ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ୍ ଜାତୀୟ ଆବାସ ନୀତି ବିକାଶ ଓ ପରିଚାଳନା(ଏନ୍ଏଚପିଡିଏମ୍) କ୍ଷେତ୍ରରେ ଭାରତ ଓ କେନିୟା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର(ଏମ୍ଓୟୁ)କୁ ଅନୁମୋଦନ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କ ନାଇରୋବି ଗସ୍ତ ସମୟରେ 2016 ଜୁଲାଇ 11 ତାରିଖରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମ୍ଓୟୁ ଫଳରେ ଉଭୟ ରାଷ୍ଟ୍ର ଗୃହ ନିର୍ମାଣ ଓ ଥଇଥାନ ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପାରସ୍ପରିକ ରାଷ୍ଟ୍ରକୁ ଗସ୍ତ, ପ୍ରଦର୍ଶନୀ, ସମ୍ମଳନୀ ଓ କର୍ମଶାଳା ଆଦି ସମସ୍ତ ଦିଗକୁ ବିଭିନ୍ନ ରଣନୀତିକ ମାଧ୍ୟମରେ ସହଯୋଗ କରିବେ । ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ମୁଖ୍ୟତଃ ବସ୍ତିଗୁଡ଼ିକର ଉନ୍ନୀତିକରଣ, ପ୍ରତ୍ୟେକ ରାଷ୍ଟ୍ରର ଅଭିଜ୍ଞତା ଓ କାର୍ଯ୍ୟକାରୀ ପ୍ରକ୍ରିୟାରେ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉପରେ ଆଧାରିତ ହେବ । ଗୃହ ନିର୍ମାଣ ଓ ରିଏଲ ଇଷ୍ଟେଟ୍ ତଥ୍ୟ ଆଧାରିତ ସୂଚନା ଓ ବିକାଶ ସମେତ ବଜାରର ସ୍ଥିତି, ସର୍ବୋତ୍କୃଷ୍ଟ ପ୍ରକ୍ରିୟା ଓ ନିବେଶ ସୁଯୋଗ କ୍ଷେତ୍ରରେ ଉଭୟ ସହଭାଗୀ ହେବେ । ଏହା ଆଞ୍ଚଳିକସ୍ତରରେ ଉପଲବ୍ଧ ହେଉଥିବା କୋଠାବାଡି ସାମଗ୍ରୀ ଦ୍ୱାରା ସୁଲଭ ଦରରେ ଗୃହ ନିର୍ମାଣ ପାଇଁ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ଦେବ । ଏହା ସରକାରୀ ଓ ରାଷ୍ଟ୍ରାୟତ୍ତ କର୍ମଚାରୀଙ୍କୁ ଗୃହ ନିର୍ମାଣ ସୁବିଧା ଦେବା ନିମନ୍ତେ ବୈଷୟିକ ସହଯୋଗକୁ ପ୍ରୋତ୍ସାହିତ କରିବ । ଏହା ସରକାରୀ କର୍ମଚାରୀଙ୍କୁ ଗୃହ ନିର୍ମାଣ ଯୋଜନାର ମଡେଲକୁ ଖୋଜିବାରେ ସହାୟକ ହେବା ସହ ଘରୋଇ କ୍ଷେତ୍ରରେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କ ପାଇଁ ଏଥିରେ ସାମିଲ ହେବାର ପରିବେଶ ସୃଷ୍ଟି କରାଇବ ।