ କଳାଧନ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ ଆଗେଇ ନେଉଛୁ । ଆହୁରି ଆଗକୁ ଯାଇ, ଆମ ଜାତୀୟ ଅଭିଜ୍ଞତାର ଏହି ଲମ୍ଫକୁ ଉପଯୋଗ କରି, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଫଳାଫଳ ପାଇଁ ସେମାନଙ୍କ ଭାଗିଦାରୀକୁ ଆହୁରି ଗଭୀର କରିପାରିବେ । ଆମର ଆପୋଷ ସହଯୋଗକୁ ଆହୁରି ଉନ୍ନତ କରିବା ଲାଗି ମୋ ମସ୍ତିଷ୍କକୁ ଏକ ଉପାୟ ଜୁଟିଛି । ପ୍ରଥମରେ, ଗତ ବର୍ଷ ଆମେ ବ୍ରିକ୍ସ ରେଟିଂ ଏଜେନ୍ସି ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବା ଲାଗି ସହମତ ହୋଇଥିଲୁ । ଏପରି ଏଜେନ୍ସି ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ଗଢ଼ାଯାଇଥିଲା । ମୁଁ ଅନୁରୋଧ କରିବି ଯେ ଏହାର ଗଠନ ପାଇଁ ଯଥାଶୀଘ୍ର ଏକ ମାର୍ଗଚିତ୍ର ପ୍ରସ୍ତୁତ କରାଯିବା ଆବଶ୍ୟକ । ଦ୍ୱିତୀୟରେ, ଆମର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ନିଜ କ୍ଷମତା ବୃଦ୍ଧି କରିବା ଉଚିତ ଏବଂ ତ୍ୱରିତ ରିଜର୍ଭ ବ୍ୟବସ୍ଥା ଓ ଆଇଏମଏଫ ମଧ୍ୟରେ ଆପୋଷ ସହଯୋଗକୁ ପ୍ରୋତ୍ସାହନ ଦେବା ଉଚିତ । ତୃତୀୟରେ ଶକ୍ତିର ସୁଲଭ, ଭରସାଯୋଗ୍ୟ ଏବଂ ସ୍ଥିରତା ପ୍ରାପ୍ତି ଆମ ରାଷ୍ଟ୍ରଗୁଡ଼ିକର ବିକାଶ ପାଇଁ ମହତ୍ୱପୂର୍ଣ୍ଣ । ଜଳବାୟୁ ଅନୁକୂଳ ବିକାଶ ଆମକୁ ଆମ ଉପଲବ୍ଧ ସମ୍ବଳର ସଦୁପଯୋଗ କରବା ଲାଗି ଆହ୍ୱାନ କରୁଛି । ଅନେକ କ୍ଷେତ୍ରରେ ଅକ୍ଷୟ ଶକ୍ତି ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହାକୁ ବିବେଚନା କରି ଭାରତ, ଫ୍ରାନ୍ସ ସହିତ ମିଶି ଏକ ବୃହତ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍ଏ)-2015 ଗଠନ କରିଛି । ଏହା ମଧ୍ୟ ଆପୋଷ ଲାଭ ପାଇଁ ବ୍ୟାପକ ସୌର ଶକ୍ତି ବ୍ୟବହାର କରିବା ଲାଗି 121 ରାଷ୍ଟ୍ରକୁ ଏକତ୍ର କରିପାରିଛି । ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସୌର ଶକ୍ତି ଏଜେଣ୍ଡାକୁ ସୁଦୃଢ଼ କରିବା ଲାଗି ଆଇଏସ୍ଏ ସହିତ ନିବିଡ଼ ଭାବେ କାର୍ଯ୍ୟ କରିପାରିବେ ।
ଆମର ପାଞ୍ଚଟି ରାଷ୍ଟ୍ର ପାଖରେ ନବୀକରଣ ଏବଂ ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ସହଯୋଗୀ ଦକ୍ଷତା ଏବଂ ସାମର୍ଥ୍ୟ ରହିଛି । ଏନଡିବି ମଧ୍ୟ ଆଇଏସ୍ଏ ସହିତ ଏକ ପ୍ରଭାବୀ ସମ୍ପର୍କ ପ୍ରତିଷ୍ଠା କରି ଏ ଦିଗରେ ସହାୟତା କରିପାରିବେ । ଆମେ ଅଧିକ ସ୍ୱଚ୍ଛ ଶକ୍ତି ପାଣ୍ଠି ଯୋଗାଣ ପାଇଁ ଆଶା କରୁଛୁ, ବିଶେଷ କରି ସୌର ଶକ୍ତି କ୍ଷେତ୍ରରେ, ଏନଡିବି ଠାରୁ । ଚତୁର୍ଥରେ ଆମ ଦେଶଗୁଡ଼ିକରେ ବୃହତ ଯୁବ ଜନସଂଖ୍ୟା ଅଛନ୍ତି । ଆମର ଉପକ୍ରମଗୁଡ଼ିକରେ ଯଥାସମ୍ଭବ ଯୁବକମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାର ଆବଶ୍ୟକତା ରହିଛି । ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଶ୍ରେଷ୍ଠ ଅଭ୍ୟାସର ଆଦାନପ୍ରଦାନ କରିବା ଏକ ମୂଲ୍ୟବାନ ସାଧାନ ହେବ । ପଞ୍ଚମରେ, ଗତବର୍ଷ ଅନୁଷ୍ଠିତ ଗୋଆ ସମ୍ମିଳନୀରେ ଆମ ସହରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଆମେ ସ୍ମାର୍ଟ ସିଟି, ସହରବିକାଶ ଏବଂ ବିପର୍ଯ୍ୟୟ-ପରିଚାଳନା ପ୍ରସଙ୍ଗରେ ଭାବ ବିନିମୟ କରିଥିଲୁ । ଏ କ୍ଷେତ୍ରରେ ଆହୁରି ଆଗେଇ ଯିବାର ଆବଶ୍ୟକତା ରହିଛି । ଷଷ୍ଠରେ, ପ୍ରଯୁକ୍ତି ଏବଂ ନବସୃଜନ ଆଦି ପରବର୍ତ୍ତୀ ପିଢ଼ିର ଜାଗତିକ ଅଭିବୃଦ୍ଧି ଏବଂ ରୂପାନ୍ତରଣର ଆଧାର । ଦୁର୍ନୀତି ଏବଂ ଦାରିଦ୍ର୍ୟ ବିରୋଧୀ ଲଢ଼େଇରେ ପ୍ରଯୁକ୍ତି ଏବଂ ଡିଜିଟାଲ ସମ୍ବଳ ଶକ୍ତିଶାଳୀ ଅସ୍ତ୍ର ବୋଲି ଭାରତ ଅନୁଭବ କରିପାରିଛି । ନବସୃଜନ ଏବଂ ଡିଜିଟାଲ୍ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଏକ ସୁଦୃଢ଼ ବ୍ରିକ୍ସ ଭାଗିଦାରୀ ଆମର ଅଭିବୃଦ୍ଧିକୁ ଆହୁରି ଉପରକୁ ନେଇପାରିବ, ପାରଦର୍ଶିତାକୁ ପ୍ରୋତ୍ସାହନ ଦେବ ଏବଂ ସାମଗ୍ରୀକ ଅଭିବୃଦ୍ଧି ଲକ୍ଷ୍ୟ ହାସଲରେ ସହାୟକ ହେବ । ଘରୋଇ ଭାଗିଦାରୀତା ସହିତ ବ୍ରିକ୍ସ ଫ୍ରେମୱାର୍କ ଅଧୀନରେ ଏକ ସହଯୋଗିତାପୂର୍ଣ୍ଣ ପାଇଲଟ କାର୍ଯ୍ୟକ୍ରମ ଦିଗରେ ବିବେଚନା କରିବା ଲାଗି ମୁଁ ପରାମର୍ଶ ଦେବି । ଶେଷରେ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ବିନିର୍ମାଣ ଏବଂ ଯୋଗାଯୋଗ ଆଦି କ୍ଷେତ୍ରରେ ବ୍ରିକ୍ସ ଏବଂ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ସହ ମିଶି ଦକ୍ଷତା ବିକାଶ ଲାଗି ଅଧିକ ଲକ୍ଷ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ଲାଗି ଭାରତ ବିଶେଷ ଆଗ୍ରହୀ ।
ମହାମହିମ,
ଗତ ଦଶନ୍ଦୀରେ, ଆମ ଦେଶଗୁଡ଼ିକର ଦୁଇ ପିଢ଼ିର ନେତା ବ୍ରିକ୍ସ ପ୍ରତିଷ୍ଠା ଏବଂ ଉତ୍ଥାନ ପାଇଁ ଯୋଗଦାନ ଦେଇଥିଲେ । ଆମେ ବିଶ୍ୱସନୀୟତା ହାସଲ କରିଛୁ, ସଶକ୍ତ ପ୍ରଭାବ ପ୍ରତିଷ୍ଠା କରିଛୁ ଏବଂ ବିକାଶକୁ ପ୍ରୋତ୍ସାହନ ଦେଇଛୁ । ଏବେ, ପରବର୍ତ୍ତୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏପରି ଏକ ପରିସ୍ଥିତି, ଯେତେବେଳେ ଆମେ ସ୍ଥିରତା, ସାମଗ୍ରୀକ ବିକାଶ ଏବଂ ସମୃଦ୍ଧି ଆଶା କରୁଛୁ । ଆମେ ବ୍ରିକ୍ସରେ ଏହିସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଏଜେଣ୍ଡା ନେଇ କାର୍ଯ୍ୟ କରୁ, ସାରା ବିଶ୍ୱ ଏହାକୁ ସ୍ୱର୍ଣ୍ଣିମ ଦଶନ୍ଧି ବୋଲି କହିବ । ଆସନ୍ତାକାଲି ଆମର ଏମର୍ଜିଂ ମାର୍କେଟ୍ ଆଉଟରିଚ୍ ଅଧିବେଶନ ଅଛି । ମୁଁ ସେହି କ୍ଷେତ୍ରରେ କେତେକ ଉପାୟ ବ୍ୟକ୍ତ କରିବି । ମୋର ବିଶ୍ୱାସ ଯେ ଏହା ଆମର ସହଭାଗୀତା ପୂର୍ଣ୍ଣ ଯାତ୍ରାରେ ବ୍ରିକ୍ସକୁ ସହାୟକ ହେବ ଓ ଆମର ସହଭାଗୀତାକୁ ଏକ ନୂଆ ସୋପାନକୁ ନେଇଯିବ । ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।
Here are highlights on my intervention at the BRICS Summit plenary session. https://t.co/DRFUwh8WCk
— Narendra Modi (@narendramodi) September 4, 2017
Talked about furthering cooperation in key areas like agriculture, energy, environment, climate change, sports & culture.
— Narendra Modi (@narendramodi) September 4, 2017
Shared details about India’s continuous efforts to eradicate poverty, ensure better healthcare, food security, sanitation & education.
— Narendra Modi (@narendramodi) September 4, 2017