Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


 

ଭାରତୀୟ ଜନଔଷଧି ପରିଯୋଜନା ତଥା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ମତ ବିନିମୟ କରିଛନ୍ତି । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ମତ ବିନିମୟ କରିବା କ୍ରମରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ପଞ୍ଚମ କାର୍ଯ୍ୟକ୍ରମ ।

ସ୍ୱାସ୍ଥ୍ୟସେବା ଏବଂ ସୁସ୍ଥତାର ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟ ହେଉଛି ସମସ୍ତ ସଫଳତା ଓ ସମୃଦ୍ଧିର ମୂଳ ଆଧାର । ସେ କହିଲେ ଯେ ଭାରତର 120 କୋଟି ନାଗରିକ ସୁସ୍ଥ ହେଲେ ଯାଇଁ ଭାରତ ମହାନ ଓ ସୁସ୍ଥ ହୋଇପାରିବ ।

ହିତାଧିକାରୀମାନଙ୍କ ସହ ମତ ବିନିମୟ କରି ଶ୍ରୀ ମୋଦୀ କହିଲେ ଯେ ଅସୁସ୍ଥତା ପରିବାର ଉପରେ ବିଶେଷ କରି ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ କେବଳ ଏକ ବଡ ଆର୍ଥିକ ବୋଝ ସୃଷ୍ଟି କରିନଥାଏ ବରଂ ଏହା ଆମର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ସମସ୍ତ ନାଗରିକଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିଶ୍ଚିତ କରିବା ଲାଗି ଆମ ସରକାର ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ଯୋଜନା ଏହି ଉଦ୍ଦେଶ୍ୟରେ ଅରମ୍ଭ କରାଯାଇଛି ଯେପରି କି ଗରିବ ଓ ମଧ୍ୟବିତ୍ତ ପରିବାର ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ଏବଂ ସେମାନଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ ପାଇବ ।

ସରକାର ଦେଶବ୍ୟାପୀ 3600ରୁ ଅଧିକ ଜନୌଷଧି କେନ୍ଦ୍ର ଖୋଲିଛନ୍ତି, ଯେଉଁଠାରେ କି 700ରୁ ଉର୍ଦ୍ଧ୍ଵ ଜେନେରିକ ଔଷଧ ସୁଲଭ ମୂଲ୍ୟରେ ମିଳୁଛି । ଜନୌଷଧି କେନ୍ଦ୍ରମାନଙ୍କରେ ଔଷଧର ମୂଲ୍ୟ ବଜାର ଦରଠାରୁ ଶତକଡା 50ରୁ 80 ପ୍ରତିଶତ କମ । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଭବିଷ୍ୟତରେ ଜନୌଷଧି କେନ୍ଦ୍ର ସଂଖ୍ୟା 5000ରେ ପହଂଚିବ ।

ହୃତପିଣ୍ଡ ଷ୍ଟେଂଟ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ପୂର୍ବରୁ ଷ୍ଟେଂଟ କ୍ରୟ କରିବା ପାଇଁ ନାଗରିକମାନଙ୍କୁ ଜମିବାଡି ବିକ୍ରି କିମ୍ବା ବନ୍ଧକ ରଖିବାକୁ ପଡୁଥିଲା । ସେ କହିଲେ ଯେ ଗରିବ ଓ ମଧ୍ୟବିତ୍ତମାନଙ୍କୁ ସହାୟତା କରିବା ପାଇଁ ସରକାର ଷ୍ଟେଂଟର ମୂଲ୍ୟକୁ ବହୁ ପରିମାଣରେ କମାଇ ଦେଇଛନ୍ତି । ହାର୍ଟ ଷ୍ଟେଂଟର ମୂଲ୍ୟ ପାଖାପାଖି 2 ଲକ୍ଷ ଟଙ୍କାରୁ ହ୍ରାସ ପାଇ 2900 ଟଙ୍କାରେ ପହଂଚିଛି ।

ମତ ବିନିମୟ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସରକାର ଆଣ୍ଠୁ ପ୍ରତିରୋପଣ ମୂଲ୍ୟକୁ ପ୍ରାୟ ଶତକଡା 60ରୁ 70 ପ୍ରତିଶତ ହ୍ରାସ କରିଛନ୍ତି । ଏହାଫଳରେ ଏ ବାବଦରେ ଖର୍ଚ୍ଚ 2.5 ଲକ୍ଷ ଟଙ୍କାରୁ ହ୍ରାସ ପାଇ ପ୍ରାୟ 70 ହଜାରରୁ 80 ହଜାର ଟଙ୍କା ମଧ୍ୟରେ ପହଂଚିଛି । ଏକ ଆକଳନରୁ ଜଣାପଡିଛି ଯେ ଭାରତରେ ପ୍ରତିବର୍ଷ ପାଖାପାଖି 1.5 ଲକ୍ଷ ଆଣ୍ଠୁ ଅସ୍ତ୍ରୋପଚାର ହୋଇଥାଏ । ଏହା ଦ୍ୱାରା ଆଣ୍ଠୁ ପ୍ରତିରୋପଣ ବାବଦରେ ଜନସାଧାରଣଙ୍କ ମୋଟ ଖର୍ଚ୍ଚରୁ 1500 କୋଟି ଟଙ୍କା ସଂଚୟ ହୋଇଛି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର 500 ଜିଲ୍ଲାରୁ ଅଧିକ ତଥା 2.25 ଲକ୍ଷ ରୋଗୀଙ୍କ ପାଇଁ 22 ଲକ୍ଷ ଡାଏଲିସିସ ସେସନ କାର୍ଯ୍ୟକାରୀ କରିଛନ୍ତି । ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ 528ଟି ଜିଲ୍ଲାର 3.15 କୋଟି ଶିଶୁ ଏବଂ 80 ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ଅଧିକ ଶଯ୍ୟା, ଅଧିକ ଡାକ୍ତରଖାନା ଏବଂ ଅଧିକ ଡାକ୍ତର ନିଶ୍ଚିତ କରିବା ଲାଗି ସରକାର 92ଟି ମେଡିକାଲ କଲେଜ ଖୋଲିବା ସହ ଏମବିବିଏସ ସିଟ ସଂଖ୍ୟା ଆହୁରି 15 ହଜାର ବୃଦ୍ଧି କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ କରିବା ପାଇଁ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଭାରତ ଅନ୍ତର୍ଗତ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହିତ 10 କୋଟି ପରିବାରକୁ ଅନ୍ତର୍ଭୁକ୍ତ କରାଯିବ । ‘ସ୍ୱଚ୍ଛ ଭାରତ ମିଶନ’ ବାବଦରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏକ ସୁସ୍ଥ ଭାରତ ଗଠନ କରିବାରେ ଏହି ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ଭାରତରେ ଏବେ 3.5 ଲକ୍ଷ ଗ୍ରାମ  ବାହାରେ ମଳତ୍ୟାଗ ମୁକ୍ତ ଗ୍ରାମରେ ପରିଣତ ହୋଇଛି ଏବଂ ସ୍ୱଚ୍ଛତା ଶତକଡା 38 ପ୍ରତିଶତ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରି ହିତାଧିକାରୀମାନେ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଫଳରେ ଔଷଧର ମୂଲ୍ୟ ହ୍ରାସ ପାଇବା ସହ ଏହା ସୁଲଭ ହୋଇପାରିଛି । ହାର୍ଟ ଷ୍ଟେଂଟ ଏବଂ ଆଣ୍ଠୁ ପ୍ରତିରୋପଣ ମୂଲ୍ୟ ହ୍ରାସ ପାଇବା ଫଳରେ ସେମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିଛି ସେ ସମ୍ବନ୍ଧରେ ମଧ୍ୟ ହିତାଧିକାରୀମାନେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗକୁ ଜୀବନ ଶୈଳୀର ଏକ ଅଙ୍ଗ ଭାବେ ଗ୍ରହଣ କରି ଏକ ସୁସ୍ଥ ଦେଶ ଗଠନ କରିବାରେ ସହାୟତା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

 

******