ପିଏମଇଣ୍ଡିଆ
• ‘ପ୍ରଥମେ ଦେଶ’ ନୀତି ରହିଲେ, ଦେଶ ବଡ଼ ନିଷ୍ପତ୍ତି ନେଇଥାଏ : ପ୍ରଧାନମନ୍ତ୍ରୀ
• ରିପବ୍ଲିକ ଶିଖର ସମ୍ମିଳନୀ-2019ରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରିପବ୍ଲିକ୍ ଶିଖର ସମ୍ମିଳନୀରେ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି । ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ‘ଏହା ଭାରତର ସମୟ ଏବଂ ଦେଶ ସର୍ବପ୍ରଥମେ’ ରଖାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଦେଶ ଜାଣିବାକୁ ଚାହୁଁଛି’ ଠାରୁ ଆରମ୍ଭ କରି ‘ପ୍ରଥମେ ଦେଶ’ ପର୍ଯ୍ୟନ୍ତ ଭାରତର ସୁଧାର ହୋଇଛି । ସେ ଏହା ମଧ୍ୟ କହିଥିଲେ ଯେ ଅନେକ ଦଶନ୍ଧି ଧରି ଯେଉଁ ସମସ୍ୟାର ନିଦାନ ହୋଇନଥିଲା, ଏବେ ତା’ର ସମାଧାନ ସମ୍ଭବ ହୋଇଛି । ଏହା ଦୁଇଟି କାରଣରୁ ସମ୍ଭବ ହୋଇପାରିଛି । ପ୍ରଥମତଃ ଭାରତର 130 କୋଟି ଲୋକ ଚିନ୍ତା କରୁଛନ୍ତି ଯେ ‘ଏହା ଭାରତର ସମୟ’ ଏବଂ ଦ୍ୱିତୀୟଟି ହେଉଛି ‘ଦେଶର ସ୍ଥାନ ସର୍ବପ୍ରଥମ’ ।
କଶ୍ମୀରରୁ ଅନୁଚ୍ଛେଦ-370 ଉଚ୍ଛେଦ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦର ସବୁଠୁ ବଡ଼ କାରଣକୁ ଶେଷ କରି ଦିଆଯାଇଛି । ସେ କହିଥିଲେ ଯେ ଅନୁଚ୍ଛେଦ 370 କାରଣରୁ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ମିଳିଥିଲା, ଯାହା ସମ୍ବିଧାନରେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା, କିନ୍ତୁ ‘କେତେକ ପରିବାର’ କାରଣରୁ ଏହାକୁ ସ୍ଥାୟୀ ବୋଲି ଗ୍ରହଣ କରାଯାଉଥିଲା ।
ସେ ଜୋର ଦେଇ କହିଥିଲେ ଯେ ଯେତେବେଳେ ଦେଶ ପ୍ରଥମ ସ୍ଥାନରେ ଥାଏ ତ’ ଦେଶ ବଡ଼ ନିଷ୍ପତ୍ତି ନେଇଥାଏ, ଏଥିସହିତ ଯେତେବେଳେ ଦେଶକୁ ସେହି ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ହୋଇଥାଏ ତ’ ଦେଶ ଆଗକୁ ବଢ଼ିଥାଏ । ସେ ଏହା ମଧ୍ୟ କହିଥିଲେ ଯେ ଆଧାରକୁ ଆଇନ ମାନ୍ୟତା ମିଳିବାରୁ ରୋକିବା ଲାଗି କିଛି ଲୋକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଲୋକମାନେ ଆଧାରକୁ ବଦନାମ କରିବା ଲାଗି ନିଜର ସବୁ ଶକ୍ତି ଖଟାଇ ଦେଇଥିଲେ, କିନ୍ତୁ ଆଧାର କାରଣରୁ ସେମାନଙ୍କର ବାସ୍ତବତା ଜଣାପଡ଼ିଲା । ଯାହାର ଫଳସ୍ୱରୂପ ଭୁଲ ଲୋକଙ୍କ ପକେଟକୁ ଯାଉଥିବା ବାର୍ଷିକ 1.5 ଲକ୍ଷ କୋଟି ଟଙ୍କା ସଂଚୟ ହୋଇପାରିଲା । ସେ କହିଥିଲେ ଯେ ପ୍ରତି ବର୍ଷ ପାଖାପାଖି ଏତିକି ଅର୍ଥରାଶି ଭୁଲ ଲୋକଙ୍କ ପକେଟକୁ ଯାଉଥିଲା ଏବଂ ଏହାକୁ କେହି ଅଟକାଉନଥିଲେ । ଆମେ ବ୍ୟବସ୍ଥାରେ ଥିବା ଏହି ବଡ଼ ତ୍ରୁଟିକୁ ଦୂର କରିବା ଦିଗରେ କାମ କଲୁ, କାରଣ ଆମ ନୀତି ହେଉଛି ଭାରତ ସର୍ବପ୍ରଥମ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏଥିପୂର୍ବରୁ କେବେବି ଜିଏସଟି ଲାଗୁ ହୋଇନଥିଲା । ଆଜି ସାଧାରଣ ଜନତାଙ୍କ 99 ପ୍ରତିଶତ ବ୍ୟବହାରଯୋଗ୍ୟ ସାମଗ୍ରୀ ଉପରେ ପୂର୍ବାପେକ୍ଷା ଅଧା ଟିକସ ଲାଗୁ କରାଯାଇଛି । ଏପରି ଏକ ସମୟ ଥିଲା ଯେତେବେଳେ ରେଫ୍ରିଜରେଟର, ମିକ୍ସର, ଜୁସର, ଭ୍ୟାକ୍ୟୁମ କ୍ଲିନର, ଗିଜର, ମୋବାଇଲ ଫୋନ, ୱାଶିଂ ମେସିନ, ଘଂଟା ଆଦି ସବୁ ସାମଗ୍ରୀ ଉପରେ 31 ପ୍ରତିଶତରୁ ଅଧିକ ଟିକସ ଆଦାୟ କରାଯାଉଥିଲା । ଆଜି ଏସବୁ ସାମଗ୍ରୀ ଉପରେ ଟିକସ ପାଖାପାଖି 10ରୁ 12 ପ୍ରତିଶତ ହ୍ରାସ କରାଯାଇପାରିଛି ।
ଦିଲ୍ଲୀର ଅନଧିକୃତ କଲୋନୀକୁ ନିୟମିତ କରିବା ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ଅନେକ ଦଶନ୍ଧି ଧରି ଲକ୍ଷ ଲକ୍ଷ ପରିବାରଙ୍କ ଜୀବନ ଅନିଶ୍ଚିତତା ମଧ୍ୟରେ ରହିଥିଲା । ଲୋକମାନେ କଠିନ ପରିଶ୍ରମ କରି ଧନ ଉପାର୍ଜନ କରିବା ପରେ ଏଠାରେ ଘର କିଣୁଥିଲେ, କିନ୍ତୁ ସେମାନଙ୍କୁ ସେମାନଙ୍କର ମାଲିକାନା ଅଧିକାର ମିଳୁନଥିଲା । ଏ ସମସ୍ୟା ସବୁବେଳେ ଥିଲା । ଆମ ସରକାର ଏହି ସମସ୍ୟାକୁ ସମାପ୍ତ କରିବା ଲାଗି ନିଷ୍ପତ୍ତି ନେଲେ ଏବଂ ଏବେ ଦିଲ୍ଲୀର 50 ଲକ୍ଷରୁ ଅଧିକ ଲୋକମାନଙ୍କୁ ନିଜ ଘର ଏବଂ ଏକ ଉନ୍ନତ ଜୀବନ ପ୍ରତି ସୁନିଶ୍ଚିତତା/ଆଶା/ବିଶ୍ୱାସ ମିଳିଛି । ସେ କହିଥିଲେ ଯେ ଏହି ନିଷ୍ପତ୍ତି ଦ୍ୱାରା ଆମ ମଧ୍ୟମବର୍ଗର ଲୋକମାନେ ଲାଭାନ୍ୱିତ ହେବେ ଏବଂ ସେମାନଙ୍କୁ ନିଜ ସ୍ୱପ୍ନର ଘର ମିଳିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କାର୍ଯ୍ୟର ଯେଉଁ ଗତି ଓ ବ୍ୟାପକତା ରହିଛି, ତାହା ଅଭୂତପୂର୍ବ । ପାଖାପାଖି 60 କୋଟି ଭାରତୀୟଙ୍କୁ 60 ମାସ ମଧ୍ୟରେ ଶୌଚାଳୟ ସୁବିଧା ମିଳିସାରିଛି । ଏପରି ଯୋଜନା ଏବଂ କାର୍ଯ୍ୟକ୍ରମ ସେତିକି ବେଳେ କାର୍ଯ୍ୟକାରୀ ହୋଇପାରିଥାଏ, ଯେତେବେଳେ ରାଷ୍ଟ୍ରକୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ ।
ଶ୍ରୀ ମୋଦୀ କହିଥିଲେ ଯେ ଆପଣ ନିଜ ସ୍ୱାର୍ଥଠାରୁ ଊର୍ଦ୍ଧ୍ଵକୁ ଉଠିପାରିଲେ ପ୍ରତ୍ୟେକ ବ୍ୟକ୍ତିର ସହାୟତା ଓ ବିକାଶ କରିବା ଲାଗି ସକ୍ଷମ ହୋଇପାରିଥାନ୍ତି । ନୀତି ଏବଂ ରାଜନୀତି ଆଧାରରେ ପ୍ରତ୍ୟେକଙ୍କ ବିଶ୍ୱାସ ମଧ୍ୟ ଜିତିପାରିଥାନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ପ୍ରଥମେ ଦେଶ’ ଭାବନା କାରଣରୁ 37 କୋଟିରୁ ଅଧିକ ବ୍ୟାଙ୍କ ଆକାଂଉଟ ଖୋଲାଯାଇଛି ଏବଂ ବ୍ୟାଙ୍କିଙ୍ଗ ପ୍ରଣାଳୀ ସହ ଗରିବ ଲୋକମାନେ ଯୋଡ଼ି ହୋଇଛନ୍ତି । ‘ପ୍ରଥମେ ଦେଶ’ ଚିନ୍ତାଧାରା କାରଣରୁ ହିଁ ଜଳ ଜୀବନ ମିଶନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହି ମିଶନ ଲାଗି ପାଖାପାଖି 3.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଫଳରେ ଦେଶର ଦୂରବର୍ତ୍ତୀ ଓ ଉପାନ୍ତ ଅଂଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ସୁବିଧା ମିଳିବ ଓ ପ୍ରତ୍ୟେକ ଲୋକଙ୍କ ଘର ପାଖରେ ପାଣି ପହଁଚିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ଆୟ ବୃଦ୍ଧି ଚିନ୍ତାଧାରା କାରଣରୁ ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେ କହିଥିଲେ ଯେ ‘ରାଷ୍ଟ୍ର ପ୍ରଥମେ’ ଭାବନା ନେଇ କାମ କରିବା ଦ୍ୱାରା ଆମେ ଆମ ପ୍ରତ୍ୟେକ ନିଷ୍ପତ୍ତିର ସମୁଚିତ ପରିଣାମ ହାସଲ କରିପାରିବା ଏବଂ ଆମ ଦେଶ ସମସ୍ତ ଲକ୍ଷ୍ୟ ନିକଟରେ ପହଁଚିପାରିବ । ସେ କହିଥିଲେ ଏହି ଭାବନା ସହିତ ନୂତନ ଭାରତର ନୂତନ ସମ୍ଭାବନା, ନୂତନ ଅବସର ବିଷୟରେ ବିସ୍ତୃତ ବିଚାର ବିମର୍ଶ କରାଯିବ ।
**********