Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶରେ ମେଡ଼ିକାଲ ଶିକ୍ଷାର ବ୍ୟାପକ ପ୍ରଗତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାରତୀୟ ଚିକିତ୍ସା ପରିଷଦ (ସଂଶୋଧନ) ବିଲ, 2019 କୁ ମଞ୍ଜୁରି ପ୍ରଦାନ କରାଯାଇଛି । ଦେଶର ନାଗରିକମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ଏନଡ଼ିଏ ସରକାର ସର୍ବଦା ପ୍ରତିବଦ୍ଧତା ପ୍ରକଟ କରି ଆସିଛନ୍ତି । ଏହି ଉଦ୍ଦେଶ୍ୟକୁ ସାକାର କରିବା ଦିଗରେ ପ୍ରସ୍ତାବିତ ସଂଶୋଧନ ବିଲ୍‌ ବିଶେଷ ମାତ୍ରାରେ ସହାୟକ ହେବ ।

ଏହି ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ସାକାର କରିବା ଏବଂ ଦେଶର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଆଜି ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ) ବିଲ, 2019କୁ ସ୍ୱୀକୃତି ପ୍ରଦାନ କରିଛି । ଏହା ଫଳରେ ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ) ଦ୍ୱିତୀୟ ଅଧ୍ୟାଦେଶ, 2019କୁ ସଂସଦର ଆଇନ ବଳରେ ବଳବତ୍ତର କରାଯିବ । ଏହି ବିଲ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବ ।

ଏହା ଫଳରେ ମେଡ଼ିକାଲ ଶିକ୍ଷା ଠାରୁ ଚିକିତ୍ସା ସେବା କ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ମେଡ଼ିକାଲ ଶିକ୍ଷାର ଗୁଣାତ୍ମକ ସୁପରିଚାଳନା ସମ୍ଭବପର ହୋଇପାରିବ ।

ପ୍ରଭାବ: ଏହି ନୂତନ ବିଲରେ ଏମସିଆଇର ଦୁଇବର୍ଷିଆ ସୁପରସେସନ (ନିରାକୃତ) ଅର୍ଥାତ, 26.09.2019ଠାରୁ ବଳବତ୍ତର କରାଯିବ । ଏହି ଅବଧି କାଳରେ, ବୋର୍ଡ଼ ଅଫ ଗଭର୍ଣ୍ଣର୍ସ ଏମସିଆଇର ସକଳ ପ୍ରକାର କ୍ଷମତା ଯାହାକି ଆଇଏମସି ଆଇନ, 1956ରେ ପ୍ରଦାନ କରାଯାଇଛି ତାହା ଉପଭୋଗ କରିବେ । ବୋର୍ଡ଼ ଅଫ ଗଭର୍ଣ୍ଣର୍ସଙ୍କ ସଂଖ୍ୟା 7ରୁ 12କୁ ବୃଦ୍ଧି କରାଯିବ ।

ଯେହେତୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କ ନଜରକୁ ଏମସିଆଇର କେତେକ ମନୋମୁଖୀ କାର୍ଯ୍ୟକଳାପ ଆସିଛି ଯାହାକି ଆଇଏମସି ଆଇନ, 1956 ଏବଂ ସେଥିରେ କରାଯାଇଥିବା ନିୟମାବଳୀ ବହିର୍ଭୂତ, ସେହି ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକନ୍ତୁ ମାନ୍ୟବର ସୁପ୍ରିମ କୋଟଙ୍କ ଦ୍ୱାରା ଗଠନ କରାଯାଇଥିବା ଓଭରସାଇଟ କମିଟି ଯାହାକି ଏମସିଆଇର କାର୍ଯ୍ୟଧାରାକୁ ଲକ୍ଷ୍ୟ କରିବା ସକାଶେ ଉଦ୍ଦିଷ୍ଟ, ସେମାନେ ମଧ୍ୟ ଏମସିଆଇର କେତେକ କାର୍ଯ୍ୟକଳାପକୁ ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ନୁହେଁ ବୋଲି ଦର୍ଶାଇଛନ୍ତି । ପରିଣାମତଃ ପରେ ପରେ ଓଭରସାଇଟ କମିଟିର ସମସ୍ତ ସଦସ୍ୟ ଏହି କମିଟିରୁ ଇସ୍ତଫା ପ୍ରଦାନ କରିଥିଲେ ।

ଏଭଳି ଘଟଣାକ୍ରମ ଯୋଗୁ, ଏବଂ ଏମସିଆଇ ସ୍ଥାନରେ ଏକ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦେ୍ଦଶ୍ୟରେ ତଥା ଦେଶର ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଗୁଣାତ୍ମକ ସୁପରିଚାଳନା କାଏମ ରଖିବା ନିମନ୍ତେ, ଏମସିଆଇକୁ ରଦ୍ଦ କରି ଭାରତୀୟ ମେଡ଼ିକାଲ କାଉନସିଲ (ସଂଶୋଧନ) ଅଧ୍ୟାଦେଶ, 2018 26.09.2018 ତାରିଖ ଦିନ ଜାରି କରାଯାଇଥିଲା ଏବଂ ଏହାର ସବୁ କାର୍ଯ୍ୟ ପରିଚାଳନା ସକାଶେ ଦେଶର ବିଶିଷ୍ଟ ଚିକିତ୍ସକମାନଙ୍କୁ ନେଇ ଏକ ବୋର୍ଡ଼ ଅଫ ଗଭଣ୍ଣର୍ସ ଗଠନ କରାଯାଇଥିଲା । ନୀତି ଆୟୋଗର ସଦସ୍ୟ ଡକ୍ଟର ଭି କେ ପଲ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ଏବଂ ବୋର୍ଡ଼ରେ ମୋଟ ଛଅଜଣ ସଦସ୍ୟ ଥିଲେ ।

ପରବର୍ତ୍ତୀ ସମୟରେ ଉପର ଲିଖିତ ଅଧ୍ୟାଦେଶ ସ୍ଥାନରେ ଏକ ବିଲ ଯଥା, ଭାରତୀୟ ମେଡ଼ିକାଲ କାଉନସିଲ (ସଂଶୋଧନ) ବିଲ୍‌, 2018କୁ ଡ଼ିସେମ୍ବର 14,2018ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା ଏବଂ ତାହା ଡ଼ିସେମ୍ବର 31,2018ରେ ପାରିତ ହୋଇଥିଲା । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ 2018 ମସିହାର ଶୀତ ଅଧିବେଶନ କାଳରେ ଏହା ରାଜ୍ୟସଭାରେ ପାରିତ ହୋଇପାରିନଥିଲ । 2019 ଜାନୁଆରୀ 9 ତାରିଖ ଠାରୁ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବାପରେ ପୁଣି ଥରେ ସାନି ଅଧ୍ୟାଦେଶ ଜାରି କରାଯିବାକୁ ସ୍ଥିର କରାଯାଇଥିଲା । ଏହାର ନାମ ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ) ଅଧ୍ୟାଦେଶ, 2019 ରଖାଯାଇଥିଲା ଏବଂ ଏଥିେ ଏମସିଆଇ ସ୍ଥାନରେ ବୋର୍ଡ଼ ଅଫ୍‌ ଗଭର୍ଣ୍ଣର୍ସଙ୍କୁ ଏମସିଆଇ ଓ ଭାରତ ସରକାରଙ୍କ ସମସ୍ତ କ୍ଷମତା ଉପଭୋଗ କରିବାର ଅନୁମତି ପ୍ରଦାନ କରାଯାଇଥିଲା । ତଦ୍ୱାରା ପୂର୍ବର ବୋର୍ଡ଼ ଅଫ ଗଭର୍ଣ୍ଣର୍ସ ଯେଉଁସବୁ କାର୍ଯ୍ୟ କରିଥିଲେ ତାହାକୁ କାଏମ ରଖାଯାଇପାରିବ ।

ଅଧ୍ୟାଦେଶ ସ୍ଥାନରେ ଲୋକସଭାରେ ଯେଉଁ ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ)ବିଲ, 2018 ଗୃହୀତ ହୋଇଥିଲା ତାହା 2019 ବଜେଟ ଅଧିବେଶନ କାଳରେ ରାଜ୍ୟସଭାରେ ଆଲୋଚିତ କିମ୍ବା ପାରିତ ହୋଇପାରିନଥିଲା । ତେଣୁ ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ) ଅଧ୍ୟାଦେଶ, 2019କୁ 21,09,2019ତାରିଖ ଦିନ ଜାରି କରାଯାଇଥିଲା ।

ପରିବର୍ତ୍ତିତ ବିଲ୍‌ ଯଥା ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ)ବିଲ, 2018 ପାର୍ଲାମେଣ୍ଟରେ ଗୃହୀତ ହେବାପାଇଁ ପଡ଼ିରହିଥିଲା ଏବଂ ଷୋଡ଼ଶ ଲୋକସଭା ଭଙ୍ଗ ସହ ତାହା ରଦ୍ଦ ହୋଇଯାଇଛି । ତଦନୁସାରେ ଏବେ କ୍ୟାବିନେଟ ଭାରତୀୟ ମେଡ଼ିକାଲ ପରିଷଦ (ସଂଶୋଧନ) ବିଲ, 2019କୁ ସଂସଦର ଆଗାମୀ ଅଧିବେଶନ କାଳରେ ପ୍ରବର୍ତ୍ତନ ସକାଶେ ସ୍ଥିର କରିଛି ଯାହାକି ଏ ସଂକ୍ରାନ୍ତ ଦ୍ୱିତୀୟ ଅଧ୍ୟାଦେଶ ସ୍ଥାନରେ ପାରିତ ହୋଇ କାର୍ଯ୍ୟକାରୀ କରାଯିବ ।

****