ପିଏମଇଣ୍ଡିଆ
ସାମିଲ ହେବେ ବାଦ ପଡ଼ିଥିବା 5300 ପରିବାର
ଯୁଦ୍ଧ ଓ ପଣବନ୍ଦୀ ପିଡ଼ିତଙ୍କୁ ମିଳିବ ସ୍ଥିର ରୋଜଗାର
ଜମ୍ମୁ ଓ କଶ୍ମୀରର ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜମ୍ମୁ ଓ କଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କଶ୍ମୀର ପାଇଁ 2015ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନ୍ତର୍ଗତ ପୂର୍ବଘୋଷିତ ଥଇଥାନ ଯୋଜନାରେ ସାମିଲ କରାଯିବ । ଏଥିରେ ପୂର୍ବରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏବଂ ପରେ ପୁଣି ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା 5300 ପରିବାରଙ୍କୁ ସାମିଲ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, 30.11.2016ରେ କେନ୍ଦ୍ର କ୍ୟାବିନେଟ ଜମ୍ମୁ ଓ କଶ୍ମୀର ବିସ୍ଥାପିତଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ ।
ଲାଭ :
ଏହି ଅନୁମୋଦନ ଫଳରେ ବିସ୍ଥାପିତ ପରିବାରଗୁଡ଼ିକ ବର୍ତ୍ତମାନର ଯୋଜନା ଅନ୍ତର୍ଗତ 5.5 ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପାଇବା ଲାଗି ଯୋଗ୍ୟ ବିବେଚିତ ହେବେ । ସେହିପରି ଏହି ଯୋଜନାର ଉଦ୍ଦେଶ୍ୟ ଅନ୍ତର୍ଗତ ସେମାନେ କିଛି ସ୍ଥିର ଆୟ ପାଇବାକୁ ଯୋଗ୍ୟ ହୋଇପାରିବେ ।
ଏଠାରେ ସୂଚନାଯୋଗ୍ୟ ଯେ 1947ରେ ପାକିସ୍ତାନର ଆକ୍ରମଣ ଫଳରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓଜେକେ)ର 31,619 ପରିବାର ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଚାଲିଆସିଥିଲେ । ଏମାନଙ୍କ ମଧ୍ୟରୁ 26,319 ପରିବାର ଜମ୍ମୁ ଓ କଶ୍ମୀର ରାଜ୍ୟରେ ରହିଯାଇଥିଲେ । ବାକି 5300 ପରିବାର ଦେଶର ଅନ୍ୟ ପ୍ରାନ୍ତକୁ ରହିବା ପାଇଁ ଚାଲିଯାଇଥିଲେ । ଆହୁରି 1965 ଏବଂ 1971 ଯୁଦ୍ଧ ସମୟରେ ଅଧିକ 10,065 ପରିବାର ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ ହୋଇଥିଲେ । 1965 ଯୁଦ୍ଧ ସମୟରେ 3500 ପରିବାର ବିସ୍ଥାପିତ ହୋଇଥିବା ବେଳେ 1971 ଯୁଦ୍ଧ ସମୟରେ 6565 ପରିବାର ବିସ୍ଥାପିତ ହୋଇଥିଲେ ।
30.11.2016ରେ କ୍ୟାବିନେଟ ଅନୁମୋଦିତ ଥଇଥାନ ପ୍ୟାକେଜରେ 36,384 ପରିବାରକୁ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରର 26,319 ପରିବାର ଏବଂ ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ 10,065 ପରିବାର ସାମିଲ ରହିଛନ୍ତି । ତେବେ ପୂର୍ବରୁ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଏବଂ ପରେ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା 5300 ପରିବାରକୁ ଏହି ପ୍ୟାକେଜରେ ସାମିଲ କରାଯାଇନଥିଲା ।
ଯୁଦ୍ଧ ଏବଂ ପଣବନ୍ଦୀ ଦ୍ୱାରା ପ୍ରପିଡ଼ିତ ହୋଇ 1947ରେ ବିସ୍ଥାପିତ ହୋଇଥିବା ଏହି 5300 ପରିବାର ବର୍ତ୍ତମାନର ଯୋଜନାରେ ସାମିଲ ହେବା ଫଳରେ ସେମାନେ ସୁବିଧାଜନକ ମାସିକ ରୋଜଗାର ପାଇବାରେ ସଫଳ ହେବେ ଏବଂ ଆର୍ଥିକ ମୁଖ୍ୟ ସ୍ରୋତକୁ ଫେରିପାରିବେ । ଏପରି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସରକାରଙ୍କ ସାମର୍ଥ୍ୟକୁ ଏହା ମଧ୍ୟ ବୃଦ୍ଧି କରିବ । ଏହି ଯୋଜନାରେ ପୂର୍ବରୁ ମଞ୍ଜୁର ହୋଇଥିବା ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ।
**********