ପିଏମଇଣ୍ଡିଆ
ଜଳ ସମ୍ପଦର ପରିଚାଳନା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ଭାରତର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ଏବଂ ନେଦରଲାଣ୍ଡର ଆନୁଷଙ୍ଗିକ କ୍ଷେତ୍ର ଏବଂ ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।
ଜାତୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଜଳ ସମ୍ପଦର ପରିଚାଳନା ଏବଂ ବିକାଶ ଦିଗରେ ଉଭୟ ରାଷ୍ଟ୍ର ପାରସ୍ପରିକ ସହଯୋଗ କରିବା ବୁଝାମଣାର ଉଦ୍ଦେଶ୍ୟ । ବିଶେଷ କରି ଜଳସମ୍ପଦର ଉପଯୁକ୍ତ ବିନିଯୋଗ, ନଦୀ ଅବବାହିକା ପରିଚାଳନା, ନିଷ୍ପତ୍ତି ସହାୟକ ପଦ୍ଧତି, ଉପତ୍ୟକା ପରିଚାଳନା, ଜଳର ମାନ ସମସ୍ୟା, ବର୍ଜ୍ୟ ଜଳ ପ୍ରକ୍ରିୟାକରଣ ଏବଂ ପୁନଃବ୍ୟବହାର ଆଦି କ୍ଷେତ୍ରରେ ଦୁଇ ଦେଶ ଅଭିଜ୍ଞତା ଏବଂ ଦକ୍ଷତାର ଆଦାନପ୍ରଦାନ କରିବେ । ଜ୍ଞାନଭିତ୍ତିକ ପରିଦର୍ଶନ, ବିଶେଷଜ୍ଞଙ୍କ ଆଲୋଚନାଚକ୍ର, ଅଧିବେଶନ, ଦକ୍ଷତା ବୃଦ୍ଧି ଭିତ୍ତିକ ଗବେଷଣା ଓ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକଳ୍ପରେ ପାରସ୍ପରିକ ସହଯୋଗ, ଜନସାଧାରଣ-ସରକାର ସହଯୋଗକୁ ପ୍ରୋତ୍ସାହନ, ଶିକ୍ଷାନୁଷ୍ଠାନ ଭିତ୍ତିକ ପ୍ରଶିକ୍ଷଣ ଏବଂ ଜ୍ଞାନର ଆଦାନପ୍ରଦାନକୁ ବୁଝାମଣାରେ ଗୁରୁତ୍ୱ ଦିଆଯାଇଛି ।
ବୁଝାମଣା ପତ୍ରର ଲକ୍ଷ୍ୟ ସାଧନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁଧ୍ୟାନ ନିମନ୍ତେ ଏକ ଯୁଗ୍ମ କାର୍ଯ୍ୟକାରିଣୀ ଗଠନ କରାଯିବ ।
ଜଳସମ୍ପଦ ପରିଚାଳନା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ଏହି ଦ୍ୱିପାକ୍ଷିକ ବୁଝାମଣା ସହଯୋଗ କରିବ ।