Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲ ଆଭିଭ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ତେଲ ଆଭିଭ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ତେଲ ଆଭିଭ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ତେଲ ଆଭିଭ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି


ଭାଇ ଓ ଭଉଣୀମାନେ,

ଶାଲୋମ୍ ଲେ କୁଲାମ୍ ଆନି ସେମ୍ୟା ମାୟୋଧ ଲେହିୟୋଦ୍ ପୋ (ମୁଁ ଇସ୍ରାଏଲକୁ ଆସି ଖୁବ୍ ଆନନ୍ଦିତ) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଐତିହାସିକ ଇସ୍ରାଏଲ ଗସ୍ତ ପାଇଁ ସୌଭାଗ୍ୟ ପାଇଥିବାରୁ ମୁଁ ଗର୍ବିତ । ମୁଁ ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ତାଙ୍କ ଆମନ୍ତ୍ରଣ ଏବଂ ମୋର ଏପରି ଭବ୍ୟ ସ୍ୱାଗତ ଲାଗି ଧନ୍ୟବାଦ ଜଣାଉଛି  । ଆମ ସମାଜ ମଧ୍ୟରେ ରହିଥିବା ଶତାଧିକ ବର୍ଷର ପୁରୁଣା ସମ୍ପର୍କକୁ ମୋର ଏହି ଗସ୍ତ ପାଳନ କରୁଛି । ଏହି ସ୍ନେହ-ବନ୍ଧନ ଯୋଗୁଁ 25 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଆମର କୂଟନୈତିକ ସମ୍ପର୍କ ଆହୁରି ସୁଦୃଢ଼ ଏବଂ ସ୍ଥିର ଭାବେ ଅଗ୍ରଗତି କରିଛି  ।

ବନ୍ଧୁଗଣ,

ଗଣତନ୍ତ୍ରର ଆଦର୍ଶରେ ଅନୁପ୍ରାଣିତ ଇସ୍ରାଏଲର ଲୋକମାନେ ଏକ ନୂତନ ରାଷ୍ଟ୍ର ଗଠନ କରିଛନ୍ତି  । ସେମାନେ ଏହାକୁ କଠିନ ପରିଶ୍ରମ, ସୌହାର୍ଦ୍ଦ୍ୟ ଏବଂ ନବୀକରଣର ଉତ୍ସାହ ସହିତ ଆହୁରି ସମୃଦ୍ଧ କରିଛନ୍ତି  । ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆପଣମାନେ ଆଗେଇଛନ୍ତି ଏବଂ ସବୁ ଘାତ-ପ୍ରତିଘାତକୁ ସୁଯୋଗରେ ପରିଣତ କରିଛନ୍ତି । ଭାରତ ଆପଣମାନଙ୍କ ଏଭଳି ସଫଳତାକୁ ପ୍ରଶଂସା କରୁଛି ।

ଆଜି ଜୁଲାଇ 4, ଠିକ୍ 41 ବର୍ଷ ପୂର୍ବେ “ଏନ୍ତେବେ ଅଭିଯାନ” (Operation Entebbe) ହୋଇଥିଲା  । ସେହିଦିନ ବହୁ ସଂଖ୍ୟକ ଇସ୍ରାଏଲ ବନ୍ଦୀଙ୍କୁ ମୁକୁଳାଇବାକୁ ଯାଇ ଆପଣଙ୍କ ପ୍ରଧାନମନ୍ତ୍ରୀ, ଏବଂ ମୋର ବନ୍ଧୁ, ବିବି, ତାଙ୍କ ଜ୍ୟେଷ୍ଠ ଭ୍ରାତା ୟୋନିଙ୍କୁ ହରାଇଥିଲେ । ଆପଣଙ୍କ ବୀରମାନେ ଯୁବ ପିଢ଼ି ପାଇଁ ପ୍ରେରଣା ।

ବନ୍ଧୁଗଣ,

ଭାରତର ଅତି ପ୍ରାଚୀନ ସଭ୍ୟତା ରହିଛି, କିନ୍ତୁ ଏହା ଏକ ଯୁବ ରାଷ୍ଟ୍ର । ଭାରତରେ 800 ନିୟୁତ ଲୋକଙ୍କ ବୟସ 35 ବର୍ଷ କିମ୍ବା ତା’ଠାରୁ କମ୍  । ପ୍ରତିଭା ସମ୍ପନ୍ନ ଏବଂ ତାଲିମପ୍ରାପ୍ତ ଯୁବଗୋଷ୍ଠୀ ଭାରତର କର୍ମଶକ୍ତି । ସେମାନେ ମୋର ଲକ୍ଷ୍ୟ – ଭାରତର ରୂପାନ୍ତରଣ, ଏହାର ଶିଳ୍ପ, ଅର୍ଥବ୍ୟବସ୍ଥା, ବ୍ୟବସୟ କାରବାର ଏବଂ ବିଶ୍ୱ ସହିତ ଏହାର ସମ୍ପର୍କକୁ ଆଗେଇ ନେଉଛନ୍ତି  ।

ବନ୍ଧୁଗଣ,

ଉଚ୍ଚ ଅଭିବୃଦ୍ଧି ଏବଂ ସାମଗ୍ରୀକ ବିକାଶ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଥିବାରୁ ଇସ୍ରାଏଲକୁ ଭାରତ ନିଜର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ବିବେଚନା କରୁଛି  । ବିକାଶ ପାଇଁ ଆମେ ଦୁଇ ରାଷ୍ଟ୍ର ଭୋଗୁଥିବା ସାଧାରଣ ଆହ୍ୱାନର ମୁକାବିଲା ଲାଗି ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଏବଂ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଉପରେ ନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି ।

ଏହିସବୁ ଦିଗ ମଧ୍ୟ ଆମ ଦୁଇ ଦେଶର ଉଚ୍ଚକୁଶଳୀ ଯୁବଶକ୍ତି ଏବଂ ଉଦ୍ୟୋଗୀମାନଙ୍କ ସୃଜନଶୀଳ ଉତ୍ସାହ ଏବଂ ଚିନ୍ତାଧାରାକୁ ସମ୍ମିଶ୍ରିତ କରୁଛି । ସହଭାଗୀ ଅର୍ଥନୈତିକ ସମୃଦ୍ଧି ଲାଗି ସହଯୋଗ ବୃଦ୍ଧି କରିବା ସହିତ ଆମେ ଆମ ସମାଜକୁ ଆତଙ୍କବାଦ ଭଳି ସମସ୍ୟାରୁ ମୁକ୍ତ ରଖିବା ଦିଗରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଛୁ ।

ଏ ସମସ୍ତ କ୍ଷେତ୍ରରେ ପ୍ରଗତିଶୀଳ ଚିନ୍ତାଧାରା, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ମୋର ଆଲୋଚନାର ସୁଯୋଗ ସୃଷ୍ଟି କରିବ ।

ଆମ ଦୁଇ ସମାଜକୁ ସମୃଦ୍ଧ କରିଥିବା ଭାରତୀୟ ବଂଶୋଦ୍ଭବ ଇହୁଦୀମାନଙ୍କ ସମେତ ଇସ୍ରାଏଲରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବାକୁ ନେଇ ମୁଁ ଉତ୍ସାହିତ ଅଛି ।

ମହାମହିମ ଏବଂ ବନ୍ଧୁଗଣ,

ମୋର ଏହି ଗ୍ରସ୍ତ ଐତିହାସିକ ସମ୍ପର୍କର ମୂଳଦୁଆ ପ୍ରତିଷ୍ଠା କରିବ । ଆମ ସମାଜ ଏବଂ ଲୋକମାନଙ୍କ କଲ୍ୟାଣ ଲାଗି ଆମେ ଏହି ମିଳିତ ଯାତ୍ରା ଆରମ୍ଭ କରିବାକୁ ଉତ୍କଣ୍ଠିତ । ଏହି ଯାତ୍ରା ଆମେ ଉଭୟ ଆରମ୍ଭ କରିଥିବାରୁ ଇସ୍ରାଏଲ ସହିତ ଏକ ଦୃଢ଼ ଏବଂ ନମନୀୟ ସମ୍ପର୍କ ମୋର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରହିବ  । ଏପରି ଭବ୍ୟ ସ୍ୱାଗତ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି  ।

ଆପଣମାନଙ୍କୁ ଧନ୍ୟବାଦ, ଅନେକ ଅନେକ ଧନ୍ୟବାଦ ।

 

**********