Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜର୍ମାନୀ ଚାନ୍ସେଲରଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


ଚାନ୍ସେଲର ଡ. ମର୍କେଲ,

ଜର୍ମାନ ପ୍ରତିନିଧି ଦଳର ସମ୍ମାନିତ ସଦସ୍ୟଗଣ,

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ,

ବନ୍ଧୁଗଣ,

ନମସ୍କାର

ଗୁଟେନ ଟାଗ୍

ଚାନ୍ସେଲର ଡ. ମର୍କେଲ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରି ମୁଁ ଅତି ଆନନ୍ଦିତ । ଚାନ୍ସେଲର ମର୍କେଲଙ୍କୁ କେବଳ ଜର୍ମାନୀ ଏବଂ ୟୁରୋପରେ ନୁହେଁ, ବରଂ ବିଶ୍ୱରେ ଦୀର୍ଘ ସମୟ ଧରି ସେବା କରିଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ଗଣାଯାଇଥାଏ । ସେ ଭାରତ ଓ ମୋର ବନ୍ଧୁ ହୋଇଥିବାରୁ ମୁଁ ଗର୍ବିତ । ବିଗତ ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ଚାନ୍ସେଲର ଭାବେ ସେ ଭାରତ-ଜର୍ମାନୀ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ସେଥିପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଆଜି ଆମ ମଧ୍ୟରେ ଆନ୍ତଃସରକାରୀ ପରାମର୍ଶର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତି ଦୁଇ ବର୍ଷ ବ୍ୟବଧାନରେ ହେଉଥିବା ଏପରି ତିନୋଟି ବୈଠକରେ ମୋତେ ଚାନ୍ସେଲରଙ୍କ ସହିତ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିଛି । ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗ ଆହୁରି ଗଭୀର ହୋଇଛି । ଆଜି ଯେଉଁ ବୁଝାମଣା ସ୍ୱାକ୍ଷରିତ ହୋଇଛି ସେସବୁ ଏହାର ପ୍ରତୀକ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଭାରତ ଏବଂ ଜର୍ମାନୀ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ କରି ନୂତନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଦୂରଗାମୀ ଏବଂ ରଣନୈତିକ ସହଯୋଗ ଆଗକୁ ବଢ଼ୁଅଛି ।

ବନ୍ଧୁଗଣ,

2022ରେ ଭାରତର ସ୍ୱାଧୀନତାକୁ 75ବର୍ଷ ପୂରଣ ହେବ । ସେହି ସମୟ ସୁଦ୍ଧା ନୂତନ ଭାରତ ନିର୍ମାଣ ଲାଗି ଆମେ ଲକ୍ଷ୍ୟ ରଖିଛୁ । ଏହି ବହୁମୁଖୀ ପ୍ରୟାସରେ ଭାରତର ପ୍ରାଥମିକତା ଏବଂ ଆବଶ୍ୟକତା ଲାଗି ଜର୍ମାନୀ ଭଳି ପ୍ରଯୁକ୍ତି ଏବଂ ଆର୍ଥିକ ଶକ୍ତି କେନ୍ଦ୍ରର କ୍ଷମତା ବେଶ ଉପଯୋଗୀ ହେବ । ସେଥିପାଇଁ ଆମେ ନୂତନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଦକ୍ଷତା, ଶିକ୍ଷା, ସାଇବର ନିରାପତ୍ତା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱାରୋପ କରିଛୁ । ଇ-ପରିବହନ, ଇନ୍ଧନ ସେଲ ପ୍ରଯୁକ୍ତି, ସ୍ମାର୍ଟ ସିଟି, ଅନ୍ତର୍ଦେଶୀୟ ଜଳ ମାର୍ଗ, ଉପକୂଳ ପରିଚାଳନା, ନଦୀ ସଫେଇ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନୂତନ ସମ୍ଭାବନା ବିକଶିତ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ । ଏହି କ୍ଷେତ୍ରରେ ଆମର ସହଯୋଗ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ପ୍ରୟାସରେ ମଧ୍ୟ ସହାୟକ ହେବ । ବ୍ୟବସାୟ ଓ ନିବେଶରେ ଆମର ବୃଦ୍ଧି ପାଉଥିବା ଭାଗିଦାରୀକୁ ଆହୁରି ଗତି ପ୍ରଦାନ କରିବା ଲାଗି ଆମେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛୁ । ଚାନ୍ସେଲର ମର୍କେଲ ଏବଂ ମୁଁ ଦୁଇ ଦେଶର କେତେଜଣ ପ୍ରମୁଖ ବ୍ୟବସାୟୀ ଏବଂ ଶିଳ୍ପ ନେତୃବର୍ଗଙ୍କୁ ଭେଟିବୁ । ଆମେ ଜର୍ମାନୀକୁ ଆହ୍ୱାନ କରୁଛୁ ଯେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁର ପ୍ରତିରକ୍ଷା କରିଡରରେ ରହିଥିବା ସୁଯୋଗର ଲାଭ ନିଅନ୍ତୁ ।

ବନ୍ଧୁଗଣ,

ଗଣତନ୍ତ୍ର, ଆଇନର ଶାସନ ଭଳି ସହଭାଗୀ ମୂଲ୍ୟବୋଧ ଉପରେ ଭାରତ ଏବଂ ଜର୍ମାନୀର ବିଶ୍ୱାସ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରିତ । ସେଥିପାଇଁ ବିଶ୍ୱର ଗମ୍ଭୀର ଆହ୍ୱାନ ବିଷୟରେ ଆମର ଦୃଷ୍ଟିକୋଣରେ ସମାନତା ରହିଛି । ଏସବୁ ବିଷୟ ଉପରେ ଆମ ଭିତରେ ବିସ୍ତୃତ ଆଲୋଚନା ସନ୍ଧ୍ୟାରେ ଜାରି ରହିବ । ଆତଙ୍କବାଦ ଏବଂ ଉଗ୍ରବାଦ ଭଳି ବିପଦର ମୁକାବିଲା କରିବା ଲାଗି ଆମେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗକୁ ଆହୁରି ଘନିଷ୍ଠ କରିବୁ । ରପ୍ତାନି ନିୟନ୍ତ୍ରଣ ପ୍ରଣାଳୀ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ମଂଚରେ ଭାରତର ସଦସ୍ୟତାକୁ ଜର୍ମାନୀ ଦୃଢ଼ ସମର୍ଥନ ଜଣାଇଥିବାରୁ ଆମେ କୃତଜ୍ଞ । ଉଭୟ ଦେଶ ସୁରକ୍ଷା ପରିଷଦ, ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅନ୍ୟ ଆବଶ୍ୟକ ସଂସ୍କାର ଯଥାଶୀଘ୍ର ଆଣିବାରେ ସହଯୋଗ ଏବଂ ପ୍ରୟାସ ଜାରି ରଖିବେ ।

ମହାମହିମ,

ଭାରତ-ଜର୍ମାନୀ ସମ୍ପର୍କର ଭବିଷ୍ୟତ ଉଜ୍ଜ୍ୱଳ । ଏଥିପାଇଁ ପୁଣିଥରେ ଆପଣଙ୍କ କୁଶଳୀ ନେତୃତ୍ୱ ଏବଂ ଆମ ସମସ୍ତ ସହଯୋଗୀଙ୍କ ବହୁମୂଲ୍ୟ ସହାଯୋଗ ପାଇଁ ଧନ୍ୟବାଦ ଜଣାଉଛି ।

ଡାଙ୍କେ ଶୋଏନ

ବହୁତ ବହୁତ ଧନ୍ୟବାଦ!

**********