Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂଆ ଭବନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂତନ ଭବନର ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ସେ ଉଲ୍ଲେଖ କରିଥିଲେ ଯେ ଏହି ନୂଆ କୋଠାର ନିର୍ମାଣ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଶେଷ ହୋଇଛି ଏବଂ ସେ ଏହି ନିର୍ମାଣରେ ସମ୍ପୃକ୍ତ ସମସ୍ତ ସଂସ୍ଥାକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ପରିବେଶ ଅନୁକୂଳ ଗୃହ-4 ମାନ୍ୟତାପ୍ରାପ୍ତ ଏହି ଭବନ ଶକ୍ତି ସଂଚୟ ସୁନିଶ୍ଚିତ କରିବା ସହ ପରିବେଶ ସଂରକ୍ଷଣରେ ସହାୟତା କରିପାରିବ ।

ଏହି ନୂତନ ଭବନ ସିଆଇସିଙ୍କ କାର୍ଯ୍ୟାଧାରାରେ ଉତ୍ତମ ସମନ୍ୱୟ ଏବଂ ଏକୀକରଣ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ସିଆଇସିଙ୍କ ମୋବାଇଲ ଆପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନାଗରିକମାନଙ୍କୁ ସହଜରେ ଆବେଦନ କରିବା ଲାଗି ସୁବିଧା ଯୋଗାଇ ଦେବ ଏବଂ ସେମାନେ ଆୟୋଗଙ୍କ ପକ୍ଷରୁ ଉପଲବ୍ଧ କରାଯାଉଥିବା ସୂଚନାକୁ ସହଜରେ ଦେଖିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତାନ୍ତ୍ରିକ ଏବଂ ଅଂଶଗ୍ରହଣକାରୀ ପ୍ରଶାସନ ପାଇଁ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ସିଆଇସି ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ସେ କହିଥିଲେ ଯେ ଏପରି ଅନୁଷ୍ଠାନ ବିଶ୍ୱାସ ଆଧାରିତ ପ୍ରଶାସନର ଉତପ୍ରେରକ ଭାବେ କାର୍ଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ “ସଶକ୍ତ ନାଗରିକ” ହେଉଛନ୍ତି ଆମ ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ । ସେ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସୂଚୀତ ଏବଂ ସଶକ୍ତ କରିଆସୁଛନ୍ତି । ଆଧୁନିକ ସୂଚନା ରାଜମାର୍ଗର 5ଟି ସ୍ତମ୍ଭ ବିଷୟରେ ସେ ପରିଗଣନା କରିଥିଲେ ।

ସେ କହିଥିଲେ ଯେ ପ୍ରଥମ ସ୍ତମ୍ଭ ହେଉଛି ପ୍ରଶ୍ନ କରିବା(ସୱାଲ) । ଏହି ପରିପ୍ରେକ୍ଷୀରେ, ସେ ମାଇଁ ଗଭ ନାଗରିକ ସମ୍ପୃକ୍ତି ମଂଚ ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱିତୀୟ ସ୍ତମ୍ଭ ହେଉଛି ପରାମର୍ଶ ଶୁଣିବା (ସୁଝାଓ) । ସେ କହିଥିଲେ ଯେ ସରକାର ସିପିଗ୍ରାମ୍ସ ଏବଂ ସାମାଜିକ ଗଣମାଧ୍ୟମରୁ ମିଳୁଥିବା ପରାମର୍ଶ ପ୍ରତି ଗ୍ରହଣଶୀଳ ଏବଂ ଉନ୍ମୁକ୍ତ ରହିଛନ୍ତି ।

ତୃତୀୟ ସ୍ତମ୍ଭ ହେଉଛି ଆଲୋଚନା (ସମ୍ବାଦ) । ସେ କହିଥିଲେ ଯେ ଏହା ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଯୋଗାଯୋଗ ପ୍ରତିଷ୍ଠା କରୁଛି । ଚତୁର୍ଥ ସ୍ତମ୍ଭ ହେଉଛି ସକ୍ରିୟତା । ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜିଏସଟିର କାର୍ଯ୍ୟାନ୍ୱୟନ ସମୟରେ ସକ୍ରିୟ ଭାବେ ଅଭିଯୋଗ ଏବଂ ପରାମର୍ଶଗୁଡ଼ିକୁ ଗ୍ରହଣ କରାଯାଉଥିଲା ।

ପଞ୍ଚମ ସ୍ତମ୍ଭ ହେଉଛି ସୂଚନା । ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ କର୍ତ୍ତବ୍ୟ ହେଉଛି ନିଜର କାର୍ଯ୍ୟକଳାପ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା । ସେ କହିଥିଲେ ଯେ ପ୍ରକୃତ ସମୟ ଅପଡେଟ, ଅନଲାଇନ ଡେଶବୋର୍ଡ ମାଧ୍ୟମରେ ନାଗରିକମାନଙ୍କୁ ସୂଚନା ଦେବା ଲାଗି ସରକାର ଏକ ନୂଆ ଅଭ୍ୟାସ ଆରମ୍ଭ କରିଛନ୍ତି । ସୌଭାଗ୍ୟ ଏବଂ ଉଜାଲା ଭଳି ଯୋଜନାର ଅଗ୍ରଗତି ବିଷୟରେ ସୂଚନା ଉପଲବ୍ଧ କରାଯାଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୃକ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ୱେବ ପୋର୍ଟାଲରେ ସୂଚନା ଅପଲୋଡ କରିବା ଲାଗି ସାଧାରଣତଃ ଦାବି କରାଯାଇଥାଏ । ସେ କହିଥିଲେ ଯେ ନାଗରିକ ସେବାର ମାନ ଏବଂ ପାରଦର୍ଶିତାରେ ସୁଧାର ଆଣିବା ନିମନ୍ତେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରାଯାଉଛି । ସେହିପରି ପ୍ରକୃତ ସମୟରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଟ୍ରାକ କରାଯାଇପାରୁଛି । ସେ କହିଥିଲେ ଯେ ଗତ ସପ୍ତାହରେ ପ୍ରଗତିର ବୈଠକରେ କେଦାରନାଥ ପୁନଃନିର୍ମାଣ କାର୍ଯ୍ୟ ଏକ ଡ୍ରୋନ କ୍ୟାମେରା ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସେ କହିଥିଲେ ଯେ ପ୍ରଗତି ବୈଠକ ଦ୍ୱାରା 9 ଲକ୍ଷ କୋଟି ଟଙ୍କା ନିବେଶ ମୂଲ୍ୟର ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାରେ ସହାୟତା ମିଳିପାରୁଛି ।

ଯୋଗାଣ ଏବଂ ସମାଧାନ ମହାନିର୍ଦ୍ଦେଶାଳୟ ବନ୍ଦ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସରକାରୀ କ୍ରୟ ବର୍ତ୍ତମାନ ସରକାରୀ ଇ-ମାର୍କେଟ କିମ୍ବା ଜିଇଏମ ପ୍ଲାଟଫର୍ମରେ କରାଯାଉଛି । ଏହା ସରକାରୀ କ୍ରୟରେ ଦୁର୍ନୀତି ଦୂର କରୁଛି ଏବଂ ପାରଦର୍ଶିତା ଆଣୁଛି ବୋଲି ସେ ଉଲ୍ଲେଖ କରିଥିଲେ । ସରକାର-ନାଗରିକ ସମ୍ପର୍କରେ ମାନବୀୟ ହସ୍ତକ୍ଷେପକୁ ସର୍ବନିମ୍ନ କରିବା ସମ୍ପର୍କରେ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବସ୍ଥାରେ ପାରଦର୍ଶିତା ବୃଦ୍ଧି ପାଇଲେ, ସରକାରଙ୍କ ପ୍ରତି ବିଶ୍ୱାସ ବୃଦ୍ଧି ପାଇଥାଏ ।

ସେ କହିଥିଲେ ଯେ ନାଗରିକମାନେ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଉଚିତ । ସେ କହିଥିଲେ ଯେ “କାର୍ଯ୍ୟ ଅଧିକାର”ର ଗୁରୁତ୍ୱ ସମ୍ପର୍କରେ ସିଆଇସି ଲୋକମାନଙ୍କୁ କହିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାରର ସନ୍ଧାନରେ, କର୍ତ୍ତବ୍ୟକୁ ଭୁଲଯିବା ଉଚିତ ନୁହେଁ । ବର୍ତ୍ତମାନର ପରିସ୍ଥିତି ଏବଂ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଉତ୍ତରଦାୟୀ ପ୍ରତିଷ୍ଠାନ ନିଜର ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟରେ ତାରତମ୍ୟ ରଖିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।

 

**********