Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀଠାରେ ପିଏମଏନସିଏଚ ସହଭାଗୀ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ


ମଞ୍ଚାସୀନ ବିଶିଷ୍ଟ ଅତିଧିଗଣ

ଭାରତ ଏବଂ ବିଦେଶରୁ ଆସିଥିବା ପ୍ରତିନିଧିଗଣ,

ଭାଇ ଓ ଭଉଣୀମାନେ,

ନମସ୍ତେ,

ସହଭାଗୀ ମଞ୍ଚ, 2018କୁ ଆପଣମାନଙ୍କୁ ସ୍ୱାଗତ ।

କେବଳ ସହଭାଗୀତା ଦ୍ୱରା ଆମେ ନିଜ ଲକ୍ଷ୍ୟ ହାସଲ କରିପାରିବା । ନାଗରିକମାନଙ୍କ ମଧ୍ୟରେ ସହଭାଗୀତା, ଗୋଷ୍ଠୀ ସହଭାଗୀତା, ଦେଶଗୁଡ଼ିକ ମଧ୍ୟରେ ସହଭାଗୀତା । ନିରନ୍ତର ବିକାଶ ଏଜେଣ୍ଡା ଏହାର ଏକ ପ୍ରତିଫଳନ ।

ଏକକ ପ୍ରୟାସଠାରୁ ଦେଶଗୁଡ଼ିକ ଆଗକୁ ବଢ଼ିଲେଣି । ସେମାନେ ସମସ୍ତେ ଗୋଷ୍ଠୀଗୁଡ଼ିକୁ ଶକ୍ତି ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାରେ ସୁଧାର ଆଣିବା, ନିର୍ଧନ ଦୂର କରିବା, ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଶେଷରେ କାହାକୁ ମଧ୍ୟ ପଛରେ ପଡ଼ିନଯିବା ଲାଗି ପ୍ରତିବଦ୍ଧ ଅଟନ୍ତି । ମା’ର ସ୍ୱାସ୍ଥ୍ୟରୁ ଶିଶୁର ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ହୋଇଥାଏ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟରୁ ଆସନ୍ତାକାଲିର ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ହୋଇଥାଏ ।

ଆମେ ଏଠାରେ ସ୍ୱାସ୍ଥ୍ୟରେ ସୁଧାର କରିବା ଏବଂ ମାତୃ ଏବଂ ଶିଶୁ କଲ୍ୟାଣରେ ବିକାଶ କରିବାର ଉପାୟ ଉପରେ ଆଲୋଚନା କରିବା ଲାଗି ଏକାଠି ହୋଇଛୁ । ଆମର ଆଲୋଚନାର ଫଳାଫଳ ଆମ ଆଗାମୀକାଲି ଉପରେ ଗଭୀର ପ୍ରଭାବ ପକାଇବ ।

ସହଭାଗୀ ମଞ୍ଚର ଲକ୍ଷ୍ୟ ଭାରତର ‘ବସୁଧୈବ କୁଟୁମ୍ବକମ’ ସମ୍ବନ୍ଧୀୟ ପ୍ରାଚୀନ ବିଚାର ସହ ମେଳ ଖାଉଛି । ଏହା ମୋ ସରକାରଙ୍କ ଦର୍ଶନ ‘ସବକା ସାଥ ସବକା ବିକାଶ’ର ମଧ୍ୟ ଅନୁରୂପ ଅଟେ, ଯାହାର ଅର୍ଥ ସମାବେଶୀ ବିକାଶ ଲାଗି ସାମୁହିକ ପ୍ରୟାସ କରିବା ।

ମାତୃତ୍ୱ, ନବଜାତ ଏବଂ ଶିଶୁ ବିକାଶ ଲାଗି ସହଭାଗୀତା ଏକ ଅଭିନବ ଏବଂ ପ୍ରଭାବଶାଳୀ ମଞ୍ଚ ଅଟେ । ଆମେ କେବଳ ଉତ୍ତମ ସ୍ୱାସ୍ଥ୍ୟ କଥା କହୁନାହୁଁ । ଆମେ ଦ୍ରୁତ ବିକାଶ କଥା ମଧ୍ୟ କହୁଛୁ ।

ସାରା ବିଶ୍ୱ ଦ୍ରୁତ ବିକାଶର ନୂଆ ନୂଆ ଉପାୟ ସନ୍ଧାନରେ ରହିଥିବା ବେଳେ ଏହି କାର୍ଯ୍ୟକୁ କରିବାର ସବୁଠୁ ଭଲ ଉପାୟ ହେଉଛି ମହିଳାମାନଙ୍କ ପାଇଁ ଏକ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା । ଏ ଦିଗରେ ଗତ କିଛି ବର୍ଷ ମଧ୍ୟରେ ଆମେ ଅନେକ ପ୍ରଗତି ହାସଲ କରିଛୁ । ଏହା ସତ୍ତ୍ୱେ ଆହୁରି ଅନେକ କିଛି କରିବାକୁ ଅଛି । ବଡ଼ ବଜେଟ ଠାରୁ ଭଲ ଫଳାଫଳ ପର୍ଯ୍ୟନ୍ତ ଏବଂ ମାନସିକତାରେ ପରିବର୍ତ୍ତନ ଠାରୁ ନିରୀକ୍ଷଣ ପର୍ଯ୍ୟନ୍ତ, ଅନେକ କିଛି କରାଯିବାର ଅଛି

ଭାରତର କାହାଣୀ ଆଶାବାଦୀ । ଆଶା କରିବା ଯେ ବାଧା ଦୂର ହେବ । ଆଶା କରିବା ବ୍ୟବହାରରେ ପରିବର୍ତ୍ତନ ଆସିବ । ଆଶା କରାଯାଉଛି ଯେ ଦ୍ରୁତ ଅଗ୍ରଗତି ହାସଲ ହେବ ।

ଯେତେବେଳେ ସହସ୍ରାବ୍ଦ ବିକାଶ ଲକ୍ଷ୍ୟ ଉପରେ ସହମତି ହୋଇଥିଲା, ସେହି ସମୟରେ ଭାରତରେ ମହିଳା ଏବଂ ଶିଶୁମାନଙ୍କର ମୃତ୍ୟୁ ହାର ବିଶ୍ୱରେ ସବୁଠୁ ଅଧିକ ଥିଲା । ନିରନ୍ତର ପ୍ରଗତି ଏବଂ ଗତ କିଛି ବର୍ଷ ମଧ୍ୟରେ ମୃତ୍ୟୁହାରେ ଦ୍ରୁତ ହ୍ରାସ କାରଣରୁ ଭାରତ ମାତୃତ୍ୱ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଲାଗି ଏସଡିଜି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗେଇ ଚାଲିଛି । ଏହା 2030ର ସହମତ ତାରିଖ ଠାରୁ ବହୁତ ଆଗରେ ରହିଛି ।

ଭାରତ ସେହି ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି, ଯେଉଁଗୁଡ଼ିକ କିଶୋରାବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାର କରିଥାଏ ତଥା କିଶୋରମାନଙ୍କ ଲାଗି  ବ୍ୟାପକ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ନିରାକରଣ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି । ଆମର ପ୍ରୟାସ ଦ୍ୱାରା 2015ରେ ଗ୍ରହଣ କରାଯାଇଥିବା ମହିଳା, ଶିଶୁ ଏବଂ କିଶୋରମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶ୍ୱସ୍ତରୀୟ ରଣନୀତିରେ ସେମାନଙ୍କୁ ସେମାନଙ୍କର ପରିଚୟ ମିଳିପାରିବା  ସୁନିଶ୍ଚିତ ହୋଇପାରିଛି ।

ମୁଁ ଏହା ଜାଣି ଆନନ୍ଦିତ ଯେ ଏହି ମଞ୍ଚର ଆୟୋଜନ ସମୟରେ ଲାଟିନ ଆମେରିକା, କାରିବୀୟ କ୍ଷେତ୍ର ଏବଂ ଭାରତ ବୈଶ୍ୱିକ ରଣନୀତିକୁ ଆପଣାଇବା ଲାଗି ପ୍ରସ୍ତାବ ଦେଉଛନ୍ତି । ମୁଁ ଆଶା କରୁଛି ଯେ ଏହି ସଂଯୋଜନ ଦ୍ୱାରା ସମାନ ରଣନୀତି ବିକଶିତ କରିବା ଲାଗି ଅନ୍ୟ ଦେଶ ଏବଂ କ୍ଷେତ୍ରଗୁଡ଼ିକୁ ପ୍ରେରଣା ମିଳିପାରିବ ।

ବନ୍ଧୁଗଣ,

ଆମର ଧର୍ମଗ୍ରନ୍ଥରେ ଉଲ୍ଲେଖ ଅଛି “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ’, ଅର୍ଥାତ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବାସ କରିଥାନ୍ତି’ । ମୋର ଏହି ଦୃଢ଼ ବିଶ୍ୱାସ ଅଛି ଯେ ଗୋଟିଏ ଦେଶ ସେତିକିବେଳେ ସମୃଦ୍ଧ ହୋଇପାରିବ, ଯେତେବେଳେ ସେଠାରେ ଲୋକମାନେ ବିଶେଷ କରି ମହିଳା ଏବଂ ଶିଶୁମାନେ ଶିକ୍ଷିତ ହୋଇପାରିବେ ଏବଂ ସ୍ୱାଧୀନ, ଶକ୍ତିସମ୍ପନ୍ନ ଏବଂ ସୁସ୍ଥ ଜୀବନଯାପନରେ ସକ୍ଷମ ହୋଇପାରିବେ ।

ମୁଁ ଏହା ଉଲ୍ଲେଖ କରି ଆନନ୍ଦିତ ଯେ ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ଏହି ମଞ୍ଚରେ ଭାରତର ସଫଳତା ଭାବେ ଉପସ୍ଥାପନ କରାଯାଉଛି । ଏ ବିଷୟ ମୋ ହୃଦୟର ଅତି ନିକଟତର । ଇନ୍ଦ୍ରଧନୁଷ ମିଶନ ଅନ୍ତର୍ଗତ ଗତ ତିନି ବର୍ଷ କାଳରେ ଆମେ 32.8 ନିୟୁତ ଶିଶୁ ଏବଂ 8.4 ନିୟୁତ ଗର୍ଭବତୀ ମହିଳାମାନଙ୍କ ନିକଟରେ ପହଁଚିାରିଛୁ । ଆମେ ସର୍ବବ୍ୟାପୀ ଟିକାକରଣ ଅନ୍ତର୍ଗତ ଟିକାଗୁଡ଼ିକର ସଂଖ୍ୟା 7ରୁ ବୃଦ୍ଧି କରି 12 କରି ଦେଇଛୁ । ଆମର ଟିକାକରଣ ପରିଧି ମଧ୍ୟରେ ନିମୋନିଆ ଏବଂ ଡାଇରିଆ ଭଳି ପ୍ରାଣଘାତକ ରୋଗ ମଧ୍ୟ ସାମିଲ ରହିଛି ।

ବନ୍ଧୁଗଣ,

2014ରେ ମୋ ସରକାର ଦାୟିତ୍ୱ ଗ୍ରହଣ କରିବା ସମୟରେ ପ୍ରତି ବର୍ଷ ପ୍ରସବ ସମୟରେ 44,000ରୁ ଅଧିକ ମା’ମାନଙ୍କୁ ଆମକୁ ହରାଇବାକୁ ପଡ଼ୁଥିଲା । ଆମେ ଗର୍ଭ ସମୟରେ ମା’ମାନଙ୍କୁ ଯଥାସମ୍ଭବ ସୁବିଧା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ମାତୃତ୍ୱ ଅଭିଯାନର ଶୁଭାରମ୍ଭ କରିଥିଲୁ । ଆମେ ଆମ ଡାକ୍ତରମାନଙ୍କୁ ଅନୁରୋଧ କଲୁ ଯେ ସେମାନେ ଏହି ଅଭିଯାନ ଲାଗି ପ୍ରତିମାସ ଗୋଟିଏ ଦିନ ସେବା ପ୍ରଦାନ କରିବା ଲାଗି ସଂକଳ୍ପ କରନ୍ତୁ । ଏହି ଅଭିଯାନ ଅନ୍ତର୍ଗତ 16 ନିୟୁତ ପ୍ରସବପୂର୍ବ ଯାଞ୍ଚ କରାଯାଇଥିଲା ।

ଦେଶରେ 25 ନିୟୁତ ନବଜାତ ଶିଶୁ ଅଛନ୍ତି । ଆମ ଏଠି ନବଜାତ ଶିଶୁମାନଙ୍କ ଯତ୍ନର ଚମତ୍କାର ପ୍ରଣାଳୀ ରହିଛି, 794 ଉତ୍କୃଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ସୁବିଧା ୟୁନିଟ ଜରିଆରେ 10 ଲକ୍ଷରୁ ଅଧିକ ନବଜାତ ଶିଶୁଙ୍କ ଯତ୍ନ ନିଆଯାଉଛି । ଆମର ଏଠି ଏକ ସଫଳ ପ୍ରଣାଳୀ ରହିଛି । ଆମର ଏହି ପ୍ରୟାସ ଦ୍ୱାରା 4 ବର୍ଷ ପୂର୍ବର ତୁଳନାରେ ଦୈନିକ 5 ବର୍ଷରୁ କମ ଆୟୁର 840 ଅତିରିକ୍ତ ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରୁଛି ।

ଶିଶୁମାନଙ୍କୁ ପୁଷ୍ଟିକର ଆହାର ସମସ୍ୟାର ସମାଧାନ ପୋଷଣ ଅଭିଯାନ ମାଧ୍ୟମରେ କରାଯାଉଛି । ଏଥିମଧ୍ୟରେ ବିଭିନ୍ନ ଯୋଜନା ସାମିଲ ରହିଛି ଯାହା ଭାରତକୁ କୁପୋଷଣମୁକ୍ତ କରିବା ଲାଗି ସମାନ ଲକ୍ଷ୍ୟ କରିବା ଦିଗରେ କାମ କରୁଛି । ଶିଶୁମାନଙ୍କ ଜୀବନର ଗୁଣବତ୍ତାରେ ସୁଧାର ଆଣିବା ଲାଗି ଆମେ ଜାତୀୟ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଲାଗୁ କରୁଛୁ । ଗତ 4 ବର୍ଷ ମଧ୍ୟରେ ଏଥିରୁ 800 ନିୟୁତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ଏବଂ 20 ନିୟୁତ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ପରାମର୍ଶ ଦିଆଯାଇଛି ।

ଚିକିତ୍ସା ପାଇଁ ପରିବାରକୁ ପକେଟରୁ ଅଧିକ ଖର୍ଚ୍ଚ କରାଯିବାର ଚିନ୍ତା ସବୁବେଳେ ଆମକୁ ଖାଉଥିଲା । ସେଥିପାଇଁ ଆମେ ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ କଲୁ । ଆୟୁଷ୍ମାନ ଭାରତର ଦ୍ୱିସ୍ତରୀୟ ରଣନୀତି ରହିଛି ।

ପ୍ରଥମତଃ, ଏଥିରେ ଗୋଷ୍ଠୀ ନିକଟରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା ରହିଛି ଏଥିରେ ସୁସ୍ଥ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ମାଧ୍ୟମରେ ଯୋଗ ସାମିଲ ରହିଛି । ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ଲାଗି ‘ଫିଟ ଇଣ୍ଡିଆ’ ଏବଂ ‘ଇଟ ରାଇଟ’ ଆନ୍ଦୋଳନ ମଧ୍ୟ ଆମ ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହାଦ୍ୱାରା ଗୋଷ୍ଠୀକୁ ଉଚ୍ଚ ମାନସିକ ଅବସାଦ, ମଧୁମେହ ଏବଂ ସ୍ତନ, ଗର୍ଭାଶୟ ଏବଂ ମୁଖଗହ୍ୱର କର୍କଟ ସହିତ ସାଧାରଣ ରୋଗର ନିଃଶୁଳ୍କ ଯାଞ୍ଚ ଏବଂ ଚିକିତ୍ସାରେ ସହାୟତା ମିଳିପାରିବ । ରୋଗୀ ନିଜ ଘର ପାଖରେ ମାଗଣା ଔଷଧ ଏବଂ ଚିକିତ୍ସା ସହାୟତା ପାଇପାରିବ । ଆମ ଯୋଜନା ରହିଛି ଯେପରି 2022 ସୁଦ୍ଧା ଏପରି 150 ହଜାର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଆରମ୍ଭ କରାଯିବ ।

ଆୟୁଷ୍ମାନ ଭାରତ ଯୋଜନାର ଦ୍ୱିତୀୟ ଉପାଦାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଟେ । ଏହାର ଅନ୍ତର୍ଗତ ପ୍ରତିବର୍ଷ ପ୍ରତି ପରିବାର 5 ଲକ୍ଷ ଟଙ୍କାର ନଗତମୁକ୍ତ ସ୍ୱାସ୍ଥ୍ୟବୀମା ଦେବାର ବ୍ୟବସ୍ଥା ରହିଛି । ଏହାର ଅନ୍ତର୍ଗତ ସର୍ବାଧିକ ଗରିବ ଏବଂ ଦୁର୍ବଳ ଶ୍ରେଣୀର 500 ନିୟୁତ ନାଗରିକମାନଙ୍କୁ ସ୍ୱାସ୍ଥ୍ୟବୀମା ସୁବିଧା ଦିଆଯିବ । ଏହି ସଂଖ୍ୟା କାନାଡା, ମେକ୍ସିକୋ ଏବଂ ଆମେରିକାର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ । ଆମେ ଏହି ଯୋଜନା ଆରମ୍ଭ ହେବାର 10 ସପ୍ତାହ ମଧ୍ୟରେ ମାଗଣା ଚିକିତ୍ସା ଉପଲବ୍ଧ କରିବା ଲାଗି 700 କୋଟି ଟଙ୍କା 5 ଲକ୍ଷ ପରିବାରକୁ ଦେଇସାରିଛୁ ।

ଆଜି ବିଶ୍ୱ ସାଧାରଣ ସ୍ୱାସ୍ଥ୍ୟ କଭରେଜ ଦିବସ ଅଟେ । ଏହି ଅବସରରେ ମୁଁ ପୁଣି କହୁଛି ଯେ ସମସ୍ତଙ୍କ ଲାଗି ବ୍ୟାପକ ସ୍ୱାସ୍ଥ୍ୟ କଭରେଜ ପ୍ରଦାନ କରିବା ଦିଗରେ ଆମେ ସଂକଳ୍ପବଦ୍ଧ ।

ଆମ ପାଖରେ 1 ନିୟୁତ ପଞ୍ଜିକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ବା ଆଶାକର୍ମୀ ଏବଂ 2.32 ଲକ୍ଷ ଅଙ୍ଗନୱାଡ଼ି ନର୍ସ ଅଛନ୍ତି ଯେଉଁମାନେ ଆଗଧାଡ଼ିର ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଶକ୍ତି ଭାବେ କାର୍ଯ୍ୟ କରିପାରିବେ । ଏହା ଆମ କାର୍ଯ୍ୟକ୍ରମର ଶକ୍ତି ।

ଭାରତ ଏକ ବିଶାଳ ରାଷ୍ଟ୍ର । କେତେକ ରାଜ୍ୟ ଏବଂ ଜିଲ୍ଲା ବିକଶିତ ଦେଶଙ୍କ ଭଳି କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଅନ୍ୟମାନଙ୍କୁ ସେପରି କରିବାକୁ ହେବ । ମୁଁ ନିଜ ଅଧିକାରୀମାନଙ୍କୁ 117ଟି ଆକାଂକ୍ଷିତ ଜିଲ୍ଲାଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦେଇଛି । ଏପରି ପ୍ରତ୍ୟେକ ଜିଲ୍ଲାକୁ ଗୋଟିଏ ଲେଖାଏଁ ଟିମ ଉପଲବ୍ଧ କରାଯାଇଛି ଯେଉଁମାନେ ଶିକ୍ଷା, ଜଳ ଏବଂ ସ୍ୱଚ୍ଛତା, ଗ୍ରାମୀଣ ବିକାଶର କ୍ଷେତ୍ରରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଆହାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ।

ଆମେ ଅନ୍ୟ ବିଭାଗଗୁଡ଼ିକ ମାଧ୍ୟମରେ ମହିଳା କୈନ୍ଦ୍ରୀକ ଯୋଜନା ଉପରେ କାମ କରୁଛୁ । 2015 ପର୍ଯ୍ୟନ୍ତ ଭାରତର ଅଧାରୁ ଅଧିକ ମହିଳାମାନଙ୍କ ପାଖରେ ରୋଷେଇ କରିବା ଲାଗି ସ୍ୱଚ୍ଛ ଇନ୍ଧନ ନଥିଲା । ଆମେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଏଥିରେ ପରିବର୍ତ୍ତନ ଆଣିଲୁ । ଉଜ୍ୱଳା ଯୋଜନା 58 ନିୟୁତ ମହିଳାମାନଙ୍କୁ ସ୍ୱଚ୍ଛ ରୋଷେଇର ବିକଳ୍ପ ଉପଲବ୍ଧ କରାଇଲା ।

ଆମେ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଛୁ ଯାହାଦ୍ୱାରା ଭାରତ 2019 ସୁଦ୍ଧା ଖୋଲା ଶୌଚମୁକ୍ତ ହୋଇଯିବ । ଗତ ଚାରି ବର୍ଷ ମଧ୍ୟରେ ଗ୍ରାମାଂଚଳରେ ସ୍ୱଚ୍ଛତା ପ୍ରସାର 39 ପ୍ରତିଶତରୁ ବୃଦ୍ଧି ପାଇ 95 ପ୍ରତିଶତ ହୋଇଯାଇଛି ।

ଆମେ ସମସ୍ତେ ସେହି ପ୍ରସିଦ୍ଧ କଥା ଜାଣିଛୁ, ଯଦି ଆପଣ ଜଣେ ପୁରୁଷକୁ ଶିକ୍ଷିତ କରୁଛନ୍ତି ତ ଜଣେ ବ୍ୟକ୍ତିକୁ ଶିକ୍ଷିତ କରୁଛନ୍ତି ଯଦି ଆପଣ ଜଣେ ମହିଳାଙ୍କୁ ଶିକ୍ଷିତ କରିବେ ତା’ହେଲେ ସାରା ପରିବାରକୁ ଶିକ୍ଷିତ କରିପାରିବେ । ଏହାକୁ ଆମେ ବେଟୀ ବଚାଓ ବେଟୀ ପଢ଼ାଓ କାର୍ଯ୍ୟକ୍ରମ ଭାବେ ଆପଣାଇଛୁ । ଏହି କାର୍ଯ୍ୟକ୍ରମର ଫୋକସ ଝିଅ ଉପରେ ଏବଂ ତା’କୁ ସବୁଠୁ ଭଲ ଜୀବନ ଏବଂ ଶିକ୍ଷା ପ୍ରଦାନ କରିବା ଉପରେ ରହିଛି । ଏହାବ୍ୟତୀତ ଆମେ ଝିଅମାନଙ୍କ ଲାଗି ଜମା ସଂଚୟ ଯୋଜନା- ସୁକନ୍ୟା ସମୃଦ୍ଧି ଯୋଜନା– ଆରମ୍ଭ କରିଛୁ । ଏହି ଯୋଜନା ଅନ୍ତର୍ଗତ 12.6 ନିୟୁତ ଏକାଉଣ୍ଟ ଖୋଲାଯାଇଛି ଏବଂ ଏହି ଯୋଜନା ଝିଅମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଆମକୁ ସହାୟତା କରୁଛି ।

ଆମେ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ କରିଛୁ । ଏହି ଯୋଜନା ଦ୍ୱାରା 50 ଲକ୍ଷ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ମାନଙ୍କୁ ଲାଭ ମିଳିପାରିବ । ଏହି ଯୋଜନା ବେତନ କ୍ଷୟକ୍ଷତି, ଶିଶୁଙ୍କୁ ଜନ୍ମ ଦେବା ପୂର୍ବରୁ ଏବଂ ପରେ ଉତ୍ତମ ପୌଷ୍ଟିକ ଆହାର ଏବଂ ପର୍ଯ୍ୟାପ୍ତ ବିଶ୍ରାମ ଲାଗି ସେମାନଙ୍କ ଏକାଉଣ୍ଟରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତରଣ ମାଧ୍ୟମରେ ଅର୍ଥରାଶି ଦେବାରେ ସକ୍ଷମ ଅଟେ ।

ଆମେ ମାତୃତ୍ୱ ଅବକାଶକୁ ପୂର୍ବରୁ ଥିବା ନିୟମ 12 ସପ୍ତାହରୁ ବୃଦ୍ଧି କରି 26 ସପ୍ତାହ କରିଦେଇଛୁ । ଆମେ  2025 ସୁଦ୍ଧା ସକଳ ଘରୋଇ ଉତ୍ପାଦର 2.5 ପ୍ରତିଶତ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ବଅଦ୍ଧି ଲାଗି ସଂକଳ୍ପବଦ୍ଧ ଅଟୁ । ଏହା 100 ବିଲିୟନ ଆମେରିକୀୟ ଡଲାର ଠାରୁ ମଧ୍ୟ ଅଧିକ । ଏହାର ଅର୍ଥ ଏହା ଯେ କେବଳ 8 ବର୍ଷ ମଧ୍ୟରେ ବର୍ତ୍ତମାନର ଭାଗରୁ 345 ପ୍ରତିଶତର ବାସ୍ତବିକ ବୃଦ୍ଧି ହେବ । ଆମେ ଲୋକମାନଙ୍କ କଲ୍ୟାଣ ଲାଗି କାମ କରିଚାଲିବୁ । ପ୍ରତ୍ୟେକ ନୀତି, କାର୍ଯ୍ୟକ୍ରମ ଏବଂ ପ୍ରୟାସର କେନ୍ଦ୍ରରେ ମହିଳା, ଶିଶୁ ଏବଂ ଯୁବକମାନଙ୍କୁ ରଖିବୁ ।

ମୁଁ ସଫଳତା ପ୍ରାପ୍ତି ଲାଗି ବହୁ-ଅଂଶୀଦାରମାନଙ୍କ ଭାଗୀଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ଚାହିଁବି । ଆମେ ଜାଣିଛୁ ଯେ ପ୍ରଭାବୀ ସ୍ୱାସ୍ଥ୍ୟ ଯତ୍ନ ବିଶେଷ କରି ମହିଳା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଲାଗି ମିଶ୍ରିତ ପଦକ୍ଷେପ ସବୁଠୁ ଉତ୍ତମ ପଦକ୍ଷେପ ଅଟେ ।

ବନ୍ଧୁଗଣ,

ମୁଁ ବୁଝିପାରୁଛି ଯେ ଆଗାମୀ ଦୁଇ ଦିନରେ ଏହି ମଞ୍ଚ ସାରା ବିଶ୍ୱର 12ଟି ସଫଳ କାହାଣୀ ଉପରେ ଆଲୋଚନା କରିବ । ବାସ୍ତବରେ ଏହା ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ବାର୍ତ୍ତାଳାପ କରିବାର ଏକ ଅବସର ପ୍ରଦାନ କରୁଛି, ପରସ୍ପରର ଅଭିଜ୍ଞତା ବାଂଟିବାର ଅବସର ଯାହାଦ୍ୱାରା ଆମେ ପରସ୍ପର ଠାରୁ ଶିକ୍ଷାଲାଭ କରିପାରିବା । ଭାରତ ଦକ୍ଷତା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଶସ୍ତା ଔଷଧ ବ୍ୟବସ୍ଥା ଏବଂ ଟିକାକରଣ, ଜ୍ଞାନ ହସ୍ତାନ୍ତର ଏବଂ ଆଦାନପ୍ରଦାନ କାର୍ଯ୍ୟକ୍ରମ ମାଧ୍ୟମରେ ସହଯୋଗୀ ଦେଶଗୁଡ଼ିକୁ ସେମାନଙ୍କ ବିକାଶ ଲକ୍ଷ୍ୟକୁ ହାସଲ କରିବାରେ ସହାୟତା ଦେବା ଲାଗି ପ୍ରସ୍ତୁତ ଅଟେ ।

ମୁଁ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଫଳାଫଳକୁ ଶୁଣିବାକୁ ଚାହିଁବି । ଏହି ମଞ୍ଚ ଏକ ଜୀବନ୍ତ ମଞ୍ଚ ରୂପରେ ଆମକୁ ‘ତିଷ୍ଠିବା-ପ୍ରଗତି କରିବା-ରୂପାନ୍ତରିତ ହେବା’ ପ୍ରତି ଦୃଢ଼ତା ପ୍ରଦାନ କରିବ ।

ଆମର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଏବଂ ଆମେ ସର୍ବାଧିକ ସମର୍ପଣ ସହିତ ସମସ୍ତଙ୍କ ଲାଗି ସ୍ୱାସ୍ଥ୍ୟ ସୁବିଧା ଦେବାର କାମ କରିଚାଲିବୁ । ଭାରତ ସମସ୍ତ ସହଯୋଗୀମାନଙ୍କ ସହିତ ସବୁବେଳେ ଛିଡ଼ା ହୋଇ ରହିବ ।

ଏଠାରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଏହାକୁ ସଠିକ ଭାବନାରେ ଆପଣାନ୍ତୁ ଯାହାଦ୍ୱାରା ସମ୍ପୂର୍ଣ୍ଣ ମାନବସମାଜକୁ ନିଜ ସମର୍ଥନ ଦେବାରେ ସମର୍ଥ ହୋଇପାରିବୁ ।

ଆସନ୍ତୁ, ଆମେ ସମସ୍ତ ଏକସଙ୍ଗେ ମିଶି ଏହି ମହାନ କାର୍ଯ୍ୟ ଲାଗି ନିଜର ସଂକଳ୍ପ ବ୍ୟକ୍ତ କରିବା ।

ଧନ୍ୟବାଦ!