Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନମାମୀ ଗଙ୍ଗେ କାର୍ଯ୍ୟକ୍ରମର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅପରାହ୍ଣରେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ଏବଂ ଅଗ୍ରଗତି ନେଇ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରିଥିଲେ ।

ଅଧିକାରୀମାନେ କହିଥିଲେ ଯେ ଗଙ୍ଗା ନଦୀ କୂଳରେ ଥିବା ବର୍ଜ୍ୟ ଜଳ ନିଷ୍କାସନ କ୍ଷମତାରେ ବୃଦ୍ଧି କରାଯାଉଛି । ଗଙ୍ଗା ନଦୀର ମୁଖ୍ୟ ଶଯ୍ୟାରେ ଥିବା ବୃହତ୍ତ ସହରଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏଥିରେ ହରିଦ୍ୱାର, କାନପୁର, ଆହ୍ଲାବାଦ, ବାରାଣାସୀ, ପାଟନା, ଭାଗଲପୁର, ହାଓଡ଼ା ଏବଂ କୋଲକାତା ଆଦି ରହିଛି । ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକରେ ଅଧିକ ଅନୁଧ୍ୟାନ ଏବଂ ନିରୀକ୍ଷଣ କରାଯାଉଛି । ଏହାଫଳରେ ଗଙ୍ଗା ନଦୀର କେତେକ ଶାଖା ନଦୀଗୁଡ଼ିକର ଜଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିବା ଅଧିକାରୀମାନେ ଉଲ୍ଲେଖ କରିଥିଲେ । ଡିଜଲ୍ଭ ଅକ୍ସିଜେନ୍ ଏବଂ ବାୟୋକେମିକାଲ ଅକ୍ସିଜେନ୍ ଚାହିଦା ଭଳି ପାରାମିଟର ପ୍ରତି ଅଧ୍ୟୟନ ସମୟରେ ଧ୍ୟାନ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ନଦୀ ତଟରେ ଥିବା ଗ୍ରାମଗୁଡ଼ିକର ପରିମଳ ସ୍ଥିତି ସମୀକ୍ଷା କରିଥିଲେ । ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକ ଜନସଚେତନା ଏବଂ ଜନଭାଗିଦାରୀତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ପିଏମ୍ଓ, ନୀତି ଆୟୋଗ, ଜଳ ସମ୍ପଦ ମନ୍ତ୍ରଣାଳୟ, ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଏବଂ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।