ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜୈବ ଚିକିତ୍ସା ଗବେଷଣା କ୍ୟାରିଅର କାର୍ଯ୍ୟକ୍ରମ (ବିଆରସିପି) ଏବଂ ୱେଲକମ ଟ୍ରଷ୍ଟ (ଡବ୍ଲୁଟି)/ଡିବିଟି ଇଣ୍ଡିଆ ଆଲାଏନ୍ସକୁ ଏହାର ପ୍ରାରମ୍ଭିକ 10 ବର୍ଷର ଅବଧି (2008-09ରୁ 2018-19 ପର୍ଯ୍ୟନ୍ତ) ଠାରୁ ଆଗକୁ ବୃଦ୍ଧି କରି ନୂଆ ପାଞ୍ଚ ବର୍ଷୀୟ ଅବଧି (2019-20ରୁ 2023-24 ପର୍ଯ୍ୟନ୍ତ)ରେ ମଧ୍ୟ ଜାରି ରଖିବାକୁ ମଞ୍ଜୁର କରିଛନ୍ତି । ଅନ୍ୟପଟେ ଜୈବ ପ୍ରଯୁକ୍ତି ବିଭାଗ (ଡିବିଟି) ନିଜ ପ୍ରତିବଦ୍ଧତା ଡବ୍ଲୁଟି ତୁଳନାରେ ଦୁଇ ଗୁଣା ବୃଦ୍ଧି କରିଛି ।
ଏହି ନିଷ୍ପତ୍ତି ଯୋଗୁ ମୋଟ 1092 କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ଯେଉଁଥିରେ ଡିବିଟି ଓ ଡବ୍ଲୁଟି ଯଥାକ୍ରମେ 728 କୋଟି ଏବଂ 364 କୋଟି ଟଙ୍କାର ଯୋଗଦାନ କରିବେ ।
ଏହି କାର୍ଯ୍ୟକ୍ରମ 1:1 ଭାଗୀଦାରୀରେ ନିଜର 10 ବର୍ଷୀୟ ଅର୍ଥ ଯୋଗାଣ କାଳରେ ଭାରତରେ ଅତ୍ୟାଧୁନିକ ଜୈବ ଚିକିତ୍ସା (ବାୟୋମେଡ଼ିକାଲ) ଗବେଷଣାରେ ଉଚ୍ଚତମ ବିଶ୍ୱସ୍ତରୀୟ ମାନ୍ୟତାପ୍ରାପ୍ତ ପ୍ରତିଭା ସୃଷ୍ଟି ଏବଂ ତାଲିମ ସହ ଜଡ଼ିତ ନିଜର ଉଦ୍ଦେଶ୍ୟକୁ ପୂରଣ କରିନେଇଛି, ଯାହାର ଫଳସ୍ୱରୂପ ସାମାଜିକ ଆବଶ୍ୟକତାକୁ ସମ୍ପୂର୍ଣ୍ଣ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପଲବ୍ଧି ଏବଂ ଅନୁପ୍ରୟୋଗ ସମ୍ଭବ ହୋଇପାରିଛି ।
ବିଆରସିପି ଦ୍ୱାରା ବିଦେଶରେ କାର୍ଯ୍ୟ କରୁଥିବା ଉନ୍ନତ ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଆକର୍ଷଣୀୟ ହୋଇପାରିଛି । ଏଥିସହିତ ବିଆରସିପି ବଳରେ ଭାରତର ଅନେକ ସ୍ଥାନରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି, ଯେଉଁଠି ବିଶ୍ୱସ୍ତରୀୟ ଜୈବ ଚିକିତ୍ସା ଗବେଷଣା କରାଯାଉଛି ।
ଏହି କାର୍ଯ୍ୟକ୍ରମର ସମ୍ପ୍ରସାରିତ ପର୍ଯ୍ୟାୟ କାଳରେ ଏହି କ୍ଷମତାକୁ ବୃଦ୍ଧି କରିବାର କ୍ରମ ଜାରି ରଖାଯିବ । ଏଥିସହିତ ଭାରତରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସଫଳ ମୁକାବିଲା ଲାଗି ନିଦାନଗତ ଗବେଷଣା ଏବଂ କାର୍ଯ୍ୟକୁ ମଧ୍ୟ ସୁଦୃଢ଼ କରାଯିବ । ଭାରତ ସରକାରଙ୍କ ବର୍ଦ୍ଧିତ ଅଂଶଗ୍ରହଣ ସହିତ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଫଳରେ ହିଁ ଆଶାନୁରୂପ ପରିଣାମ ମିଳିପାରିବ ।