Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୋହାନସବର୍ଗଠାରେ ଭାରତୀୟ ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଜୋହାନସବର୍ଗଠାରେ ଭାରତୀୟ ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ନମସ୍କାର,

ଏଠାରେ ଉପସ୍ଥିତ ଥିବା ବିରାଟ ଜନ-ସମୁଦାୟ,

ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ,

ଭାଇ ଓ ଭଉଣୀମାନେ,

ସାନିବୋନାନି, ନମସ୍କାର, ୱଣକ୍କମ୍, କେମ୍ ଛୋ,

ଦକ୍ଷିଣ ଆଫ୍ରିକା ଆସି ମୁଁ ଆନନ୍ଦିତ ।

ଆପଣମାନଙ୍କ ନିକଟକୁ ଆସିବା ମୋ ପାଇଁ ଖୁବ୍ ଆନନ୍ଦର କଥା । ଆପଣମାନେ ଅନେକ ଦୂର-ଦୂରାନ୍ତରୁ ମୋତେ ଆଶୀର୍ବାଦ କରିବା ପାଇଁ ଆସିଛନ୍ତି । ମୁଁ ଆପଣମାନଙ୍କୁ ଭେଟିବାର ସୌଭାଗ୍ୟ ପାଇଛି । ଜୋହାନସବର୍ଗ, ଡର୍ବାନ, ବ୍ଲୁମଫାଉଣ୍ଟେନ, କେପଟାଉନ, କିଛି ଲୋକ ତ ବୋତ୍ସ୍ୱାନା ଓ ଲେସୋତୋ ରୁ ଆସିଛନ୍ତି । ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ । ଆପଣମାନେ ନିଜ ନିଜ କାମରେ ଖୁବ୍ ବ୍ୟସ୍ତ ଥାଆନ୍ତି । ସମସ୍ତେ କିଛି ନା କିଛି ଦାୟୀତ୍ୱ ସହ ଜଡିତ ଲୋକ । ଆପଣମାନେ ଆଜି ମୋତେ ଭେଟିବା ପାଇଁ ସମୟ ବାହାର କଲେ, ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରୁଛି ।

ମୋତେ ସ୍ନେହ ଏବଂ ଆଦର ସହ ସ୍ୱାଗତ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ଆପଣମାନଙ୍କ ସ୍ନେହ ଏବଂ ଭଲ ପାଇବା ଏହି ମହାନ ଦେଶକୁ ମୋର ଗସ୍ତ ଆହୁରି ବିଶିଷ୍ଟ କରି ଦେଇଛି । ବିଶାଳ ଭାରତ ମହାସାଗର ସେପାରିରୁ ମୁଁ ମୋ ସହିତ 125 କୋଟି ଭାରତୀୟଙ୍କ ସାଦର ବନ୍ଧୁତ୍ୱ ଏବଂ ଶୁଭେଚ୍ଛା ଆଣିଛି ।

ମୋର ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଇ-ମେଲ ପଠାଇ ମୋର ଆଜିର ବକ୍ତବ୍ୟ ସମ୍ପର୍କରେ ଆପଣମାନଙ୍କ ଠାରୁ ମତାମତ ଏବଂ ପ୍ରସ୍ତାବ ଆହ୍ୱାନ କରିଥିଲି । ନରେନ୍ଦ୍ର ମୋଦୀ ଆପ୍ ରେ ମୁଁ ହଜାର ହଜାର ସଂଖ୍ୟାରେ ନୂଆ ନୂଆ ଏବଂ ଉପଯୋଗୀ ପ୍ରସ୍ତାବମାନ ପାଇଛି । ଏହି ପ୍ରସ୍ତାବଗୁଡିକ ଆଜି ମୋତେ ଆପଣମାନଙ୍କ ସହ କଥାବାର୍ତ୍ତା ହେବାରେ ସାହାଯ୍ୟ କରିଛି ।

ବନ୍ଧୁଗଣ,

• ଆମେ ପରସ୍ପର ଠାରୁ ଦୂରରେ ରହିଥାଇ ପାରୁ

• ଅଲଗା ଅଲଗା ଟାଇମ୍ ଜୋନ୍ ରେ ରହିଥାଇ ପାରୁ

• ଅଲଗା ଅଲଗା ଗୋଲାର୍ଦ୍ଧ ରେ ରହିଥାଇ ପାରୁ

• ଆମ ପୂର୍ବପୁରୁଷମାନେ ଇତିହାସରେ ବିଚ୍ଛିନ୍ନ ହୋଇଯାଇପାରିଥାନ୍ତି

• ଆମ ଜାତୀୟତା ଭିନ୍ନ ହୋଇଥାଇପାରେ; ଏବଂ

• ଆମେ ହୁଏତ ଭିନ୍ନ ଭିନ୍ନ କ୍ରିକେଟ ଟିମକୁ ସମର୍ଥନ କରୁଥାଉଁ

କିନ୍ତୁ ଆମର ଅଭିନ୍ନ ସାଂସ୍କୃତିକ, ଧାର୍ମିକ ଏବଂ ଅଧ୍ୟାତ୍ମିକ ପରମ୍ପରା, ଉଭୟ ଆମ ମନ ଏବଂ ହୃଦୟରେ, ଆମକୁ ବାନ୍ଧିକରି ଓ ନିକଟତର କରି ରଖିଛି ।

ବନ୍ଧୁଗଣ,

ଦିନକ ପରେ ଜୁଲାଇ 10 ତାରିଖ । ଆପଣମାନେ ଜାଣିଛନ୍ତି ଏହି ଦିନର ବିଶେଷତ୍ୱ କଣ । 1991 ରେ ଏହି ଦିନରେ ଦକ୍ଷିଣ ଆଫ୍ରିକା ର କ୍ରିକେଟ ଉପରୁ ଆନ୍ତର୍ଜାତିକ କଟକଣା ହଟିଥିଲା, ଏବଂ ଏହାର ମାତ୍ର କିଛି ମାସ ପରେ ଦକ୍ଷିଣ ଆଫ୍ରିକା ଦଳ ନିଜ ପ୍ରଥମ ମ୍ୟାଚ ଭାରତରେ ଖେଳିଥିଲେ । ଏବଂ ଇତିହାସର ଅନ୍ୟ ଏକ ଦିଗ ଦେଖନ୍ତୁ, ଯେଉଁ ଭାରତ ବର୍ଣ୍ଣ ବୈଷମ୍ୟବାଦ ଶାସନ ସମୟରେ ଦକ୍ଷିଣ ଆଫ୍ରିକାକୁ ବହିଷ୍କାର କରିଥିଲା, ସେହି ଭାରତ ବର୍ଣ୍ଣ ବୈଷମ୍ୟବାଦ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାକୁ ଆଦରି ନେବାରେ ପ୍ରଥମ ଦେଶ ହୋଇଥିଲା ।

ବନ୍ଧୁଗଣ,

ଯେତେବେଳେ ଆପଣମାନଙ୍କୁ ଦେଖୁଛି, ମୋତେ ଆପଣମାନଙ୍କ ପୂର୍ବପୁରୁଷ ଏବଂ ସେମାନେ ସହିଥିବା କଷ୍ଟ କଥା ମନେ ପଡୁଛି । ତା ସଙ୍ଗେ ସଙ୍ଗେ ମନେପଡୁଛି ସେମାନଙ୍କ ବୀରତ୍ୱର କଥା ।

ଶହ ଶହ ବର୍ଷ ପୂର୍ବେ ଆମ ପୂର୍ବପୁରୁଷ ଦକ୍ଷିଣ ଆଫ୍ରିକାର ଅଜଣା ମୂଲକକୁ ଯାତ୍ରା କରିଥିଲେ । ସେମାନେ ଖୁବ କଷ୍ଟ ଏବଂ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିଲେ । ତଥାପି ସେସବୁ ସେମାନେ ସହି ଚାଲିଥିଲେ । ଅନେକ ଦଶନ୍ଧିର ଜାତିଆଣ ଭେଦଭାବ ଯୋଗୁ ପୃଥକ ହୋଇ ରହିବା ସତ୍ତ୍ୱେ, ସେମାନେ କେବଳ ତାଙ୍କ ସଂସ୍କୃତି, ପରମ୍ପରା ଏବଂ ଭାଷାକୁ ବଞ୍ଚେଇ ରଖିଲେ ତାହା ନୁହେଁ, ସେମାନେ ଏହାକୁ ଆହୁରି ସମୃଦ୍ଧ କଲେ । ଆଜି ହିନ୍ଦୀ, ତାମିଲ, ଗୁଜରାଟି, ଉର୍ଦ୍ଦୁ ଏବଂ ତେଲୁଗୁ ଦକ୍ଷିଣ ଆଫ୍ରିକାର ସାମାଜିକ ସୌନ୍ଦର୍ଯ୍ୟରେ ଅଭିବୃଦ୍ଧି କରୁଛି । ହୋଲିର ରଙ୍ଗ, ଦୀପାବଳୀର ଚମକ୍, ପୋଙ୍ଗଲର ସୁଆଦିଆ ବ୍ୟଞ୍ଜନ ଏବଂ ଇଦ୍ ର ଉତ୍ସବମୁଖର ପରିବେଶ କେବଳ ଯେ ଭାରତର ସପ୍ତରଙ୍ଗୀ ସାଂସ୍କୃତିକ ପରମ୍ପରା ନୁହେଁ, ଏସବୁ ଆଫ୍ରିକୀୟ ବିବିଧତାର ନିଦର୍ଶନ ମଧ୍ୟ । ଏହି ଦେଶରେ ଆପଣମାନଙ୍କ ପୂର୍ବପୁରୁଷମାନଙ୍କ କାହାଣୀ ହୁଏତ ଦାରିଦ୍ର୍ୟ ଏବଂ ଉତ୍ପୀଡନର ହୋଇପାରେ କିନ୍ତୁ ସେମାନେ ଛାଡିଯାଇଛନ୍ତି ତ୍ୟାଗ ଏବଂ ବଳିଦାନର ଗୌରବଗାଥା । ଏହା ଆପଣମାନଙ୍କ ସଫଳତା ଏବଂ ସମୃଦ୍ଧିରେ ପ୍ରତିଫଳିତ ହେଉଛି । ଏହି ମହାନ ଦେଶରେ ଆପଣମାନଙ୍କ ଅର୍ଥନୈତିକ ଯୋଗଦାନରେ ରହିଛି ଏହାର ବାସ୍ତବତା । ବସୁଧୈବ କୁଟୁମ୍ବକମ୍ – ସମଗ୍ର ବିଶ୍ୱ ଏକ ପରିବାରର – ଭାରତର ମହାନ ପରମ୍ପରାକୁ ଅନୁସରଣ କରି ଆପଣମାନେ ଅନ୍ୟମାନଙ୍କ ଯତ୍ନ ନେଇଛନ୍ତି, ଏବଂ ଏହା କରୁ କରୁ ଆପଣମାନେ ଦକ୍ଷିଣ ଆଫ୍ରିକୀୟ ମହାନ ଆଦର୍ଶ “Umuntu Ngumuntu Ngabantu” ( ଆପଣ ଯାହା କିଛି, ତାହା ଅନ୍ୟମାନଙ୍କ ଯୋଗୁ ) କୁ ମଧ୍ୟ ଉଜ୍ଜୀବିତ କରି ରଖିଛନ୍ତି ।

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ହୁଏତ ଅନେକେ ଜାଣିନଥିବେ, ଆପଣମାନଙ୍କ ପୂର୍ବପୁରୁଷମାନଙ୍କର ଗୋଟିଏ ଅବଦାନ ରହିଛି ଯାହା ଆପଣମାନଙ୍କ ପାଇଁ ଗର୍ବର ବିଷୟ ହେବା କଥା । ଆପଣମାନଙ୍କ ପୂର୍ବପୁରୁଷ ଭାରତରୁ ବିଦେଶ ଗମନ କରିବାରେ ପ୍ରଥମ ଥିଲେ । ସେମାନଙ୍କ ତ୍ୟାଗ, ନିଜର ସଂସ୍କୃତିକୁ ଜୀବିତ କରି ରଖିବାର ସେମାନଙ୍କ ଦୃଢ ମନୋବଳ ଏବଂ ସବୁ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ସଫଳ ହେବାର ଇଚ୍ଛା କେବଳ ଯେ ଦକ୍ଷିଣ ଆଫ୍ରିକୀୟ ଭାରତୀୟମାନଙ୍କ ପରବର୍ତ୍ତୀ ପିଢି କୁ ଗଢି ତୋଳିଲା ତାହା ନୁହେଁ, ଏହା ସମଗ୍ର ବିଶ୍ୱରେ ଭାରତୀୟମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କଲା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆପଣମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଫଳତା ଲାଭ କରିପାରିଥିଲେ ତାହା ଅନେକ ପ୍ରକାରରେ ବିଶ୍ୱରେ ବିଭିନ୍ନ ସ୍ଥାନରେ ଥିବା ରହିଥିବା ଭାରତୀୟମାନଙ୍କ ମାନସିକତାକୁ ପ୍ରଦର୍ଶିତ କରୁଛି ।

ବନ୍ଧୁଗଣ,

ଏହି ସହର ଏବଂ ଏହାର ଲୋକେ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ଥାନରେ ହିଁ ମହାତ୍ମା ଗାନ୍ଧୀଙ୍କର ରାଜନୀତିର ଚିନ୍ତାଧାରା ଜନ୍ମ ନେଇଥିଲା । ଏହା ସତ୍ୟାଗ୍ରହର ଜନ୍ମସ୍ଥାନ । ଦକ୍ଷିଣ ଆଫ୍ରିକା ମୋହନ ଦାସଙ୍କୁ ମାହାତ୍ମାରେ ପରିବର୍ତ୍ତିତ କରିଥିଲା । ଜାତିଗତ ଅତ୍ୟାଚାର ବିରୁଦ୍ଧରେ ନିଜର ସଂଗ୍ରାମରେ ଗାନ୍ଧୀଜୀ ଏକାକୀ ନ ଥିଲେ । ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ସଂଗ୍ରାମରେ ଆପଣମାନଙ୍କ ମଧ୍ୟରୁ ଅନେକ ବୀର ଅଛନ୍ତି । ଷୋହଳ ବର୍ଷର ୱଲିଆମ୍ମାଙ୍କ ତ୍ୟାଗ, ତାମ୍ବି ନାଇଡୁଙ୍କ ନିର୍ଭିକତା ଏବଂ ମହମ୍ମଦ କାଚାଲିଆଙ୍କ ନିସ୍ୱାର୍ଥପରତାକୁ କିଏ ବା ଭୁଲିପାରେ ? ଆଜି ମୋତେ ଅହମଦ୍ କାଥାର୍ଡାଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମିଳିଲା । ସେ ନେଲସନ ମାଣ୍ଡେଲାଙ୍କ ସହ 26 ବର୍ଷ ବନ୍ଦୀ ଜୀବନ କଟାଇଛନ୍ତି । ରୋବେନ୍ ଦ୍ୱୀପର କଷ୍ଟଦାୟକ ବନ୍ଦୀ ଜୀବନ ଲାଲୁ ଚିବା, ମ୍ୟାକ୍ ମହାରାଜ କିମ୍ବା ବିଲି ନାୟରଙ୍କ ମନୋବଳକୁ ଭାଙ୍ଗି ପାରି ନ ଥିଲା । ସେ ସମସ୍ତଙ୍କ ଦର୍ଶନ କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ଖୁସି । ସେମାନେ ଭୋଗ କରିଥିବା ଯାତନା ସତ୍ତ୍ୱେ ତାଙ୍କ ମୁଖମଣ୍ଡଳର ପ୍ରସନ୍ନତା ଦେଖି ମୁଁ ଗୋଟିଏ ନୂଆ ଶକ୍ତି, ନୂତନ ପ୍ରେରଣା ନେଇ ଭାରତ ଫେରିବି । ମୁଁ ସେ ସମସ୍ତଙ୍କୁ, ଯେଉଁମାନେ ମୂଲ୍ୟବୋଧ ପାଇଁ ଏତେ କଷ୍ଟ ସହିଛନ୍ତି, ଏହି ଭୂମିରେ, ଏଭଳି କେଉଁ ଭାରତୀୟ ହୋଇଥିବ ଯିଏ ଭାରତ ମାତାର ଏମିତି ସୁପୁତ୍ର ଉପରେ ଗର୍ବିତ ନ ହେବ ?

ଆଫ୍ରିକୀୟମାନଙ୍କ ସ୍ୱାଧୀନତା ପାଇଁ ସେହି ଆଫ୍ରିକୀୟ ଭାଇ ଭଉଣୀମାନଙ୍କ ସହିତ ଭାରତୀୟଙ୍କ ପିଢି ସଂଗ୍ରାମ କରିଛି, ସହିଛି ଏବଂ ତ୍ୟାଗ କରିଛି । ମୁଁ ଆପଣମାନଙ୍କୁ ଏବଂ ଏହି ଦେଶ ପାଇଁ ନିଜକୁ ସମର୍ପିତ କରିଥିବା ହଜାର ହଜାର ଲୋକଙ୍କୁ ପ୍ରଣାମ କରୁଛି । ଆପଣମାନେ ଭାରତୀୟ ପରମ୍ପରାର ଗର୍ବିତ ସନ୍ତାନ । ଆପଣମାନେ ଦକ୍ଷିଣ ଆଫ୍ରିକାର ଗର୍ବ ଏବଂ ବିଶ୍ୱସ୍ତ ନାଗରିକ । ଆପଣମାନେ ଦକ୍ଷିଣ ଆଫ୍ରିକାର ପରିଶ୍ରମୀ ଏବଂ ବିଶ୍ୱସ୍ତ ନାଗରିକ । ଆଉ ମଧ୍ୟ ଆପଣମାନେ ବିଶ୍ୱରେ ବିକାଶଶୀଳ ଭାରତୀୟ ଅର୍ଥବ୍ୟବସ୍ଥାର ଅଂଶ । ଆପଣମାନେ ଆମର ଦୁଇ ମହାନ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ସେତୁ, ଯାହା ଆମର ମୂଲ୍ୟବୋଧ ଏବଂ ସଂଘର୍ଷ ଦ୍ୱାରା ସିଞ୍ଚିତ । ଏହା ଏଭଳି ବନ୍ଧନ ଯାହାର ଭିତ୍ତିଭୂମି ଉପରେ ଆମେ ଆମ ସମୃଦ୍ଧ ଭବିଷ୍ୟତ ପାଇଁ ପ୍ରତିଶୃତିର ପ୍ରାସାଦ ଗଢୁଛୁ ।

ବନ୍ଧୁଗଣ,

ଦକ୍ଷିଣ ଆଫ୍ରିକା ଏକ ପବିତ୍ର ଭୂମି । ଏହା ମାଦିବାଙ୍କ ଭୂମି ଏବଂ ମହାତ୍ମା ଗାନ୍ଧୀଙ୍କ କର୍ମଭୂମି । ଏହି ଦୁଇ ମହାପୁରୁଷ ଆମକୁ ଯେଉଁ ମାର୍ଗ ଦେଖାଇ ଦେଇଯାଇଛନ୍ତି ଏବଂ ଆମକୁ ଯେଉଁ ସ୍ୱାଧୀନତା ଆଣି ଦେଇଛନ୍ତି, ତାହା ସମଗ୍ର ମାନବଜାତି ପାଇଁ ପ୍ରେରଣାଦାୟକ । ସେମାନଙ୍କ ଅବିଶ୍ରାନ୍ତ କାର୍ଯ୍ୟ, ସାହସ ଏବଂ ନୈତିକ ବଳ ଆଗାମୀ ପିଢିମାନଙ୍କ ପାଇଁ ଗୋଟିଏ ବତୀଘର ସଦୃଶ ମାର୍ଗଦର୍ଶନ କରୁଥିବ । ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ ଯାହା ଆଧୁନିକ ଭାରତକୁ ଜନ୍ମ ଦେଲା । ନେଲସନ ମାଣ୍ଡେଲାଙ୍କ କ୍ଷମା ଏବଂ ଦୀର୍ଘକାଳ ଧରି ଚାଲିଥିବା ତାଙ୍କ ସ୍ୱାଧୀନତା ସଂଗ୍ରାମ ଗୋଟିଏ ବିଭିନ୍ନତା ଭରା ଦେଶକୁ ଜନ୍ମ ଦେଲା । ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାକୁ ଖୁବ୍ ଭଲ ପାଉଥିଲେ । ମହାତ୍ମା ଗାନ୍ଧୀ ଭାବୁଥିଲେ ଯେ ଏହି ଭୂମି ରେ ତାଙ୍କର ଏକ ନୂଆ ଜନ୍ମ ହୋଇଥିଲା । ଜୁଲାଇ 1914 ରେ ଦକ୍ଷିଣ ଆଫ୍ରିକାରୁ ତାଙ୍କ ବିଦାୟକାଳୀନ ବକ୍ତବ୍ୟରେ ସେ କହିଥିଲେ – ମୋର ମାତୃଭୂମି ପରେ ଏହି ଉପମହାଦେଶ ମୋ ପାଇଁ ପବିତ୍ର ଏବଂ ମୋର ଅତି ପ୍ରିୟ ହୋଇପାରିଛି । ଦକ୍ଷିଣ ଆଫ୍ରିକା ଛାଡି ଯିବା ବେଳେ ମୋ ହୃଦୟ ଦୁଃଖରେ ଭରିଯାଉଛି, ଯେଉଁ ଦୂରତା ମୋତେ ଦକ୍ଷିଣ ଆଫ୍ରିକା ଠାରୁ ଅଲଗା କରିଦେବ ତାହା ବରଂ ମୋତେ ଏହାର ସେତିକି ନିକଟତର କରିବ । ଏହାର କଲ୍ୟାଣ ସର୍ବଦା ପାଇଁ ଚିନ୍ତାର ବିଷୟ ହୋଇ ରହିବ । – ଆଜି ଶହେ ବର୍ଷ ପରେ ଆମେ ଯେତେବେଳେ ଦକ୍ଷିଣ ଆଫ୍ରିକା କଥା ଚିନ୍ତା କରୁ, ଆପଣମାନଙ୍କ କଥା ଚିନ୍ତା କରୁ, ସେତେବେଳେ ତାଙ୍କର ଏହି ଶବ୍ଦଗୁଡିକ ଆମ ମାନସପଟଳରେ ପ୍ରତିଧ୍ୱନିତ ହୁଏ ।

ଭାଇ ଓ ଭଉଣୀମାନେ,

ଆମେ ଏଭଳି ଦୁନିଆରେ ବାସ କରୁଛୁ ଯାହା ପରସ୍ପର ଉପରେ ନିର୍ଭରଶୀଳ ଏବଂ ପରସ୍ପର ସହିତ ଭଲଭାବେ ସଂଯୁକ୍ତ । ଆପଣମାନଙ୍କ ମଧ୍ୟରୁ ଅନେକେ ଏବେ ଭାରତର ବିକାଶ ସହ ଜଡିତ । ଆପଣମାନଙ୍କ ପୂର୍ବପୁରୁଷମାନଙ୍କ ଭୂମି ସହିତ ସଂଯୁକ୍ତ ହେବାର ଇଚ୍ଛା ହୁଏତ ଆପଣଙ୍କର ଭାବାବେଗ ହୋଇପାରେ, କିନ୍ତୁ ଆପଣମାନେ ନିଜକୁ ସେତିକି ଭିତରେ ସୀମିତ କରନ୍ତୁ ନାହିଁ ।
ଆଜି ଭାରତ ସେମାନଙ୍କ ପାଇଁ ସୁଯୋଗର ଭୂମି ପାଲଟିଛି, ଯେଉଁମାନେ ଚାହୁଁଛନ୍ତି –

• ସଂଯୁକ୍ତ ହେବା ଏବଂ ସହଯୋଗ କରିବା ପାଇଁ

• ନୂତନତ୍ୱ ଏବଂ ସୃଜନଶୀଳତା

• ବାଣିଜ୍ୟ ଏବଂ ବିନିଯୋଗ; ଏବଂ

• ଉତ୍ପାଦନ ଏବଂ ନିର୍ମାଣ

ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ ଆଜି ଏକ ଉଜ୍ଜ୍ୱଳ ସ୍ଥାନ । ବିଶ୍ୱରେ ଅଭିବୃଦ୍ଧି ହାର କମୁଥିବା ଏବଂ ଅର୍ଥବ୍ୟବସ୍ଥା ମାନ୍ଦା ଦିଗକୁ ଗତି କରିବା ପରିଲକ୍ଷିତ ହେବାବେଳେ, ଭାରତ ଚଳିତ ବର୍ଷ 7.6% ର ଏକ ଦୃଢ ବୃଦ୍ଧି ହାର ହାସଲ କରିପାରିଛି । ଆମେ ଆଗାମୀ ବର୍ଷମାନଙ୍କରେ ଏହାକୁ 8%ରୁ ଅଧିକ କରିବା ପାଇଁ କାର୍ଯ୍ୟ କରୁଛୁ । ଭାରତର ଗତିଶୀଳତା କେବଳ କଥାରେ ଅଛି ତାହା ନୁହେଁ, ଏହା ପଛରେ ରହିଛି ବାସ୍ତବ କାର୍ଯ୍ୟ । ଭାରତୀୟ ଅର୍ଥବ୍ୟବସ୍ଥାର ଚେହେରା ବଦଳାଇ ଦେବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଏହା କେବଳ ଅବିରତ ଦୃତ ଅର୍ଥନୈତିକ ପ୍ରଗତି ନୁହେଁ, ବରଂ ଅନେକ ରୂପାନ୍ତର ମାଧ୍ୟମରେ ହେବ ।

ସେଥିପାଇଁ ତ ମୁଁ କହୁଛି ଯେ ଆପଣମାନେ ମଧ୍ୟ ଥରେ ଆସି ଦେଖନ୍ତୁ କେମିତି ଭାରତର କାୟାକଳ୍ପ ହେଉଛି ।

ରୂପାନ୍ତର, ଯାହାର ଲକ୍ଷ୍ୟ ହେଉଛି –

• 125 କୋଟି ଭାରତୀୟଙ୍କ ଉନ୍ନତି

• ଏହାର 500 ସହରର ଉନ୍ନତି

• ଏହାର 6 ଲକ୍ଷ ଗାଁର ଉନ୍ନତି

ଆମେ ଉଦ୍ୟୋଗର ଉନ୍ନତି ଚାହୁଁଛୁ, ବାଣିଜ୍ୟର ଅଭିବୃଦ୍ଧି ଚାହୁଁଛୁ ଏବଂ ଦେଶର ବିକାଶ ଚାହୁଁଛୁ । ଏଥିପାଇଁ ଆମେ ନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଛୁ ଯାହା ବାଣିଜ୍ୟ, ନିର୍ମାଣ, ସୃଜନଶୀଳତା ଏବଂ ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ନିବେଶ ସହଭାଗୀତାରେ ଭାରତର ଦକ୍ଷତା ବୃଦ୍ଧି କରିବ । ସରକାରୀ, ଘରୋଇ ଏବଂ ବ୍ୟକ୍ତିଗତ ସ୍ତରରେ ସମସ୍ତେ କିପରି ସେମାନଙ୍କର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରିପାରିବେ ତାହା ସୁନିଶ୍ଚିତ କରିବା ଏବଂ ସେଥିପାଇଁ ବ୍ୟବସାୟ କରିବାରେ ସରଳତା ଉପରେ ଗୁରୁତ୍ୱ ଦେବା ଆମର ଲକ୍ଷ୍ୟ । ଏହା ଅତ୍ୟାଧୁନିକ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ହେଉ ତାହା ଆମେ ଚାହୁଁ । ଭିତ୍ତିଭୂମି ଯାହା କେବଳ ଲୋକଙ୍କୁ ଗୃହ, ଆଶ୍ରୟ, ବିଜୁଳି, ପାଣି ଏବଂ ପରିମଳ ଆଦି ମୌଳିକ ସୁବିଧା ଯୋଗାଇବା ତାହା ନୁହେଁ, ବରଂ ପୋତାଶ୍ରୟ, ବିମାନ ବନ୍ଦର, ରେଳ ଏବଂ ସଡକ ପଥର ଗୋଟିଏ ନେଟୱାର୍କ ପ୍ରସ୍ତୁତ କରି ଲୋକଙ୍କ ଆର୍ଥିକ ସମୃଦ୍ଧି ପାଇଁ ଗୋଟିଏ ମାର୍ଗ ଭାବେ କାର୍ଯ୍ୟ କରିବ । ଶହେଟି ସ୍ମାର୍ଟ ସହର ନିର୍ମାଣ ପଛରେ ଆମର ଲକ୍ଷ୍ୟ ହେଲା ଏକ ସହରି ସମାଜ ଗଠନ କରିବା ଯାହା ଦୀର୍ଘସ୍ଥାୟୀ ହେବ ଏବଂ ଆମ ପରିବେଶ ଓ ପ୍ରାକୃତିକ ସମ୍ବଳ ପାଇଁ ଅନୁକୂଳ ହେବ । ବିଶ୍ୱର ଶ୍ରେଷ୍ଠ ସୂଚନା-ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ସହାୟତାରେ ଆମେ ଏକ ଡିଜିଟାଲ୍ କ୍ରାନ୍ତିକୁ ରୂପ ଦେବାକୁ ମଧ୍ୟ ପ୍ରୟାସରତ ।

ଗୋଟିଏ କ୍ରାନ୍ତି, ଯାହା –

• ସରକାର ଏବଂ ଏହାର ନାଗରିକମାନଙ୍କ ସହ ଏହାର ସମ୍ପର୍କ

• ଗୋଟିଏ ବ୍ୟବସାୟ ଏହାର ଗ୍ରାହକମାନଙ୍କ ସହିତ ସମ୍ପର୍କ

• ଗୋଟିଏ ସମାଜ ଏହାର ନୂତନ ଏବଂ ପୂରାତନ ଗଠନ ସହ ସମ୍ପର୍କ କୁ ବଦଳାଇ ଦେବ ।

ଡିଜିଟାଲ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ଏକ କ୍ରାନ୍ତି ଯାହା ସୂଚନା, ସୃଜନଶୀଳତା ଏବଂ ନୂଆ ଚିନ୍ତାଧାରାର ଅବାଧ ପ୍ରବାହ ପାଇଁ ଅନୁମତି ଦେବ ।

ବନ୍ଧୁଗଣ,

ଦକ୍ଷିଣ ଆଫ୍ରିକା ଭଳି ଭାରତ ମଧ୍ୟ ଗୋଟିଏ ନୂଆ ରାଷ୍ଟ୍ର । ଆମର 80 କୋଟି ଯୁବକଙ୍କ ଶକ୍ତି ସମଗ୍ର ଦେଶର ଲକ୍ଷ୍ୟ ଏବଂ ଆଶାକୁ ଇନ୍ଧନ ଯୋଗାଇବା ସହ ଏହାକୁ ପ୍ରତିଫଳିତ କରୁଛି । ସେମାନେ ଇଞ୍ଜିନ ସଦୃଶ ହୋଇ ଭାରତର ଅର୍ଥବ୍ୟବସ୍ଥା ଏବଂ ସମାଜକୁ ଗତିଶୀଳ କରନ୍ତୁ ଏହା ଆମ ଇଚ୍ଛା । ଏଥିପାଇଁ ଆମେ ଭାରତୀୟ ଯୁବଗୋଷ୍ଠୀର ଦକ୍ଷତା ବିକାଶ ପାଇଁ ଗୋଟିଏ ଆନ୍ଦୋଳନ ଚଳାଇଛୁ । 2022 ସୁଦ୍ଧା ଭାରତରେ 50 କୋଟି ନୂଆ ରୋଜଗାର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ । ସେମାନେ କେବଳ ଭାରତର ଆବଶ୍ୟକତା ପୂରଣ କରନ୍ତୁ ତାହା ନୁହେଁ ବରଂ ସେମାନେ ବିଶ୍ୱରେ ଦକ୍ଷ ମାନବ ସମ୍ବଳର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ମଧ୍ୟ ପୂରଣ କରନ୍ତୁ ତାହା ଆମେ ଚାହୁଁ । କେବଳ ଅର୍ଥବ୍ୟବସ୍ଥା ଏବଂ ସମାଜ ଉନ୍ନତି କରୁଛି ତାହା ନୁହେଁ, ଆମର ଲୋକମାନଙ୍କ ଚିନ୍ତାଧାରା ମଧ୍ୟ ବଦଳୁଛି । ଯେଉଁ ପରିବର୍ତ୍ତନ କଥା ମୁଁ କହୁଛି ତାହା କେବଳ କାଗଜ କଲମରେ କିମ୍ବା ଯୋଜନାରେ ନୁହେଁ, ଏହା ବାସ୍ତବ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହେଉଛି । ଆମ ଗାଁ ଗୁଡିକରେ ଗତିଶୀଳତାର ଲହରି ଦୃଶ୍ୟମାନ ହେଉଛି । ସହରରେ ଉଦଯୋଗ ଏବଂ ଶକ୍ତି ଭରିଯାଇଛି । ଆମ ଯୁବଗୋଷ୍ଠୀରେ ବିଶ୍ୱାସ ଏବଂ ନାଗରିକମାନଙ୍କ ମନ ଆଶାବାଦିତାରେ ପରିପୂର୍ଣ୍ଣ ଦେଖାଯାଉଛି ।

ଭାରତର ବିକାଶ –

• ଅନନ୍ୟ ସ୍ଥିତିସ୍ଥାପକତା

• ନବୀକୃତ ପୁନରୁତ୍ଥାନ

• ତୀବ୍ର ଗତିଶୀଳତା ଏବଂ

• ପରିଦୃଷ୍ଟ ବିକାଶର ଏକ କାହାଣୀ ।

ଭାରତର କାହାଣୀ ଆଜି କେବଳ ଚାରୋଟି ଅକ୍ଷରରେ ବର୍ଣ୍ଣିତ ହୋଇପାରିବ । ଏହି ଚାରୋଟି ଅକ୍ଷର ହେଉଛି HOPE.

• H – Harmony (ଏକାତ୍ମତା )

• O – Optimism ( ଆଶାବାଦ)

• P – Potential (ସାମର୍ଥ୍ୟ )

• E – Energy (ଶକ୍ତି)

ଏଥିପାଇଁ ସୁନାମ ମୋଦୀକୁ ଯାଉ ନାହିଁ । ଏହି ସୁନାମର ଅଧିକାରୀ ଭାରତର 125 କୋଟି ଲୋକ ଏବଂ ମୋ ସରକାର ପ୍ରତି ସେମାନଙ୍କ ବିଶ୍ୱାସ ଏବଂ ଶାସନ କ୍ଷମତା ମୋ ସରକାରକୁ ଦେବା ।

ଏହା କରି ସେମାନେ –

• କଥା ଅପେକ୍ଷା କାମ

• ନକାରାତ୍ମକ କାର୍ଯ୍ୟ ପଦ୍ଧତି ଉପରେ ସକାରାତ୍ମକତା

• ନିଷ୍କ୍ରିୟତା ପରିବର୍ତ୍ତେ ଫଳପ୍ରଦ ଢଙ୍ଗରେ ଧ୍ୟାନ କେନ୍ଦ୍ରିତ କରିବାର ଜ୍ଞାନ

• ଆନ୍ତର୍ଜାତିକ କାର୍ଯ୍ୟକଳାପ ଉପରେ ପ୍ରତିକ୍ରିୟାଶୀଳ ନ ହୋଇ ଏହାକୁ ଆକାର ଦେବାର

ଇଚ୍ଛା
• ଧୀର ଅଭିବୃଦ୍ଧି ଅପେକ୍ଷା ବୃହତ୍ ରୂପାନ୍ତର ଦିଗରେ ଲମ୍ଫ ପ୍ରଦାନ –

ଭାଇ ଓ ଭଉଣୀମାନେ,

ଆମ ଦୁଇ ଦେଶର ଆଶା ଏବଂ ଆହ୍ୱାନ ଏକ । ଏହି ଦେଶରେ ଆନ୍ତର୍ଜାତିକ ସ୍ୱାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଭାରତ ଏହାର ନେତାମାନଙ୍କ ମଧ୍ୟରେ ଥିଲା ଅନ୍ୟତମ । ବିଶ୍ୱରେ ଜାତିଆଣ ଭେଦଭାବ ବିରୁଦ୍ଧରେ ହୋଇଥିବା ସଂଗ୍ରାମରେ ଆମେ ଅଗ୍ରଣୀ ଭାବେ ନେତୃତ୍ୱ ନେଇଥିଲୁ । କିନ୍ତୁ ଯାହା ମୁଁ ଆଗରୁ କହିଲି, ସପ୍ତରଙ୍ଗୀ ଦେଶ ଜନ୍ମ ନେଲା, ତେଣୁ ବନ୍ଧୁତ୍ୱର ହାତ ବଢାଇବାରେ ମଧ୍ୟ ଆମେ ଅଗ୍ରଣୀ ଥିଲୁ ।

ଏହା ପରବର୍ତ୍ତୀ ଇତିହାସ ହିଁ ଭିନ୍ନ ।

ଏଥି ସହିତ ଆମ ସହବନ୍ଧନର ନୂତନ ଏବଂ ଗୌରବମୟ ଅଧ୍ୟାୟ ଆରମ୍ଭ ହେଲା । ଅର୍ଥନୈତିକ ବିକଳ୍ପ ଭାବେ ଆମେ ଆମ ଯୁବଗୋଷ୍ଠୀ ଏବଂ ଜନସାଧାରଣଙ୍କ ପାଇଁ ମିଶି କରି ଅନେକ କିଛି କରିପାରିବା । ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପାଖରେ ଅସଂଖ୍ୟ ଜନସଂଖ୍ୟାଗତ ବା ଡେମୋଗ୍ରାଫିକ ସୁଯୋଗ ରହିଛି । ଉଭୟ ଦେଶରେ ଯୁବଗୋଷ୍ଠୀ ଯଥେଷ୍ଟ ସଂଖ୍ୟାରେ ଅଛନ୍ତି । ଭାରତରେ ମୋଟ ଜନସଂଖ୍ୟାର ଦୁଇ-ତୃତୀୟାଂଶ ଲୋକଙ୍କ ବୟସ 35 ବର୍ଷରୁ କମ । ଆଫ୍ରିକା ଉପମହାଦେଶ ଏବଂ ଦକ୍ଷିଣ ଆଫ୍ରିକାର ସ୍ଥିତି ମଧ୍ୟ ଅନୁରୂପ । ଆମର ନିର୍ଦ୍ଧାରିତ ବିକାଶର ଲକ୍ଷ୍ୟ ହାସିଲ କରିବା ନିମନ୍ତେ ଆମେ ଆମ ଅନୁଭୁତି, ଆମ ସହଭାଗୀତା ଏବଂ ଆମ ଦକ୍ଷତାକୁ ବାଣ୍ଟିବା ଉଚିତ । ଦକ୍ଷିଣ ଆଫ୍ରିକା ନିଜ ଜନସାଧାରଣଙ୍କ ପାଇଁ ଅର୍ଥନୈତିକ ସମୃଦ୍ଧି, ନିରାପତ୍ତା ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବାରୁ ଭାରତକୁ ଏହାର ଏକ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ବୋଲି ମନେ କରିବ । ଏହି ଯାତ୍ରାରେ ଆପଣଙ୍କ ସହ ଯୋଗ ଦେବା ପାଇଁ ଭାରତ ପ୍ରସ୍ତୁତ । ଆମର ବିକାଶ ଏବଂ ବାଣିଜ୍ୟିକ ସହଭାଗୀତା ଠିକ୍ ଭାବେ ଚାଲିଛି । କିନ୍ତୁ ଏହାର ବେଗକୁ ଅଶ୍ଵ ଏବଂ କୃଷ୍ଣସାର ମୃଗର ଗତି ପରି କ୍ଷିପ୍ର କରିବା ପାଇଁ ଆମକୁ ଆହୁରି ଅନେକ କିଛି କରିବାକୁ ପଡିବ । ଆମେ ମିଳିତ ଭାବେ ଅନେକ ନୂଆ ଉଦ୍ୟୋଗ, ନୂତନ ଦକ୍ଷତା, ନୂଆ ମୂଲ୍ୟବୋଧ ପ୍ରତିଷ୍ଠା କରିପାରିବା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ହେଉଛନ୍ତି ରଣନୀତିକ ସହଭାଗୀ । ଆମେ ମନୁଷ୍ୟର ପ୍ରୟାସର ବ୍ୟାପକତାକୁ ଦର୍ଶାଉଥିବା ସହଭାଗୀତା ସୃଷ୍ଟି କରିବା ଉଚିତ୍ ।

ଏପରି ସହଭାଗୀତା ଯାହା ବିଭିନ୍ନ କ୍ଷେତ୍ରରେ ନୂତନ ଶିଖରକୁ ସ୍ପର୍ଶ କରୁଥିବ –

• କୃଷି ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ

• ସଂସ୍କୃତି ଠାରୁ ବାଣିଜ୍ୟ ପର୍ଯ୍ୟନ୍ତ

• ପରମ୍ପରା ଠାରୁ ବ୍ୟବସାୟ ପର୍ଯ୍ୟନ୍ତ

• ଶିଳ୍ପ ଠାରୁ ଅନୁଷ୍ଠାନ ଗଠନ ପର୍ଯ୍ୟନ୍ତ

• ବିନିଯୋଗ ଠାରୁ ସୂଚନା-ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ

• ଖଣି ଠାରୁ ନିର୍ମାଣ ପର୍ଯ୍ୟନ୍ତ

• କ୍ରିଡା ଠାରୁ ବିଜ୍ଞାନ ଏବଂ କାରିଗରୀ କୌଶଳ ପର୍ଯ୍ୟନ୍ତ, ଏବଂ

• ପ୍ରତିରକ୍ଷା ଠାରୁ ବିକାଶ ପର୍ଯ୍ୟନ୍ତ

ଆମେ ଆଞ୍ଚଳିକ ସହଭାଗିତାର ସକ୍ରିୟ ସଦସ୍ୟ । ଆମେ ମିଶି ଆଫ୍ରିକାର ଆମର ବନ୍ଧୁମାନଙ୍କ ପାଇଁ ନୂତନ ମୂଲ୍ୟବୋଧ ସୃଷ୍ଟି କରିପାରିବା । ଆମ କମ୍ପାନୀଗୁଡିକ ସହଭାଗୀ ହୋଇ ଲୋକଙ୍କୁ ଅର୍ଥନୈତିକ ଲାଭ ପହଞ୍ଚାଉଛନ୍ତି । ସେମାନେ ମଧ୍ୟ ଏହି ଦେଶରେ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିବେ । ଯୁବ ସଶକ୍ତିକରଣ, ଦାରିଦ୍ର୍ୟ ସହ ସଂଗ୍ରାମ, ପୁଷ୍ଟିହୀନତା, ରୋଗ ଏବଂ କ୍ଷୁଧା ଦୂରକରିବା ପାଇଁ ଆମେ ମିଳିତ ଭାବେ ପଦକ୍ଷେପ ନେଇପାରିବା । ତାହା କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ଆଫ୍ରିକା ଏବଂ ଅନ୍ୟ ବିକାଶଶୀଳ ଅଞ୍ଚଳରେ ମଧ୍ୟ କରାଯାଇପାରିବ । ଆମେ ବୈଶ୍ୱିକ ଆହ୍ୱାନ ଯୁଗରେ ବାସ କରୁଛୁ । ଆତଙ୍କବାଦ ଏବଂ ଜଳଦସ୍ୟୁ ବିରୋଧରେ ସଂଗ୍ରାମ, ଏଡ୍ସ ଏବଂ ଇବୋଲା ସଂକ୍ରମଣ ବିରୋଧୀ ଅଭିଯାନ – ଆମ ସହଭାଗିତାର କିଛି ପ୍ରାଥମିକତା । ଅର୍ଥନୈତିକ ପ୍ରଗତି ପାଇଁ ଆମର ସହଭାଗିତା ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ୟ ସମ୍ବେଦନଶୀଳ ହେବା ଉଚିତ । ଆମେ ପ୍ୟାରିସ ଠାରେ ହୋଇଥିବା ଏକ ପ୍ରମୁଖ ଚୁକ୍ତି ରେ ରାଜି ହୋଇଛୁ । ବିଶ୍ୱର ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ ଆମକୁ ନୂଆ ଜ୍ଞାନକୌଶଳ ସମ୍ପନ୍ନ ସମାଧାନ ଏବଂ ନୂତନ ଶକ୍ତି ଉତ୍ସର ସନ୍ଧାନ କରିବା କ୍ଷେତ୍ରରେ ଦୃଢ ସହଭାଗୀ ହୋଇ କାର୍ଯ୍ୟ କରିବାକୁ ପଡିବ । ବୈଶ୍ୱିକ କ୍ରିୟାକୁ ତ୍ୱରିତ ଶକ୍ତି ପ୍ରଦାନ ନିମନ୍ତେ ଭାରତ ଆନ୍ତର୍ଜାତିକ ସୌର ଚୁକ୍ତି ଆରମ୍ଭ କରିଛି, ଯାହାକୁ 120 ଟି ଦେଶର ସମର୍ଥନ ମିଳିଛି । ପ୍ରଚୁର ସୌର ଶକ୍ତିର ଅଧିକାରୀ ଆଫ୍ରିକା ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ । IBSA (ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା) ଏବଂ BRICS, ଆମ ବୈଶ୍ୱିକ କାର୍ଯ୍ୟସୂଚୀ ମଧ୍ୟରେ ଆମର ସହଭାଗିତା ନିଜର ଅଗ୍ରାଧିକାର କ୍ଷେତ୍ରକୁ ମଧ୍ୟ ଆକାର ଦେଇଚାଲିଛି ।

ଭାଇ ଓ ଭଉଣୀମାନେ,

ଏକ ପୁନରୁଦ୍ଧାର ହୋଇଥିବା ଭାରତ ଆପଣମାନଙ୍କ ପ୍ରତୀକ୍ଷାରେ । ପ୍ରବେଶ ପାଇଁ ଥିବା ବାଧାକୁ ଦୂର କରିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । OCI ଏବଂ PIO ଯୋଜନାକୁ ମିଶାଇ ଏକ କରିଦିଆଯାଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ଆମେ ଦକ୍ଷିଣ ଆଫ୍ରିକା ପାଇଁ ଇ-ଭିସା ପ୍ରଚଳନ କରିଛୁ । ଆପଣ ଘରେ ବସି ଇ-ମେଲ ମାଧ୍ୟମରେ ଭାରତୀୟ ଭିସା ପାଇପାରିବେ, ଏବଂ ତାହା ପୁଣି ବିନା ମୂଲ୍ୟରେ । ଭାଇ ଓ ଭଉଣୀମାନେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଘନିଷ୍ଠ ସହଭାଗିତା ଫଳରେ ବହୁତ ଲାଭାନ୍ୱିତ ହୋଇପାରିବେ । ଆପଣମାନେ ଭାରତୀୟ ପରମ୍ପରା,ବିଶ୍ୱାସ ଏବଂ ମୂଲ୍ୟବୋଧର ଏକ ଝଲକ୍ । ଆପଣଙ୍କ ପୂର୍ବପୁରୁଷମାନେ ଦକ୍ଷିଣ ଆଫ୍ରିକାର ରାଜନୈତିକ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ଆଜି ଆପଣମାନେ ଦକ୍ଷିଣ ଆଫ୍ରିକାର ଅର୍ଥନୈତିକ ପ୍ରଗତି ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିବେ । ତା ଛଡା ଆପଣମାନେ ଏହି ଭୂମି ସହ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସେତୁ ହୋଇପାରିବେ ।

ଶେଷରେ, ଏତିକି କହିବି ଯେ, ଆପଣମାନଙ୍କ ଉପଲବ୍ଧି, ଆପଣଙ୍କର ଯୋଗଦାନ ଏବଂ ଆପଣମାନଙ୍କ ସଫଳତା ଆମ ସମସ୍ତଙ୍କୁ ଗର୍ବିତ କରିଛି । ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରି ମୁଁ ନିଜକୁ ଧନ୍ୟ ମନେକରୁଛି । ଏହା ଗୋଟିଏ ବଡ ସୁଯୋଗ । ଆପଣ ମୋ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଲେ କରିପାରିବେ । ମୁଁ ସୋସିଆଲ ମିଡିଆରେ ସହଜରେ ଉପଲବ୍ଧ । ଆପଣ ନରେନ୍ଦ୍ର ମୋଦୀ ଆପ୍ ଡାଉନଲୋଡ କରି ନିରବଚ୍ଛିନ୍ନ ଭାବେ ମୋ ସହିତ ସମ୍ପର୍କ ରକ୍ଷା କରିପାରିବେ । ଆପଣଙ୍କ ଗହଣରେ ଆସି ମୋତେ ବହୁତ ଭଲ ଲାଗିଲା । ଅନେକ ଅନେକ ଧନ୍ୟବାଦ । ନମସ୍କାର ।

**********