Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ସଫାଇ କର୍ମଚାରୀ ଆୟୋଗଙ୍କ କାର୍ଯ୍ୟକାଳ ତିନିବର୍ଷ ବଢାଇବା ନିଷ୍ପତ୍ତିକୁ କ୍ୟାବିନେଟର ଅନୁମୋଦନ


  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସଫାଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳ ଆଉ ତିନିବର୍ଷ ବଢାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ (୩୧.୦୩.୨୦୨୨) ପରଠାରୁ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ଲାଗୁ ହେବ ।

ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ତିନିବର୍ଷ ପାଇଁ ସରକାରଙ୍କୁ ପ୍ରାୟ ୪୩କୋଟି ୬୮ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡିବ । ପ୍ରଭାବ: ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ଦେଶର ସଫାଇ କର୍ମଚାରୀ ଏବଂ ଚିହ୍ନଟ ହୋଇଥିବା ହାତରେ ମଇଳା ସଫା କରୁଥିବା ସଫାଇବାଲାମାନେ ଉପକୃତ ହେବେ । ସେମାନେ ୨୦୨୨ ମାର୍ଚ୍ଚ ୩୧ତାରିଖ ପରେ ଆଉ ତିନିବର୍ଷ ପାଇଁ ଆୟୋଗଙ୍କ ସୁପାରିସ ଓ ବ୍ୟବସ୍ଥା ଅନୁସାରେ ଲାଭବାନ ହୋଇପାରିବ । ଦେଶରେ ପ୍ରଚଳିତ ମାନୁଆଲ ସ୍କାଭେଞ୍ଜିଙ୍ଗ(ହାତରେ ମଇଳା ସଫାଇ) ଆଇନ ଅନୁସାରେ ୩୧.୧୨.୨୦୨୧ ସୁଦ୍ଧା ଚିହ୍ନଟ ହୋଇଥିବା ଏହି ବର୍ଗର ସଫାଇବାଲାଙ୍କ ସଂଖ୍ୟା ୫୮୦୯୮ । ନିୟମ ଅନୁସାରେ ସର୍ଭେ କରାଯାଇ ଏମାନଙ୍କୁ ଚିହ୍ନଟ କରାଯାଇଛି ଓ ଏହି ଦାୟିତ୍ୱ ସମ୍ପୃକ୍ତ ଆୟୋଗର ତତ୍ତ୍ୱାବଧାନରେ ହେଉଛି ।

 ସବିଶେଷ: ଜାତୀୟ ସଫାଇ କର୍ମଚାରୀ ଆୟୋଗ(ଏନ୍‌ସିଏସ୍‌କେ) ଏ ସଂକ୍ରାନ୍ତରେ ପ୍ରଣିତ ଆଇନ ଅନୁସାରେ ୧୯୯୩ରେ ଗଠିତ ହୋଇଥିଲା । ପ୍ରଥମେ ଏହାର କାର୍ଯ୍ୟକାଳ ୧୯୯୭ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଏହା ପରେ ସଫାଇ କର୍ମଚାରୀ ଆଇନର ବୈଧତାକୁ ୨୦୦୨ ମାର୍ଚ୍ଚ ୩୧ତାରିଖ ଯାଏ ବୁଦ୍ଧି କରାଯାଇଥିଲା । ଏହା ପରେ ଏହି ସଂସ୍ଥାର କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ଅର୍ଥାତ୍ ୨୦୦୪ ଫେବୃୟାରୀ ୨୯ତାରିଖ ଯାଏ ବଢିଥିଲା । ଏହା ସହିତ ସେହି ତାରିଖ ଅର୍ଥାତ୍ ୨୦୦୪ ଫେବୃୟାରୀ ୨୯ରେ ଏନ୍‌ସିଏସ୍‌କେ ଆଇନର ଅବସାନ ଘଟିଲା । ତା’ ପରଠାରୁ ଏନ୍‌ସିଏସ୍‌କେର କାର୍ଯ୍ୟକାଳକୁ ବିଭିନ୍ନ ସମୟରେ ସରକାରୀ ପ୍ରସ୍ତାବ ମାଧ୍ୟମରେ ବୃଦ୍ଧି କରାଯାଇ ଆସୁଛି ଏବଂ ଆୟୋଗ (ଏନ୍‌ସିଏସ୍‌କେ) କୁ ଏକ ଅଣବୈଧାନିକ ସଂସ୍ଥାର ମାନ୍ୟତା ଦିଆଯାଇଛି । ଏବେ ଯେଉଁ ଆୟୋଗ କାର୍ଯ୍ୟ କରୁଛି ତାହାର କାର୍ଯ୍ୟକାଳ ଚଳିତବ ବର୍ଷ ମାର୍ଚ୍ଚ ୩୧ରେ ପୂରିଯାଉଛି । 

ପୃଷ୍ଠଭୂମି: ଜାତୀୟ ସଫାଇ କର୍ମଚାରୀ ଆୟୋଗ ସମ୍ପୃକ୍ତ କର୍ମଚାରୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ସୁପାରିସମାନ କରି ଆସୁଛି । ଏହାଛଡା ସେମାନଙ୍କ ପାଇଁ ଯେଉଁସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି ତାହାର ଅନୁଧ୍ୟାନ ଏବଂ ମୂଲ୍ୟାୟନ ପାଇଁ ମଧ୍ୟ ଆୟୋଗ ସରକାରଙ୍କୁ ସୁପାରିସ କରୁଛି । 

ଏହାଛଡା ଆୟୋଗ ସମ୍ପୃକ୍ତ ସଫାଇ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମଧ୍ୟ ତଦନ୍ତ କରୁଛି । ୨୦୧୩ର ଆଇନ ଅନୁସାରେ ଦେଶରେ ମଣିଷଙ୍କ ଦ୍ୱାରା ହାତରେ ମଇଳା ସଫାଇକୁ ନିଷିଦ୍ଧ କରାଯାଇଛି ଏବଂ ଏହି ବୃତ୍ତିରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବାର ବ୍ୟବସ୍ଥା ରହିଛି । ଆୟୋଗ ଏହି ଆଇନର କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ସୁପାରିସ କରିଆସୁଛି । ଆଇନର କାର୍ଯ୍ୟକାରିତାରେ ତ୍ରୁଟି ବିଚ୍ୟୁତି ଓ ଉଲ୍ଳଂଘନ ଘଟଣା ଏହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କୁ ସୁପାରିସ କରୁଛି ।

 ସଫାଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେମାନେ ଏବେ ମଧ୍ୟ ସାମାଜିକ, ଆର୍ଥିକ ଓ ଶୈକ୍ଷିକ କ୍ଷେତ୍ରରେ ପଛରେ ପଡିଛନ୍ତି । ଦେଶରେ ଆଉ ହାତରେ ମଇଳା ସଫାଇ ବ୍ୟବସ୍ଥା ପ୍ରାୟ ନାହିଁ । ଏହା ସତ୍ୱେ କାଁ ଭାଁ କେଉଁଠି ଏହି କାମ ଲୋକେ ହାତରେ କରୁଥିବାର ଖବର ମିଳୁଛି । ସେହିଭଳି ନାଳନର୍ଦ୍ଦମା ଓ ଭୂତଳ ନାଳକୁ କର୍ମଚାରୀମାନେ ଏବେ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଭାବେ ସଫା କରୁଛନ୍ତି । ଏହାକୁ ବନ୍ଦ କରିବାକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହି କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଆହୁରି କିଛି ପଦକ୍ଷେପ ଏବଂ ବିିଭିନ୍ନ ସ୍ତରରୁ ହସ୍ତକ୍ଷେପ / ସହାୟତାର ଆବଶ୍ୟକତା ରହିଛି । ଦେଶର ସିୱେର / ସେପ୍ଟିକ ବ୍ୟବସ୍ଥାରେ ସଫେଇ ସମ୍ପୂର୍ଣ୍ଣଭାବେ ଯାନ୍ତ୍ରିକ ପଦ୍ଧତିରେ କରିବା ସହ ଏହି କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କୁ ସେଥିରୁ ମୁକ୍ତ କରି ସେମାନଙ୍କ ଥଇଥାନ ଓ କଲ୍ୟାଣ ପାଇଁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସମସ୍ତଙ୍କର ସାହାଯ୍ୟ ସହଯୋଗର ବିଶେଷ ଆବଶ୍ୟକତା ରହିଛି ।

 

*****

TM / SLP