Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର 600 ଜିଲ୍ଲାର ଚାଷୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ


ଚାଷୀ ରାଷ୍ଟ୍ରର ଅନ୍ନଦାତା

•       ଉତ୍ପାଦନ ଖର୍ଚ୍ଚ, ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଲାଗି ନିଆଯାଉଛି ପଦକ୍ଷେପ

•       ‘ବୀଜରୁ ବଜାର ପର୍ଯ୍ୟନ୍ତଚାଷୀଙ୍କୁ ସମସ୍ତ ସୁବିଧା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ

•       2014-19 ମଧ୍ୟରେ କୃଷିକ୍ଷେତ୍ର ପାଇଁ 2.12 ଲକ୍ଷ କୋଟି ବଜେଟ । ବିଗତ ସରକାର ଅମଳରେ ଏହି ପରିମାଣ ଥିଲା 1.21 ଲକ୍ଷ କୋଟି ଟଙ୍କା

•       2017-18ରେ ଖାଦ୍ୟଶସ୍ୟ ଉତ୍ପାଦନ 27.9 କୋଟି ଟନରୁ ଅଧିକ

•       ମାଛ ଉତ୍ପାଦନରେ 26%, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନରେ 24% ଅଭିବୃଦ୍ଧି

•       ଅଧିକ 29 ଲକ୍ଷ ହେକ୍ଟରକୁ ମିଳିଛି ସେଚ ସୁବିଧା

•       ଜୈବିକ କୃଷି ନେଟୱର୍କରେ 22 ଲକ୍ଷ ହେକ୍ଟର ଜମି, ତ୍ତରପୂର୍ବାଂଚଳ ହେବ ଜୈବ କୃଷିର ପେଣ୍ଠ

•       ଆୟକର ରିହାତି ପାଇବେ ଚାଷୀ ଉତ୍ପାଦକ ସଂସ୍ଥା

•       ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ବିସ୍ତାରକୁ ଚାଷୀମାନଙ୍କର ବ୍ୟାପକ ସମର୍ଥନ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏଥିଲାଗି 2 ଲକ୍ଷ ଜନସେବା କେନ୍ଦ୍ର ଏବଂ 600 କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 600 ଜିଲ୍ଲାର ଚାଷୀମାନେ ଆଜିର ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ, କୃଷକ ହେଉଛି ଦେଶର ଅନ୍ନଦାତା । ରାଷ୍ଟ୍ରର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାର ଶ୍ରେୟ କେବଳ ଚାଷୀଙ୍କର । ଏଥିରେ ଦ୍ୱିମତ ହେବାର କୌଣସି ଅବକାଶ ନାହିଁ ।

ଆଜିର ବାର୍ତ୍ତାଳାପ କାଳରେ ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କ ସହ ଜୈବିକ କୃଷି, ନୀଳ ବିପ୍ଳବ, ପଶୁପାଳନ ଓ ଦୁଗ୍ଧ ଉନ୍ନୟନ, ଉଦ୍ୟାନ କୃଷି, ଫୁଲ ଚାଷ ଆଦି ବିଷୟ ଉପରେ ବିଶେଷ ଭାବେ ମତବିନିମୟ କରିଥିଲେ ।

ଦେଶର ଚାଷୀମାନଙ୍କ ପାଇଁ ତାଙ୍କର ଭବିଷ୍ୟ ଦୃଷ୍ଟି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2022 ସୁଦ୍ଧା କୃଷକମାନଙ୍କ ଆୟ 2 ଗୁଣ କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ଓ ପରିଶ୍ରମର ଯେଭଳି 2 ଗୁଣ ଆୟ ମିଳିବ ସେ ଦିଗରେ ପ୍ରୟାସ ଜାରି ରହିଛି । ଚାଷୀମାନେ ଫସଲ କାର୍ଯ୍ୟକ୍ରମର ଆରମ୍ଭରୁ ଅମଳ ଓ ସଂରକ୍ଷଣ ପର୍ଯ୍ୟନ୍ତ ଯେଭଳି ସବୁସ୍ତରରେ ସରକାର, ସରକାରୀ ଏଜେନ୍ସି ଏବଂ ସମ୍ବନ୍ଧିତ ବିଭାଗମାନଙ୍କ ଠାରୁ ଯେପରି ସାହାଯ୍ୟ ସହଯୋଗ ପାଇବେ ସେ ଦିଗରେ ପଦକ୍ଷେପ ନିଆଯାଉଛି । ଚାଷ ପାଇଁ ଉଦ୍ଦିଷ୍ଟ ସମସ୍ତ ଆବଶ୍ୟକ ଉପାଦାନ, ଉପକରଣ ଓ ସଂରଜାମ ଯେପରି ସୁଲଭ ମୂଲ୍ୟରେ ଚାଷୀଙ୍କୁ ମିଳିବ ତାହା ସୁନିଶ୍ଚିତ କରାଯାଉଛି । ଏହା ଫଳରେ ଫସଲ ଉତ୍ପାଦନଜନିତ ବ୍ୟୟଭାର ହ୍ରାସ ପାଇବ ଏବଂ ଚାଷୀଙ୍କୁ ଲାଭ ମିଳିବ । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ରୋକିବା ଏବଂ ଚାଷୀଙ୍କ ପାଇଁ ରୋଜଗାରର ବିକଳ୍ପ ପନ୍ଥା ପ୍ରଦାନ କରିବା ଦିଗରେ ମଧ୍ୟ ସରକାର ପ୍ରୟାସ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୀଜରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଯେଭଳି ଚାଷୀମାନେ ପାରମ୍ପରିକ ଚାଷ କାର୍ଯ୍ୟବେଳେ ସୁରକ୍ଷିତ ମଣିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 48 ମାସ ମଧ୍ୟରେ ଏ କ୍ଷେତ୍ରରେ ଅନେକ କିଛି ଦୃତ ବିକାଶ ହୋଇଛି । ଦୁଗ୍ଧ, ଫଳ, ପନିପରିବା ଆଦି କ୍ଷେତ୍ରରେ ରେକର୍ଡ ପରିମାଣର ଉତ୍ପାଦନ ହୋଇଛି ।

2014-2019 ମଧ୍ୟରେ କେନ୍ଦ୍ର ସରକାର କୃଷି କ୍ଷେତ୍ର ଲାଗି ବଜେଟ ଅଟକଳ 2.12 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବ ସରକାରଙ୍କ 5 ବର୍ଷ କାଳରେ ବଜେଟ ଅଟକଳ ମାତ୍ର 1.21 ଲକ୍ଷ କୋଟି ଥିଲା । ଦେଶରେ 2017-18 ବର୍ଷ ଖାଦ୍ୟ ଶସ୍ୟ ଉତ୍ପାଦନ 27.9 କୋଟି ଟନରୁ ଅଧିକ ହୋଇଛି । 2010-14 ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ 25.5 କୋଟି ଟନ ଥିଲା । ନୀଳ ବିପ୍ଳବ ଯୋଗୁ ଦେଶର ମାଛ ତ୍ପାଦନ କ୍ଷେତ୍ରରେ 26 ପ୍ରତିଶତ ଏବଂ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଉଦ୍ୟୋଗ କ୍ଷେତ୍ରରେ 24 ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଚାଷୀଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିୟମିତ ଭାବେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନ ହାର ବୃଦ୍ଧି ପାଇଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ ଜାରି ରହିଛି । ୟୁରିଆରେ ନିମ ପ୍ରଲେପ ଯୋଗୁ ଚାଷୀଙ୍କୁ ଠିକଣା ସମୟରେ ବିନାଦ୍ୱଧାରେ ସାର ମିଳୁଛି ଏବଂ ଏହାର ବାଟମାରଣା ବନ୍ଦ ହୋଇଯାଇଛି । ଫସଲ ବୀମା ଯୋଜନା ଜରିଆରେ ଚାଷୀଙ୍କୁ ଫାଇଦା ମିଳିଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଅଧିକରୁ ଅଧିକ ଚାଷ ଜମିକୁ ଜଳସେଚନ ନେଟୱର୍କ ମଧ୍ୟକୁ ଅଣାଯାଇଛି । ଏହି ଯୋଜନା ଅଧୀନରେ 100ଟି ନିର୍ମାଣାଧିନ ସେଚ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଉଛି ଏବଂ ଅଧିକ 29 ଲକ୍ଷ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି ।

ସରକାର ଚାଷୀଙ୍କ ପାଇଁ ଇ-ନାମ ଅନଲାଇନ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି । ଏହା ମାଧ୍ୟମରେ ଚାଷୀ ତାର କୃଷି ଉତ୍ପାଦ ବିନା ମଧ୍ୟସ୍ଥିରେ ବିକ୍ରି କରିବାକୁ ସକ୍ଷମ ହେଉଛି ଏବଂ ଅଧିକ ଦୁଇ ପଇସା ଲାଭ ମିଳୁଛି । ଗତ 4 ବର୍ଷ ମଧ୍ୟରେ 585ଟି ନିୟନ୍ତ୍ରିତ ପାଇକାରୀ ବଜାରକୁ ଇ-ନାମ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ପ୍ରାୟ 22 ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ପଦ୍ଧତି ଆରମ୍ଭ କରାଯାଇଛି ଯାହାକି 2013-14 ବର୍ଷରେ ମାତ୍ର 7 ଲକ୍ଷ ହେକ୍ଟର ଥିଲା । କେନ୍ଦ୍ର ସରକାର ଉତରପୂର୍ବାଂଚଳ ରାଜ୍ୟଗୁଡିକୁ ଜୈବିକ କୃଷିର ପେଣ୍ଠସ୍ଥଳୀ ଭାବେ ଗଢ଼ିବାକୁ ଯୋଜନା କରିଛନ୍ତି ।

ଭିଡିଓ ବ୍ରିଜ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ସମ୍ମିଳିତ ଉତ୍ସାହ ଏବଂ ଅନୁଭୂତି ବାଣ୍ଟିବାର ପରମ ଆଗ୍ରହକୁ ଭୂରିଭୂରି ପ୍ରଶଂସା କରିଥିଲେ । ଦେଶରେ ଏବେ ଚାଷୀ ଉତ୍ପାଦକ ଗୋଷ୍ଠୀ ଏବଂ ଚାଷୀ ଉତ୍ପାଦକ ସଂଗଠନମାନ ଗଠନ କରାଯାଉଥିବାରୁ ତାହା କୃଷି କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭପ୍ରଦ ହେବ ବୋଲି ସେ କହିଥିଲେ । ଏଭଳି ସଂଗଠନ ଜରିଆରେ ଚାଷୀମାନେ କମ ଖର୍ଚ୍ଚରେ ସେମାନଙ୍କ ଉତ୍ପାଦର ଅଧିକ ଲାଭ ପାଇବେ ଏବଂ ଅଧିକରୁ ଅଧିକ ବଜାର ସୁବିଧା ଉପଲବ୍ଧ ହେବ । ଗତ 4 ବର୍ଷ ମଧ୍ୟରେ ଏଭଳି 517ଟି ଚାଷୀ ଉତ୍ପାଦକ ସଂଗଠନ ସୃଷ୍ଟି କରାଯାଇଛି ଏବଂ ଚାଷୀ ଉତ୍ପାଦକ ସଂସ୍ଥାମାନଙ୍କୁ  ଆୟକର ରିହାତି ଦିଆଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କାଳରେ ବିଭିନ୍ନ କୃଷି ଯୋଜନାର ହିତାଧିକାରୀମାନେ ଉତ୍ପାଦନ ବୃଦ୍ଧି ଦିଗରେ ସରକାରୀ ଯୋଜନାମାନ କିପରି ସହାୟକ ହୋଇଛି ତାହା ବର୍ଣ୍ଣନା କରିଥିଲେ । ବିଶେଷ ଭାବେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପକାରସିଦ୍ଧ ପ୍ରମାଣିତ ହୋଇଛି ବୋଲି ଚାଷୀମାନେ କହିଥିଲେ । ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା କ୍ଷେତ୍ରରେ ଚାଷୀମାନେ ସେମାନଙ୍କର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଥିଲେ ।

 

*********