Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ମନ୍ତବ୍ୟ

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ମନ୍ତବ୍ୟ


ଏହା ବଡ ଖୁସିର କଥା ଯେ, ସମସ୍ତ ବନ୍ଧୁଗଣ ଗୋଟିଏ ସ୍ୱର ଏବଂ ଭାବନାର ପରିପ୍ରକାଶ କରିଛନ୍ତି ।

ଆଜି ଆମେ ଯେତେବେଳେ ଜାମ୍ମୁ-କାଶ୍ମୀର କଥା କହୁଛୁ, ସେତେବେଳେ ଆମକୁ ଜାମ୍ମୁ-କାଶ୍ମୀରର ଚାରୋଟି ଅଞ୍ଚଳର କଥା କହିବା ଉଚିତ – ଜାମ୍ମୁ, କାଶ୍ମୀର ଘାଟୀ, ଲଦାଖ ଏବଂ ପାକ-ଅଧିକୃତ କାଶ୍ମୀର ।

ମୁଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କଠାରେ କୃତଜ୍ଞ ଯେ, ସେମାନେ ଜାମ୍ମୁ-କାଶ୍ମୀରର ଅଞ୍ଚଳଗୁଡିକର ବର୍ତ୍ତମାନର ସ୍ଥିତି ପାଇଁ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଦ୍ୱାରା ବିଗତ ଛଅ ଦଶନ୍ଧି ଧରି ପାଳିତ ସମୃଦ୍ଧ ପରମ୍ପରା ଆମ ଦେଶର ଏକତା ଏବଂ ଅଖଣ୍ଡତାର ସବୁଠାରୁ ବଡ ଶକ୍ତି ହୋଇଆସିଛି । କିଛି ପ୍ରସଙ୍ଗକୁ ନେଇ ଆମ ମଧ୍ୟରେ ମତାନ୍ତର ହୋଇପାରେ, କିନ୍ତୁ ଯେତେବେଳେ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତା କଥା ଉଠେ, ସେତେବେଳେ ଆମେ ସମସ୍ତେ ଏକଜୁଟ ହୋଇ ରହୁ ।

ଜାମ୍ମୁ-କାଶ୍ମୀରରେ ନିକଟ ଅତୀତରେ ଘଟିଥିବା ଘଟଣାଗୁଡିକ ପାଇଁ ପ୍ରତ୍ୟେକ ଭାରତୀୟ ଭଳି ମୋ ହୃଦୟ ମଧ୍ୟ ଗଭୀର ଦୁଃଖରେ ଭରିଯାଇଛି । ମୋତେ ଏହା ଦେଖି ଖୁବ ଦୁଃଖ ଲାଗେ ଯେ, ପିଲାମାନେ ସେମାନଙ୍କ ପାଠ ପଢି ପାରୁନାହାନ୍ତି, ସେଓର ଉତ୍ପାଦନ ବଜାରକୁ ପହଞ୍ଚି ପାରୁନାହିଁ, ଦୋକାନୀମାନଙ୍କର ଦୈନିକ ଆୟ ହେଉ ନାହିଁ, ଆଉ ସରକାରୀ କାର୍ଯ୍ୟାଳୟ ଜନହିତକର କାର୍ଯ୍ୟ କରି ପାରୁନାହାନ୍ତି । ଏହି ସ୍ଥିତି ଦ୍ୱାରା ଗରିବ ଲୋକ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି ।

ଆମେ ରାଜନୈତିକ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କ ଯୋଗୁ ହିଁ ଆମର ଅସ୍ତିତ୍ୱ । ସେମାନେ ଆମର ବଳ, ସେମାନେ ଆମର ଶକ୍ତିର ସ୍ରୋତ, ପ୍ରକୃତରେ ଜନଶକ୍ତି ଆମ ସାର୍ବଜନୀନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କେହି ବି ଆହତ ହୁଅନ୍ତୁ, ସିଏ ନାଗରିକ ହୋଇଥାନ୍ତୁ କିମ୍ବା ସୁରକ୍ଷା କର୍ମଚାରୀ, ଆମ ସମସ୍ତଙ୍କ ମନରେ ଦୁଃଖ ହୁଏ । ସେମାନଙ୍କ ପରିବାର ସହିତ ମୋର ସମ୍ପୂର୍ଣ୍ଣ ସହାନୁଭୁତି ରହିଛି । ଆହତ ହୋଇଥିବା ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମେ ସଂକଳ୍ପବଦ୍ଧ । ଏହା ସହିତ କାଶ୍ମୀର ଘାଟୀରେ ଆମେ ଯେତେ ଶୀଘ୍ର ସମ୍ଭବ ଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛୁ ଯାହାଫଳରେ ସେଠାକାର ଲୋକ ସାଧାରଣ ଭାବରେ ଜୀବନ-ଯାପନ କରିପାରିବେ, ନିଜର ଜୀବିକା ଅର୍ଜନ କରିପାରିବେ, ନିଜ ପିଲାଙ୍କୁ ପାଠ ପଢାଇପାରିବେ ଏବଂ ରାତିରେ ଶାନ୍ତିରେ ଶୋଇ ପାରିବେ ।

ଆମେ ସମ୍ବିଧାନର ମୂଳ ସିଦ୍ଧାନ୍ତ (Basic Principles) ଅନୁଯାୟୀ କାଶ୍ମୀର ପ୍ରସଙ୍ଗର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ସଂକଳ୍ପବଦ୍ଧ । ଆମେ ଖୋଲା ହୃଦୟର ଏବଂ ଆମ ଦ୍ୱାର ସବୁବେଳେ ଖୋଲା । ଆମେ ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀର ରାଜ୍ୟର ପ୍ରତ୍ୟେକ ନାଗରିକର କଲ୍ୟାଣ ପାଇଁ ସଂକଳ୍ପବଦ୍ଧ । ସମାଧାନ ଖୋଜି ବାହାର କରିବା ପାଇଁ ଆମେ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଦେଖାଇଥିବା ମାର୍ଗକୁ ଅନୁସରଣ କରିଆସିଛୁ ।
ଜାମ୍ମୁ-କାଶ୍ମୀରକୁ ପ୍ରାୟତଃ ଭାରତର ମୁକୁଟ ବୋଲି କୁହାଯାଇଥାଏ । ପ୍ରକୃତରେ ଜାମ୍ମୁ-କାଶ୍ମୀର ସବୁ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ଏବଂ ଶହ ଶହ ବର୍ଷର ପୁରୁଣା ସଂକଳ୍ପବଦ୍ଧତାର ପ୍ରତୀକ, ଯେଉଁଠାରେ ହିନ୍ଦୁ, ଶିଖ୍, ବୌଦ୍ଧ ଏବଂ ମୁସଲମାନ ଶହ ଶହ ବର୍ଷ ଧରି ଏକାଠି ରହି ଆସିଛନ୍ତି । ଜାମ୍ମୁ-କାଶ୍ମୀର ରାଜ୍ୟ ଆମର ରାଷ୍ଟ୍ର ଗଠନକାରୀମାନଙ୍କର (Founding Fathers) ସେହି ବିଶ୍ୱାସର ପ୍ରତୀକ ଯାହା ଆମର ବିବିଧତା ସତ୍ତ୍ୱେ ଆମକୁ ଏକ ଭାରତୀୟ ରୂପେ ଉଜ୍ଜୀବିତ କରିଥାଏ । ଜାମ୍ମୁ-କାଶ୍ମୀର କେବଳ ଆମ ଆଞ୍ଚଳିକ ଅଖଣ୍ଡତାର ପ୍ରସଙ୍ଗ ନୁହେଁ ବରଂ ଏହା ଆମ ଜାତୀୟତାର ସଂଜ୍ଞା । ଏହି ବାସ୍ତବତାକୁ ଆମେ ଅସ୍ୱୀକାର କରି ପାରିବା ନାହିଁ ଯେ, ପ୍ରତିରକ୍ଷା ବାହିନୀ ସବୁ ପ୍ରକାର ଆଘାତ ସହିଛି, ତାଙ୍କ ଉପରେ ଯୋଜନାବଦ୍ଧ ଭାବରେ ଆକ୍ରମଣ ହୋଇଛି, ଏହା ସତ୍ତ୍ୱେ ପ୍ରତିରକ୍ଷା ବାହିନୀ ସଂଯମ ପ୍ରଦର୍ଶନ କରିଛି । ପରିସଂଖ୍ୟାନ କହୁଛି ଯେ, ପ୍ରତିରକ୍ଷା ବାହିନୀର ଜବାନମାନେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି ।
କିଛି ଲୋକଙ୍କର ଅପପ୍ରଚାର ସତ୍ତ୍ୱେ, କାଶ୍ମୀରରେ ବିଭ୍ରାନ୍ତି ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ଏବଂ ପିଲାମାନଙ୍କୁ ପ୍ରବର୍ତ୍ତାଇବା ଲୋକଙ୍କ ସଂଖ୍ୟା ଖୁବ କମ୍ । କାଶ୍ମୀରର ପ୍ରତ୍ୟେକ ଲୋକ ଶାନ୍ତି ଚାହୁଁଛି ଏବଂ ଗଣତନ୍ତ୍ରରେ ବିଶ୍ୱାସ କରୁଛି । ତେଣୁ ନିରନ୍ତର ଭାବେ ନିର୍ବାଚନ ପରେ ନିର୍ବାଚନରେ କିଛି ବିଚ୍ଛିନ୍ନଚ୍ଛାବଦୀ ଶକ୍ତିମାନଙ୍କ ଦ୍ୱାରା ଦିଆଯାଇଥିବା ଧମକ ସତ୍ତ୍ୱେ , କାଶ୍ମୀରର ଜନସାଧାରଣ ଗଣତନ୍ତ୍ରର ଏହି ପ୍ରତ୍ୟେକ ପବିତ୍ର ପର୍ବରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ଆସ୍ଥା ପ୍ରକାଶ କରିଛନ୍ତି । ଏମିତିକି ବର୍ତ୍ତମାନର ଅଶାନ୍ତ ପରିସ୍ଥିତିର କିଛି ଦିନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ମେହବୁବା ଜୀଙ୍କର ନିର୍ବାଚନ ମଣ୍ଡଳୀରେ ବହୁଳ ସଂଖ୍ୟାରେ ମତଦାନ ହେଲା । ତେଣୁ ଏହା ଜନ ଆନ୍ଦୋଳନ ବୋଲି କହି ଭ୍ରମ ସୃଷ୍ଟି କରିବା ତାହା ମଧ୍ୟ ସତ୍ୟ ଠାରୁ ଅନେକ ଦୂରରେ ।
କିଛି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ କିଛି କଟକଣା ଲଗାଯାଇଛି । ଏହା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଆଇନଗତ ପଦକ୍ଷେପ । ନହେଲେ ଶାନ୍ତିପ୍ରିୟ ଜନସାଧାରଣଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡିବ । ପ୍ରକୃତରେ, ସାଧାରଣ ନାଗରିକମାନଙ୍କୁ କଟକଣା ଯୋଗୁ ଅସୁବିଧା ହୋଇ ନାହିଁ, ବରଂ ବିଚ୍ଛିନ୍ନତାବାଦୀମାନଙ୍କ ଦ୍ୱାରା ବାରମ୍ବାର ଦିଆଯାଉଥିବା ଧର୍ମଘଟର କେଲେଣ୍ଡର ଯୋଗୁ ହୋଇଛି ।
ଏହି ସମୟ ମଧ୍ୟରେ ଅମରନାଥ ଯାତ୍ରାର ସଫଳତାର ସହ ଅନୁଷ୍ଠିତ ହୋଇ ଚାଲିଲା । ଏହା ସହିତ, ଲଦାଖରେ ରାଜ୍ୟ ସରକାର ସୌର ଶକ୍ତି ଉପରେ ବିଶେଷ କାର୍ଯ୍ୟ କରୁଛନ୍ତି । NEET, CET, UPSC ର ସିଭିଲ ସର୍ଭିସ ପରୀକ୍ଷା ସୁଚାରୁ ରୂପେ ପରିଚାଳିତ କରାଗଲା । ଏପରିକି, ସବୁ ଆବଶ୍ୟକ ବସ୍ତୁ ସାଧାରଣ ନାଗରିକମାନଙ୍କୁ ଉପଲବ୍ଧ କରାଗଲା । ଆଗମୀ ସମୟ ପର୍ଯ୍ୟଟନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆଉ ପୁଣି ସେଓ ର ଫସଲ ମଧ୍ୟ ଆସିଯିବ, ଯାହା କାଶ୍ମୀରର ସାଧାରଣ ନାଗରିକ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । କିଛି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏହି ସମୟର ଲାଭ ଉଠାଇ କାଶ୍ମୀରର ଶାନ୍ତିପ୍ରିୟ ନାଗରିକମାନଙ୍କ ପାଇଁ ଅନାବଶ୍ୟକ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

କାଶ୍ମୀରରେ ଅଶାନ୍ତିର ମୂଳ କାରଣ ହେଉଛି ସୀମା-ପାର ଆତଙ୍କବାଦ, ଯାହାକୁ ମୁଖ୍ୟତଃ ପଡୋଶୀ ଦେଶରୁ ପ୍ରୋତ୍ସାହନ ମିଳୁଛି । ଆତଙ୍କବାଦ ଯୋଗୁ କାଶ୍ମୀରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ । କାଶ୍ମୀରରେ ଯେତେବେଳେ 1989-90 ରେ ଆତଙ୍କବାଦ ଆରମ୍ଭ ହେଲା ତେବେଠାରୁ ଏଯାବତ୍ ପ୍ରତିରକ୍ଷା କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନରେ –

• 34 ହଜାରରୁ ଅଧିକ ଏ.କେ-47 ରାଇଫଲ ଜବତ ହୋଇଛି

• 5 ହଜାରରୁ ଅଧିକ ଗ୍ରେନେଡ ଲଞ୍ଚର ଜବତ ହୋଇଛି

• ପ୍ରାୟ 90ଟି ଲାଇଟ ମେସିନ ଗନ୍ ଜବତ ହୋଇଛି

• 12 ହଜାରରୁ ଅଧିକ ପିସ୍ତଲ ଏବଂ ରିଭଲଭର ଜବତ ହୋଇଛି

• 3 କମାଣ-ନିରୋଧୀ ଏବଂ 4 ଏଣ୍ଟି-ଏୟାର୍ କ୍ରାଫ୍ଟ ଗନ୍ ଜବତ ହୋଇଛି

• 350ରୁ ଅଧିକ ମିସାଇଲ ଲଞ୍ଚର ଜବତ ହୋଇଛି

• ଆର.ଡି.ଏକ୍ସ. ସହିତ 63 ହଜାର କିଲୋଗ୍ରାମ ବିସ୍ଫୋରକ, 1 ଲକ୍ଷରୁ ଅଧିକ ଗ୍ରେନେଡ ଆଦି ଜବତ ହୋଇଛି

• ଏହି ସମୟ ମଧ୍ୟରେ 5 ହଜାରରୁ ଅଧିକ ବିଦେଶୀ ଆତଙ୍କବାଦୀ, ଯାହା କି 5 ବାଟାଲିୟନ ସହ ସମାନ, ମୃତ୍ୟୁ ବରଣ କରିଛନ୍ତି
ଏତେ ଅସ୍ତ୍ର-ଶସ୍ତ୍ର ଜବତ ହେବା, ହିଂସା ଉଦ୍ଦେଶ୍ୟରେ ଏତେ ବିଦେଶୀ ଆତଙ୍କବାଦୀଙ୍କ ଘାଟୀରେ ପ୍ରବେଶ, ଏସବୁ ସତ୍ତ୍ୱେ ପାକିସ୍ତାନ ଲକ୍ଷେ ମିଛ କହିଲେ ବି ଦୁନିଆ କେବେହେଲେ ତାହାର ଅପପ୍ରଚାରକୁ ଗ୍ରହଣ କରିବ ନାହିଁ।

ପାକିସ୍ତାନ ଭୁଲି ଯାଉଛି ଯେ, ସେ ନିଜ ଦେଶର ନାଗରିକମାନଙ୍କ ଉପରେ ଯୁଦ୍ଧ-ବିମାନରୁ ବୋମା ବୃଷ୍ଟି କରୁଛି । ସମୟ ଆସିଯାଇଛି, ଏବେ ବିଶ୍ୱ ଆଗରେ ବେଲୁଚିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀରରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରର ଉତ୍ତର ପାକିସ୍ତାନକୁ ଦେବାକୁ ହେବ ।
ଆମେ ଲୋକଙ୍କ ମୌଳିକ ଅଧିକାର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ । ଆତଙ୍କବାଦ ବିରୁଦ୍ଧରେ ମଧ୍ୟ ଆମ ଆଇନ ଯେତେ ମାନବୀୟ, ବିଶ୍ୱର କୌଣସି ଗଣତନ୍ତ୍ରରେ ସେତେ ନାହିଁ । ଆମ ସରକାର ଏବଂ ଆମ ପ୍ରତିରକ୍ଷା ବାହିନୀ ଏହି ଘଟଣାଗୁଡିକର ସମାଧାନରେ ସଂଯମ ପ୍ରଦର୍ଶନ କରିଛନ୍ତି ।

ଭାରତ ଆତଙ୍କବାଦର ମୁକାବିଲା ସମ୍ପୂର୍ଣ୍ଣ ଶକ୍ତି ଏବଂ ସଂକଳ୍ପ ସହ କରିବ । ଏହା ଆମର ଜାତୀୟ କର୍ତ୍ତବ୍ୟ । ଭାରତ, ରୁଲ୍ ଅଫ୍ ଲ ପାଇଁ ସଂକଳ୍ପବଦ୍ଧ, ଏହାକୁ ଭାରତର ଦୁର୍ବଳତା ମନେକରିବା ବିରୋଧି ଶକ୍ତିମାନଙ୍କର ବଡ ଭୁଲ ହେବ । ଭାରତ ଆତଙ୍କବାଦକୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ । ଆମ ପାଇଁ means and ends, ଅର୍ଥାତ ସାଧନ ଏବଂ ସାଧ୍ୟ, ଉଭୟ ଗୁରୁତ୍ୱପୂର୍ଣ୍ଣ । ଏବଂ ଉଭୟକୁ ନିର୍ବାହ କରିବାରେ ଆମେ ସକ୍ଷମ ।
ଆଉ ଏକ ବାସ୍ତବିକତା ହେଲା, କାଶ୍ମୀର ଘାଟୀରେ ଶହ ଶହ ବର୍ଷ ଧରି ରହି ଆସିଥିବା କାଶ୍ମୀରୀ ପଣ୍ଡିତମାନଙ୍କୁ ସେମାନଙ୍କ ପୈତୃକ ଘରୁ ବିସ୍ଥାପିତ କରାଯାଇଛି । ଏକ ବିଶେଷ ସମ୍ପ୍ରଦାୟ ପ୍ରତି ଏହି ପ୍ରକାରର ମାତ୍ରାଧିକ କାର୍ଯ୍ୟ ପାକିସ୍ତାନରେ ପ୍ରଶିକ୍ଷିତ, ପାକିସ୍ତାନ ଦ୍ୱାରା ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ଆତଙ୍କବାଦୀ ଏବଂ ତାଙ୍କ ପ୍ରତି ସହାନୁଭୁତି ପ୍ରଦର୍ଶନକାରୀଙ୍କ କାମ । ଏହା କଦାପି କାଶ୍ମୀରିପଣରେ ବିଶ୍ୱାସ କରୁଥିବା ଲୋକଙ୍କ କାର୍ଯ୍ୟ ନୁହେଁ ।
ଜାମ୍ମୁ-କାଶ୍ମୀରର ସର୍ବାଙ୍ଗୀନ ବିକାଶ ପାଇଁ ଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ମତାନୁସାରେ 80 ହଜାର କୋଟି ଟଙ୍କାର ଏକ ବିକାଶ ପ୍ୟାକେଜ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପ୍ୟାକେଜ ଅନ୍ତର୍ଗତ କେବଳ ରାସ୍ତା ଏବଂ ବିଜୁଳି ପରିଯୋଜନା ପାଇଁ ନୁହେଁ ବରଂ ଜାମ୍ମୁ ଏବଂ କାଶ୍ମୀରର ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କର ସମ୍ପୂର୍ଣ୍ଣ ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି । ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ଯୁବକଙ୍କ ରୋଜଗାର, ଚିକିତ୍ସା ପାଇଁ ଆଧୁନିକ ସୁବିଧା, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସୁବିଧା ସୁଯୋଗ, ରାଜ୍ୟରେ ଫଳ ଉତ୍ପାଦନ ପାଇଁ ବିଶେଷ ସୁବିଧା ଆଦି ଅନ୍ତର୍ଭୁକ୍ତ ।
ତୁରନ୍ତ ରୋଜଗାର ଉପଲବ୍ଧ କରାଇବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ, 10 ହଜାର ସ୍ଵତନ୍ତ୍ର ପୁଲିସ ଅଧିକାରୀ (SPOs), ପ୍ରାୟ 1200 ଅର୍ଦ୍ଧ-ସାମରିକ ଏବଂ 5 ଆଇ.ଆର (IR) ବାଟାଲିୟନରେ ପ୍ରାୟ 4000 ପଦବୀରେ ନିଯୁକ୍ତି ଦିଆଯିବ । ଏହାଛଡା ଉଡାନ୍ ଏବଂ ହିମାୟତ ଯୋଜନାରେ ପ୍ରାୟ 1 ଲକ୍ଷ 25 ହଜାର ଲୋକଙ୍କୁ ପ୍ରଶିକ୍ଷିତ କରାଯିବାର ଉଦ୍ଦେଶ୍ୟ ରହିଛି ଯାହା ଫଳରେ ବେକାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

ସୁଶ୍ରୀ ମେହବୁବା ମୁଫତିଙ୍କ ନେତୃତ୍ୱରେ ଥିବା ରାଜ୍ୟ ସରକାର, ପିଡିପି-ବିଜେପି ସରକାର ରାଜ୍ୟର ସମସ୍ୟାଗୁଡିକର ସମାଧାନ କରିବାର ଉନ୍ନତ ପ୍ରଚେଷ୍ଟା କରୁଛନ୍ତି । ସରକାର ଗତ ଏକ ମାସ ମଧ୍ୟରେ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ପରିସ୍ଥିତିକୁ ଅତ୍ୟନ୍ତ ସାବଧାନତାର ସହିତ ସମ୍ଭାଳିଛନ୍ତି । ସାରା ଦେଶ ଆଜି ତାଙ୍କ ସହିତ ଠିଆ ହୋଇ ରହିଛି ।

ମୁଁ ପୁଣିଥରେ ଏକଥା କହିବି ଯେ, କେନ୍ଦ୍ର ଏବଂ ରାଜ୍ୟର ସରକାର ଏଠାକାର ଲୋକଙ୍କ ସମସ୍ତ ନ୍ୟାଯ୍ୟ ଅଭିଯୋଗର ସମାଧାନ ଏବଂ ଶାନ୍ତି ସ୍ଥାପନ ପାଇଁ ପ୍ରତିଜ୍ଞାବଦ୍ଧ । ହିଂସା, ଆତଙ୍କବାଦ ଏବଂ ଭାରତ-ବିରୋଧି କାର୍ଯ୍ୟକଳାପର ଦୃଢତାର ସହ ମୁକାବିଲା କରାଯିବ । ଅପର ପକ୍ଷରେ ପ୍ରତ୍ୟେକଙ୍କର ନ୍ୟାଯ୍ୟ ଅଭିଯୋଗର ଶୁଣାଣି ହେବ ଏବଂ ଏହାର ସମାଧାନ କରାଯିବ ।

ଏ କଥା ଉପରେ ମୁଁ ପୁଣି ଥରେ ଗୁରୁତ୍ୱ ଦେବି ଯେ, ଆତଙ୍କବାଦ ଏବଂ ବିନାଶର ଜବାବ ଆମ ସମସ୍ତ ରାଜନୈତିକ ଦଳ ଏବଂ ଦେଶବାସୀଙ୍କୁ ମିଶିକରି ଦେବାକୁ ହେବ । ଆଜି ଯେତେବେଳେ ଆତଙ୍କବାଦ ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି, ଏଭଳି ସମୟରେ ଆମେ ଯେତେବେଳେ ପଡୋଶୀ ଦେଶର ଆଶ୍ରୟ ପାଇଥିବା ଆତଙ୍କବାଦର ଘେରରେ ରହିଛୁ, ଏହି ସଂଗ୍ରାମ ଆମକୁ ଏକଜୁଟ ହୋଇ ଲଢିବାକୁ ହେବ । ସରକାର ଏହି ବିଷୟ ଉପରେ ସମସ୍ତ ରାଜନୈତିକ ଦଳ ଠାରୁ ରଚନାତ୍ମକ ସହଯୋଗ ପାଇଁ ଅପେକ୍ଷାରେ ରହିଛି । ସମସ୍ତ ରାଜନୈତିକ ଦଳମାନଙ୍କୁ ନିଜ ମଧ୍ୟରେ ଥିବା ମତାନ୍ତରକୁ ଭୁଲି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଏବଂ ଖୁସିର ବାତାବରଣ ସ୍ଥାପିତ କରିବା ଦିଗରେ ସହଯୋଗ କରିବାକୁ ପଡିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ, ରାଜ୍ୟ ସରକାରଙ୍କ ଦୃଢ ଇଚ୍ଛା ଏବଂ ଆପଣ ସମସ୍ତଙ୍କ ସମ୍ପୂର୍ଣ୍ଣ ସହଯୋଗ ଦ୍ୱାରା ଆମେ ଜାମ୍ମୁ-କାଶ୍ମୀରରେ ସାଧାରଣ ଜୀବନଯାତ୍ରାକୁ ପୁଣି ଥରେ ସ୍ଥାପିତ କରିପାରିବା ।

କାଶ୍ମୀରରେ ଆଜି ପର୍ଯ୍ୟନ୍ତ ନିଆଯାଇଥିବା ମୁଖ୍ୟ ପଦକ୍ଷେପ ଏବଂ ଆମର ନୀତି ସମ୍ପର୍କରେ ମୁଁ ପୁଣି ଥରେ ଦୋହରାଇବାକୁ ଚାହୁଁଛି –

1) ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ସ୍ଥିତି କାଏମ ରଖିବା ଯେ କୌଣସି ସରକାରଙ୍କ ଦାୟୀତ୍ୱ । ଆତଙ୍କବାଦୀ କାର୍ଯ୍ୟକଳାପ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ।

2) ଆଜିର ଯୁଗରେ ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ସିଭିଲ୍ ସୋସାଇଟିକୁ ନାଗରିକ ଗତିବିଧି ସହ ଜଡିତ କରି ପ୍ରୋତ୍ସାହିତ କରାଯିବ ।

3) ଆମେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ହିଁ ରାଜନୈତିକ ପ୍ରକ୍ରିୟାକୁ ଆଦରର ସହ ଆଗେଇ ନେବୁ, ଏବଂ

4) କାଶ୍ମୀରର ନବଯୁବକମାନଙ୍କୁ ମଧ୍ୟ ରାଜ୍ୟର ସକ୍ରିୟ ଅର୍ଥନୈତିକ ଗତିବିଧିରେ ସାମିଲ କରିବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବୁ ।

5) ଯେଉଁ ରଜ୍ୟମାନଙ୍କରେ ଜାମ୍ମୁ-କାଶ୍ମୀରର ଲୋକେ ରହୁଛନ୍ତି, ସେମାନେ ହିନ୍ଦୁ ହୋଇଥାନ୍ତୁ, ମୁସଲମାନ ହୋଇଥାନ୍ତୁ, ଶିଖ୍ ହୋଇଥାନ୍ତୁ, ବୌଦ୍ଧ ହୁଅନ୍ତୁ କିମ୍ବା ଯେକୌଣସି ଧର୍ମର ହୋଇଥାନ୍ତୁ, ସେହି ରାଜ୍ୟକୁ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଉଚିତ ଏବଂ ଏହି ପ୍ରୟାସ କରିବା ଉଚିତ ଯେ ସେମାନେ ଜାମ୍ମୁ-କାଶ୍ମୀରରେ ରହୁଥିବା ସେମାନଙ୍କ ସମ୍ପର୍କୀୟମାନଙ୍କ ସହ କେମିତି ସମ୍ପର୍କ ସ୍ଥାପନ କରିପାରିବେ ଏବଂ ନିଜ ଓ ଭାରତର ଅନ୍ୟ ରାଜ୍ୟମାନଙ୍କରେ ହେଉଥିବା ବିକାଶର ବିବରଣୀ ଦେଇପାରିବେ ।

6) ବିଦେଶ ମନ୍ତ୍ରଣାଳୟ ଏହି ପ୍ରଚେଷ୍ଟା କରିବା ଦରକାର ଯେ ପାକିସ୍ତାନ ଅଧିକୃତ କାଶ୍ମୀରର ବାସିନ୍ଦା ଯେଉଁମାନେ ବିଶ୍ୱର ବିଭିନ୍ନ ଦେଶରେ ରହୁଛନ୍ତି, ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ସେମାନଙ୍କ ଠାରୁ ପାକିସ୍ତାନ ଅଧିକୃତ କାଶ୍ମୀରର ଦୟନୀୟ ସ୍ଥିତି ସମ୍ପର୍କରେ ସୂଚନା ହାସଲ କରନ୍ତୁ ଏବଂ ବିଶ୍ୱବାସୀଙ୍କୁ ଏହି ସୂଚନା ପ୍ରଦାନ କରନ୍ତୁ ।

ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ଏହି ବୈଠକରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତ ପାଇଁ ଧନ୍ୟବାଦ ଅର୍ପଣ କରୁଛି । ସରକାରଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆମେ ସମସ୍ତେ ଏହି ଜାତୀୟ ଭାବନା ପ୍ରତି ସଂକଳ୍ପବଦ୍ଧ ଯେ, ଭାରତର କ୍ଷେତ୍ରୀୟ ଅଖଣ୍ଡତା ସହ ସାଲିସ୍ କରାଯାଇପାରିବ ନାହିଁ । ସମ୍ବିଧାନର ପରିସୀମା ମଧ୍ୟରେ ଆମେ ସବୁ ଶ୍ରେଣୀର ଅଭିଯୋଗ ଦୂର କରିବା ପାଇଁ ପ୍ରସ୍ତୁତ ରହିଛୁ ।

ଧନ୍ୟବାଦ ।