ପିଏମଇଣ୍ଡିଆ
ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ପ୍ରିୟ ଭାଇ ଓ ଭଉଣୀମାନେ, ତେଲଙ୍ଗାନା ରାଜ୍ୟ ଜନ୍ମ ନେବାପରେ ମୋର ଏଠାକୁ ଏହା ପ୍ରଥମ ଗସ୍ତ ଏବଂ ତେଲଙ୍ଗାନା ଦେଶର କନିଷ୍ଠତମ ରାଜ୍ୟ । ଏହାକୁ ମାତ୍ର ଦୁଇ ବର୍ଷ ହୋଇଛି । କିନ୍ତୁ ଏହି ଦୁଇ ବର୍ଷର ସ୍ୱଳ୍ପ ଆୟୁ ମଧ୍ୟରେ ତେଲଙ୍ଗାନା ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛି, ସେଥିରୁ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଯେଉଁ ଲକ୍ଷ୍ୟନେଇ ଏ ରାଜ୍ୟ ଗଠନ କରାଯାଇଛି, ଏହାର ଲୋକ, ଏହାର ସରକାର ସେଇ ସ୍ୱପ୍ନକୁ ସାକାର କରିଚାଲିଛନ୍ତି । ମୋର ଏହା ପୂର୍ଣ୍ଣ ବିଶ୍ୱାସ ।
ଆଜି ମୁଁ ପଞ୍ଚଶକ୍ତିକୁ ଦର୍ଶନ କରୁଛି । ଏହି ପଞ୍ଚଶକ୍ତି ସହ ସାମିଲ ହେବାର ଅବସର ମିଳିଛି ଯେଉଁଥିରେ ରହିଛି ଜଳ, ଆଲୋକ, ପରିବହନ, ଏକାସଙ୍ଗେ ପାଞ୍ଚଟି ପ୍ରକଳ୍ପ ଏବଂ ତାହା ପୁଣି ଭାରତ ସରକାର ଓ ତେଲଙ୍ଗାନା ସରକାର ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ କହନ୍ତି ସହଭାଗୀ ସଂଘୀୟ ବ୍ୟବସ୍ଥା । ଗୋଟିଏ ସମୟ ଥିଲା ଯେତେବେଳେ ଭାରତରେ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ବିରୋଧାଭାଷର ଭାଷା ଉପଯୋଗ ହେଉଥିଲା । ଆଉ ଆଜି ଏପରି ସମୟ ଆସିଛି ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଭାରତକୁ ନୂଆ ଶୀର୍ଷରେ ପହଞ୍ଚାଇବା ଲାଗି କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି । ଏବେ ସଂସଦରେ ଦେଶ ସ୍ୱାଧୀନ ହେବା ଦିନଠାରୁ ସବୁଠାରୁ ବଡ ଆର୍ଥିକ ସଂସ୍କାର କାର୍ଯ୍ୟ ସଂପନ୍ନ ହୋଇଛି । ଏଥିରେ ଶ୍ରୀମାନ ଚନ୍ଦ୍ରଶେଖର ରାଓ ଏବଂ ତାଙ୍କ ପାର୍ଟି ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି । ସେଥିପାଇଁ ମୁଁ ତାଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଛି ।
ଆଜି ମୁଁ ଏଠାରେ ଦେଖୁଛି ଯେ ବିଜୁଳି କାମ ପାଇଁ, ସାର କାରଖାନା ପାଇଁ, ରେଳପଥ ନିର୍ମାଣ ପାଇଁ, ଜଳଯୋଗାଣ କାର୍ଯ୍ୟ ଲାଗି, ଭାରତ ସରକାର ଓ ତେଲଙ୍ଗାନା ସରକାର ଏକାସଙ୍ଗେ ମିଳିମିଶି ଆଗକୁ ବଢ଼ିବା ଦିଗରେ ପାଦ ବଢ଼ାଇଛନ୍ତି । ଏହା ହିଁ ପ୍ରକୃତ ମାର୍ଗ, ଯାହା ଦେଶକୁ ଆଗକୁ ବଢ଼ାଇ ନେବାରେ ସହାୟକ ହେବ । ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ । ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ହେବାପରେ ମୋତେ ଯେତେଥର ଭେଟିଛନ୍ତି, ପ୍ରତ୍ୟେକ ଥର ସେ ତେଲଙ୍ଗାନାର ବିକାଶ କଥା ହିଁ ମୋ ସହ ଆଲୋଚନା କରୁଛନ୍ତି । ପ୍ରତି ଥର ସେ ପାଣି କଥା, ଏତେ ଭାବାବେଗର ସହ କହିଛନ୍ତି ଯେ ମୋତେ ପ୍ରଭାବିତ କରିଛି । ମୋତେ ଲାଗେ ଜଳ ତାଙ୍କ ଜୀବନର ଏକ ବଡ ମିଶନ ବନିଯାଇଛି । ଥରେ ସେ ମୋ ପାଖକୁ ଆସି କହିଥିଲେ, “ମୋଦୀଜୀ, ମୁଁ ମୋ ଟିମକୁ ଗୁଜରାଟ ପଠାଇଛି । କଚ୍ଛ ଇଲାକାରେ ଆପଣ କେମିତି ଜଳଯୋଗାଣ କରୁଛନ୍ତି ସେଇ କଥା ଅନୁଧ୍ୟାନ କରିବାକୁ ଆମ ଟିମ୍ ସେଠାକୁ ଯାଇଛନ୍ତି । ଆଉ ଯେଉଁଠି ଯେଉଁଠି ଜଳଯୋଗାଣର ଭଲ କାମ ହୋଇଛି, ମୁଁ ସେସବୁର ଅଧ୍ୟୟନ କରୁଛି । ମୁଁ ତେଲଙ୍ଗାନାରେ ସର୍ବତ୍ର ପାନୀୟ ଜଳଯୋଗାଣ ପାଇଁ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବି ଯଦ୍ୱାରା ପ୍ରତି ଘରେ ପାଣି ପହଞ୍ଚିପାରିବ” ।
କିଛି ଲୋକଙ୍କ ଚିନ୍ତା ଏପରି ହୋଇଥାଏ – ସଂସାଧନ ଦ୍ୱାରା ସବୁ ଯୋଜନା ସଫଳ ହୋଇଥାଏ । ଏକଥା ସତ ଯେ ପ୍ରତି ଯୋଜନାରେ ପୁଞ୍ଜି ଉପଯୋଗ ହେବ ହିଁ ହେବ । କିନ୍ତୁ କେବଳ ପୁଞ୍ଜି ବିନିଯୋଗ କରିଦେଲେ ସେଥିରୁ ସଫଳତା ମିଳିଯିବ ନାହିଁ । ଏଥିସହ ସଂକଳ୍ପ ବି ଥିବା ଦରକାର । ଯେତେବେଳେ ସଂକଳ୍ପ ଆସିବ, ସେତେବେଳେ ସେଥିସହ ସାଧାରଣ ଜନତା ବି ମିଶିଯିବେ । ସେତେବେଳେ ଯାଇ ସଫଳତା ପ୍ରାପ୍ତ ହେବ । ଆଜି କାର୍ଯ୍ୟର ଶୁଭାରମ୍ଭ ହୋଇଛି । କିନ୍ତୁ ମୋର ଦୃଢ଼ ବିଶ୍ୱାସ ଯେ ଏ କାମ ଆଗକୁ ବଢ଼ିଚାଲିବ ।
ଭାରତ ସରକାର ବି ଏକ ସ୍ୱପ୍ନ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଆମ ଦେଶର କୃଷକଙ୍କୁ ଯଦି ଜଳ ଉପଲବ୍ଧ ହେବ ତେବେ ସେମାନେ ମାଟିକୁ ସୁନା କରିପାରିବେ । ତେଣୁ ସାରା ଦେଶରେ ପାଣି ପହଞ୍ଚିବା ଭଳି ଏକ ବୃହତ କାର୍ଯ୍ୟ କରିବା ଯେଉଁଠି ଯେଉଁଠି ଜଳସମ୍ପଦ ଉପଲବଧ, ଯେଉଁଠି ଜଳଧାରଣ କ୍ଷେତ୍ର ଅଛି ବା ଯେଉଁଠି ବର୍ଷ ବର୍ଷ ଧରି ଯୋଜନାମାନ ଅଟକି ରହିଛି, ସେସବୁ ଆରମ୍ଭ କରିବାକୁ ଆମେ ସ୍ଥିର କରିଛୁ । ଅଳ୍ପଦିନ ତଳେ ଆମେ କେବିନେଟରେ ଏଇ ସବୁ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନେଇଛୁ । ଆଗାମୀ ଦିନରେ ଦେଶର କୃଷକଙ୍କ ନିକଟରେ ପାଣି ପହଞ୍ଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବୁ । ଭାରତର ଗ୍ରାମ ଓ ଭାରତର କୃଷିକ୍ଷେତ୍ର ହେଲା ଆମର ଆର୍ଥିକ ଶକ୍ତି । ଏହି ଶକ୍ତିକୁ ମଜଭୁତ କରିବା ଉପରେ ଆମେ ପ୍ରାଥମିକତା ଦେଉଛୁ । କିନ୍ତୁ ମୁଁ ଏକଥା ବି କହିବାକୁ ଚାହିଁବି ଏବଂ ତେଲଙ୍ଗାନା ଭୂଇଁରୁ ଦେଶବାସୀଙ୍କୁ ବି କହିବି ଯେ ଯେତେବେଳେ ଆମ ନିକଟରେ ଜଳ ଉପଲବ୍ଧ ଥାଏ ସେତେବେଳେ ଆମେ ଏହାର ମହତ୍ୱ ଉପଲବ୍ଧ କରିନଥାଉ । ଖୁବ ଶୋଷ ଲାଗୁଥିବ ଏବଂ ଦୂର ଦିଗବଳୟ ପର୍ଯ୍ୟନ୍ତ କେଉଁଠି ପାଣି ଦୃଶ୍ୟ ହେଉନଥିବ, ସେତେବେଳେ ମଣିଷର ସ୍ଥିତି କଣ ହେବ । ଯେତେବେଳେ ପାଣି ନଥିବ, ସେତେବେଳେ ଜଣାପଡେ, ଜଳର ଆବଶ୍ୟକତା କେତେ । କିନ୍ତୁ ଯେତେବେଳେ ପାଣିଥାଏ, ସେବେ ଏହା ପ୍ରତି ଲୋକେ ଖୁବ୍ ଉଦାସୀନ ରହିଥାନ୍ତି । ତେଣୁ ଆମର ନାଗରିକ ଧର୍ମ ହେଲା, ଆମେ କିପରି ଜଳସଞ୍ଚାର କରିପାରିବା, ଯଦି ପାଣି ସଞ୍ଚୟ କରାଯିବ, ତେବେ ତାହା ଅନ୍ୟ ନିକଟରେ ପହଞ୍ଚିବ, ଯେତେବେଳେ ପାଣି ପହଞ୍ଚିବ, ସେତେବେଳେ ନୂଆ ଜୀବନପ୍ରାପ୍ତ ହେବ । ତେଣୁ ବର୍ଷାର ପ୍ରତି ବୁନ୍ଦା ଜଳକୁ ଆମକୁ ସଂରକ୍ଷଣ କରିବାକୁ ପଡିବ ।
ଆପଣମାନଙ୍କ ଭିତରୁ କାହାକୁ ଯଦି ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପୋରବନ୍ଦର ଯିବାର ସୌଭାଗ୍ୟ ମିଳିଥିବ, ଆପଣଙ୍କୁ ମୋର ଅନୁରୋଧ, ଯଦି କେବେ ଭବିଷ୍ୟତରେ ସେଠାକୁ ଯିବେ, ତେବେ ଆପଣ ମହାତ୍ମାଗାନ୍ଧୀ କେଉଁଠି ଜନ୍ମ ନେଇଥିଲେ ସେ ସ୍ଥାନ ନିଶ୍ଚୟ ଦେଖିବେ । ଆପଣ ତ ସେଠାରେ ନମସ୍କାର କରିବେ, ଫୁଲ ବି ଚଢ଼ାଇବେ । କିନ୍ତୁ ସେଠାରେ ଆପଣ ଦେଖିବାକୁ ପାଇବେ, ଆଜିଠାରୁ 200 ବର୍ଷ ପୂର୍ବେ ଜଳ ସଞ୍ଚିବା ଲାଗି ପ୍ରତି ଘରେ କି ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଭୂଇଁ ତଳେ କିପରି ପାଣି ଟାଙ୍କି କରାଯାଇଥିଲା । ବର୍ଷ ସାରା ଜଳ ଯେପରି ଖରାପ ହେବନାହିଁ ସେଥିପାଇଁ କି ପ୍ରକାର ପ୍ରଯୁକ୍ତି ଉପଯୋଗ କରାଯାଇଥିଲା । 200 ବର୍ଷ ତଳର ବ୍ୟବସ୍ଥା ଆଜି ବି ମହାତ୍ମାଗାନ୍ଧୀଙ୍କ ଜନ୍ମସ୍ଥାନ ଦେଖିବାକୁ ଗଲେ, ନଜରରେ ପଡିବ । 200 ବର୍ଷ ତଳେ ଜଳସଂକଟ ନଥିଲା, କିନ୍ତୁ ସେତେବେଳେ ବି ଲୋକେ ଜଳର ମହତ୍ତ୍ଵ ବୁଝୁଥିଲେ । ଆଜି ତ ସାରା ଦୁନିଆ ଜଳସଂକଟ ଦେଇ ଗତି କରୁଛି । ତେଣୁ ଆମର ଦାୟିତ୍ୱ ଆହୁରି ବଢ଼ିଯାଇଛି । ତେଣୁ ଏହି ଯୋଜନା ମାଧ୍ୟମରେ କେବଳ ପାଣି ପାଇବାର ଆନନ୍ଦ ଆମକୁ ମିଳିବନାହିଁ । ଜଳକୁ ପ୍ରସାଦ ଭଳି ସମ୍ଭାଳି ରଖିବାର ଭାବ ବି ବୃଦ୍ଧି ପାଇ ଚାଲିବା ଆବଶ୍ୟକ । ସେତେବେଳେ ଯାଇ ଆମକୁ ଫାଇଦା ମିଳିବ ।
ଆଜି ଏଠାରେ ଏକ ବିଜୁଳି କେନ୍ଦ୍ରର ବି ଶିଳାନ୍ୟାସ ହୋଇଛି । ଆଉ ଗୋଟିଏ ବିଜୁଳି କେନ୍ଦ୍ରର ଲୋକାର୍ପଣ ବି କରାଯାଇଛି । ଯେଉଁ ରାଜ୍ୟ ଦିନେ ବିଜୁଳି ସଂକଟ ଦେଇ ଗତି କରୁଥିଲା, ସେଠାରେ ବିଜୁଳିର ଅଭାବ ଥିଲା । ଆଜି ମୁଁ ଗର୍ବର ସହ କହିପାରିବି ଯେ ଭାରତ ସରକାର ଏବଂ ଆମର ପୀୟୂଷ ଗୋଏଲଜୀ ଏବଂ ତାଙ୍କ ମନ୍ତ୍ରଣାଳୟ ଗତ ଦୁଇ ବର୍ଷ ମଧ୍ୟରେ ଏପରି ସ୍ଥିତି ସୃଷ୍ଟି କରିଛନ୍ତି ଯେ ଏହି ରାଜ୍ୟ ଏବେ ବିଜୁଳି ସମ୍ପନ୍ନ ରାଜ୍ୟରେ ପରିଣତ ହୋଇପାରିଛି । ଯଦି ଉଦ୍ଦେଶ୍ୟ ମହତ ହୋଇଥିବ, ସାଧାରଣ ଜନତାଙ୍କ ଆବଶ୍ୟକତା ପୂରଣ ପାଇଁ ଉଦ୍ୟମ କରାଯିବ, ତାହେଲେ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ଏବଂ ଏବେ ମୋତେ ପୀୟୁଷଜୀ କହୁଥିଲେ ଯେ ପୂର୍ବରୁ ଯେତେବେଳେ ତେଲଙ୍ଗାନାକୁ ବିଜୁଳି କିଣିବାକୁ ପଡୁଥିଲା, ସେତେବେଳେ ୟୁନିଟ୍ ପିଛା ପାଖାପାଖି 11 ଟଙ୍କାରୁ ସାଢ଼େ 11 ଟଙ୍କା ଲାଗୁଥିଲା । ଭାଇ ଓ ଭଉଣୀମାନେ, ୟୁନିଟ ପିଛା 11 ରୁ ସାଢ଼େ 11 ଟଙ୍କା ! ଭାରତ ସରକାର ବିଜୁଳି ସଂସ୍କାର ଘଟାଇଛନ୍ତି । ବିଜୁଳି ଉତ୍ପାଦନ ବଢ଼ାଇଛନ୍ତି ।
ବିଜୁଳି ସରବରାହ ଲାଇନରେ ବି ଅର୍ଥ ଖର୍ଚ୍ଚ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ କରିଛନ୍ତି । ପରିଣାମ ଏଇଆ ହେଲା ଯେ ଅଳ୍ପ ଦିନ ପୂର୍ବରୁ ଯେଉଁଠି ସାଢ଼େ 11 ଟଙ୍କାରେ ବିଜୁଳି କିଣାଯାଉଥିଲା ଏବେ ସେଠାରେ ଆଜିର ତାରିଖରେ ଏବଂ ଏଇ ମୁହୂର୍ତ୍ତରେ 1 ଟଙ୍କା 10 ପଇସାରେ ତାହା ଉପଲବ୍ଧ । ରାଜ୍ୟ ରାଜକୋଷ ଏଥିରୁ କେତେ ଅର୍ଥ ବଞ୍ଚାଇ ପାରିଲା । ରାଜକୋଷକୁ ଅର୍ଥ ଆସିଲେ, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅନେକ କିଛି କରିହେବ । ସେକଥା ଆପଣମାନେ ଭଲ ଭାବେ ଅନୁମାନ କରିପାରୁଥିବେ । ଭାଇ ଓ ଭଉଣୀମାନେ, ସେଥିପାଇଁ ଆମେ ଆଣବିକ ଶକ୍ତି ଉପରେ ଜୋର ଦେଇଛୁ, ଜଳ ବିଦ୍ୟୁତ ଉପରେ, ସୌର ଶକ୍ତି ଉପରେ ଗୁରୁତ୍ୱ ଆରୋପ କରିଛୁ । କାରଣ ଜଳ ଆଉ ବିଜୁଳି ଜୀବନର ସବୁଠାରୁ ଅନିବାର୍ଯ୍ୟ ଆବଶ୍ୟକତା ହୋଇସାରିଛି । ଏବଂ ଏ ଦୁଇଟି ଯାକ ଈଶ୍ୱରଙ୍କ ଅବଦାନ । ଜଳ ବି ପରମାତ୍ମାଙ୍କ କୃପାରୁ ଆସିଥାଏ ଓ ଜ୍ୟୋତି ସୂର୍ଯ୍ୟ ଦେବତାଙ୍କ କୃପାରୁ । ତେଣୁ ଆମେ ସୌର ଶକ୍ତି ଉପରେ ଜୋର ଦେଇଛୁ ।
ମୁଁ ଏବେ ମୁଖ୍ୟମନ୍ତ୍ରୀଜୀଙ୍କ ସହ କଥାବାର୍ତ୍ତା କଲାବେଳେ ତାଙ୍କୁ କହୁଥିଲି ଯେ ଆପଣଙ୍କର ଯେଉଁ ଜଳଯୋଗାଣ ବ୍ୟବସ୍ଥା ଅଛି, ତାକୁ ସୌରଶକ୍ତି ସହ ଯୋଡି ଦିଅନ୍ତୁ । ତେଣୁ ଜଳ ପହଞ୍ଚିଯିବାର ପୂରା ପ୍ରୟୋଗ ବିଜୁଳି ଖର୍ଚ୍ଚରୁ ମୁକ୍ତ ହୋଇଯିବ । ତେଣୁ ତାହା ଆର୍ଥିକ ଦୃଷ୍ଟିରୁ ସମ୍ଭବପର କରିବାର ସୁବିଧା ହେବ । ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ ଏକ ହଜାର ମେଗାୱାଟରୁ ବି କମ ସୌରଶକ୍ତି ଉତ୍ପାଦନ ହେଉଥିଲା । ଗତ ଦୁଇ ବର୍ଷ ମଧ୍ୟରେ ତିନି ହଜାର ମେଗାୱାଟରୁ ବି ଅଧିକ ସୌରଶକ୍ତି ଉତ୍ପାଦନ ହେଲାଣି । କାର୍ଯ୍ୟର ଗତି କେତେ ପ୍ରଖର ହୋଇଛି ତାହା ଏଥିରୁ ଅନୁମେୟ । କାମର ପରିମାଣ ବି ବଢ଼ିଛି । ଏହା ଆପଣମାନେ ବି ବୁଝିପାରୁଥିବେ ।
ଆପଣମାନେ ଦୀର୍ଘ ବର୍ଷରୁ ଗୋଟିଏ ରେଳପଥ ଲାଗି ଦାବି କରିଆସୁଥିଲେ । ଆଜି ସେହି ରେଳ ଲାଇନର ଶିଳାନ୍ୟାସ ହୋଇଛି । କେତେ କେତେ ପ୍ରଧାନମନ୍ତ୍ରୀ ଆସିଛନ୍ତି ଓ ଯାଇଛନ୍ତି । ଆପଣଙ୍କ ନିଜର ଏବଂ ବାହାରୁ ବି ଆସିଛନ୍ତି । ପ୍ରତି ଥର ପ୍ରତି ସାଂସଦ ଏଇ ରେଳପଥ ଲାଗି ପ୍ରତ୍ୟେକ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । କିନ୍ତୁ ଦୂରଦୂରାନ୍ତ ପର୍ଯ୍ୟନ୍ତ କେଉଁଠି ହେଲେ ରେଳଧାରଣା ନଜରକୁ ଆସୁନଥିଲା । ଆଜିର ଯୁଗର ବିକାଶ ଲାଗି ସଂଯୋଗ ସ୍ଥାପନ ଏକାନ୍ତ ଆବଶ୍ୟକ । ଏହା ହେଲା ଭିତ୍ତିଭୂମିର ଆର୍ଥିକ ସ୍ୱରୂପ । ସେଇଥିପାଇଁ ଆମେ ସାରା ଦେଶରେ ଆର୍ଥିକ ବିକାଶ ରେଳ ସଂଯୋଗୀକରଣ ସହ ଯୋଡି ଦେଶକୁ ଆଗେଇ ନେଇଯିବାର ଯୋଜନା କରିଛୁ । ପୂର୍ବରୁ ତ ରେଳବାଇର ସ୍ଥିତି ଏପରି ଥିଲା ଯେ ଯଦି ଚାରିଜଣ MP ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରନ୍ତି, ତେବେ ରେଳ ମନ୍ତ୍ରୀ କହନ୍ତି, ଆଚ୍ଛା ଠିକ୍ ଅଛି, ଗୋଟିଏ ବଗି ତୁମ ଲାଗି ଦେଇଦେଇଛି । ଆଉ ଚାରି ଜଣ MP ମିଶି ହୋ ହଲ୍ଲା କଲେ ରେଳମନ୍ତ୍ରୀ କହନ୍ତି, ଏଠି ତୁମ ଲାଗି ଷ୍ଟପେଜ ଦେଇଦେଉଛୁ । ରେଳବାଇ ଏମିତି ଚାଲିଥିଲା । ଦେଶର ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଆମେ ଏଥିରେ ଆମୂଳଚୂଳ ପରିବର୍ତ୍ତନ ଘଟାଇଛୁ । ଜନସାଧାରଣଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି । ରେଳବାଇକୁ ଜାତୀୟକରଣ କରିବା ସହ ରେଳ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଆମେ ଚାହୁଁ । ଆଜି ଏଇ ଯୋଜନା ଅଧୀନରେ ରେଳ ପ୍ରକଳ୍ପ ତେଲଙ୍ଗାନାର ଦୀର୍ଘ ଦିନରୁ ଥିବା ଦାବିକୁ ଆମେ ପୂରଣ କରୁଛୁ । ଏବଂ ମୋର ବିଶ୍ୱାସ ଯେ ଯଦି କୌଣସି ବାଧାବିଘ୍ନ ନ ଘଟେ, ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ଏବଂ ଏଠାକାର ଜନତାଙ୍କ ଆବଶ୍ୟକତାକୁ ନଜରରେ ରଖି ଇତିହାସରେ ପ୍ରଥମ ଥର ପାଇଁ ତେଲଙ୍ଗାନାର ସାର କାରଖାନାର ଶିଳାନ୍ୟାସ କରାଯାଇଛି ।
ତେଲଙ୍ଗାନା ନିକଟରେ କୌଣସି ସାର କାରଖାନା ନାହିଁ । କିନ୍ତୁ କୃଷକମାନଙ୍କର ୟୁରିଆ ଦରକାର । ସେମାନଙ୍କୁ ପିଡିଆ ଦରକାର ଏବଂ ସାର ଉତ୍ପାଦନ ଯଦି ନହୁଏ, ପିଡିଆ ଉତ୍ପାଦନ ଯଦି ନହୁଏ, ତେବେ କୃଷକମାନଙ୍କର ଉନ୍ନତି କିପରି ସମ୍ଭବ ହେବ ? ପୂର୍ବରୁ କୃଷକଙ୍କୁ ଖୁସି କରିବା ଲାଗି ସାରରେ ଏତେ ସବସିଡି ଦେବୁ ବୋଲି ଘୋଷଣା ପରେ ଘୋଷଣା କରାଯାଉଥିଲା । ଖବରକାଗଜମାନଙ୍କରେ ପ୍ରକାଶ ପାଇଯାଏ, ନିର୍ବାଚନ ବିତିଯାଏ । ରାଜନେତାମାନଙ୍କର କାମ ହୋଇଯାଏ । କିନ୍ତୁ ମୋର କୃଷକ ଭାଇମାନେ ଯେଉଁଠି ଅଛନ୍ତି ସେଇଠି ରହିଯାଆନ୍ତି । କାହିଁକି ସବସିଡି ଘୋଷଣା ତ ହେଉଥିଲା; ସାର ମିଳୁନଥିଲା, ସବସିଡି କଥା ଛାଡ, ଏଇ କାରବାର ଚାଲିଥିଲା । ଭାଇ ଭଉଣୀମାନେ, ଆମେ କୃଷକମାନଙ୍କୁ ସାର ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଆରୋପ କରୁଛୁ । ପୂର୍ବରୁ କୃଷକଙ୍କୁ କଳାବଜାରରୁ ସାର କିଣିବାକୁ ପଡୁଥିଲା । ୟୁରିଆ କିଣିବାକୁ ବାଧ୍ୟ ହେଉଥିଲେ, କିଛି କିଛି ରାଜ୍ୟ ସାର କିଣିବା ଲାଗି ରାତିରାତି ଲମ୍ବା ଧାଡିରେ ଠିଆ ହେବାକୁ ପଡୁଥିଲା । ବେଳେବେଳେ ପୁଲିସ ଲାଠିମାଡ କରୁଥିଲା । ତଥାପି ସାର ମିଳୁନଥିଲା । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କଠାରୁ ଯେଉଁ ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ସେଥିରେ ଉଲ୍ଲେଖ ଥିଲା ଯେ ଚାଷବାସ ଋତୁରେ ୟୁରିଆର ଅଭାବ । ଆମ ରାଜ୍ୟକୁ ଏତେ ୟୁରିଆ ସାର ଦରକାର । ପାଖାପାଖି ସବୁ ରାଜ୍ୟ ୟୁରିଆ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖୁଥିଲେ । ଆଜି ମୁଁ ଖୁସିର ସହ କହିବାକୁ ଚାହେଁ ଯେ ମୋ କୃଷକ ଭାଇମାନଙ୍କୁ ଆଉ ସାର ପାଇଁ କାହା ପାଖରେ ମୁଣ୍ଡ ନୁଆଇଁ ଠିଆହେବାକୁ ପଡିବ ନାହିଁ, ଗତ ଦୁଇ ବର୍ଷ ମଧ୍ୟରେ କୌଣସି ମୁଖ୍ୟମନ୍ତ୍ରୀ ୟୁରିଆ ଲାଗି ଚିଠି ଲେଖୁନାହାନ୍ତି ।
ଆମର ଶ୍ରୀମାନ ଅନନ୍ତ କୁମାରଜୀଙ୍କ ନେତୃତ୍ୱରେ ସାର କ୍ଷେତ୍ରରେ ଦେଶରେ ଏକ ନୂଆ ଆନ୍ଦୋଳନ ସୃଷ୍ଟି ହୋଇଛି । ନିମ ପ୍ରଲେପଯୁକ୍ତ ୟୁରିଆ କାରଣରୁ ଏଭଳି ସାମର୍ଥ୍ୟ ଆସି ପାରିଛି । ଏହା କ୍ଷେତର ଉପକାର ସାଧାନ କରୁଛି । ପୂର୍ବରୁ ଯେଉଁ ୟୁରିଆ ଚୋରି ହେଉଥିଲା ତାହା ବି ବନ୍ଦ ହୋଇଯାଇଛି । ପୂର୍ବରୁ ତାହା ରସାୟନିକ କାରଖାନାକୁ ଚାଲିଯାଉଥିଲା । ଏହା କେମିକାଲ କାରଖାନା ମାଲିକଙ୍କୁ ଲାଭ ଦେଉଥିଲା । କୃଷକଙ୍କ ନାଁରେ କିଛି ଲୋକଙ୍କ ପକେଟକୁ ସବସିଡି ଚାଲି ଯାଉଥିଲା । ସେମାନେ କେମିକାଲ ପ୍ରସ୍ତୁତ କରି ମାଲାମାଲ ହେଉଥିଲେ । କୃଷକ ଯେଉଁଠି ସେଇଠି ରହିଯାଉଥିଲା । ନିମ ପ୍ରଲେପ ଦିଆଯିବା ପରେ ଏବେ ସେ ୟୁରିଆରେ ଗୋଟିଏ ଗ୍ରାମ ବି କେମିକାଲ କାରଖାନାବାଲାଙ୍କ କାମରେ ଆସୁନାହିଁ । ଭ୍ରଷ୍ଟାଚାର ଗଲା, ଚୋରି ବନ୍ଦ ହେଲା, ସରକାରୀ ତହବିଲ ଲୁଟ୍ ବି ବନ୍ଦ ହେଲା । କୃଷକଙ୍କୁ ସହଜରେ ୟୁରିଆ ମିଳିପାରିଲା । ସ୍ୱାଧୀନତା ପ୍ରାପ୍ତି ପରଠାରୁ ପ୍ରଥମ ଥର ଲାଗି ୟୁରିଆ ମୂଲ୍ୟରେ ହ୍ରାସ ଘଟିଛି । ଗୋଟିଏ ଗୋଟିଏ ବସ୍ତା ଉପରେ ଦୁଇ ଶହ ଟଙ୍କା ଲେଖାଏଁ, ଅଢ଼େଇ ଶହ ଟଙ୍କା ଲେଖାଏଁ କାଟ ପ୍ରଥମ ଥର ଲାଗି ସମ୍ଭବ ହୋଇଛି ।
ଭାଇ ଓ ଭଉଣୀମାନେ, ଯଦି ସମାଜର ମଙ୍ଗଳ ପାଇଁ କାମ କରୁଛେ, କୃଷକ ଓ ଗାଁର ମଙ୍ଗଳ ପାଇଁ କାମ କରୁଛେ, ତା ହେଲେ କେଉଁଭଳି ଭାବେ ପରିବର୍ତ୍ତନ ଅଣାଯାଇପାରିବ, ତାହା ଦେଖିବା ଦରକାର । ଯଦି ଏଇ ୟୁରିଆକୁ ଅନୁଧ୍ୟାନ ଭାବେ ଧରି ଆଗକୁ ଚିନ୍ତା କରିବା, ତେବେ ଜାଣିପାରିବା ଯେ ସରକାର ଲୋକଙ୍କ ପାଇଁ କି ପ୍ରକାର କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବେ । ଏବେ ଶ୍ରୀମାନ ଚନ୍ଦ୍ରଶେଖରଜୀ କେନ୍ଦ୍ର ସରକାରଙ୍କର ସଚ୍ଚୋଟତାକୁ ଉଚ୍ଚ ପ୍ରଶଂସା କରୁଥିଲେ । ସେ ବି କେନ୍ଦ୍ର ସରକାରରେ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କୁ ନିକଟରୁ ଦେଖିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ନୁହନ୍ତି, ସେ କହନ୍ତି ଯେ ଢ଼େର ବର୍ଷ ପରେ ଦିଲ୍ଲୀରେ ଏକ ସଚ୍ଚୋଟ ସରକାର ଅବସ୍ଥାପିତ ହୋଇଛି ଯାହାର ପରିଣାମ ସ୍ୱରୂପ ଆମକୁ ଏପରି ଉପକାର ମିଳୁଛି । ଭାଇ ଓ ଭଉଣୀମାନେ, କୃଷି କ୍ଷେତ୍ରରେ ଢ଼େର ପରିବର୍ତ୍ତନର ଆବଶ୍ୟକତା ଅଛି । ସାର ବ୍ୟତୀତ ଆଉ ଏକ ରାସ୍ତା ଅଛି । ଆମକୁ ଧରିତ୍ରୀ ମାତାର ଅବସ୍ଥା ପ୍ରତି ମଧ୍ୟ ସଚେତନ ରହିବାକୁ ପଡିବ । ଧରିତ୍ରୀ ମାତା ଯଦି ବେମାର ପଡିବ, ତେବେ ଯେତେ ନୂଆ ବ୍ୟବସ୍ଥା କଲେ ସୁଦ୍ଧା ସେଥିରୁ ଆଶାନୁରୂପ ସୁଫଳ ମିଳିବନାହିଁ । ବେଳେବେଳେ ଧରିତ୍ରୀ ମାତା ଆମ ଉପରେ ଅଭିମାନ କରେ । ଆଉ କୃଷକମାନଙ୍କ ଲାଗି ଧରିତ୍ରୀ ମାତାଙ୍କଠୁ ବଳି ଆଉ କିଛି ବଡ ଥାଇନପାରେ । ତେଣୁ ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଧରିତ୍ରୀ ମାତାର ସ୍ୱାସ୍ଥ୍ୟ କଥା ଚିନ୍ତା କରିଛୁ । ତାର ଆବଶ୍ୟକତାକୁ କିପରି ଭରଣା କରାଯାଇପାରିବ, ତାର ଶକ୍ତିକୁ କିପରି ଉପଯୋଗ କରିହେବ, ଏହାରି ଉପରେ ଗୁରୁତ୍ୱ ପ୍ରଦାନର ପ୍ରୟାସ କରାଯାଇଛି ।
ଆଜିକାଲି ଗୋମାତା ନାମରେ ଖୁବ୍ ଚର୍ଚ୍ଚା ହେଉଛି । କିନ୍ତୁ ହିମାଚଳ ପ୍ରଦେଶରେ ଆମର ଗଭର୍ଣ୍ଣର ସାହେବ ଅଛନ୍ତି । ସେ ସ୍ୱୟଂ କୃଷିରେ ଅନେକ ପ୍ରୟୋଗ କରିଥିବା ବ୍ୟକ୍ତି । ସେ ଗୋଟିଏ ବଡ ଅଭିଯାନ ଚଳାଇଛନ୍ତି । ହିମାଚଳରେ ଯେଉଁ ଲୋକମାନେ ଗାଈଗୋରୁଙ୍କୁ ଛାଡି ଦେଇଛନ୍ତି, ସେ ଗାଈଗୋରୁଙ୍କୁ ସେ ଧରି ଆଣି କୃଷକ ଭାଇମାନଙ୍କୁ ଦେଉଛନ୍ତି । କ୍ଷୀର ଦେଉନଥିବା ଗାଈଙ୍କୁ ଆଣି କୃଷକଙ୍କୁ ଦେଉଛନ୍ତି । କହୁଛନ୍ତି ଯେ ନିଜ କ୍ଷେତ ସହ ଗାଈମାନଙ୍କୁ ଯୋଡି ଦିଅନ୍ତୁ । ଗାଈଗୋରୁଙ୍କ ମଳମୂତ୍ର କ୍ଷେତର ଶକ୍ତି ବୃଦ୍ଧି କରିବ । ସେ ଖୋଦ ଏଭଳି ପ୍ରୟୋଗ କରିଛନ୍ତି । ତେଣୁ ଯେଉଁମାନେ ଗୋ-ସେବାରେ ବିଶ୍ୱାସ କରନ୍ତି, ସେମାନଙ୍କୁ ମୋର ନିବେଦନ ଯେ ଗାଈଗୋରୁଙ୍କୁ କୃଷି ସହ ଯୋଡି ଦିଅନ୍ତୁ । ଗାଈଗୋରୁ କେବେ ବି ବୋଝ ନୁହନ୍ତି । ମହାତ୍ମାଗାନ୍ଧୀ ଗାଈଙ୍କ ସମ୍ପର୍କରେ ଭଲ କଥାଟିଏ କହିଥିଲେ । ସେ କହିଥିଲେ, ଆମ ମା ପିଲାଦିନେ କିଛି ସମୟ ପର୍ଯ୍ୟନ୍ତ ଆମକୁ କ୍ଷୀର ପିଆଇଥାନ୍ତି । କିନ୍ତୁ ଗୋ ମାତା ଆମକୁ ଜୀବନବ୍ୟାପୀ କ୍ଷୀର ପିଆଇଥାଏ । ଆମର ପାଳନ ପୋଷଣ କରିଥାଏ । ଗୋ ମାତା ମୃତ୍ୟୁ ପରେ ବି ଆମର କାମରେ ଆସିଥାଏ । ବୃକ୍ଷଲତା ଯେମିତି ଆମର ଏକ ପ୍ରକାର ସମ୍ପତ୍ତି, ସେଇଭଳି ଗୋ-ସମ୍ପଦ ବି ଆମର ଶକ୍ତି । ଏହାର ଉପଯୁକ୍ତ ସୁରକ୍ଷା କରି ରାଷ୍ଟ୍ରର ଆର୍ଥିକ ବିକାଶ ଦିଗରେ ଏହାକୁ ଯୋଡିବା ଆବଶ୍ୟକ । ପୁଣି ବେଳେବେଳେ ଆଶଙ୍କା ବି ହୁଏ । ଯେଉଁ ଲୋକମାନେ ସମାଜର ନୀତିନିୟମକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ସମାଜକୁ ବିପର୍ଯ୍ୟସ୍ତ, ଅସ୍ତବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ ଭାରତର ଏକତା ଯୋଗୁ ଚିନ୍ତାରେ ପଡିଯାଇଛନ୍ତି । ସେଇଭଳି କିଛି ଲୋକ ଗୋ-ରକ୍ଷା ନାମରେ ସମାଜରେ ବିଭେଦ ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି ।
ମୁଁ ସମସ୍ତ ଦେଶବାସୀଙ୍କୁ କହିବାକୁ ଚାହେଁ । ଏଭଳି ନକଲି ଗୋ-ରକ୍ଷକଙ୍କ ପ୍ରତି ସାବଧାନ ରହନ୍ତୁ । ରାଜ୍ୟ ସରକାରମାନଙ୍କୁ ବି ମୁଁ କହିବାକୁ ଚାହେଁ, ଆମର କୃଷିକୁ ରକ୍ଷା କରିବା ସକାଶେ, କୃଷକଙ୍କୁ ବଞ୍ଚାଇବା ଲାଗି ଯେଉଁକଥା ବିନୋବା ଭାବେ ଜୀ କହିଥିଲେ, ଯେଉଁକଥା ମହାତ୍ମାଗାନ୍ଧୀ କହିଥିଲେ ସେ କଥାକୁ ସ୍ମରଣ ରଖିବାକୁ ହେବ । ଗୋ ରକ୍ଷା ଲାଗି ବିନୋବାଜୀ ଆମରଣ ଅନଶନ କରିଥିଲେ । ଯେଉଁ ଗୋ ରକ୍ଷା ଲାଗି ଭାରତର ସମ୍ବିଧାନରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସେ କଥା କଦାପି ଭୁଲ ହୋଇନପାରେ । କିନ୍ତୁ ଏଇ ନକଲି ଗୋରକ୍ଷକଙ୍କର ଗୋମାତାଙ୍କ ସହ କିଛି ନେଣଦେଣ ନାହିଁ । ସେମାନେ କେବଳ ସମାଜରେ ଅସ୍ଥିରତା ଅଶାନ୍ତି ସୃଷ୍ଟି କରିବାକୁ ଚାହାନ୍ତି । ତେଣୁ ମୁଁ ଆମ ରାଜ୍ୟ ସରକାରମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ବି ଏଭଳି ନକଲି ଗୋରକ୍ଷକମାନଙ୍କ ସମ୍ପର୍କରେ ତଦନ୍ତ କରନ୍ତୁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହା ସହ ମୁଁ ସବୁ ଗୋ-ଭକ୍ତମାନଙ୍କୁ ବି ପ୍ରାର୍ଥନା କରୁଛି ଯେ ଆପଣମାନେ ବି ସଜାଗ ରହନ୍ତୁ । ଯେପରି ଆପଣଙ୍କର ଏଇ ନିଃସ୍ୱାର୍ଥପର କାର୍ଯ୍ୟ ମୁଷ୍ଟିମେୟ ଲୋକମାନେ ନିଜ ସ୍ୱାର୍ଥ ଲାଗି ଉପଯୋଗ କରିନପାରନ୍ତି । ଏପରି ଲୋକଙ୍କୁ ଖୋଜି ଆପଣମାନେ ବି ବାହାର କରନ୍ତୁ । ସେ ଲୋକମାନଙ୍କ ପ୍ରବୃତ୍ତିକୁ ଖୋଲି ଦିଅନ୍ତୁ ସମାଜ ସମ୍ମୁଖରେ । ଯଦ୍ୱାରା ସେମାନଙ୍କର ସବୁ ମତଲବ ସମାଜ ନିକଟରେ ଖୋଲିଯିବ ।
ଭାରତ ବିବିଧତାରେ ପରିପୂର୍ଣ୍ଣ ଏକ ରାଷ୍ଟ୍ର । ପୁଣି ଏଭଳି ବିବିଧତାକୁ ମାନ୍ୟତା ଏ ଦେଶରେ ମିଳିଛି । ଅନେକ ସାମ୍ପ୍ରଦାୟିକ ମାନ୍ୟତା ଏ ଦେଶର ପ୍ରଚଳିତ ହୋଇଆସିଛି । ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ । ତେଣୁ ଏହାକୁ ପରିପୂର୍ଣ୍ଣ କରିବା ସକାଶେ ଆମେ ସମସ୍ତେ ଦେଶବାସୀ ଗୋ ସେବା କରିବା, ଗୋ ଭକ୍ତି କରିବା ଓ ପୂଜାକୁ ସମର୍ଥନ କରିବା । ଏହା ତ ରାଷ୍ଟ୍ରର ସମ୍ପତ୍ତିକୁ ବୃଦ୍ଧି କରିବା ଭଳି କଥା । ଏହା କଦାପି ରାଜ୍ୟ ରାଜ୍ୟ ଭିତରେ ସଂକଟ ସୃଷ୍ଟି କରିବ ନାହିଁ । କିନ୍ତୁ ନକଲି ଲୋକ ଦେଶ ଓ ସମାଜକୁ ତଳି ତଳାନ୍ତ କରିବା ପାଇଁ ଚାହାନ୍ତି । ସେମାନଙ୍କ ସମ୍ପର୍କରେ ସଚେତନ ରହିବା ଏକାନ୍ତ ଆବଶ୍ୟକ । ସେମାନଙ୍କୁ ସମାଜଠାରୁ ଦୂରେଇ ରଖିବା ଦରକାର । ସେମାନଙ୍କ ମୁଖା ଖୋଲିଦେବା ଦରକାର । ସେମାନଙ୍କୁ ଦଣ୍ଡିତ କରିବା ଦରକାର । ତା ପରେ ଯାଇ ଆମେ ଗର୍ବର ସହ ଦେଶକୁ ନୂଆ ଶୀର୍ଷରେ ପହଞ୍ଚାଇପାରିବା ।
ଭାଇ ଓ ଭଉଣୀମାନେ, ପ୍ରତ୍ୟେକ ସମସ୍ୟାର ସମାଧାନ ଗୋଟିଏ କଥାରେ ନିହିତ । ଆମର ସବୁ ଆବଶ୍ୟକତା କେବଳ ବିକାଶ ଦ୍ୱାରା ପୂରଣ ହୋଇପାରିବ । ଆଜି ରାଜ୍ୟ ରାଜ୍ୟ ମଧ୍ୟରେ ବିକାଶ ପ୍ରତିଯୋଗିତା ଦେଖି ମୋତେ ଖୁସି ଲାଗୁଛି । ପ୍ରତ୍ୟେକ ରାଜ୍ୟଙ୍କୁ ଲାଗୁଛି ଆମେ ଅନ୍ୟ ରାଜ୍ୟଠାରୁ ଆଗକୁ ଆଗେଇବୁ । ଏଭଳି ପ୍ରଗତିଶୀଳ ଆକାଂକ୍ଷା ଦେଶକୁ ଆଗକୁ ବଢ଼ାଇବାରେ ସହାୟକ ହେବ । ତେଣୁ ମୁଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ କରୁଛି ଯେ, ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ଆଗେଇ ଆସନ୍ତୁ । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିକାଶ ପ୍ରତିଯୋଗିତା ହେଉ । ପ୍ରତି ଗାଁ ଓ ଗଳିରେ ବିକାଶର ପ୍ରତିଯୋଗୀତା ବଢ଼ୁ ।
ସେ ଏତେ କାମ କଲା, ମୁଁ ବି ଏତେ କରି ଦେଖାଇବି । ସେ ଏତେ କାର୍ଯ୍ୟ କଲା, ମୁଁ ଏତିକିରେ କରି ଦେଖାଇବି । ସେ ଏତେ ଭଲ କାମ କଲେ ମୁଁ ତା’ଠାରୁ ଭଲ କରି ଦେଖାଇବି, ଏଭଳି ବାତାବରଣ ସୃଷ୍ଟି ଲାଗି ପ୍ରୟାସ ହେବା ଜରୁରୀ । ଏହାଦ୍ୱାରା ନୂତନ ଶୀର୍ଷକୁ ଆମେ ସହଜରେ ଅତିକ୍ରମ କରିପାରିବା । ମୁଁ ପୁଣି ଥରେ ଆଦରଣୀୟ ମୁଖ୍ୟମନ୍ତ୍ରୀଜୀଙ୍କୁ କୃତଜ୍ଞତା ଜଣାଉଛି । ଯେତେସବୁ ବିଷୟ ସେ ଉପସ୍ଥାପନ କରିଛନ୍ତି ମୁଁ ତେଲଙ୍ଗାନାବାସୀଙ୍କୁ ବିଶ୍ୱାସ ଦେଉଛି, ବିକାଶ ମାର୍ଗରେ ଦିଲ୍ଲୀ ସରକାର ଆପଣଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଚାଲିବ । ଆମେ ମିଳିମିଶି ବିକାଶର ଶୀର୍ଷକୁ ଅତିକ୍ରମ କରିବା । ଏବେ ଦିଲ୍ଲୀ ଆପଣମାନଙ୍କ ଲାଗି ଦୂର ନୁହେଁ । ହାଇଦ୍ରାବାଦ ଆପଣମାନଙ୍କ ପାଇଁ ଯାହା, ଦିଲ୍ଲୀ ସେଇଆ । ଏଇ ବିଶ୍ୱାସର ସହ ଆଗକୁ ଅଗ୍ରସର ହୁଅନ୍ତୁ । ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।
**********
This is my first visit to this state after assuming office: PM @narendramodi in Telangana
— PMO India (@PMOIndia) August 7, 2016
The centre and the states are working shoulder to shoulder to take the nation to new heights of progress: PM @narendramodi in Telangana
— PMO India (@PMOIndia) August 7, 2016
Whenever CM KCR has met me, he has spoke about the state's development and about water related issues: PM @narendramodi @TelanganaCMO
— PMO India (@PMOIndia) August 7, 2016
Sadly, we only realise the importance of water when there is no access to it. As citizens it is our duty to conserve water: PM @narendramodi
— PMO India (@PMOIndia) August 7, 2016
Reforms have taken place in the power sector: PM @narendramodi #TransformingIndia
— PMO India (@PMOIndia) August 7, 2016
You all were asking about a rail line and today the Shilanyas for that has happened: PM @narendramodi in Telangana
— PMO India (@PMOIndia) August 7, 2016
We linking economic development and rail connectivity: PM @narendramodi
— PMO India (@PMOIndia) August 7, 2016
Shilanyas for 1st fertiliser plant in the state happened. The state didn't have one earlier & this did not augur well for the farmer: PM
— PMO India (@PMOIndia) August 7, 2016
The solution to all the problems lies in development: PM @narendramodi
— PMO India (@PMOIndia) August 7, 2016
Honoured to launch Mission Bhagiratha Phase-I Project in Gajwel. This will greatly benefit Telangana. pic.twitter.com/fO2CtUhZqO
— Narendra Modi (@narendramodi) August 7, 2016
Laid the foundation stone for a fertiliser plant in Telangana, which is going to be a boon for the farmers. pic.twitter.com/V9HCwF5e9X
— Narendra Modi (@narendramodi) August 7, 2016
A dream fulfilled…laying the foundation stone for a railway line people were demanding for years. @RailMinIndia pic.twitter.com/7Qp3DwtI76
— Narendra Modi (@narendramodi) August 7, 2016
At the public meeting spoke on the vitality of cooperative federalism & why it is key for India’s growth that Centre & states work together.
— Narendra Modi (@narendramodi) August 7, 2016
Talked about power sector reforms, irrigation & how we are linking economic progress with rail connectivity. https://t.co/yaiPZfMOWt
— Narendra Modi (@narendramodi) August 7, 2016
Thank you CM KCR, for the kind words. https://t.co/sC4xOlm8qp
— Narendra Modi (@narendramodi) August 7, 2016