ପିଏମଇଣ୍ଡିଆ
10ଲକ୍ଷ ଲୋକଙ୍କୁ ମିଳିଲା 153.5କୋଟି ଟଙ୍କାର ପୁରସ୍କାର ରାଶି
ଦେଶରେ ଡିଜିଟାଲ ପେମେଣ୍ଟ ବା ନେଣଦେଣ/କାରବାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୀତି ଆୟୋଗଙ୍କ 2ଟି ଯୋଜନା-ଲକି ଗ୍ରାହକ ଯୋଜନା ଓ ଡିଜି ଧନ ବ୍ୟାପାର ଯୋଜନା ଆରମ୍ଭ ହେବାର ମାତ୍ର 58ଦିନ ମଧ୍ୟରେ ସାଧାରଣ ଲୋକଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ବେଶ୍ ଉତ୍ସାହଜନକ ରହିଛି ।
ଏହି ଦୁଇ ଯୋଜନା ମାଧ୍ୟମରେ ଡିଜିଟାଲ କାରବାର ପ୍ରୟାସ ଏବେ ଭାରତରେ ଜନ ଆନ୍ଦୋଳନ ରୂପ ନେଇଛି । ଆଉ ଦେଶବ୍ୟାପୀ ଲୋକମାନେ ଅଧିକରୁ ଅଧିକ ଡିଜିଟାଲ ଦେଣନେଣ କରି ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ନେସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ ଇଣ୍ଡିଆ (ଏନପିସିଆଇ)ଙ୍କ ଦ୍ୱାରା ଜାରି ସବିଶେଷ ତଥ୍ୟ ଅନୁସାରେ ପ୍ରାୟ 10ଲକ୍ଷ ଗ୍ରାହକ ଓ ବ୍ୟବସାୟୀଙ୍କୁ 2017 ଫେବୃୟାରୀ 20ତାରିଖ ସୁଦ୍ଧା 153.5 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇ ସାରିଛି ।
ମୁଖ୍ୟାଂଶ
ମୋଟ 9.8 ଲକ୍ଷ ବିଜେତାଙ୍କ ମଧ୍ୟରେ 9.2 ଲକ୍ଷରୁ ଉର୍ଦ୍ଧ୍ଵ ଗ୍ରାହକ ଓ 56ହଜାର ବ୍ୟବସାୟୀ ରହିଛନ୍ତି ।
120ଜଣ ଗ୍ରାହକ ପ୍ରତ୍ୟେକ 1ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଜିତିଛନ୍ତି ।
4ହଜାର ବ୍ୟବସାୟୀ ପ୍ରତ୍ୟେକ 50ହଜାର ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ଜିତିଛନ୍ତି ।
ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍ବାଧିକ ବିଜେତାଙ୍କ ସହ ପ୍ରଥମ 5ଟି ରାଜ୍ୟ ରୂପେ ଉଭା ହୋଇଛି ।
ସବୁ ଅଂଚଳରେ ମହିଳା ଓ ପୁରୁଷମାନଙ୍କ ସକ୍ରିୟ ଭାଗିଦାରୀ ରହିଛି ।
ବିଜେତାଙ୍କ ମଧ୍ୟରେ ବିବିଧ ସାମାଜିକ-ଆର୍ଥିକ ପୃଷ୍ଠଭୂମି ସହ ଚାଷୀ, ବ୍ୟବସାୟୀ, ଛୋଟ ଉଦ୍ୟୋଗୀ, ପେଷାଦାର, ଗୃହିଣୀ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି ।
ବିଜେତାଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ 21 ରୁ 30 ବର୍ଷ ମଧ୍ୟରେ । 60 ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକମାନଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ରହିଛି ।
ବିଜେତାଙ୍କ ମଧ୍ୟରେ 15 ରୁ 66 ବର୍ଷ ବୟସର ଲୋକମାନେ ରହିଛନ୍ତି । ଡିଜିଟାଲ ନେଣଦେଣ ବା ପେମେଣ୍ଟକୁ ବରିଷ୍ଠ ଲୋକମାନେ ଗ୍ରହଣ କରିବାରେ ପ୍ରଯୁକ୍ତିବିଦ୍ୟା ବଡ଼ ସମସ୍ୟା ହୋଇପାରେ ବୋଲି ଏକ ସନ୍ଦେହ ରହିଥିଲା । ତେବେ ଏଭଳି ସନ୍ଦେହ ଦୂରୀଭୂତ ହୋଇଛି ।
ବିଜେତାମାନେ କିଭଳି ଡିଜିଟାଲ ପେମେଣ୍ଟକୁ ଆପଣେଇଲେ ଓ ଏହାଦ୍ୱାରା ସେମାନଙ୍କର ଜୀବନ କେତେ ସରଳ ହେଲା ତାହା ନିଜର ଅନୁଭବରୁ କହିଛନ୍ତି । ଲକି ଗ୍ରାହକ ଯୋଜନାରେ ଦିଲ୍ଲୀର ଜଣେ 22 ବର୍ଷୀୟ ଡ୍ରାଇଭର ସବୀର 1 ଲକ୍ଷ ଟଙ୍କା ବିଜୟୀ ହୋଇଛନ୍ତି । ଡିଜିଟାଲ ପେମେଣ୍ଟ ତାଙ୍କ ପାଇଁ ପରୋକ୍ଷରେ ବରଦାନ ସାବ୍ୟସ୍ତ ହୋଇଛି । କାରଣ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମା’ ଓ ଶାରୀରିକ ଅକ୍ଷମ ଉଭଣୀଙ୍କ ଦେଖାଶୁଣା କରିବାର ଦାୟିତ୍ୱ ତାଙ୍କର ପଡ଼ିଥିଲା । ଏସବୁ କାରଣରୁ ବ୍ୟାଙ୍କରେ ଧାଡ଼ିବାନ୍ଧି ଛିଡ଼ା ହେବାକୁ ତାଙ୍କ ପାଖରେ ସମୟ ନଥିଲା । ସେହିପରି ଅନ୍ୟ ଜଣେ ବିଜେତା ହରିୟାଣାର ହିସାର ଜିଲ୍ଲାର ଗହମ ଚାଷୀ 29 ବର୍ଷୀୟ ଭୀମ ସିଂହ ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ପାଇକାରୀ ବ୍ୟବସାୟୀଙ୍କଠାରୁ ମାଲ୍ କିଣୁଛନ୍ତି । ସେହିପରି ତାମିଲନାଡୁର କୋଏମ୍ବାଟୁରସ୍ଥିତ 29 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ତଥା 6 ବର୍ଷ ଶିଶୁର ମା’ ଜୟନ୍ତୀ ଏସ୍ଏଫ୍ ଏହି ଯୋଜନାରେ 1 ଲକ୍ଷ ଟଙ୍କା ଜିତି ଗର୍ବ ଅନୁଭବ କରୁଛନ୍ତି ।
ସେହିପରି ବ୍ୟବସାୟୀଙ୍କ ମଧ୍ୟରେ ରାଜସ୍ଥାନର ଆଲୱର ସହରର ଖୁଚୁରା କିରାଣୀ ଦୋକାନ ମାଲିକ 42 ବର୍ଷୀୟ ଦାମୋଦର ପ୍ରସାଦ ଖଣ୍ଡେଲୱାଲ୍ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ଡିଜି-ଧନ ବ୍ୟାପାର ଯୋଜନାରେ 50 ହଜାର ଟଙ୍କା ପୁରସ୍କାର ଜିତିଛନ୍ତି । ସେହିପରି ଏହି ବର୍ଗରେ ମୁମ୍ବାଇର ଜଣେ ଫାଷ୍ଟଫୁଡ୍ ଦେକାନୀ 32 ବର୍ଷୀୟ ମଞ୍ଜୁ ଆର.ଗୌଡ଼ ମଧ୍ୟ ଏହି ଯୋଜନାରେ 50 ହଜାର ଟଙ୍କା ପୁରସ୍କାର ଜିତିଛନ୍ତି ।
ପୁରସ୍କାର ତଥ୍ୟ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ପ୍ରତ୍ୟେକ ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳରେ ସହ ବ୍ୟାପକ ଭୌଗଳିକ ଅଂଚଳରେ ବିଜେତାମାନେ ଅଛନ୍ତି । ବିଜେତାମାନେ ଦେଶର ପ୍ରାୟତଃ ସବୁ ରାଜ୍ୟର ଲୋକ ସାମିଲ ଅଛନ୍ତି ।
ନୀତି ଆୟୋଗ 2016 ଡିସେମ୍ବର 25 ରୁ ଦେଶର 110ଟି ସହରରେ ଡିଜିଧନ ମେଳା ଆୟୋଜନ କରୁଛନ୍ତି । ଏହା 2017 ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାଲିବ । ଆଜିସୁଦ୍ଧା 59ଟି ଡିଜି ଧନମେଳା ଆୟୋଜନ କରାଯାଇ ସମଗ୍ର ଦେଶରେ ଡିଜିଟାଲ ପେମେଣ୍ଟକୁ ଜନ ଆନ୍ଦୋଳନ କରିବା ପାଇଁ ପ୍ରୟାସ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ, ଏବେ ନୀତି ଆୟୋଗଙ୍କର 2ଟି ଯୋଜନା- ଗ୍ରାହକଙ୍କ ପାଇଁ ଲକି ଗ୍ରାହକ ଯୋଜନା(ଏଲଜିୱାଇ) ଓ ବ୍ୟବସାୟୀଙ୍କ ପାଇଁ ଡିଜିଧନ ବ୍ୟାପାର ଯୋଜନା ଚାଲିଛି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଗ୍ରାହକ ଓ ବ୍ୟବସାୟୀ ଉଭୟଙ୍କୁ ଡିଜିଟାଲ ପେମେଣ୍ଟ ନିମନ୍ତେ ପ୍ରୋତ୍ସାହିତ କରିବା । ଏହା ଆଧାରରେ ଦୈନିକ 1.5 କୋଟି ଟଙ୍କାର ପୁରସ୍କାର ରାଶି 15 ହଜାର ବିଜେତାଙ୍କ ପାଇଁ ଘୋଷଣା କରାଯାଉଛି । ରୂପେ କାର୍ଡ, ଭୀମ୍ ଆପ୍, ୟୁପିଆଇ, ୟୁଏସଏସଡି ଆଧାରିତ ସେବା ଓ ଆଧାର ସକ୍ଷମ ପୈଠ ସେବାର ଉପଯୋଗ କରୁଥିବା ଖାଉଟି ଓ ବ୍ୟବସାୟୀ ଦୈନିକ ଏବଂ ସାପ୍ତାହିକ ଲକି ଡ୍ର ପୁରସ୍କାର ଜିତିବା ପାଇଁ ଯୋଗ୍ୟ ।