ପିଏମଇଣ୍ଡିଆ
ଦଣ୍ଡିତ ବ୍ୟକ୍ତି ହସ୍ତାନ୍ତର ସଂକ୍ରାନ୍ତ ଭାରତ-ଇସ୍ତୋନିଆ ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ରାଜିନାମା ଦ୍ଵାରା ଇସ୍ତୋନିଆ ଜେଲରେ ଦଣ୍ଡ ଭୋଗୁଥିବା ଭାରତୀୟ ଏବଂ ଭାରତୀୟ ଜେଲରେ ଦଣ୍ଡ ଭୋଗୁଥିବା ଇସ୍ତୋନିଆ ଲୋକଙ୍କୁ ନିଜ ନିଜ ଦେଶକୁ ସ୍ଥାନାନ୍ତର କରାଯିବ । ଏହାଦ୍ୱାରା ସମ୍ପୃକ୍ତ ଦଣ୍ଡିତ ବ୍ୟକ୍ତିମାନେ ନିଜ ନିଜ ଦେଶରେ ଅବଶିଷ୍ଟ ଜେଲ ଦଣ୍ଡାଦେଶ ଅବଧି କଟାଇବେ ଏବଂ ସେମାନଙ୍କ ସାମାଜିକ ଥଇଥାନ ସମ୍ଭବ ହୋଇପାରିବ ।
ଭାରତ ସରକାର ଦଣ୍ଡିତ ବ୍ୟକ୍ତିମାନଙ୍କ ସ୍ଵଦେଶ ସ୍ଥାନାନ୍ତରଣ ପାଇଁ ବର୍ତ୍ତମାନ ସୁଦ୍ଧା ବ୍ରିଟେନ, ମରିସସ, ବୁଲଗାରିଆ, ଫ୍ରାନ୍ସ, ଇଜିପ୍ଟ, ଶ୍ରୀଲଙ୍କା, କମ୍ବୋଡିଆ, ଦକ୍ଷିଣ କୋରିଆ, ସାଉଦି ଆରବ, ଇରାନ, ବାଂଲାଦେଶ, ବ୍ରାଜିଲ, ଇସ୍ରାଏଲ, ବୋସନିଆ-ହେର୍ଜେଗୋବିନା, ମିଳିତ ଆରବ ଅମିରତନ୍ତ୍ର (UAE), ଇଟାଲୀ, ତୁର୍କୀ, ମାଲଦ୍ଵୀପ, ଥାଇଲାଣ୍ଡ, ରୁଷିଆ, କୁଏତ, ଭିଏତନାମ, ଅଷ୍ଟ୍ରେଲିଆ, ହଂକଂ, କତାର, ମଙ୍ଗୋଲିଆ, କାଜାଖସ୍ଥାନ ଏବଂ ବାହାରିନ ସହିତ ଏଭଳି ରାଜିନାମା କରିସାରିଛନ୍ତି । ଏ ପ୍ରକାର ରାଜିନାମା ଫଳରେ ବର୍ତ୍ତମାନ ସୁଦ୍ଧା ୬୫ ଜଣ ବନ୍ଦୀଙ୍କୁ (ଦଣ୍ଡିତ ବ୍ୟକ୍ତି) ଅଦଳ ବଦଳ କରାଯାଇଛି । ସେଥିମଧ୍ୟରୁ ୫୫ ଜଣ ହେଉଛନ୍ତି ଭାରତୀୟ ।