Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ (14 ସେପ୍ଟେମ୍ବର, 2017)

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ (14 ସେପ୍ଟେମ୍ବର, 2017)

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ (14 ସେପ୍ଟେମ୍ବର, 2017)


 ଜାପାନର ନାଗରିକମାନଙ୍କ ପାଇଁ ପହଂଚିବା-କ୍ଷଣି-ଭିସା ସୁବିଧା;

ଇଣ୍ଡିଆ ପୋଷ୍ଟ, ଜାପାନ ପୋଷ୍ଟ ସହଯୋଗରେ ଆରମ୍ଭ ହେବ କୁଲ୍ ବକ୍ସ ସର୍ଭିସ

 

 

ମହାମହିମ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ,

ସମ୍ମାନନୀୟ ପ୍ରତିନିଧି ଦଳ

ଗଣମାଧ୍ୟମର ସଦସ୍ୟଗଣ,

କୋନ୍ନିଚିଭା(ଶୁଭ ଅପରାହ୍ଣ/ନମସ୍କାର)

ମୁଁ ପ୍ରସନ୍ନ ଯେ ମୋର ଅନନ୍ୟ ମିତ୍ର, ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଭାରତରେ ଏବଂ ବିଶେଷ କରି ଗୁଜରାଟରେ, ସ୍ୱାଗତ କରିବାର ସୁଯୋଗ ମୋତେ ମିଳିଛି । ପ୍ରଧାନମନ୍ତ୍ରୀ ଆବେ ଏବଂ ମୁଁ ଅନେକ ଥର ଅନ୍ତର୍ଜାତୀୟ ସମ୍ମେଳନ ଉପଲକ୍ଷେ ଭେଟିଛୁ । କିନ୍ତୁ ଭାରତରେ ତାଙ୍କୁ ସ୍ୱାଗତ କରିବା ମୋ ପାଇଁ ସ୍ୱତନ୍ତ୍ର ଭାବେ ଆନନ୍ଦ/ହର୍ଷର ବିଷୟ ହୋଇଥାଏ । ଗତକାଲି ଅପରାହ୍ଣରେ ମୁଁ ତାଙ୍କ ସହିତ ସାବରମତୀ ଆଶ୍ରମ ଯିବାର ସୁଯୋଗ ପାଇଥିଲି । ଆଜି ଆମେ ଦୁହେଁ ଦାଣ୍ଡି କୁଟୀର ମଧ୍ୟ ଯାଇଥିଲୁ । ଆଜି ସକାଳୁ ଆମେ ଦୁହେଁ ମିଶି  ଜାପାନର ସହଯୋଗରେ ନିର୍ମାଣ କରାଯାଉଥିବା ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପର ଭୂମିପୂଜନ କଲୁ । ଏହା ଏକ ବହୁତ ବଡ଼ ପଦକ୍ଷେପ । ଏହା କେବଳ ହାଇସ୍ପିଡ୍ ଟ୍ରେନର ଆରମ୍ଭ ନୁହେଁ, ଭବିଷ୍ୟତରେ ଆମର ଆବଶ୍ୟକତାକୁ ଦେଖି ଏହି ନୂଆ ରେଳବାଇ ଦର୍ଶନକୁ ନୂଆ ଭାରତ ନିର୍ମାଣର ଜୀବନରେଖା ବୋଲି ମୁଁ ଭାବୁଛି । ଭାରତର ଅବାଧ ପ୍ରଗତିର ସମ୍ପର୍କ ଏବେ ଆହୁରି ତୀବ୍ରତା ସହିତ ଯୋଡ଼ି ହୋଇଯାଇଛି ।

ବନ୍ଧୁଗଣ,

ଆପୋଷ ବିଶ୍ୱାସ ଏବଂ ଭରସା, ପରସ୍ପରର ସ୍ୱାର୍ଥ ଏବଂ ଚିନ୍ତାକୁ ବୁଝିବା, ଏବଂ ଉଚ୍ଚସ୍ତରୀୟ ନିରନ୍ତର ସମ୍ପର୍କ ଭାରତ-ଜାପାନ ସମ୍ବନ୍ଧର ବିଶେଷତ୍ୱ ଅଟେ । ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ କେବଳ ଦ୍ୱିପାକ୍ଷିକ କିମ୍ବା କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ସୀମିତ ନୁହେଁ, ବିଶ୍ୱ ପ୍ରସଙ୍ଗରେ ମଧ୍ୟ ଆମର ସହଯୋଗ ଘନିଷ୍ଠ ଅଟେ । ଗତବର୍ଷ ମୋର ଜାପାନ ଯାତ୍ରା ସମୟରେ ଆମେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗ ପାଇଁ ଏକ ଐତିହାସିକ ବୁଝାମଣା କରିଥିଲୁ । ଏହାର ଅନୁସମର୍ଥନ(Ratification) ପାଇଁ ଜାପାନର ଜନମାନସ, ଜାପାନର ସଂସଦ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଆବେଙ୍କୁ ହୃଦୟରୁ କୃତଜ୍ଞତା ପ୍ରକଟ କରୁଛି । ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଆମର ସହଯୋଗ ପାଇଁ ଏହି ବୁଝାମଣା ଏକ ନୂଆ ଅଧ୍ୟାୟ ଯୋଡ଼ିଛି ।

ବନ୍ଧୁଗଣ,

2016-17ରେ ଭାରତରେ ଜାପାନରୁ 4.7 ବିଲିୟନ ଡଲାରର ନିବେଶ ହୋଇଥିଲା, ଯାହାକି ଗତବର୍ଷ ତୁଳନାରେ 80ପ୍ରତିଶତ ଅଧିକ ଅଟେ । ଏବେ ଜାପାନ ଭାରତରେ ତୃତୀୟ ବୃହତ ନିବେଶକ । ଏହା ସ୍ପଷ୍ଟ ଭାବେ ଦର୍ଶାଇଥାଏ ଯେ ଭାରତର ଆର୍ଥିକ ବିକାଶ ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତ ପ୍ରତି ଜାପାନରେ କେତେ ବିଶ୍ୱାସ ଏବଂ ଆଶାବାଦୀ ବାତାବରଣ ରହିଛି । ଏବଂ ଏହି ନିବେଶକୁ ଦେଖି ଏହା ଅନୁମାନ କରାଯାଇପାରେ ଯେ ଆଗାମୀ ଦିନରେ ଭାରତ ଏବଂ ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ବ୍ୟବସାୟ ସହିତ ନାଗରିକ-ନାଗରିକ ସମ୍ପର୍କ ମଧ୍ୟ ବଢ଼ିବ । ଆମେ ଜାପାନର ନାଗରିକମାନଙ୍କ ପାଇଁ ପହଂଚିବା-କ୍ଷଣି-ଭିସା ସୁବିଧା ତ’ ପୂର୍ବରୁ ଦେଇସାରିଛୁ । ଆହୁରି ଏବେ ଆମେ ଇଣ୍ଡିଆ ପୋଷ୍ଟ ଏବଂ ଜାପାନ ପୋଷ୍ଟ’ର ସହଯୋଗରେ ଏକ କୁଲ୍ବକ୍ସସର୍ଭିସ୍  ମଧ୍ୟ ଆରମ୍ଭ କରିବାକୁ ଯାଉଛୁ, ଯାହାଦ୍ୱାରା  ଭାରତରେ ରହୁଥିବା ଜାପାନୀ ଲୋକମାନେ ସିଧାସଳଖ ଜାପାନରୁ ନିଜ ମନପସନ୍ଦର ଭୋଜନ ମଗାଇପାରିବେ । ଏଥିସହିତ ମୋର ଜାପାନୀ ବ୍ୟବସାୟୀ ଗୋଷ୍ଠୀଙ୍କୁ ଏହା ଅନୁରୋଧ ଯେ ଭାରତରେ ଅଧିକରୁ ଅଧିକ ଜାପାନୀ ରେସ୍ତୁରାଂ ଖୋଲନ୍ତୁ! ଆଜି ଭାରତ ଅନେକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନର ମାର୍ଗରେ ଚାଲିଛି । ଇଜ୍ ଅଫ୍ ଡୁଇଂ ବିଜନେସ୍ ହେଉ କିମ୍ବା ସ୍କିଲ୍ ଇଣ୍ଡିଆ, ଟିକସ ସଂସ୍କାର ହେଉ କିମ୍ବା ମେକ୍ ଇନ୍ ଇଣ୍ଡିଆ, ଭାରତ ପୂର୍ଣ୍ଣ ଭାବରେ ରୂପାନ୍ତରିତ ହେଉଛି । ଜାପାନର ବ୍ୟବସାୟୀଙ୍କ ପାଇଁ ବହୁତ ଭଲ ସୁଯୋଗ ଏବଂ ମୁଁ ଖୁସି ଯେ ଜାପାନର ଅନେକ କମ୍ପାନୀ ଆମ ଜାତୀୟ ଫ୍ଲାଗସିପ୍ କାର୍ଯ୍ୟକ୍ରମ ସହ ଗଭୀର ଭାବେ ଯୋଡ଼ି ହେଉଛନ୍ତି । ଆଜି ଅପରାହ୍ଣରେ ଦୁଇ ଦେଶର ବ୍ୟବସାୟୀ ନେତୃମଣ୍ଡଳୀ ସହିତ ଆମର ଆଲୋଚନା ଏବଂ କାର୍ଯ୍ୟକ୍ରମରେ ଆମେ ଏହାର ପ୍ରତ୍ୟକ୍ଷ ଲାଭ ମଧ୍ୟ ଦେଖିପାରିବୁ । ଜାପାନର ଅଫିସିଆଲ୍ ଡେଭଲପମେଣ୍ଟ ଆସିଷ୍ଟାନ୍ସରେ ଆମେ ସବୁଠୁ ବଡ଼ ସହଯୋଗୀ, ଏବଂ ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ପାଇଁ ଆଜି ହୋଇଥିବା ବୁଝାମଣାକୁ ମୁଁ ହାର୍ଦ୍ଦିକ ସ୍ୱାଗତ କରୁଛି ।

ବନ୍ଧୁଗଣ,

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମର ଆଲୋଚନା ଏବଂ ଆଜି କରାଯାଇଥିବା ବୁଝାମଣା ଭାରତ ଏବଂ ଜାପାନ ଭାଗିଦାରୀକୁ ସମସ୍ତ କ୍ଷେତ୍ରରେ ଆହୁରି ଅଧିକ ମଜଭୂତ କରିବ । ଏହି ଶବ୍ଦ ସହିତ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଆବେ ଏବଂ ତାଙ୍କ ସହିତ ଆସିଥିବା ଉଚ୍ଚସ୍ତରୀୟ ପ୍ରତିନିଧିଦଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି ।

ଇଜ୍ୟୋ ଦେ ଗୋଜାଇମସ(ବର୍ତ୍ତମାନ ପାଇଁ ଏତିକି)

ଅରିଗାତୌ ଗୋଜାଇମସ୍ (ଧନ୍ୟବାଦ)

ବହୁତ ବହୁତ ଧନ୍ୟବାଦ

 

**********