ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ “ଦିଲ୍ଲୀ ପର୍ଯ୍ୟାୟ ଯକ୍ଷ୍ମା ଶିଖର ସମ୍ମିଳନୀ”କୁ ଉଦ୍ଘାଟନ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଂଚଳିକ କାର୍ଯ୍ୟାଳୟ ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବେ । ଜାତୀୟ ରଣନୀତିକ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମକୁ ଆହୁରି ଦ୍ରୁତ ବେଗରେ ମିଶନ ଢ଼ାଂଚାରେ ଆଗକୁ ବଢ଼ାଇବା ହେଲା ନୂତନ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଆଭିମୁଖ୍ୟ । ଏହି କାର୍ଯ୍ୟକ୍ରମରେ ଆଗାମୀ ତିନି ବର୍ଷ ମଧ୍ୟରେ 12,000 କୋଟି ଟଙ୍କାରୁ ଅଧିକ ପାଣ୍ଠି ଖର୍ଚ୍ଚ କରାଯିବ । ନୂତନ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଆଧୁନିକ ରୋଗ ନିରୂପଣ ବ୍ୟବସ୍ଥା, ଉତ୍ତମ ଚିକିତ୍ସା ତଥା ଔଷଧ ଓ ଅନ୍ୟାନ୍ୟ ସହାୟତାକୁ ସୁନିଶ୍ଚିତ କରିବା ଲାଗି ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯିବ । ଏହି ଜାତୀୟ ରଣନୀତିକ କାର୍ଯ୍ୟକ୍ରମ ଜରିଆରେ ଯକ୍ଷ୍ମା ନିୟନ୍ତ୍ରଣ ଓ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯିବ । ବହୁମୁଖୀ ପଦକ୍ଷେପ ଅଧୀନରେ ଯକ୍ଷ୍ମାପ୍ରବଣ ଅଞ୍ଚଳ ମଧ୍ୟରୁ ପ୍ରକୃତ ରୋଗୀଙ୍କୁ ଚିହ୍ନଟ କରିବା, ହସ୍ପିଟାଲ ନଯାଇ ଘରେ ଚିକିତ୍ସା ପାଇଁ ଚାହୁଁଥିବା ଯକ୍ଷ୍ମା ରୋଗୀଙ୍କୁ ଆବଶ୍ୟକ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ଏବଂ ଏହି ଭଳି ବାତାବରଣକୁ ଚିହ୍ନଟ କରି ତଥ୍ୟ ପ୍ରଦାନ କରିବା ଲାଗି ଉଚିତ କୌଶଳ ଅବଲମ୍ବନ କରାଯିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2025 ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ବିଲୋପ ଲାଗି ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି ଯାହାକି ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ପାଞ୍ଚ ବର୍ଷ ପୂର୍ବରୁ ପୂରଣ କରିବା ସକାଶେ ପ୍ରୟାସ ଆରମ୍ଭ ହୋଇଛି । ଏବେ ସଂଶୋଧିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପଦକ୍ଷେପ ନିଆଯାଇ 2 କୋଟିରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ବର୍ତ୍ତମାନ ସୁଦ୍ଧା ଚିକିତ୍ସା କରାଯାଇଛି । ଏହି କାର୍ଯ୍ୟକ୍ରମ 1997 ମସିହାରେ ଆରମ୍ଭ ହୋଇଥିଲା ।
***