Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାବାର୍ଡକୁ ବଜାରରୁ ସ୍ୱଳ୍ପମିଆଦୀ ଋଣ ଉଠାଣ ଲାଗି କ୍ୟାବିନେଟର ଅନୁମତି,


ନାବାର୍ଡର ସ୍ୱଳ୍ପମିଆଦୀ ଋଣ ଉଠାଣ ସମ୍ପର୍କରେ କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଜ୍ୟୋତ୍ତର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି :-

1. ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ – ନାବାର୍ଡ ବଜାରରୁ ପ୍ରଚଳିତ ସୁଧ ହାରରେ ପ୍ରାୟ 20 ହଜାର କୋଟି ଟଙ୍କାର ସ୍ୱଳ୍ପମିଆଦୀ ଋଣ ଉଠାଇବ । ଏହି ଋଣ ଅର୍ଥ ସମବାୟ ବ୍ୟାଙ୍କ ମାନଙ୍କୁ 4.5 ପ୍ରତିଶତ ସୁଧରେ ପ୍ରଦାନ କରାଯିବ ।

2. ଏହାଛଡା ନାବାର୍ଡକୁ ବଜେଟ ସହାୟତା ମାଧ୍ୟମରେ ଅତିରିକ୍ତ 2 ହଜାର କୋଟି ଟଙ୍କାର ମୂଳଧନ ପ୍ରଦାନ କରାଯିବ । ପ୍ରଥମେ 2016-17 ଆର୍ଥିକ ବର୍ଷରେ ହିଁ 5 ଶହ କୋଟି ଟଙ୍କାର ଅତିରିକ୍ତ ମୂଳଧନ ମଞ୍ଜୁର କରାଯିବ ।

3. କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗର ପ୍ରଚଳିତ ସ୍କିମ ଅନୁସାରେ ନାବାର୍ଡକୁ ପ୍ରଶାସନିକ ଖର୍ଚ୍ଚ ସ୍ୱରୂପ 0.2 ପ୍ରତିଶତ ଏବଂ ସୁଧ ସବସିଡି ବାବଦରେ 1.8 ପ୍ରତିଶତ ସହାୟତା ପ୍ରଦାନ କରାଯିବ । ତେବେ ବଜାରରୁ ନାବାର୍ଡ କେଉଁ ହାରରେ ପାଣ୍ଠି ଯୋଗାଡ କରୁଛି ତାକୁ ଆଧାର କରି ସୁଧ ସବସିଡି ପ୍ରଦାନ କରାଯିବ ।

4. ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ନିଷ୍ପତ୍ତି ହେଲା ଯେ, ନାବାର୍ଡ କାର୍ଯ୍ୟକ୍ଷମ ଥିବା ସାଧାରଣ କିଷାନ କ୍ରେଡିଟ କାର୍ଡଗୁଡିକୁ ତ୍ୱରିତ ଓ ଅଗ୍ରାଧିକାର ଭିତ୍ତିରେ “ରୂପେ” କାର୍ଡ (RuPay Card) ଏବଂ ଏଟିଏମ ସୁବିଧାଯୁକ୍ତ କିଷାନ କ୍ରେଡିଟ କାର୍ଡ ଭାବେ ପରିବର୍ତ୍ତନ କରିବାରେ ସହାୟତା କରିବ । ଏବେ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନେ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡକୁ “ରୂପେ” କାର୍ଡ ଏବଂ ଏଟିଏମ ସୁବିଧାଯୁକ୍ତ କିଷାନ କ୍ରେଡିଟ୍ କାର୍ଡରେ ପରିଣତ କରୁଛନ୍ତି ।

ଅନୁକୂଳ ମୌସୁମୀ ପ୍ରବାହ ଏବଂ ଅଧିକ କୃଷି ଋଣ ଉଠାଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ ବୃଦ୍ଧି କରିବା ସକାଶେ ଚାଷୀମାନଙ୍କୁ ଅଧିକରୁ ଅଧିକ ସମବାୟ ଋଣ ପ୍ରଦାନର ଆବଶ୍ୟକତା ଉପୁଜିଛି । ଏଣୁ ନାବାର୍ଡ ସହଯୋଗରେ ଏବଂ ସମବାୟ ବ୍ୟାଙ୍କମାନଙ୍କ ମାଧ୍ୟମରେ ଚାଷୀଙ୍କୁ କୃଷି କାର୍ଯ୍ୟ ବ୍ୟାପକ କରିବା ଲାଗି ଆର୍ଥିକ ସହଯୋଗକୁ ପରିବ୍ୟାପ୍ତ କରିବାକୁ ପଡିବ ।

ଆଜିର କ୍ୟାବିନେଟ ନିଷ୍ପତ୍ତି ବଳରେ ନାବାର୍ଡ ବଜାରରୁ ଅଧିକ ଋଣ ଉଠାଇବା ସହ ସମବାୟ ବ୍ୟାଙ୍କମାନଙ୍କୁ କମ ସୁଧରେ ଋଣ ସହାୟତା ଦେବ । ସେହିପରି “ରୂପେ” କାର୍ଡ ଏବଂ ଏଟିଏମ ସୁବିଧାଯୁକ୍ତ କିଷାନ କ୍ରେଡିଟ୍ କାର୍ଡ ଚାଷୀ ସମାଜକୁ ସହଜରେ କୃଷି ଋଣ ଉପଲବ୍ଧ କରାଇବାରେ ବିଶେଷ ଭାବେ ସହାୟକ ହେବ । ଅଧିକନ୍ତୁ ଏହା ଡିଜିଟାଲ ଇଣ୍ଡିଆ ଅଭିଯାନ ତଥା ନଗଦମୁକ୍ତ କାରବାରକୁ ପ୍ରୋତ୍ସାହିତ କରିବ ।

**********