ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ ଶିକ୍ଷାନବିସ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନାରେ 10 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ତଥା 2019-20 ସୁଦ୍ଧା 50 ଲକ୍ଷ ଶିକ୍ଷାନବିସଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦଯୋଗ(ଏମଏସଡିଇ) ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଜିଟି) ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଶିକ୍ଷାନବିସଙ୍କୁ ନିଯୁକ୍ତି ଦେବା ନିମନ୍ତେ ନିଯୁକ୍ତିଦାତାଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ । ଶିକ୍ଷାନବିସଙ୍କୁ ଦିଆଯିବାକୁ ଥିବା ମୋଟ ଷ୍ଟାଇପେଣ୍ଡର 25 ପ୍ରତିଶତ ଅର୍ଥ ଭାରତ ସରକାର ସିଧାସଳଖ ନିଯୁକ୍ତିଦାତାଙ୍କୁ ଦେବେ । ପ୍ରଥମଥର ପାଇଁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ଶିକ୍ଷାନବିସଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତାଙ୍କୁ ଆର୍ଥିକ ସହାୟତା ଦିଆଯିବାର ରୂପରେଖ ପ୍ରସ୍ତୁତ ହୋଇଛି । ଏହା ବ୍ୟତୀତ ଶିକ୍ଷାନବିସ ପ୍ରଶିକ୍ଷଣରେ ଆବଶ୍ୟକ ଥିବା ମୂଳ ପ୍ରଶିକ୍ଷଣ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି । ମୂଳ ପ୍ରଶିକ୍ଷଣରେ ହେବାକୁ ଥିବା ମୋଟ ଖର୍ଚ୍ଚର 50 ପ୍ରତିଶତ ଅର୍ଥ ଭାରତ ସରକାର ବହନ କରିବେ ।
ଏହି ଯୋଜନା ଦେଶର ସମଗ୍ର ଶିକ୍ଷାନବିସ ପାରିପାଶ୍ୱିର୍କ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଓ ଏହାର ସମସ୍ତ ହିତାଧିକାରୀଙ୍କ ପାଇଁ ଏକ ବିଜୟ ପରିବେଶ ଆଣିଦେବ । ଏହା ଦେଶର ସବୁଠୁ ପ୍ରଭାବଶାଳୀ ଦକ୍ଷତା ପ୍ରଦାନର ବାହନ ମଧ୍ୟରୁ ଗୋଟିଏ ହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଦେଶରେ କୁଶଳୀ ମାନବ ସମ୍ବଳ ବିକଶିତ କରିବା କ୍ଷେତ୍ରରେ ଶିକ୍ଷାନବିସ ପ୍ରଶିକ୍ଷଣ ହେଉଛି ସବୁଠୁ ସୁଦୃଢ଼ ମାର୍ଗ ଭାବେ ବିବେଚନା କରାଯାଉଛି । ଦକ୍ଷତା ବିକାଶ ଓ ଉଦଯୋଗ ସଂକ୍ରାନ୍ତ ଜାତୀୟ ନୀତିକୁ 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିଲେ । ଦେଶରେ କୁଶଳୀ ମାନବ ସମ୍ବଳ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷାନବିସ ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି ।