ପିଏମଇଣ୍ଡିଆ
2016-17, 2017-18 ଏବଂ 2018-19 ବର୍ଷରେ କଣ୍ଟ୍ରୋଲ ୟୁନିଟ୍, ବାଲଟ୍ ୟୁନିଟ୍ ଏବଂ ଭୋଟର ଚିହ୍ନଟ କାଗଜ ଅଡିଟ୍ ଟ୍ରେଲ ୟୁନିଟ ସଂଗ୍ରହ ନିମନ୍ତେ ନିର୍ବାଚନ କମିଶନ ଦେଇଥିବା ପ୍ରସ୍ତାବ କେନ୍ଦ୍ର କେବିନେଟର ଅନୁମୋଦନ ଲାଭ କରିଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଏହି ପ୍ରସ୍ତାବ ଅନୁସାରେ 2016-17 ବର୍ଷରେ 550,000 ବାଲଟ ୟୁନିଟ୍ ଏବଂ 545000 କଣ୍ଟ୍ରୋଲ ୟୁନିଟ୍ କ୍ରୟ କରାଯିବ ଏବଂ ଏଥିପାଇଁ ୟୁନିଟ ପିଛା ଯଥାକ୍ରମେ 77,007 ଏବଂ 93,007 ଟଙ୍କା ମୂଲ୍ୟ ଦେବାକୁ ପଡିବ । ଏହି ୟୁନିଟ୍ ଯଥାକ୍ରମେ ମେସର୍ସ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଓ ମେସର୍ସ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଠାରୁ କ୍ରୟ କରାଯିବ । ଗବେଷଣା ଓ ବିକାଶ କାର୍ଯ୍ୟପାଇଁ 25 କୋଟି ଟଙ୍କା ମଞ୍ଜୁର କରାଯାଇଛି । 2016-17, 2017-18 ଏବଂ 2018-19 ବର୍ଷ ସକାଶେ ଭୋଟର ଚିହ୍ନଟଯୋଗ୍ୟ ପେପର ଅଡିଟ୍ ଟ୍ରେଲ ୟୁନିଟ (VVPAT) କଥା ପରେ ବିଚାର କରି ଦେଖାଯିବ । ଏହା 2000 ଠାରୁ 2005 ମସିହା ପର୍ଯ୍ୟନ୍ତ କ୍ରୟ କରାଯାଇଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନକୁ କାଳ କ୍ରମେ ବାଦ ଦେବାରେ ସହାୟକ ହେବ । 2019 ମସିହା ସାଧାରଣ ନିର୍ବାଚନ ଓ କେତେକ ରାଜ୍ୟ ବିଧାନସଭା ନିର୍ବାଚନ ସୁପରିଚାଳନା ଦିଗରେ ଏହା ଯଥେଷ୍ଟ ସହାୟକ ହେବ ।