ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ । ଜଳଯୋଗାଣ ଏବଂ ପରିମଳ କ୍ଷେତ୍ରରେ ସେ ମୋତିଝିଲ ପ୍ରକଳ୍ପ, ବେଟିଆ ନଗର ପରିଷଦ ଜଳଯୋଗାଣ ଯୋଜନା ଏବଂ ଚାରିଟି ଗଙ୍ଗା ପ୍ରକଳ୍ପ ଯଥା : ସୟିଦପୁର ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ, ପାଟନା, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ-ଜୋନ 4, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ-ଜୋନ 5 ଏବଂ ପାହାଡ଼ି ଏସଟିପି ପ୍ରକଳ୍ପର ଶିଳାନ୍ୟାସ ଫଳକ ଉନ୍ମୋଚନ କରିଥିଲେ ।
ରେଳବାଇ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୁଜାଫରପୁର ଏବଂ ସାଗାଓଲୀ ରେଳଲାଇନ ଏବଂ ସାଗାଓଲୀ ଏବଂ ବାଲ୍ମିକୀନଗର ରେଳଲାଇନ ଦୋହରୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମାଧେପୁରା ଇଲେକଟ୍ରିକ ଲୋକୋମୋଟିଭ କାରଖାନାର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଭିଡିଓ ଲିଙ୍କ ଜରିଆରେ ସେ ପ୍ରଥମ 12 ହଜାର ଅଶ୍ଵଶକ୍ତି ବିଶିଷ୍ଟ ଇଲେକଟ୍ରିକ ରେଳଇଞ୍ଜିନ ଏବଂ ଚମ୍ପାରଣ ହମସଫର ଏକ୍ସପ୍ରେସ ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।
ଜାତୀୟ ରାଜପଥ-2 ଅନ୍ତର୍ଗତ ଔରଙ୍ଗାବାଦ ବିହାର-ଝାଡ଼ଖଣ୍ଡ ସୀମା ଅଂଶର ରାଜପଥ ଲେନ, ମୋତିହାରୀ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନର ଏକ ଏଲପିଜି ଟର୍ମିନାଲ ଏବଂ ପେଟ୍ରୋଲିୟମ ଅଏଲ ଲ୍ୟୁବ, ଏବଂ ସାଗାଓଲୀ ଠାରେ ଏଚପିସିଏଲର ଏକ ଏଲପିଜି ପ୍ଳାଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।
ସେ ମଧ୍ୟ ଚାମ୍ପିଅନ ସ୍ୱଚ୍ଛାଗ୍ରହୀମାନଙ୍କୁ ଏହି ଅବସରରେ ପୁରସ୍କାର ବିତରଣ କରିଥିଲେ ।
ଉତ୍ସାହୀ ଜନସଭାକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋତିହାରୀରେ ଆଜିର ବାତାବରଣ ଶହେ ବର୍ଷ ପୂର୍ବର ଚମ୍ପାରଣ ସତ୍ୟାଗ୍ରହ ଭଳି ସମାନ ଉତ୍ସାହକୁ ପ୍ରତିଫଳିତ କରୁଛି ।
ସେ କହିଥିଲେ ଯେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ ଏହି ଯାତ୍ରାରେ ବିହାରର ଜନସାଧାରଣ ସେମାନଙ୍କ ନେତୃତ୍ୱ ନେବାର କ୍ଷମତା ପ୍ରଦର୍ଶନ କରିଛନ୍ତି । ଗତ 1 ସପ୍ତାହ ମଧ୍ୟରେ ବିହାରରେ ଶୌଚାଳୟ ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଏଥିପାଇଁ ସେ ରାଜ୍ୟର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ହେଉ, କିମ୍ବା ଦୁର୍ନୀତି ବିରୋଧୀ ଲଢ଼େଇ କିମ୍ବା ମୌଳିକ ସୁବିଧା ସୁଯୋଗର ବିକାଶ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କାନ୍ଧ ସହ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ 6 ହଜାର କୋଟି ଟଙ୍କାର ପ୍ରକଳ୍ପ ଆଜି ଶୁଭାରମ୍ଭ କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଦୀର୍ଘସ୍ଥାୟୀ ବିକାଶ ଆଣିପାରିବ । ମୋତିଝିଲର ପୁନରୁଦ୍ଧାର ସମ୍ପର୍କରେ ସେ ଉଲ୍ଲେଖ କରି ଏହାକୁ ମୋତିହାରୀର ଇତିହାସ ଭାବେ ସେ ବର୍ଣ୍ଣନା କରିଥିଲେ । ଗଙ୍ଗାନଦୀରେ ବର୍ଜ୍ୟଜଳ ନିଷ୍କାସନ ପ୍ରବେଶକୁ ରୋକିବା ଲାଗି 3000 କୋଟି ଟଙ୍କାର 11ଟି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ଅନୁମୋଦନ କରାଯାଇଛି । ସେ କହିଥିଲେ ଯେ ବିହାରରେ ଉଜ୍ଜ୍ୱଳା ଯୋଜନା ଜରିଆରେ 50 ଲକ୍ଷ ମହିଳାଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇସାରିଛି । ଏହି ପରିପ୍ରେକ୍ଷୀରେ, ଆଜି ଶୁଭାରମ୍ଭ କରାଯାଇଥିବା ଏଲପିଜି ଏବଂ ପେଟ୍ରୋଲିୟମ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଥିଲେ । ପୂର୍ବ ଭାରତକୁ ଦେଶର ବିକାଶ ଇଞ୍ଜିନ ଭାବେ ବିକଶିତ କରିବାର ବିସ୍ତୃତ ସଂକଳ୍ପର ଅଂଶବିଶେଷ ସ୍ୱରୂପ ଆଜିର ପ୍ରକଳ୍ପଗୁଡ଼ିକ ଶୁଭାରମ୍ଭ କରାଯାଇଥିବା ସେ କହିଥିଲେ । ସେ ମଧ୍ୟ ଆଜି ଶୁଭାରମ୍ଭ ହୋଇଥିବା ରେଳ ଏବଂ ସଡ଼କ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ମାଧେପୁରା ଇଲେକଟ୍ରିକ ଲୋକୋମୋଟିଭ କାରଖାନାକୁ ମେକ ଇନ ଇଣ୍ଡିଆର ପ୍ରମୁଖ ଉଦାହରଣ ଭାବେ ସେ ବର୍ଣ୍ଣନା କରିଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିର ଉତ୍ସ ହେବ ବୋଲି ସେ କହିଥିଲେ । ସେ କହିଥିଲେ ଯେ 12ହଜାର ଅଶ୍ଵଶକ୍ତି କ୍ଷମତା ବିଶିଷ୍ଟ ଇଞ୍ଜିନ, ପ୍ରଥମେ ଆଜି ଯାହାର ଚଳାଚଳ ଆରମ୍ଭ କରିଛି, ଗୁରୁତ୍ୱପୂର୍ଣ୍ଣ ଭାବେ ମାଲବାହୀ ଟ୍ରେନଗୁଡ଼ିକର ଗତି ବୃଦ୍ଧି କରିବାରେ ସହାୟକ ହେବ । ସେ କହିଥିଲେ ଯେ 2007 ରେ ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା । କିନ୍ତୁ ଏହାର କାର୍ଯ୍ୟ 3 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଏବେ ସମ୍ପୂର୍ଣ୍ଣ ହୋଇସାରିଛି । ସେ କହିଥିଲେ, ଲୋକମାନଙ୍କ ସହାୟତାରେ କେନ୍ଦ୍ର ସରକାର ନିଜର ଅଭିଯାନ ଏବଂ ସଂକଳ୍ପଗୁଡ଼ିକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି ।
ସ୍ୱଚ୍ଛତା କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧୀ ପ୍ରସଙ୍ଗରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତାର ପ୍ରସାର 2014ରେ ମାତ୍ର 40ପ୍ରତିଶତ ଥିବା ବେଳେ ଏବେ ଏହାର 80 ପ୍ରତିଶତରେ ପହଁଚିଛି । ସେ କହିଥିଲେ ଶୌଚାଳୟ ନିର୍ମାଣ ସାମାଜିକ ବିଷମତା ଦୂର କରୁଛି ଏବଂ ଏହା ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଏବଂ ନାରୀ ସଶକ୍ତିକରଣର ମାଧ୍ୟମ ପାଲଟିଛି । ସ୍ୱଚ୍ଛ ଭାରତ ଅଭିଯାନ ଭଳି ଜନ ଆନ୍ଦୋଳନ ଏକବିଂଶ ଶତାବ୍ଦୀରେ ବିଶ୍ୱର ଅନ୍ୟ କେଉଁଠି ଦେଖିବାକୁ ମିଳି ନାହିଁ ବୋଲି ସେ ବର୍ଣ୍ଣନା କରିଥିଲେ ।
ସ୍ୱଚ୍ଛତା ପାଇଁ ସଂକଳ୍ପ ଏକ ସ୍ୱଚ୍ଛ ଏବଂ ସମୃଦ୍ଧ ଭାରତ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।
**********