Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନର ‘କୋବେ’ଠାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଜାପାନରେ ରହୁଥିବା ଭାରତର ବନ୍ଧୁଗଣ ଏବଂ ବିପୁଳ ସଂଖ୍ୟାରେ ଏଠାକୁ ଆସିଥିବା ଭାରତୀୟ ସମୁଦାୟର ମୋର ସମସ୍ତ ସାଥୀଗଣ, ଆପଣ ସମସ୍ତଙ୍କୁ ନମସ୍କାର ।

ମୁଁ ଚିନ୍ତା କରୁଥିଲି କି ମୋତେ ‘କୋବେ’କୁ କାହିଁକି ନିଆଯାଉଛି । କେତେଥର ଆସିଛି, ଏତେସବୁ ଲୋକ ଅଛନ୍ତି । ମୁଁ କହିଲି ଆପଣମାନେ ମୋତେ କାହିଁକି ନେଇ ଯାଉଛନ୍ତି, କିଏ ଆସିବେ? କିନ୍ତୁ ମୁଁ ଦେଖୁଛି କି ପୂର୍ବାପେକ୍ଷା ଆପଣମାନଙ୍କର ଉତ୍ସାହ ବୃଦ୍ଧି ପାଇଛି । ଏହି ଭଲ ପାଇବା ଯୋଗୁଁ ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ପ୍ରାୟ 7 ମାସ ପରେ ଥରେ, ଆଉ ଥରେ ପୁଣି ମୋତେ ଜାପାନର ମାଟିକୁ ସ୍ପର୍ଶ କରିବାର ସୌଭାଗ୍ୟ ମିଳିଛି । ଗତଥର ମଧ୍ୟ ଏଠାରେ ବସବାସ କରୁଥିବା ଆପଣ ସମସ୍ତ ସାଥୀଙ୍କ ସହିତ ଏବଂ ଜାପାନରେ ରହୁଥିବା ବନ୍ଧୁମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିଥିଲା । ଏହା ହେଉଛି କେବଳ ମାତ୍ର ଏକ ସଂଯୋଗ କି ଗତ ବର୍ଷ ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେତେବେଳେ ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କର ନିର୍ବାଚନ ଫଳାଫଳ ଆସି ସାରିଥିଲା ଆଉ ଆପଣମାନେ ସମସ୍ତେ ତାଙ୍କ ଉପରେ ବିଶ୍ୱାସ ପ୍ରତିପାଦନ କରିଥିଲେ । ଆଉ ଆଜି ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଛି ତ ଦୁନିଆର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ ମଧ୍ୟ ଏହି ପ୍ରଧାନ ସେବକ ଉପରେ ପୂର୍ବାପେକ୍ଷା ମଧ୍ୟ ଆହୁରି ଅଧିକ ବିଶ୍ୱାସ, ଅଧିକ ଭଲ ପାଇବା ପ୍ରକଟ କରିଛନ୍ତି ।

ମୋତେ ଜଣାଅଛି କି ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀଙ୍କର ଏହି ଜନମତରେ ଯୋଗଦାନ ରହିଛି । କେହି ଭାରତ ଆସି ପ୍ରତ୍ୟକ୍ଷ ଭାବେ କାମ କଲେ, ପରିଶ୍ରମ କଲେ, 40-50 ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରି ଚାଲିଲେ, କିଛି ଲୋକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଟ୍ୱିଟର, ଫେସବୁକ୍, ନରେନ୍ଦ୍ର ମୋଦୀ ଆପ୍, ଯେଉଁ ସ୍ଥାନରୁ ଯେଉଁକଥା ମଧ୍ୟ କହି ହେବ, ସେହି କଥାକୁ ପହଂଚାଇବାର ପ୍ରୟାସ କଲେ । କିଛି ଲୋକ ନିଜ ଗାଁରେଥିବା ନିଜର ପୁରୁଣା ବନ୍ଧୁମାନଙ୍କୁ ଚିଠି ଲେଖିଲେ, ଇ-ମେଲ ପଠାଇଲେ, ଅର୍ଥାତ ଆପଣମାନେ ମଧ୍ୟ କୌଣସି ନା କୌଣସି ରୂପେ ଭାରତର ଏହି ଗଣତନ୍ତ୍ରର ଉତ୍ସବକୁ ଆହୁରି ଅଧିକ ଶକ୍ତିଶାଳୀ କଲେ, ଆହୁରି ଅଧିକ ପ୍ରାଣବନ୍ତ କଲେ । ଆଉ ଏଥିପାଇଁ ମଧ୍ୟ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି।

ସାଥୀଗଣ, 130 କୋଟି ଭାରତୀୟମାନେ ପୂର୍ବାପେକ୍ଷା ମଧ୍ୟ ଅଧିକ ସୁଦୃଢ଼ ସରକାର ଗଠନ କରିଛନ୍ତି ଆଉ ଏହା ହେଉଛି ଏକ ବହୁତ ବଡ଼ ଘଟଣା । ଆଉ ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣ ବହୁମତର ସରକାର ଗଠନ କରିଛନ୍ତି । ଭାରତ ଭଳି ବିଶାଳ ଦେଶ, ସେଥିରେ ଏହି ପ୍ରକାରର ସିଦ୍ଧି କୌଣସି ସାଧାରଣ କଥା ନୁହେଁ । ଆଉ ଏମିତି ତ 1984 ରେ ମଧ୍ୟ କ୍ରମାଗତ ଭାବେ ଦ୍ୱିତୀୟଥର ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ଦଳର ସରକାର ଗଠନ ହୋଇଥିଲା, କିନ୍ତୁ ସେହି ସମୟର ପରିସ୍ଥିତି ବିଷୟରେ ଆପଣମାନେ ଜାଣନ୍ତି । କାରଣ କ’ଣ ଥିଲା, ତାହା ମଧ୍ୟ ଜଣାଅଛି । ଲୋକମାନେ କାହିଁକି ଭୋଟ ଦେବାକୁ ଯାଇଥିଲେ, ତାହା ମଧ୍ୟ ଜଣାଅଛି ଆଉ ସେଥିପାଇଁ ମୁଁ ଏବେ ଏଠି ତାହାର ବର୍ଣ୍ଣନା କରୁ ନାହିଁ । କିନ୍ତୁ ଏହି କଥା ସତ୍ୟ କି 1971 ପରେ ପ୍ରଥମ ଥର ପାଇଁ ଗୋଟିଏ ସରକାରକୁ ସରକାର ସପକ୍ଷରେ ଜନାଦେଶ ମିଳିଲା ।

ସାଥୀଗଣ, ଏହି ଯେଉଁ ପ୍ରବଳ ଜନାଦେଶ ଭାରତ ଦେଇଛି, ଆପଣମାନଙ୍କୁ ଖୁସି ଅନୁଭବ ହୋଇଛି କି ହୋଇ ନାହିଁ? ତ ଏହି ବିଜୟ ହେଉଛି କାହାର, କାହାର ବିଜୟ? ମୁଁ ଯେତେବେଳେ ଆପଣମାନଙ୍କ ଠାରୁ ଏହି ଉତର ଶୁଣୁଛି, ଏତେ ପରିମାଣରେ ଆନନ୍ଦ ଅନୁଭବ ହେଉଛି କି ସତ୍ୟର ଜୟ ହୋଇଛି । ଏହା ହେଉଛି ହିନ୍ଦୁସ୍ଥାନର ଗଣତନ୍ତ୍ରର ବିଜୟ । ଭାରତର ମନକୁ ଆପଣମାନେ ଜାପାନରେ ବସି ମଧ୍ୟ ଭଲ ଭାବେ ବୁଝି ପାରୁଛନ୍ତି, ଅନୁଭବ କରି ପାରୁଛନ୍ତି, ସେମାନଙ୍କର ଆକାଂକ୍ଷା ଏବଂ ଆପଣମାନଙ୍କ ଆକାଂକ୍ଷା ମଧ୍ୟରେ କୌଣସି ପ୍ରଭେଦର ଅନୁଭବ ହୁଏ ନାହିଁ, ସେତେବେଳେ ଯାଇ ଏହି ଉତର ଆପଣମାନଙ୍କ ମୁହଁରୁ ଶୁଣିବାର ସୁଯୋଗ ମିଳିଥାଏ ଆଉ ସେତେବେଳେ ମନକୁ ଖୁବ ସନ୍ତୋଷ ମିଳିଥାଏ କି ଆମେ ସଠିକ ମାର୍ଗରେ ରହିଛୁ ।

କେବେ କେବେ ଆମେ ପଡ଼ିଆରେ କ୍ରିକେଟ ଖେଳ ଦେଖୁ ତ ପରେ ଜଣା ପଡ଼ିଥାଏ କି କିଭଳି ଆଉଟ୍ ହେଲେ, ବଲ୍ କେଉଁଠାରୁ କେଉଁଠାକୁ ଯାଇଥିଲା, କିନ୍ତୁ ଯିଏ ଘରେ ଟିଭି ଦେଖିଥାଏ, ତାକୁ ତୁରନ୍ତ ଜଣା ପଡ଼ିଥାଏ କି ୱେଭ୍ ଲେନ୍ଥରେ କିଛି ଗଡ଼ବଡ଼ ରହିଛି, ସେଥିପାଇଁ ଆଉଟ୍ ହେଲା । ତେଣୁ ଆପଣମାନେ ଏତେ ଦୂରରେ ବସି ହିନ୍ଦୁସ୍ଥାନକୁ ଦେଖୁଛନ୍ତି ତ ସତ୍ୟକୁ ଧରିବାର ଶକ୍ତି ଆପଣମାନଙ୍କର ଅଧିକ ରହିଛି । ତେଣୁ କରି ମଧ୍ୟ ଆପଣମାନଙ୍କର ଏହି ଉତ୍ତର ସତ୍ୟର ଜୟ, ଗଣତନ୍ତ୍ରର ଜୟ, ଦେଶବାସୀଙ୍କର ଜୟ, ମୋ ପାଇଁ ଏହି ଉତର ବହୁତ ବଡ଼ ଗୁରୁତ୍ୱ ବହନ କରୁଛି, ମୋତେ ଏକ ନୂତନ ଶକ୍ତି ପ୍ରଦାନ କରୁଛି, ନୂତନ ପ୍ରେରଣା ପ୍ରଦାନ କରୁଛି । ଆଉ ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ ଋଣୀ ।

ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପିତ ରହି ଆଶା ଏବଂ ଆକାଂକ୍ଷାଗୁଡ଼ିକ ପ୍ରତି ବିଶ୍ୱାସ, ଏହି ବିଜୟର ପଛରେ ମଧ୍ୟ ଗୋଟିଏ କାରଣ ରହିଛି । ଆପଣ କଳ୍ପନା କରନ୍ତୁ 61 କୋଟି ମତଦାତା 40-45 ଡିଗ୍ରୀ ତାପମାତ୍ରାରେ ନିଜ ଘରୁ ବାହାରି କେଉଁଠାକୁ କେତେ ଦୂରରେ ଯାଇ ମତଦାନ କରିଛନ୍ତି, 61 କୋଟି! ଯଦି ଚାଇନାକୁ ଛାଡ଼ିଦେବା ତ ଦୁନିଆର କୌଣସି ମଧ୍ୟ ଦେଶର ଜନସଂଖ୍ୟାଠାରୁ ଅଧିକ ଅଧିକ ମତଦାତା ହେଉଛନ୍ତି ଏମାନେ । ଆଉ ଭାରତରେ ଗଣତନ୍ତ୍ରର ବିଶାଳତା, ବ୍ୟାପକତା, ତାହାର ମଧ୍ୟ ଅନୁମାନ 10 ଲକ୍ଷ, ଦଶଲକ୍ଷ ମତଦାନ କେନ୍ଦ୍ର, ଚାଳିଶ ଲକ୍ଷରୁ ଅଧିକ ଇଭିଏମ୍ ମେସିନ୍, ଛଅ ଶହରୁ ଅଧିକ ରାଜନୈତିକ ଦଳ ସକ୍ରିୟ ଥିଲେ, ନିର୍ବାଚନରେ ଅଂଶୀଦାର ଥିଲେ, ଆଉ ଆଠ ହଜାରରୁ ଅଧିକ ପ୍ରାର୍ଥୀ; କେତେ ବଡ଼ ଉତ୍ସବ ହୋଇଥିବ ଗଣତନ୍ତ୍ରର! ମାନବ ଇତିହାସରେ ଏହାଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ହୋଇ ନାହିଁ ଆଉ ପ୍ରତ୍ୟେକ ଭାରତୀୟଙ୍କୁ ଏଥି ନିମନ୍ତେ ଗର୍ବ ଅନୁଭବ କରିବା ଦରକାର ।

ଭବିଷ୍ୟତରେ ମଧ୍ୟ ଏହି ରେକର୍ଡ ଯଦି କିଏ ଭାଙ୍ଗିବ, ଏହି ରେକର୍ଡକୁ ଯଦି କିଏ ଅଧିକ ଉନ୍ନତ ଧରଣର କରିବ ତ ସେହି ଅଧିକାର ମଧ୍ୟ ହିନ୍ଦୁସ୍ଥାନର ହାତରେ ରହିଛି । ଗୋଟିଏ ପ୍ରକାରରେ ଏହାର ସତ୍ୱାଧୀକାର ଭାରତ ପାଖରେ ରହିଛି । ଭାରତୀୟ ହୋଇଥିବା କାରଣରୁ ଆମ ସମସ୍ତଙ୍କୁ, ଭାରତର ଶୁଭଚିନ୍ତକମାନଙ୍କୁ ଏଥିପାଇଁ ଗର୍ବ ଅନୁଭବ ତ ହୋଇଥାଏ, ଏହା ସହିତ ସଂପୂର୍ଣ୍ଣ ବିଶ୍ୱକୁ ମଧ୍ୟ ଏହା ହେଉଛି ପ୍ରେରଣା ଯୋଗାଇବା ଭଳି । ଏହାଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି କି ଗଣତନ୍ତ୍ର ପ୍ରତି ଭାରତର ସାଧାରଣ ଜନତାଙ୍କର ଅତୁଟ ନିଷ୍ଠା ରହିଛି । ଆମର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଏବଂ ଗଣତାନ୍ତ୍ରିକ ପ୍ରଣାଳୀ ସମଗ୍ର ଦୁନିଆରେ ହେଉଛି ଅଗ୍ରଣୀ ।

ସାଥୀଗଣ, ଭାରତର ଏହି ଶକ୍ତି ଏକବିଂଶ ଶତାବ୍ଦୀର ବିଶ୍ୱକୁ ଏକ ନୂତନ ଆଶା ଦେବାକୁ ଯାଉଛି । ଏହି ନିର୍ବାଚନ, ତାହାର ପ୍ରଭାବ, କେବଳ ଭାରତ ମଧ୍ୟରେ ସୀମିତ ରହିବ ନାହିଁ; ବିଶ୍ୱର ଗଣତାନ୍ତ୍ରିକ ମନକୁ ଏହା ପ୍ରେରିତ କରିବା ଭଳି ଏକ ଘଟଣା । ନିଉ ଇଣ୍ଡିଆ ବା ନବ ଭାରତର ଆଶା ଏବଂ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ପାଇଁ ଏହି ଜନାଦେଶ ମିଳିଛି । ଆଉ ଏହି ଆଦେଶ ସମଗ୍ର ବିଶ୍ୱ ସହିତ ଆମର ସମ୍ପର୍କକୁ ମଧ୍ୟ ନୂତନ ଉର୍ଜ୍ଜା ପ୍ରଦାନ କରିବ । ଏବେ ଦୁନିଆ ଯେତେବେଳେ ଭାରତ ସହିତ କଥା ହେବ ତ ତାକୁ ବିଶ୍ୱାସ ରହିଛି କି- ହଁ ଭାଇ, ଇଏ ଜନତା ଜନାର୍ଦ୍ଦନ, ଏମାନେ ସରକାରଙ୍କୁ ନିର୍ବାଚିତ କରିଛନ୍ତି, ପୂର୍ଣ୍ଣ ବହୁମତରେ ନିର୍ବାଚିତ କରିଛନ୍ତି ଏବଂ ଏମାନଙ୍କ ସହିତ ଯାହାକିଛି ମଧ୍ୟ ସ୍ଥିର କରିବେ, ଏମାନେ ଆଗକୁ ନେଇଯିବେ- ମନକୁ ମନ ବିଶ୍ୱାସ ସୃଷ୍ଟି ହୋଇଥାଏ ।

ଅନ୍ତରାଷ୍ଟ୍ରୀୟ ସମ୍ପର୍କରେ ପୂର୍ଣ୍ଣ ବହୁମତ ରହିଥିବା ସରକାର ଏକ ବହୁତ ବଡ଼ କଥା ହୋଇଥାଏ, କିନ୍ତୁ ପୂର୍ଣ୍ଣ ବହୁମତ ରହିଥିବା ସରକାରରେ ମଧ୍ୟ ପୂର୍ବାପେକ୍ଷା ଅଧିକ ଜନମତ ଯେତେବେଳେ ଯୋଡ଼ି ହୋଇଥାଏ, ତ ସେହି ଶକ୍ତି ତ ବଢ଼ିଥାଏ ହିଁ, କିନ୍ତୁ ତା’ଠାରୁ ଅଧିକ ବିଶ୍ୱାସ ବଢ଼ିଥାଏ ।

ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ, ଏବଂ ସେଥିରେ ଲୋକମାନେ ଅମୃତ ମିଶାଇଲେ, ସମସ୍ତଙ୍କର ବିଶ୍ୱାସ । ଏହି ମନ୍ତ୍ରକୁ ଆଧାର କରି ଆମେ ଚାଲୁଛୁ- ତାହା ସମଗ୍ର ଦୁନିଆର ଭାରତ ଉପରେ ରହିଥିବା ବିଶ୍ୱାସକୁ ମଧ୍ୟ ଆହୁରି ଅଧିକ ସୁଦୃଢ଼ କରିବ ଏବଂ ବିଶ୍ୱକୁ ଆଶ୍ଵସ୍ତ କରିବ – ଏହା ମୁଁ ଅନୁଭବ କରୁଛି, ଏହା ବିଶ୍ୱକୁ ଆସ୍ୱସ୍ତ କରିବ ।

ସାଥୀଗଣ, ଯେତେବେଳେ ଦୁନିଆ ସହିତ ଭାରତର ସମ୍ପର୍କ ବିଷୟରେ କଥା ଆସିଥାଏ, ତ ଜାପାନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ଏହି ସମ୍ବନ୍ଧ ଆଜିର ନୁହେଁ, ବରଂ ଶତାବ୍ଦୀ ଶତାବ୍ଦୀ ପୂର୍ବର । ଏହାର ମୂଳରେ ଆତ୍ମୀୟତା ରହିଛି, ସଦ୍ଭାବନା ରହିଛି, ଜଣଙ୍କର ଅନ୍ୟ ଜଣଙ୍କ ସଂସ୍କୃତି ଏବଂ ସଦ୍ଭାବନା ପାଇଁ ସମ୍ମାନ ଅଛି । ଏହି ସମ୍ପର୍କର ଗୋଟିଏ ଡୋର ମହାତ୍ମାଗାନ୍ଧୀ ମହୋଦୟଙ୍କ ସହିତ ମଧ୍ୟ ଯୋଡ଼ି ହୋଇ ଅଛି । ସଂଯୋଗବଶତଃ ଏହା ହେଉଛି ମହାତ୍ମାଗାନ୍ଧୀଙ୍କର 150ତମ ଜନ୍ମ ଜୟନ୍ତୀର ମଧ୍ୟ ବର୍ଷ । ଗାନ୍ଧିଜୀଙ୍କର ଗୋଟିଏ ଶିକ୍ଷା ଆମେ ପିଲାଟି ଦିନରୁ ହିଁ ଶୁଣି ଆସିଛୁ, ବୁଝି ଆସିଛୁ, ଆଉ ସେହି ଶିକ୍ଷାଟି ଥିଲା ଖରାପ କଥା ଦେଖ ନାହିଁ, ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ । ଭାରତର ପ୍ରତିଟି ପିଲା ଏହାକୁ ଭଲ ଭାବେ ଜାଣେ । କିନ୍ତୁ ବହୁତ କମ୍ ଲୋକଙ୍କୁ ଏହା ଜଣାଅଛି କି ଯେଉଁ ତିନି ମାଙ୍କଡ଼ଙ୍କୁ ବାପୁ ଏହି କଥା ପାଇଁ ବାଛିଥିଲେ ସେମାନଙ୍କର ଜନ୍ମଦାତା ହେଉଛି ସପ୍ତଦଶ ଶତାବ୍ଦୀର ଜାପାନ । ମିଜାରୁ, କିକାଜାରୁ ଏବଂ ଇବାଜାରୁ ହେଉଛନ୍ତି ଜାପାନର ଐତିହ୍ୟ, ଯାହାଙ୍କୁ ପୂଜ୍ୟ ବାପୁ ଏକ ମହାନ ସାମାଜିକ ସନେ୍ଦଶ ପାଇଁ ପ୍ରତୀକାତ୍ମକ ରୂପ ଭାବେ ବାଛିଲେ ଏବଂ ତାହାକୁ ପ୍ରଚାରିତ କଲେ, ପ୍ରସାରିତ କଲେ ।

ସାଥୀଗଣ, ଆମର ଆଚାର, ବ୍ୟବହାର ଏବଂ ସଂସ୍କାରର ଏହି ଶୃଙ୍ଖଳ ଜାପାନରେ ବୌଦ୍ଧ ଧର୍ମ ଆସିବା ପୂର୍ବରୁ ହିଁ ଆସିଥିବା କୁହାଯାଇଥାଏ । ଏବେ ଆଗାମୀ ମାସରେ କୌଟୋରେ ଗିୟୋନ ପର୍ବ ଆସିବାକୁ ଯାଉଛି । ଆଉ ଏହି ଗିୟୋନ ପର୍ବରେ ଯେଉଁ ରଥର ଉପଯୋଗ ହୁଏ, ତାହାକୁ ସଜାଇବା ପାଇଁ ଭାରତୀୟ ରେଶମ ସୂତା ବ୍ୟବହାର କରାଯାଇଥାଏ । ଆଉ ଏହି ପରମ୍ପରା ଆଜିକାଲିର ନୁହେଁ, କାହିଁ କେତେ ଅଗଣିତ ସମୟରୁ ଚାଲି ଆସୁଛି ।

ଏହିଭଳି ଭାବେ ଶିଚିଫୁକୁଜିନ – ସେଭେନ୍ ଗଡ୍ସ ଅଫ୍ ଫରଚୁନ, ସେହି ସାତଜଣ ପ୍ରଭୁଙ୍କ ମଧ୍ୟରୁ ଚାରି ଜଣଙ୍କର ସମ୍ବନ୍ଧ ସିଧା ସଳଖ ଭାବେ ଭାରତ ସହିତ ଅଛି । ମାଆ ସରସ୍ୱତୀଙ୍କର ବେଞ୍ଜାଇଟିନ୍, ମାଆ ଲକ୍ଷ୍ମୀଙ୍କର କିଚିଜୋଟେନ, ଭଗବାନ କୁବେରଙ୍କର ବିଶାମୋନ, ଏବଂ ମହାକାଳଙ୍କର ଦାଇକୋକୁତେନ ରୂପରେ ଜାପାନରେ ମାନ୍ୟତା ରହିଛି ।

ସାଥୀଗଣ, ଫାବ୍ରିକ ଚିତ୍ରକଳାର ଜୁଶୋବୋରୀ ଆର୍ଟ ଭାରତ ଏବଂ ଜାପାନର ସମ୍ପର୍କର ଏକ ବହୁତ ପୁରୁଣା ଡୋର ଭାବେ ଯୋଡ଼ି ହୋଇ ରହିଛି, ସୂତ୍ର । ଗୁଜରାଟର କଚ୍ଛ ଏବଂ ଜାମନଗରରେ ଶତାବ୍ଦୀ ଶତାବ୍ଦୀ ଧରି ଯାହାକୁ ବାନ୍ଧଣୀ କୁହନ୍ତି, କେହି ବାନ୍ଧଣୀ କୁହନ୍ତି କେହି ବନ୍ଦାନୀ କୁହନ୍ତି, ତାହାର କଳାକାର ଏହି କଳାରେ ସେହି ସ୍ଥାୟିତ୍ୱ ଟେକ୍ନିକର ଉପଯୋଗ କରନ୍ତି ଯାହା ଏଠାରେ ମଧ୍ୟ ବର୍ଷ ବର୍ଷ ଧରି ବ୍ୟବହାର କରାଯାଉଛି । ଅର୍ଥାତ ଜାପାନରେ ସେହି କାମକୁ କରୁଥିବା ଲୋକ ଏବଂ କଚ୍ଛରେ ଜାମନଗରରେ କରୁଥିବା ଲୋକ, ଆପଣଙ୍କୁ ଏହିଭଳି ଲାଗିବ ଆପଣ ଜାପାନରେ ଅଛନ୍ତି ଆଉ ଜାପାନବାଲା ସେଠାକୁ ଯିବେ ତ ଲାଗିବ ଗୁଜରାଟରେ ଅଛନ୍ତି, ଏତେ ପରିମାଣରେ ସମାନତା ଅଛି । କେବଳ ଏତିକି ହିଁ ନୁହେଁ ଆମର କଥାବାର୍ତା ମଧ୍ୟ କିଛି ସୂତ୍ର ଅଛି ଯାହା ଆମକୁ ଯୋଡ଼ି ରଖିଛି । ଯାହାକୁ ଭାରତରେ ଧ୍ୟାନ କୁହାଯାଏ, ତାହାକୁ ଜାପାନରେ ଜେନ୍ କୁହାଯାଏ ଆଉ ଯାହାକୁ ଭାରତରେ ସେବା କୁହାଯାଏ, ତାହାକୁ ଜାପାନରେ ସେବା ହିଁ କୁହାଯାଏ । ସେବା ପରମ ଧର୍ମ; ଅର୍ଥାତ ନିଃସ୍ୱାର୍ଥ ସେବାକୁ ଭାରତୀୟ ଦର୍ଶନରେ ସବୁଠାରୁ ବଡ଼ ଧର୍ମ ବୋଲି ମାନି ନିଆଯାଇଛି, ସେହିଠାରେ ଜାପାନ ସମାଜରେ ଏହାକୁ ବଂଚିବାର ଶୈଳୀରେ ଗ୍ରହଣ କରି ଦେଖାଇଛନ୍ତି ।

ସାଥୀଗଣ, ସ୍ୱାମୀ ବିବେକାନନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜଷ୍ଟିସ ରାଧା ବିନୋଦ ପାଲଙ୍କ ସହିତ ଅନେକ ଭାରତୀୟମାନେ ଜାପାନ ସହିତ ଆମର ସମ୍ପର୍କକୁ ସୁଦୃଢ଼ କରିଛନ୍ତି । ଜାପାନରେ ମଧ୍ୟ ଭାରତୀୟ ଏବଂ ଭାରତୀୟଙ୍କ ପାଇଁ ଭଲ ପାଇବା ଏବଂ ସମ୍ମାନର ଭାବନା ରହିଆସିଛି ।

ଏହାର ହିଁ ପରିଣାମ ଥିଲା କି ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ହିଁ ଭାରତ ଜାପାନ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବାକୁ ଲାଗିଛି । ପ୍ରାୟତଃ ଦୁଇ ଦଶକ ପୂର୍ବେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମହାଶୟ ଏବଂ ପ୍ରଧାନମନ୍ତ୍ରୀ ଯୋଶୀରୋ ମୋରୀ ମହାଶୟ ମିଶି ଆମର ସମ୍ପର୍କକୁ ବିଶ୍ୱସ୍ତରୀୟ ସହଯୋଗୀ ଭାବେ ରୂପ ପ୍ରଦାନ କରିଥିଲେ ।

2014ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋତେ ମୋର ମିତ୍ର, ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହିତ ମିଳିମିଶି ଏହି ବନ୍ଧୁତ୍ୱକୁ ସୁଦୃଢ଼ କରିବାର ସୁଯୋଗ ମିଳିଲା । ଆମେ ଆମର କୁଟନୈତିକ ସଂପର୍କକୁ ରାଜଧାନୀ ଏବଂ ରାଜନାୟକ ମାନଙ୍କର ଔପଚାରିକତାର ପରିସରରୁ ବାହାରକୁ ବାହାର କରି ସିଧା ସଳଖ ଜନତାଙ୍କ ମଧ୍ୟକୁ ନେଇଗଲୁ । ପ୍ରଧାନମନ୍ତ୍ରୀ ଆବେଙ୍କ ସହିତ ମୁଁ ଟୋକିଓ ଛଡ଼ା କ୍ୟୋଟୋ, ଓସାକା, କୋବେ, ୟମାନାସୀ, ସେସବୁ ସ୍ଥାନକୁ ମଧ୍ୟ ଯାତ୍ରା କରିଛି । ଏଠାରେ କେବେରେ ତ ମୁଁ, କେବେ କେବେ ଭୁଲ ହୋଇଯାଏ, କେବେ କୁହେ ଚାରି ଥର, କେବେ କୁହେ ପାଞ୍ଚ ଥର, କେବେ କହିଥାଏ ତିନି ଥର, ଅର୍ଥାତ ବାରମ୍ବାର ଆସିଛି । ଆଉ ପ୍ରଧାନମନ୍ତ୍ରୀ ନଥିଲି, ସେତେବେଳେ ମଧ୍ୟ ଆସୁଥିଲି, ଆପଣଙ୍କ ସହିତ ବସୁଥିଲି । ପ୍ରଧାନମନ୍ତ୍ରୀ ଆବେ ମହାଶୟ ପୂର୍ବ ବର୍ଷ ୟାମାନାସୀରେ ନିଜ ଘରେ ସେ ମୋତେ ସ୍ୱାଗତ କରିଥିଲେ । ତାଙ୍କର ଏହି ସ୍ୱତନ୍ତ୍ର ଆଭିମଖ୍ୟ ପ୍ରତ୍ୟେକ ହିନ୍ଦୁସ୍ଥାନୀର ହୃଦୟକୁ ଛୁଇଁ ଦେବା ଭଳି ଥିଲା, ନ ହେଲେ କୁଟନୈତିକ ସମ୍ପର୍କ ମଧ୍ୟରେ ଏହି ପ୍ରକାରର ବ୍ୟକ୍ତଗତ ଆବେଗ ବହୁତ କମ୍ ଦେଖିବାକୁ ମିଳିଥାଏ ।

ଦିଲ୍ଲୀ ବ୍ୟତୀତ ଅହମ୍ମଦାବାଦ ଏବଂ ବାରଣାସୀକୁ ପ୍ରଧାନମନ୍ତ୍ରୀ ଆବେ ମହାଶୟଙ୍କୁ ନେଇ ଯିବାର ସୌଭାଗ୍ୟ ମୋତେ ମିଳିଥିଲା । ପ୍ରଧାନମନ୍ତ୍ରୀ ଆବେ ମୋର ସଂସଦୀୟ କ୍ଷେତ୍ର ଏବଂ ଦୁନିଆର ସବୁଠାରୁ ପୁରୁଣା ସଂସ୍କୃତି ଏବଂ ଆଧ୍ୟାତ୍ମିକ ନଗରୀମାନଙ୍କ ମଧ୍ୟରୁ ଗୋଟିଏ କାଶୀରେ ଗଙ୍ଗା ଆଳତୀରେ ସାମିଲ ହେଲେ । ଆଉ କେବଳ ସାମିଲ ହେଲେ ନାହିଁ, ତାଙ୍କୁ ଯେତେବେଳେ ମଧ୍ୟ ଯେଉଁଠି କିଛି କହିବାର ସୁଯୋଗ ମିଳିଲା, ସେହି ଆରତୀ ସମୟରେ ସେ ଯେଉଁ ଆଧ୍ୟାତ୍ମିକତାର ଅନୁଭବ କରିଥିଲେ, ତାହାର ବର୍ଣ୍ଣନା ନ କରି ସେ ରହି ପାରି ନଥିଲେ, ଆଜି ମଧ୍ୟ ସେହି କଥାର ଉଲ୍ଲେଖ ସେ କରନ୍ତି । ତାଙ୍କର ଏହି ଛବି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ମନରେ ଆଙ୍କି ହୋଇ ରହିଯାଇଛି ।

ସାଥୀଗଣ, ବିଗତ ଛଅ ଦଶକରୁ ମଧ୍ୟ ଅଧିକ ସମୟରେ ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏକବିଂଶ ଶତାବ୍ଦୀର ନ୍ୟୁ ଇଣ୍ଡିଆରେ ଏହି ଭୂମିକା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । 1958ରେ ଜାପାନ ନିଜର ପ୍ରଥମ ୟେନ୍ ଋଣ ଭାରତକୁ ହିଁ ସ୍ୱୀକୃତ କରିଥିଲା, 1958ରେ । ଏହା ପରଠାରୁ ହିଁ ଜାପାନୀ କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି ଆଉ ସେମାନେ ଉତ୍ତମ ଗୁଣାତ୍ମକ ମାନ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଗୋଟିଏ ସମୟ ଥିଲା, ଯେତେବେଳେ ଆମେ କାର୍ ତିଆରି କରିବାରେ ସହଯୋଗ କରୁଥିଲେ ଆଉ ଆଜି ଆମେ ବୁଲେଟ୍ ଟ୍ରେନ ତିଆରି କରିବାରେ ସହଯୋଗ କରୁଛେ । ଆଜି ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତର ଏମିତି କୌଣସି ଭାଗ ନାହିଁ ଯେଉଁଠାରେ ଜାପାନର ପ୍ରକଳ୍ପ କିମ୍ବା ନିବେଶ ନିଜର ପଦଚିହ୍ନ ଛାଡ଼ି ନାହିଁ । ଏହି ଭଳି ଭାବେ ଭାରତର ପ୍ରତିଭା ଏବଂ ମାନବ ସମ୍ବଳ ଏଠାରେ ଜାପାନର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାର ନିଜର ଯୋଗଦାନ କରୁଅଛି ।

ସାଥୀଗଣ, ନ୍ୟୁ ଇଣ୍ଡିଆରେ ଆମର ଏହି ସହଯୋଗ ଆହୁରି ବ୍ୟାପକ ହେବାକୁ ଯାଉଛି । ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଭାବେ ଗଢ଼ି ତୋଳିବାର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛୁ । ସାମାଜିକ କ୍ଷେତ୍ରରେ ଆମର ପ୍ରାଥମିକତା ରହିଛି । ଏହା ସହିତ ଭିତିଭୂମିରେ ବ୍ୟାପକ ନିବେଶ, ତାହା ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି । ବିଶେଷ କରି ଡିଜିଟାଲ ଭିତ୍ତିଭୂମି ଭାରତକୁ ଆଜି ସମଗ୍ର ବିଶ୍ୱରେ ନିବେଶ ପାଇଁ ଏକ ଆକର୍ଷଣୀୟ ସୁଯୋଗ ଭାବେ ସମ୍ମୁଖରେ ରଖୁଛି । ଭାରତରେ ଡିଜିଟାଲ ସାକ୍ଷରତା ଆଜି ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଡିଜିଟାଲ କାରବାର ବା ନେଣଦେଣ ରେକର୍ଡ ସ୍ତରରେ ପହଂଚିଛି । ନବସୃଜନ ଏବଂ ନବୋନ୍ମେଷ ପାଇଁ ଏକ ବହୁତ ବଡ଼ ଭିତ୍ତିଭୂମି ପ୍ରସ୍ତୁତ ହେଉଛି, ଏକ ନୂତନ ବାତାବରଣର ଅନୁଭବ ହେଉଛି । ଏହି ଶକ୍ତି ଆଧାରରେ ଆଗାମୀ 5 ବର୍ଷରେ 50 ହଜାର ଷ୍ଟାର୍ଟଅପ ଗୁଡିକ ପାଇଁ ଅନୁକୂଳ ବ୍ୟବସ୍ଥା ବା ଇକୋ ସିଷ୍ଟମ ଭାରତରେ ପ୍ରସ୍ତୁତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।

ସାଥୀଗଣ, ଅଧିକାଂଶ ସମୟରେ ଏହା କୁହା ଯାଇଥାଏ ଯେ ଦିଗନ୍ତ ପ୍ରସାରୀ ପରିସୀମା ଅର୍ଥାତ ସ୍କାଏ ଇଜ୍ ଦ ଲିମିଟ୍.. କୌଣସି ଏକ ସମୟରେ ଏହା ଠିକ୍ କଥା ଥିଲା, କିନ୍ତୁ ଭାରତ ଏହି ପରିସୀମା ଠାରୁ ଆଗରେ ଅଛି, ଆଗାମୀ ଦିନରେ ମହାକାଶକୁ ଗମ୍ଭୀରତାର ସହିତ ଅନୁସନ୍ଧାନ କରୁଛି । ଭାରତର 130 କୋଟି ଲୋକଙ୍କ ଜୀବନକୁ ସହଜ ଏବଂ ସୁରକ୍ଷିତ କରିବା ପାଇଁ ଶସ୍ତା ଏବଂ ପ୍ରଭାବଶାଳୀ ମହାକାଶ ଜ୍ଞାନ କୌଶଳ ହାସଲ କରିବା ହେଉଛି ଆମର ଲକ୍ଷ୍ୟ । ମୁଁ ଖୁସି ଯେ ଆମେ ଏହି ସଫଳତାର ସହିତ ଆଗକୁ ବଢ଼ି ପାରୁଛୁ ।

ନିକଟରେ ଫୋନି ବାତ୍ୟା ସହିତ ଅନେକ ଆହ୍ୱାନକୁ ଭାରତ ଅତି କମ୍ କ୍ଷୟକ୍ଷତି ସହିତ ପରିଚାଳନା କରିପାରିଲା । ଆଉ ସାରା ଦୁନିଆରେ ଏହାର ବହୁତ ପ୍ରଶଂସା କରାଗଲା କି, କିଭଳି ଭାବରେ ସରକାରୀ କଳ, ମାନବ ସମ୍ବଳ, ମହାକାଶ ଜ୍ଞାନ କୌଶଳ, ଏହି ସମସ୍ତଙ୍କୁ ସାମିଲ କରି କିଭଳି ପ୍ରଦର୍ଶନ କରାଯାଇଥାଏ, ତାହା ଭାରତ କରି ଦେଖାଇଲା ଆଉ ତା’ମଧ୍ୟ ଗୋଟିଏ ପଟେ ସମଗ୍ର ଦେଶ ନିର୍ବାଚନ ଧାଁ-ଧଉଡ଼ ମଧ୍ୟରେ ବ୍ୟସ୍ତ ଥିଲା, ସେତେବେଳେ ମଧ୍ୟ ଏହି କାର୍ଯ୍ୟକୁ ଅତି ଉତ୍ତମ ଭାବେ ସଂପୂର୍ଣ୍ଣ କରାଗଲା ଆଉ ବିଶ୍ୱ ଏହାକୁ ପ୍ରଶଂସା କରିଛି । ଆଉ ଏହାଦ୍ୱାରା ଆମକୁ ଉତ୍ସାହ ମିଳିଛି । ଏହି କାରଣ ହେଉଛି କି କିଛି ମାସ ମଧ୍ୟରେ ହିଁ ଆମେ ଚନ୍ଦ୍ରମିଶନକୁ ଆଗକୁ ବଢ଼ାଇ ଚନ୍ଦ୍ରଯାନ-୨ ଶୁଭାରମ୍ଭ କରିବାକୁ ଯାଉଛୁ । 2022 ସୁଦ୍ଧା ଆମର ପ୍ରଥମ ମ୍ୟାନମିଶନ୍, ମାନବ ସହିତ ଗଗନଯାନ ପଠାଇବା ପାଇଁ ଆମେ ପ୍ରସ୍ତୁତି କରୁଛୁ । ଆଉ କେହି ଜଣେ ହିନ୍ଦୁସ୍ଥାନୀ ସେଠାରେ ତ୍ରିରଙ୍ଗା ପତାକା ଉଡ଼ାଇବ, ଏହି ସ୍ୱପ୍ନକୁ ନେଇ କାର୍ଯ୍ୟ କରୁଛୁ ।

ମହାକାଶରେ ଆମର ନିଜସ୍ୱ କେନ୍ଦ୍ର ହେଉ, ଏଥିପାଇଁ ସମ୍ଭାବନା ଗୁଡ଼ିକୁ ଅନୁସନ୍ଧାନ କରାଯାଉଛି । ଏହି ଯେତେ ସବୁ କାର୍ଯ୍ୟ ଆମେ କରୁଛୁ, ଆଜି ହିନ୍ଦୁସ୍ଥାନରେ ଆଶା ଆକାଂକ୍ଷାରେ ଭରା ଏକ ନ୍ୟୁ ଇଣ୍ଡିଆ ମଧ୍ୟମ ବର୍ଗ ଏକ ବହୁତ ବଡ଼ ପ୍ରଶସ୍ତ ସମାଜ ଭିତରେ, ଯେଉଁମାନଙ୍କର ଅଧିକ ସ୍ୱପ୍ନ ଅଛି, ଯେଉଁମାନଙ୍କର ବହୁତ ଅଧିକ ଆକାଂକ୍ଷା ଅଛି, ଯେଉଁମାନେ ଦ୍ରୁତ ଗତିରେ ପରିଣାମର ପ୍ରତୀକ୍ଷାରେ ଅଛନ୍ତି, ସେହି ଅନୁରୂପ ଆମେ ବିକାଶର ନୂଆ ନୂଆ ଧାରାକୁ ବିକଶିତ କରୁଛୁ ।

ସାଥୀଗଣ, ବର୍ତ୍ତମାନର ସମୟରେ ଯେତେବେଳେ ସମଗ୍ର ବିଶ୍ୱ ଭାରତକୁ ସମ୍ଭାବନାର ପ୍ରବେଶପଥ ଭାବେ ଦେଖୁଛି, ସେତେବେଳେ ଜାପାନ ସହିତ ଆମର ସମନ୍ୱୟ ମଧ୍ୟ ନୂତନ ଶୀଖର ଛୁଇଁବାକୁ ଯାଉଛି । ମୁଁ ତ ଏହା ମାନୁଛି କି ଜାପାନର କାଇଜନ୍ ଦର୍ଶନ ଭାରତ-ଜାପାନ ସମ୍ପର୍କର ପ୍ରଗତି ଉପରେ ମଧ୍ୟ ଲାଗୁ ହୋଇଛି । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ମୁଁ ମୋ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ଏକ କାଇଜନ୍ ପ୍ରଶିକ୍ଷଣ ଦେଉଥିଲି । କ୍ରମାଗତ ଭାବେ ଦିଆ ଯାଉଥିଲା କାରଣ କାଇଜନ୍ ପ୍ରକ୍ରିୟା ହେଉଛି ଏଭଳି ଏକ ପ୍ରକ୍ରିୟା ଯାହା କେବେ ମଧ୍ୟ ଅଟକି ଯାଇ ନଥାଏ । ଆମର ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଇବ ଓ ସୁଦୃଢ଼ ହେଉଥିବ ।

ସାଥୀଗଣ, ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ଜାପାନକୁ ଚତୁର୍ଥ ଗସ୍ତ । ସମସ୍ତ ଗସ୍ତରେ ମୁଁ ଜାପାନରେ ଭାରତ ପ୍ରତି ଏକ ଆତ୍ମୀୟତା, ଏକ ନିଜସ୍ୱ ଭାବ ଅନୁଭବ କରିଛି । ନିଜ ସଭ୍ୟତା ଏବଂ ନିଜର ମୂଲ୍ୟବୋଧ ଉପରେ ଗର୍ବ କରିବା, ପ୍ରତିଭା ଏବଂ ବୈଷୟିକ ଜ୍ଞାନକୁ ରାଷ୍ଟ୍ରନିର୍ମାଣର ଅଂଶ ଭାବେ ଗଢ଼ିତୋଳିବା ଆଉ ପରମ୍ପରାର ପରିସର ମଧ୍ୟରେ ରହିବା, ଏହା ମୁଁ ଜାପାନରେ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି । ଆଉ ଏଭଳି ଅନୁଭବ କରିବାବାଲା ବ୍ୟକ୍ତି କେବଳ ମୁଁ ନୁହେଁ ।

ସ୍ୱାମୀ ବିବେକାନନ୍ଦ ମହୋଦୟ ମଧ୍ୟ ଗୋଟିଏ ଶତାବ୍ଦୀ ପୂର୍ବରୁ ଯେତେବେଳେ ଜାପାନ ଗସ୍ତ କରିଥିଲେ ତ ସେ ମଧ୍ୟ ଏଠାକାର ସଭ୍ୟତା, ଜନସାଧାରଣଙ୍କ ସମର୍ପଣ ଏବଂ କାର୍ଯ୍ୟନୀତି ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ସେତେବେଳେ ସ୍ୱାମୀ ବିବେକାନନ୍ଦ ମହୋଦୟ ତ ଏଭଳି କହିଥିଲେ ପ୍ରତ୍ୟେକ ଭାରତୀୟଙ୍କୁ ଜାପାନ ଗସ୍ତ କରିବା ଦରକାର, କିନ୍ତୁ ସେହି ସମୟରେ ଜନସଂଖ୍ୟା ଟିକେ କମ୍ ଥିଲା । ଏବେ ତ ଏହା ସମ୍ଭବ ହୋଇ ପାରିବ ନାହିଁ, ଦେଶର ୩୦ କୋଟି ଲୋକ… ଛାଡ଼ନ୍ତୁ! ଆମେ ମଧ୍ୟ ମାନୁଛୁ, କିନ୍ତୁ 130 କୋଟି ଭାରତୀୟଙ୍କ ପ୍ରତିନିଧି, ଆପଣମାନେ ସମସ୍ତେ ଏଠାରେ ଅଛନ୍ତି । ଆପଣ ଜାପାନର କଥାକୁ ଏଠାକାର କାର୍ଯ୍ୟସଂସ୍କୃତିକୁ, କାର୍ଯ୍ୟନୀତିକୁ, ଏଠାକାର ପ୍ରତିଭାମାନଙ୍କୁ, ଏଠାକାର ପରମ୍ପରାକୁ, ଏଠାକାର ବୈଷୟିକ ଜ୍ଞାନକୁ ଭାରତରେ ପହଂଚାଉଛନ୍ତି ଆଉ ଭାରତର କଥାକୁ ଏଠାକାର ଜନସାଧାରଣଙ୍କୁ ଶୁଣାଉଛନ୍ତି । ଏହି ସେତୁ ଆମକୁ ନୂତନ ଶକ୍ତି ଦେଉଛି, ନିତ୍ୟ ନୂତନ ବ୍ୟବସ୍ଥାରେ ପରିବର୍ତିତ କରୁଛି, ସମ୍ବନ୍ଧକୁ ପ୍ରାଣବନ୍ତ କରୁଛି । ଏହା ରୀତିନୀତି ନୁହେଁ, ଏହା ହେଉଛି ଏକ ଜୀବନ୍ତ ବ୍ୟବସ୍ଥା । ଆଉ ଜୀବନ୍ତ ବ୍ୟବସ୍ଥା ଜନସାଧାରଣ ଯୋଡି ହେବା ଦ୍ୱାରା ସୃଷ୍ଟି ହୋଇଥାଏ ।

ଶେଷରେ ମୁଁ ମୋର କଥା ସମାପ୍ତ କରିବା ପୂର୍ବରୁ, ଆପଣ ସମସ୍ତଙ୍କୁ, ଜାପାନବାସୀଙ୍କୁ, ଭାରତବାସୀଙ୍କୁ ଆଉ ନିଜର ସମସ୍ତ ଜାପାନୀ ଭାଇ ଭଉଣୀଙ୍କ ପାଇଁ କାମନା କରୁଛି, ‘ନୟେ ରେୱା ଏରା ରେୱା ୟୁଗ୍ ।’ ଆପଣ ସମସ୍ତଙ୍କ ଜୀବନରେ ଅନୁରୂପ ସୁନ୍ଦର ସାମଞ୍ଜସ୍ୟ ସଦା ସର୍ବଦା ରହୁ । ଜାପାନରେ ବିଶେଷ ଭାବେ କୋବେରେ ପ୍ରତ୍ୟେକ ଥର ଆପଣମାନେ ଯେଭଳି ଆତ୍ମୀୟତାର ସହିତ ମୋର ସ୍ୱାଗତ, ସତ୍କାର ଏବଂ ସମ୍ମାନ କରିଛନ୍ତି ଏଥିପାଇଁ ମୁଁ ହୃଦୟର ସହିତ ଆପଣମାନଙ୍କ ନିକଟରେ କୃତଜ୍ଞତା ଜଣାଉଛି ।

ବୋଧହୁଏ, ଆପଣମାନଙ୍କୁ ଜଣା ପଡ଼ିଥିବ 21 ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଥିଲା ଏବଂ ଭାରତ ସରକାର ଯୋଗର ପ୍ରଚାର, ପ୍ରସାର ଆଉ ବିକାଶ, ବିସ୍ତାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ, ବ୍ୟକ୍ତି ବିଶେଷଙ୍କୁ, ହିନ୍ଦୁସ୍ଥାନରେ ମଧ୍ୟ ଆଉ ହିନ୍ଦୁସ୍ଥାନର ବାହାରେ ମଧ୍ୟ ସମ୍ମାନିତ କରୁଛନ୍ତି, ସେମାନଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି । ଆପଣମାନଙ୍କୁ ଜଣାଥିବ ଚଳିତ ଥର ଜାପାନରେ ଯୋଗ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାକୁ ଭାରତ ସରକାର ସମ୍ମାନିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହା ହେଉଛି ବହୁତ ବଡ଼ ଗର୍ବର କଥା । ଅର୍ଥାତ ଆମେ ସବୁ ପ୍ରକାରରେ ଯୋଡ଼ି ହୋଇ ରହିଛୁ ।

ଏହି ଗୌରବର ସହିତ ପୁଣିଥରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ପାଇଁ ମୋତେ ସୁଯୋଗ ମିଳିଲା । ଆପଣଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୁଯୋଗ ମିଳିଲା । ମୁଁ ଆପଣମାନଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ ।

*****************