ପିଏମଇଣ୍ଡିଆ
ତଥାକଥିତ “ଗୋ-ରକ୍ଷକ”ମାନଙ୍କ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଷ ପ୍ରକଟ କରିବା ସହିତ ଗୋ-ରକ୍ଷା ନାମରେ ସେମାନେ ଦୋକାନ ଖୋଲି ବସିଛନ୍ତି ବୋଲି କଡା ଭାଷାରେ କହିଛନ୍ତି । ଶନିବାର ଦିନ ନୂଆଦିଲ୍ଲୀଠାରେ ଆୟୋଜିତ “ଟାଉନ ହଲ” କାର୍ଯ୍ୟକ୍ରମରେ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ସହଭାଗୀ ସୁଶାସନର ଅଂଶସ୍ୱରୂପ ସରକାରଙ୍କ ୱେବ ପ୍ଲାଟଫର୍ମ “ମାଇ-ଗଭ”ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଜ୍ୟ ସରକାରମାନେ ଏଭଳି ତଥାକଥିତ ଗୋରକ୍ଷକମାନଙ୍କର ତାଲିକା ପ୍ରସ୍ତୁତ କରନ୍ତୁ । ପ୍ରକୃତ ଗୋରକ୍ଷକମାନେ ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ ଯେ କିଭଳି ଗାଈଗୋରୁମାନେ ରାସ୍ତା ଉପରେ ପଡିଥିବା ପ୍ଲାଷ୍ଟିକ ଜରି ନଖାଇବେ । ପ୍ଲାଷ୍ଟିକ ଜରି ଖାଇ ଅନେକ ଗାଈଗୋରୁ ପ୍ରାଣ ହରାଉଥିବା ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁଶାସନ, ବୈଦେଶିକ ନୀତି ଓ ସହଭାଗୀ ଗଣତନ୍ତ୍ର ପ୍ରସଙ୍ଗରେ ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ ଗଣତନ୍ତ୍ରର ମହତ୍ୱ ଅସମ୍ପୂର୍ଣ୍ଣ ରହିବ ଯଦି ନାଗରିକମାନେ ଭାବିବେ ଯେ କେବଳ ଭୋଟଦାନ କରିଦେଲେ ସେମାନଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ହୋଇଗଲା । ସହଭାଗୀ ଗଣତନ୍ତ୍ର ଏକାନ୍ତ ଜରୁରୀ ବୋଲି ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ନୀତି ଏଭଳି ହେବା ଦରକାର ଯେଉଁଠି ଶେଷ ଧାଡିର ଶେଷ ଲୋକ ପର୍ଯ୍ୟନ୍ତ ଏଥିରୁ ସୁଫଳ ପାଇପାରିବେ । ତେଣୁ ଉଦ୍ଦିଷ୍ଟ ଲୋକଙ୍କ ନିକଟରେ ଏହି ସୁଫଳ ପହଞ୍ଚିବା ଦରକାର । ସୁଶାସନ ଅର୍ଥ ହେଲା ଯେଉଁ ନୀତି ଅଦରକାରୀ ତାହା ନ ରହିବା ଉଚିତ । ଗଣତନ୍ତ୍ରର ଏକ ବଡ ଶକ୍ତି ହେଲା ଅଭିଯୋଗ ସମାଧାନ ବ୍ୟବସ୍ଥା ।
ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ କ୍ଷେତ୍ର ଯାହାକି ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବ – ତାହା ହେଉଛି କୃଷି କ୍ଷେତ୍ର । “ରୁର୍ବାନ ମିଶନ” ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଲେ ଯେ ଗ୍ରାମାଞ୍ଚଳର ଆତ୍ମାକୁ ଅକ୍ଷୂର୍ଣ୍ଣ ରଖି, ଗାଁ ଗହଳିର ଲୋକମାନଙ୍କୁ ସହରାଞ୍ଚଳରେ ଉପଲବ୍ଧ ସୁବିଧାସୁଯୋଗ ଯୋଗାଇବା ହେଲା ତାଙ୍କର ଲକ୍ଷ୍ୟ । ହସ୍ତତନ୍ତ୍ର ଉପରେ ନିଜର ମତ ରଖି ଶ୍ରୀ ମୋଦୀ କହିଛନ୍ତି ଯେ “ରାଷ୍ଟ୍ର ପାଇଁ ଖଦି, ଫେସନ ପାଇଁ ଖଦି” ନୀତିକୁ ଲୋକମାନେ ଆପଣାଇବା ଉଚିତ ।
“ଇଣ୍ଡିଆ ଫାଷ୍ଟ” (ସର୍ବପ୍ରଥମେ ଭାରତ) ହେଲା ତାଙ୍କ ବୈଦେଶିକ ନୀତିର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ସହ ଭାରତକୁ ଯୋଡିବାରେ ପ୍ରବାସୀ ଭାରତୀୟ ତଥା ଭାରତୀୟ ବଂଶୋଦ୍ଭବମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି । ପ୍ରାୟ 100 ମିନିଟ ଧରି ଏହି ଭାବ ବିନିମୟ କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ପର୍ଯ୍ୟଟନ ପ୍ରସଙ୍ଗରେ ନିଜର ସ୍ପଷ୍ଟମତ ରଖିଥିଲେ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ମଞ୍ଚ ଉପରେ “ମନ କୀ ବାତ” ରେଡିଓ କାର୍ଯ୍ୟକ୍ରମ ଓ “ମାଇ-ଗଭ” ପ୍ଲାଟଫର୍ମରେ ଅଂଶଗ୍ରହଣକାରୀଙ୍କ ସହ କିଛି ସମୟ ଧରି ଭାବ ବିନିମୟ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ “PMO APP” ନାମକ ଏକ ନୂଆ ଆପ୍ ଶୁଭାରମ୍ଭ କରିବା ସହ ଏହି ଆପ୍ ବିକାଶିତ କରିଥିବା ଯୁବକମାନଙ୍କୁ ଭେଟିଥିଲେ ।