Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେପାଳର ଜନକପୁର ବରାହବିଗା ମୈଦାନରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ନେପାଳର ଜନକପୁର ବରାହବିଗା ମୈଦାନରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ନେପାଳର ଜନକପୁର ବରାହବିଗା ମୈଦାନରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ନେପାଳର ଜନକପୁର ବରାହବିଗା ମୈଦାନରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ଆଉ ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ଜନକପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ-

ଜୟ ସିୟାରାମ, ଜୟ ସିୟାରାମ,

ଜୟ ସିୟାରାମ, ଜୟ ସିୟାରାମ,

ଜୟ ସିୟାରାମ, ଜୟ ସିୟାରାମ ।

ଭାଇ ଓ ଭଉଣୀମାନେ,

ଅଗଷ୍ଟ 2014ରେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ନେପାଳ ଆସିଥିଲି ତ ସମ୍ବିଧାନ ସଭାରେ ହିଁ ମୁଁ କହିଥିଲି କି ମୁଁ ଶୀଘ୍ର ଜନକପୁର ଆସିବି । ମୁଁ ସର୍ବପ୍ରଥମେ ଆପଣମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି କାରଣ ମୁଁ ସଙ୍ଗେ ସଙ୍ଗେ ଆସି ପାରିଲି ନାହିଁ, ଆସିବାରେ ମୋର ଖୁବ ବିଳମ୍ବ ହୋଇଗଲା ଆଉ ସେଥିପାଇଁ ତ ମୁଁ ସବୁଠାରୁ ଆଗେ ଆପଣ ମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । କିନ୍ତୁ ମନ କହୁଛି କି ବୋଧହୁଏ ସମ୍ଭବତଃ ସୀତା ମାତା ଆଜିର ଏହି ଭଦ୍ରକାଳୀ ଏକାଦଶୀ ତିଥିରେ ହିଁ ମୋତେ ଦର୍ଶନ ଦେବା ପାଇଁ ସ୍ଥିର କରିଥିଲେ । ମୋର ବହୁତ ସମୟ ଧରି ମନରେ ଥିଲା କି ରାଜା ଜନକଙ୍କର ରାଜଧାନୀ ଆଉ ଜଗତ ଜନନୀ ସୀତାଙ୍କର ପବିତ୍ର ଭୂମିକୁ ଆସି ସେମାନଙ୍କୁ ପ୍ରଣାମ କରିବି । ଆଜି ଜାନକୀ ମନ୍ଦିରରେ ଦର୍ଶନ କରି ମୋର ଯେଉଁ ବହୁ ବର୍ଷର କାମନା ଥିଲା, ସେହି ମନସ୍କାମନାକୁ ପୂରଣ କରି ଜୀବନ ଧନ୍ୟ ହୋଇଗଲା ବୋଲି ଅନୁଭବ କରୁଛି ।

 

ଭାଇ ଓ ଭଉଣୀମାନେ,

ଭାରତ ଆଉ ନେପାଳ ଦୁଇଟି ଦେଶ, କିନ୍ତୁ ଆମର ମିତ୍ରତା ହେଉଛି ଆଜିର ନୁହେଁ ତ୍ରେତୟା ଯୁଗର । ରାଜା ଜନକ ଆଉ ରାଜା ଦଶରଥ କେବଳ ଜନକପୁର ଆଉ ଅଯୋଧ୍ୟାକୁ ହିଁ ନୁହେଁ, ଭାରତ ଆଉ ନେପାଳକୁ ମଧ୍ୟ ମିତ୍ରତା ଆଉ ପାରସ୍ପରିକ ବୁଝାମଣାର ବନ୍ଧନରେ ବାନ୍ଧି ଦେଇଥିଲେ । ଏହି ବନ୍ଧନ ହେଉଛି ରାମ-ସୀତାଙ୍କର, ଏହି ବନ୍ଧନ ହେଉଛି ବୁଦ୍ଧଙ୍କର ମଧ୍ୟ ଆଉ ମହାବୀରଙ୍କର ମଧ୍ୟ ଆଉ ଏହି ବନ୍ଧନ ରାମେଶ୍ୱରମ୍ ରେ ରହୁଥିବା ଲୋକମାନଙ୍କୁ ପଶୁପତିନାଥଙ୍କ ପାଖକୁ ଟାଣି ନେଇ ଆସୁଛି । ଏହି ବନ୍ଧନ ଲୁମ୍ବିନୀରେ ରହୁଥିବା ଲୋକମାନଙ୍କୁ ବୁଦ୍ଧଗୟା ନେଇ ଯାଏ ଆଉ ଏହି ବନ୍ଧନ, ଏହି ଆସ୍ଥା, ଏହି ସ୍ନେହ ଆଜି ମୋତେ ଜନକପୁରକୁ ଟାଣି ନେଇ ଆସିଛି ।

ମହାଭାରତ, ରାମାୟଣ ସମୟରେ ଜନକପୁରର, ମହାଭାରତର ସମୟରେ ବିରାଟ ନଗରର, ତା’ପରେ ସିମରନ ଗଞ୍ଜର, ବୁଦ୍ଧକାଳରେ ଲୁମ୍ବିନୀର; ଏ ସମ୍ବନ୍ଧ ଯୁଗ ଯୁଗ ଧରି ଚାଲି ଚାଲି ଆସିଛି । ଭାରତ-ନେପାଳ ସମ୍ବନ୍ଧ କୌଣସି ପରିଭାଷା ଦ୍ୱାରା ନୁହେଁ ବରଂ ସେହି ଭାଷା ଦ୍ୱାରା ବନ୍ଧା ହୋଇ ରହିଛି- ଏହି ଭାଷା ହେଉଛି ଆସ୍ଥାର, ଏହି ଭାଷା ହେଉଛି ନିଜଭଳି ଲାଗୁଥିବା ଭାବନାର, ଏହି ଭାଷା ହେଉଚି ରୁଟିର, ଏହି ଭାଷା ହେଉଛି ଅଲିଅଳି କନ୍ୟାର । ଏହା ହେଉଛି ମାଆ ଜାନକୀଙ୍କର ଧାମ, ଏହା ହେଉଛି ମାଆ ଜାନକୀଙ୍କର ଧାମ ଆଉ ଯାହା ବିନା ଅଯୋଧ୍ୟା ହେଉଛି ଅସମ୍ପୂର୍ଣ୍ଣ ।

ଆମର ମାଆ ମଧ୍ୟ ହେଉଛି ଗୋଟିଏ-ଆମର ଆସ୍ଥା ମଧ୍ୟ ହେଉଛି ଏକ- ଆମର ସଂସ୍କୃତି ମଧ୍ୟ ହେଉଛି ଏକ; ଆମର ରାସ୍ତା ମଧ୍ୟ ହେଉଛି ଏକ ଆଉ ଆମର ପ୍ରାର୍ଥନା ହେଉଛି ଏକ । ଆମର ପରିଶ୍ରମର ମଧ୍ୟ ବାସ୍ନା ରହିଛି ଆଉ ଆମର ପରାକ୍ରମର ମଧ୍ୟ ଗୁଞ୍ଜରଣ ରହିଛି । ଆମର ଦୃଷ୍ଟି ହେଉଛି ସମାନ ଏବଂ ଆମର ସୃଷ୍ଟି ମଧ୍ୟ ହେଉଛି ସମାନ । ଆମର ସୁଖ ମଧ୍ୟ ହେଉଛି ସମାନ ଏବଂ ଆମର ଆହ୍ୱାନଗୁଡ଼ିକ ମଧ୍ୟ ହେଉଛି ସମାନ । ଆମର ଆଶା ମଧ୍ୟ ହେଉଛି ସମାନ ଏବଂ ଆମର ଆକାଂକ୍ଷାଗୁଡ଼ିକ ମଧ୍ୟ ହେଉଛି ସମାନ । ଆମର ଆବଶ୍ୟକତା ମଧ୍ୟ ହେଉଛି ସମାନ ଏବଂ ଆମର ରାସ୍ତାଗୁଡ଼ିକ ମଧ୍ୟ ହେଉଛି ସମାନ । ….. ଆମର ମନ, ଆମର ଉଦ୍ଦେଶ୍ୟ, ଆଉ ଆମର ଲକ୍ଷ୍ୟ ହେଉଛି ଏକ । ଏହା ହେଉଛି ସେହି କର୍ମବୀରମାନଙ୍କର ଭୂମି ଯାହାଙ୍କର ଯୋଗଦାନ ଦ୍ୱାରା ଭାରତର ବିକାଶ ଗାଥାରେ ଆହୁରି ଅଧିକ ଗତି ଆସିଥାଏ । ନେପାଳର ସହଯୋଗ ବିନା ଭାରତର ଆସ୍ଥା ମଧ୍ୟ ଅସଂପୂର୍ଣ୍ଣ, ନେପାଳ ବିନା ଭାରତର ବିଶ୍ୱାସ ହେଉଛି ଅସଂପୂର୍ଣ୍ଣ, ଇତିହାସ ହେଉଛି ଅସଂପୂର୍ଣ୍ଣ, ନେପାଳ ବିନା ଆମର ଧାମ ହେଉଛି ଅସଂପୂର୍ଣ୍ଣ, ନେପାଳ ବିନା ଆମର ରାମ ମଧ୍ୟ ହେଉଛନ୍ତି ଅସଂପୂର୍ଣ୍ଣ ।

ଭାଇ ଓ ଭଉଣୀମାନେ,

ଆପଣମାନଙ୍କର ଧର୍ମ ନିଷ୍ଠା ହେଉଛି ସାଗର ଠାରୁ ମଧ୍ୟ ଗଭୀର, ଆଉ ଆପଣଙ୍କର ସ୍ୱାଭିମାନ ହେଉଛି ସାଗର ମଥା ଠାରୁ ମଧ୍ୟ ଉଚ୍ଚ । ଯେପରି ମିଥିଳାର ତୁଳସୀ ଭାରତର ଅଗଣାରେ ପବିତ୍ରତା, ଶୁଦ୍ଧତା ଆଉ ମର୍ଯ୍ୟାଦାର ସୁଗନ୍ଧ ଭରି କରି ଆଣି ଥାଆନ୍ତି, ସେହିପରି ଭାବେ ନେପାଳ ପାଇଁ ଭାରତର ଆତ୍ମୀୟତା ଏହି ସଂପୂର୍ଣ୍ଣ କ୍ଷେତ୍ରକୁ ଶାନ୍ତି, ସୁରକ୍ଷା ଆଉ ସଂସ୍କାରର ତ୍ରିବେଣୀ ଦ୍ୱାରା ସିଂଚନ କରିଥାଏ ।

ମିଥିଳାର ସଂସ୍କୃତି ଆଉ ସାହିତ୍ୟ, ମିଥିଳାର ଲୋକ କଳା, ମିଥିଳାର ସ୍ୱାଗତ-ସମ୍ମାନ; ସବୁକିଛି ହିଁ ହେଉଛି ଅଦ୍ଭୁତ । ଆଉ ଆଜି ମୁଁ ଅନୁଭବ କରୁଛି, ଆପଣଙ୍କର ଭଲ ପାଇବା ଅନୁଭବ କରୁଛି, ଆପଣ ମାନଙ୍କର ଆଶୀର୍ବାଦର ଅନୁଭବ ମୋତେ ହେଉଛି । ସମଗ୍ର ଦୁନିଆରେ ମିଥିଳା ସଂସ୍କୃତିର ସ୍ଥାନ ହେଉଛି ବହୁତ ଉଚ୍ଚରେ । କବି ବିଦ୍ୟାପତିଙ୍କ ରଚନା ଗୁଡ଼ିକ ଆଜି ମଧ୍ୟ ଭାରତ ଏବଂ ନେପାଳ ମଧ୍ୟରେ ସମାନ ଭାବେ ମହତ୍ୱ ରଖିଥାଏ । ତାଙ୍କର ଶବ୍ଦର ମଧୁରତା ଆଜି ମଧ୍ୟ ଭାରତ ଏବଂ ନେପାଳ- ଦୁହିଁଙ୍କର ସାହିତ୍ୟରେ ଯୋଡ଼ି ହୋଇ ରହିଛି ।

ଜନକପୁର ଧାମକୁ ଆସି, ଆପଣମାନଙ୍କର ଆପଣାର ପଣିଆକୁ ଦେଖି ଏଭଳି ଲାଗିଲା ନାହିଁ କି ମୁଁ କୌଣସି ଅଲଗା ଜାଗାରେ ଆସି ପହଂଚି ଯାଇଛି, ସବୁକିଛି ନିଜର ଭଳି, ସମସ୍ତେ ନିଜର ଭଳିଆ, ସବୁକିଛିରେ ନିଜର ପଣିଆ, ଏ ସମସ୍ତେ ତ ହେଉଛନ୍ତି ମୋର ନିଜର  । ସାଥୀଗଣ, ନେପାଳ ଆଧ୍ୟାତ୍ମ ଆଉ ଦର୍ଶନର କେନ୍ଦ୍ର ଭାବେ  ରହି ଆସିଛି । ଏହା ହେଉଛି ସେହି ପବିତ୍ର ଭୂମି-ଯେଉଁଠାରେ ଲୁମ୍ବିନୀ ରହିଛି, ସେହି ଲୁମ୍ବିନୀ, ଯେଉଁଠାରେ ଭଗବାନ ବୁଦ୍ଧଙ୍କର ଜନ୍ମ ହୋଇଥିଲା । ସାଥୀଗଣ, ଭୂମିକନ୍ୟା ମାତା ସୀତା ସେହି ମାନବୀୟ ମୂଲ୍ୟବୋଧ ଗୁଡ଼ିକର, ସେହି ଆଦର୍ଶ, ଆଉ ସେହି ପରମ୍ପରା ଗୁଡ଼ିକର ହେଉଛନ୍ତି ପ୍ରତୀକ ଯାହା ଆମ ଦୁଇ ରାଷ୍ଟ୍ରଙ୍କୁ ଜଣଙ୍କୁ ଅନ୍ୟ ଜଣଙ୍କ ସହିତ ଯୋଡ଼ୁଛି । ଜନକଙ୍କର ନଗରୀ ସୀତା ମାତାଙ୍କ କାରଣରୁ ସ୍ତ୍ରୀ-ଚେତନାର ଗଙ୍ଗୋତ୍ରୀ ହୋଇ ରହିଛି । ସୀତା ମାତା, ଅର୍ଥାତ ତ୍ୟାଗ, ତପସ୍ୟା, ସମର୍ପଣ ଆଉ ସଂଘର୍ଷର ମୂର୍ତ୍ତି । କାଠମାଣ୍ଡୁରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମେ ସମସ୍ତେ ହେଉଛେ ସୀତା ମାତାଙ୍କ ପରମ୍ପରାର ବାହକ । ଯେଉଁ ପର୍ଯ୍ୟନ୍ତ ତାଙ୍କ ମହିମାର କଥା ଆସେ ତ ତାଙ୍କର ଆରାଧନା କରୁଥିବା ଲୋକ ତ ସମଗ୍ର ଦୁନିଆରେ ଖେଳାଇ ହୋଇ ରହିଛନ୍ତି ।

ଏହା ହେଉଛି ସେହି ଧରଣୀ ଯିଏ ଦେଖାଇଲା କି ଝିଅକୁ କିଭଳି ଭାବେ ସମ୍ମାନ ଦିଆଯାଏ । ଝିଅମାନଙ୍କୁ ସମ୍ମାନ ଦେବାର ଏହି ଶିକ୍ଷା ହେଉଛି ଆଜିର ସବୁଠାରୁ ବଡ଼ ଆବଶ୍ୟକତା । ସାଥୀଗଣ, ନାରୀ ଶକ୍ତିର ଆମର ଇତିହାସ ଆଉ ପରମ୍ପରାଗୁଡ଼ିକୁ ଯୋଡ଼ିବାରେ ମଧ୍ୟ ଏକ ବହୁତ ବଡ଼ ଭୂମିକା ରହି ଆସିଛି । ଏବେ ଯେପରି ଏଠାକାର ମିଥିଳା ଚିତ୍ରକଳାଗୁଡ଼ିକୁ, ଯଦି ସେଗୁଡ଼ିକୁ ଦେଖିବେ ତ ଏହି ପରମ୍ପରାକୁ ସବୁଠାରୁ ଆଗକୁ ବଢ଼ାଇବାରେ ସବୁଠାରୁ ଅଧିକ ଯୋଗଦାନ ଆମର ମାଆମାନଙ୍କର, ଭଉଣୀମାନଙ୍କର, ମହିଳାମାନଙ୍କର ରହିଛି । ଆଉ ମିଥିଳାର ଏହି କଳା ଆଜି ସମଗ୍ର ବିଶ୍ୱରେ ହେଉଛି ପ୍ରସିଦ୍ଧ । ଏହି କଳାରେ ମଧ୍ୟ ଆମକୁ ପ୍ରକୃତିର, ପର୍ଯ୍ୟାବରଣର ଚେତନା ପ୍ରତିକ୍ଷଣ ଦୃଷ୍ଟିକୁ ଆସେ । ଆଜି ମହିଳା ସଶକ୍ତିକରଣ ଆଉ ଜଳବାୟୁ ପରିବର୍ତ୍ତନର ଚର୍ଚ୍ଚା ଭିତରେ ମିଥିଳାର ଏହା ହେଉଛି ଦୁନିଆ ପାଇଁ ସବୁଠାରୁ ବଡ଼ ସନ୍ଦେଶ । ରାଜା ଜନକଙ୍କର ଦରବାରରେ ଗାର୍ଗୀଙ୍କ ଭଳି ବିଦୁଷୀ ଆଉ ଅଷ୍ଟବକ୍ରଙ୍କ ଭଳି ବିଦ୍ୱାନଙ୍କର ଉପସ୍ଥିତ ହେବା ଏହା ମଧ୍ୟ ପ୍ରମାଣିତ କରେ କି ଶାସନ ସହିତ ବିଦ୍ବତ୍ତା ଏବଂ ଆଧ୍ୟାତ୍ମିକତାକୁ କେତେ ମହତ୍ୱ ଦିଆ ଯାଉଥିଲା ।

ରାଜା ଜନକଙ୍କ ଦରବାରରେ ଜନ କଲ୍ୟାଣକାରୀ ନୀତିଗୁଡ଼ିକ ଉପରେ ବିଦ୍ୱାନମାନଙ୍କ ମଧ୍ୟରେ ଆଲୋଚନା ଓ ତର୍କ ହେଉଥିଲା । ରାଜା ଜନକ ସ୍ୱୟଂ ସେହି ତର୍କରେ ଭାଗ ନେଉଥିଲେ । ଆଉ ସେହି ମନ୍ଥନ ଭିତରୁ ଯେଉଁ ନିର୍ଯ୍ୟାସ ବାହାରୁ ଥିଲା ତାହାକୁ ପ୍ରଜାଙ୍କ ହିତ ପାଇଁ, ଜନତାଙ୍କ ହିତ ପାଇଁ ଆଉ ଦେଶ ହିତ ପାଇଁ ସେ ଲାଗୁ କରୁଥିଲେ । ରାଜା ଜନକଙ୍କ ପାଇଁ ତାଙ୍କର ପ୍ରଜା ହିଁ ତାଙ୍କ ପାଇଁ ସବୁକିଛି ଥିଲେ । ତାଙ୍କୁ ତାଙ୍କ ପରିବାର ସହିତ, ସମ୍ପର୍କ, ବନ୍ଧନ, କାହା ସହିତ କୌଣସି ଉଦ୍ଦେଶ୍ୟ ନ ଥିଲା । କେବଳ ଦିନ-ରାତି ନିଜ ପ୍ରଜାମାନଙ୍କ ସମ୍ପର୍କରେ ଚିନ୍ତା କରିବାକୁ ହିଁ ସେ ନିଜର ରାଜଧର୍ମ କରି ନେଇ ଥିଲେ । ତେଣୁ କରି ରାଜା ଜନକଙ୍କୁ ବିଦେହ ବୋଲି ମଧ୍ୟ କୁହାଯାଉଥିଲା । ବିଦେହ ର ଅର୍ଥ ହେଲା ଯାହାଙ୍କର ନିଜ ଦେହ ଅଥବା ଶରୀର ସହିତ ମଧ୍ୟ କୌଣସି ଉଦ୍ଦେଶ୍ୟ ନ ଥିବ ଆଉ କେବଳ ଜନ ହିତରେ ହିଁ ନିଜକୁ ସମର୍ପିତ କରି ଦେବେ, ଲୋକ କଲ୍ୟାଣ ପାଇଁ ନିଜକୁ ନିଜେ ସମର୍ପିତ କରି ଦେବେ ।

ଭାଇ ଓ ଭଉଣୀମାନେ,

ରାଜା ଜନକ ଆଉ ଜନ କଲ୍ୟାଣର ଏହି ସନ୍ଦେଶକୁ ନେଇ କରି ହିଁ ଆଜି ଭାରତ ଏବଂ ନେପାଳ ଆଗକୁ ବଢ଼ୁଛନ୍ତି । ଆପଣଙ୍କର ନେପାଳ ଆଉ ଭାରତର ସମ୍ବନ୍ଧ ରାଜନୀତି, କୁଟନୀତି, ସମର ନୀତି, ଏହାଠାରୁ ମଧ୍ୟ ଉର୍ଦ୍ଧ୍ଵରେ ଦେବନୀତି ସହିତ ବନ୍ଧା ହୋଇ ରହିଛି । ବ୍ୟକ୍ତି ଆଉ ସରକାର ଗୁଡ଼ିକ ଆସିବେ-ଚାଲିଯିବେ କିନ୍ତୁ ଆମର ସମ୍ବନ୍ଧ ଅଜର-ଅମର ହୋଇ ରହିବ । ଏ ସମୟ ଆମକୁ ମିଳିମିଶି ସଂସ୍କାର, ଶିକ୍ଷା, ଶାନ୍ତି, ସୁରକ୍ଷା ଆଉ ସମୃଦ୍ଧିର ଏହି ପଞ୍ଚବଟୀକୁ ରକ୍ଷା କରିବାର ଅଛି । ଆମେ ଏହା ମାନି ଚାଲିଛୁ କି ନେପାଳର ବିକାଶରେ ହିଁ ଆଂଚଳିକ ବିକାଶର ସୂତ୍ର ଯୋଡ଼ି ହୋଇ ରହିଛି । ଭାରତ ଏବଂ ନେପାଳର ମିତ୍ରତା କିଭଳି ରହି ଆସିଛି, ଏହାକୁ ରାମଚରିତ ମାନସର ଚୌପାଇ ଗୁଡ଼ିକ ମାଧ୍ୟମରେ ଆମେ ଖୁବ ଭଲ ଭାବରେ ବୁଝି ପାରିବା ।

ଯେ ନ ମିତ୍ର ଦୁଃଖ ହୋହିଂ ଦୁଖାରୀ ।

ତିନ୍ୟହି ବିଲୋକତ ପାତକ ଭାରୀ ।

ନିଜ ଦୁଃଖ ଗିରି ସମର ଜ କରି ଜାନା ।

ମିତ୍ରକ ଦୁଃଖ ରଜ ମେରୁ ସମାନ ।

ଅର୍ଥାତ ଯେଉଁ ଲୋକମାନେ ମିତ୍ରର ଦୁଃଖରେ ଦୁଃଖୀ ହୁଅନ୍ତି ନାହିଁ ସେମାନଙ୍କୁ ଦେଖିଲା ମାତ୍ରକେ ହିଁ ପାପ ଲାଗିଥାଏ । ଆଉ ଏଥିପାଇଁ ଯଦି ଆପଣଙ୍କର ନିଜର ଦୁଃଖ ଯଦି ପାହାଡ଼ ଭଳି ବିରାଟ ବଡ଼ ମଧ୍ୟ ହୋଇଥିବ ତା’ହେଲେ ତାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ନାହିଁ, କିନ୍ତୁ ଯଦି ମିତ୍ରଙ୍କର ଦୁଃଖ ଧୂଳି ଯେତିକ ସେତିକି ଭଳି ହୋଇଥିଲେ ମଧ୍ୟ ତାକୁ ପର୍ବତ ଭଳି ବିବେଚନା କରି ଯାହା କରି ପାରିବେ, କରିବା ଦରକାର ।

ସାଥୀଗଣ,

ଇତିହାସ ସାକ୍ଷୀ ରହିଛି କି ଯେବେ-ଯେବେ ଜଣକୁ ବା ଅନ୍ୟ ଜଣଙ୍କ ଉପରେ ବିପଦ ପଡ଼ିଛି, ଭାରତ ଆଉ ନେପାଳ, ଦୁଇ ଜଣ ମିଳିମିଶି ଠିଆ ହୋଇଛନ୍ତି । ଆମେ ପ୍ରତ୍ୟେକ ଅସୁବିଧା ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଛୁ । ଭାରତ ଦଶକ-ଦଶକ ଧରି ନେପାଳର ଏକ ସ୍ଥାୟୀ ବିକାଶ ପାଇଁ ସହଯୋଗୀ ହୋଇ ରହି ଆସିଛି । ନେପାଳ ହେଉଛି ଆମର “ପଡ଼ୋଶୀ ପ୍ରଥମ” ଏହି ନୀତିରେ ସବୁଠାରୁ ଆଗରେ ଆସିଥାଏ, ସବୁଠାରୁ ପ୍ରଥମେ ଆସେ ।

ଆଜି ଭାରତ, ଦୁନିଆର ତୃତୀୟ ବୃହତ, ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି ତ ଆପଣଙ୍କର ନେପାଳ ମଧ୍ୟ ତୀବ୍ର ଗତିରେ ବିକାଶର ଶିଖର ଆଗକୁ ଚଢ଼ି ଚାଲିଛି । ଆଜି ଏହି ସହଭାଗିତାକୁ ନୂତନ ଉର୍ଜ୍ଜା ଦେବା ପାଇଁ ମୋତେ ନେପାଳ ଆସିବାର ସୁଯୋଗ ମିଳିଲା ।

ଭାଇ ଓ ଭଉଣୀମାନେ,

ବିକାଶର ପ୍ରଥମ ସର୍ତ୍ତ ହୋଇଥାଏ ଗଣତନ୍ତ୍ର । ମୁଁ ଖୁସି ଯେ ଲୋକତାନ୍ତ୍ରିକ ପ୍ରଣାଳୀକୁ ଆପଣ ସୁଦୃଢ଼ କରୁଛନ୍ତି । ଏଇ ନିକଟରେ ହିଁ ଆପଣଙ୍କର ନିର୍ବାଚନ ହୋଇ ଯାଇଛି । ଆପଣ ଏକ ନୂତନ ସରକାର ନିର୍ବାଚିତ କରିଛନ୍ତି । ଆପଣଙ୍କର ଆଶା ଆଉ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆପଣ ଜନାଦେଶ ଦେଇଛନ୍ତି । ଗୋଟିଏ ବର୍ଷ ଭିତରେ ତିନି ସ୍ତରରେ ନିର୍ବାଚନ ସଫଳତା ପୂର୍ବକ କରାଯାଇଥିବାରୁ ମୁଁ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି । ନେପାଳର ଇତିହାସରେ ପ୍ରଥମ ଥର ପାଇଁ ନେପାଳର ସମସ୍ତ ସାତୋଟି ଯାକ ଅଂଚଳରେ ଆଂଚଳିକ ସରକାର ଗଠନ ହୋଇଛନ୍ତି । ଏହା ନା କେବଳ ନେପାଳ ପାଇଁ ଗର୍ବର ବିଷୟ ବରଂ ଭାରତ ଏବଂ ସଂପୂର୍ଣ୍ଣ କ୍ଷେତ୍ର ପାଇଁ ହେଉଛି ଗୋଟିଏ ଗର୍ବର ବିଷୟ । ନେପାଳ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ପାଇଁ ଏକ ନୂତନ ସ୍ତରରେ ପ୍ରବେଶ କରୁଛି ଯାହା କି ସୁଶାସନ ଏବଂ ସମାବେଶୀ ବିକାଶ ଉପରେ  ଆଧାରିତ ।

ଏହି ବର୍ଷ, ଦଶ ବର୍ଷ ପୂର୍ବରୁ ନେପାଳର ଯୁବକମାନେ ଗୁଳିକୁ ଛାଡ଼ି ଭୋଟଦାନ/ମତାଧିକାରର ରାସ୍ତାକୁ ବାଛି ନେଇଛନ୍ତି । ଯୁଦ୍ଧରୁ ବୁଦ୍ଧ ପର୍ଯ୍ୟନ୍ତ ଏହି ସାର୍ଥକ ପରିବର୍ତ୍ତନ ପାଇଁ ମଧ୍ୟ ମୁଁ ନେପାଳର ଲୋକମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଶୁଭକାମନା ଜଣାଉଛି । ଲୋକତାନ୍ତ୍ରିକ ମୂଲ୍ୟ ହେଉଛି ଆଉ ଗୋଟିଏ ଶୃଙ୍ଖଳ ଯାହା ଭାରତ ଆଉ ନେପାଳର ପ୍ରାଚୀନ ସମ୍ବନ୍ଧଗୁଡ଼ିକୁ ଆହୁରି ଅଧିକ ଦୃଢ଼ତା ଆଣି ଦେଇଛି । ଲୋକତନ୍ତ୍ର ହେଉଛି ସେହି ଶକ୍ତି ଯାହା ସାଧାରଣରୁ ଅସାଧାରଣ ଜନସାଧାରଣଙ୍କୁ ସ୍ୱାଧୀନ ଭାବେ ନିଜର ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ଆଉ ଅଧିକାର ଦେଇଥାଏ । ଭାରତ ଏହି ଶକ୍ତିର ଅନୁଭବ କରିଛି ଆଉ ଆଜି ଭାରତର ପ୍ରତ୍ୟେକ ନାଗରିକ ସ୍ୱପ୍ନକୁ ପୂରଣ କରିବା ଦିଗରେ ଲାଗି ପଡ଼ିଛନ୍ତି । ମୁଁ ଆପଣ ସମସ୍ତଙ୍କ ଆଖିରେ ସେ ଚମକ ଦେଖି ପାରୁଛି କି ଆପଣ ମଧ୍ୟ ନିଜର ନେପାଳକୁ ସେହି ରାସ୍ତାରେ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି । ମୁଁ ଆପଣମାନଙ୍କ ଆଖିରେ ନେପାଳ ପାଇଁ ସେହି ଭଳି ହିଁ ସ୍ୱପ୍ନ ଦେଖୁଛି ।

ସାଥୀଗଣ,

ଏଇ ନିକଟରେ ନେପାଳର ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀମାନ ଓଲି ମହାଶୟଙ୍କୁ ସ୍ୱାଗତ କରିବାର ସୁଯୋଗ ମୋତେ ଦିଲ୍ଲୀରେ ମିଳିଥିଲା । ନେପାଳକୁ ନେଇ ତାଙ୍କର ଦୃଷ୍ଟିଭଙ୍ଗୀ କ’ଣ ରହିଛି, ଏହା ଜାଣିବାର ମୋତେ ସୁଯୋଗ ମିଳିଥିଲା । ଓଲି ମହାଶୟ ସମୃଦ୍ଧ ନେପାଳ, ସୁଖୀ ନେପାଳର ସ୍ୱପ୍ନ ସଜେଇଛନ୍ତି । ନେପାଳର ସମୃଦ୍ଧି ଆଉ ସୁଖ ସମୃଦ୍ଧିର କାମନା ଭାରତ ମଧ୍ୟ ସର୍ବଦା କରି ଆସିଛି, କରି ଚାଲିଥିବ । ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କୁ, ତାଙ୍କର ଏହି ଦୃଷ୍ଟିଭଙ୍ଗୀକୁ ପୂରଣ କରିବା ପାଇଁ ଶହେ ପଚିଶ କୋଟି ହିନ୍ଦୁସ୍ଥାନୀଙ୍କ ତରଫରୁ, ଭାରତ ସରକାରଙ୍କ ତରଫରୁ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି । ଏହା ହେଉଛି ଠିକ୍ ସେହି ଭଳି ଚିନ୍ତାଧାରା ଯେପରି ମୋର ଭାରତ ପାଇଁ ରହିଛି ।

ଭାରତରେ ଆମ ସରକାର ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶର ମୂଳମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି । ସମାଜର ଗୋଟିଏ ହେଲେ ମଧ୍ୟ ଭାଗ, ଦେଶର ଗୋଟିଏ ହେଲେ ମଧ୍ୟ ଅଂଶ ବିକାଶର ଧାରାରୁ ଛାଡ଼ି ହୋଇ ରହି ନ ଯାଉ, ଏଭଳି ପ୍ରୟାସ ଆମେ ଲଗାତାର କରି ଚାଲିଛୁ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ; ପ୍ରତ୍ୟେକ ଦିଗରେ ବିକାଶର ରଥ ଦୌଡ଼ି ଚାଲିଛି । ବିଶେଷ ଭାବେ ଆମ ସରକାରଙ୍କର ଧ୍ୟାନ ସେହି ଅଂଚଳମାନଙ୍କରେ ଅଧିକ ରହିଛି ଯେଉଁଠାକୁ ଏ ପର୍ଯ୍ୟନ୍ତ ବିକାଶର କିରଣ ପହଂଚି ପାରିନାହିଁ । ଏଥିରେ ପୂର୍ବାଂଚଳ ଅର୍ଥାତ ପୂର୍ବ ଭାରତ ଯାହା ନେପାଳ ସୀମାରେ ଲାଗି ରହିଛି, ଏହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଉତ୍ତର ପ୍ରଦେଶରୁ ନେଇ ବିହାର ପର୍ଯ୍ୟନ୍ତ, ଉତ୍ତର-ପୂର୍ବାଂଚଳ, ପଶ୍ଚିମବଙ୍ଗରୁ ନେଇ ଓଡ଼ିଶା ପର୍ଯ୍ୟନ୍ତ, ଏହି ସଂପୂର୍ଣ୍ଣ କ୍ଷେତ୍ରକୁ ଦେଶର ଅନ୍ୟ ଅଂଚଳ ସହିତ ସମକକ୍ଷ ହୋଇ ଠିଆ କରାଇବାର ସଂକଳ୍ପ ଆମେ ନେଇଛୁ । ଏହି କ୍ଷେତ୍ରରେ ଯେଉଁ କାମ ମଧ୍ୟ କରାଯାଉଛି, ଏହାର ଲାଭ ନିଶ୍ଚିତ ଭାବେ ପଡ଼ୋଶୀ ହିସାବରେ ନେପାଳକୁ ସବୁଠାରୁ ଅଧିକ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ମୁଁ ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶର କଥା କହୁଛି ତ କେବଳ ଭାରତ ପାଇଁ ହିଁ ନୁହେଁ, ସମସ୍ତ ପଡ଼ୋଶୀ ଦେଶମାନଙ୍କ ପାଇଁ ମଧ୍ୟ ମୋର ଏହି ଅଭିଳାଷ ରହିଛି । ଆଉ ଏବେ, ଯେତେବେଳେ ନେପାଳରେ ‘ସମୃଦ୍ଧ ନେପାଳ-ସୁଖୀ ନେପାଳ’ ର କଥା ହୋଇଥାଏ ତ ମୋର ମନ ମଧ୍ୟ ଅଧିକ ଆନନ୍ଦିତ ହୋଇ ଯାଇଥାଏ । ଶହେ ପଚିଶ କୋଟି ଭାରତବାସୀଙ୍କୁ ମଧ୍ୟ ବହୁତ ଖୁସୀ ହୋଇଥାଏ । ଜନକପୁରର ମୋର ଭାଇ ଓ ଭଉଣୀମାନେ, ଆମେ ଭାରତରେ ଏକ ବହୁତ ବଡ଼ ସଂକଳ୍ପ ନେଇଛୁ, ଏହି ସଂକଳ୍ପ ହେଉଛି ନିଉ ଇଣ୍ଡିଆ ବା ନୂଆ ଭାରତର ।

2022ରେ ଭାରତର ସ୍ୱାଧୀନତାର 75 ବର୍ଷ ପୂରଣ ହେଉଛି । ସେ ପର୍ଯ୍ୟନ୍ତ ଶହେ ପଚିଶ କୋଟି ହିନ୍ଦୁସ୍ଥାନୀଙ୍କୁ ନିଉ ଇଣ୍ଡିଆ ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ । ଆମେ ଏକ ନୂତନ ଭାରତ ନିର୍ମାଣ କରୁଛୁ ଯେଉଁଠାରେ ଗରିବରୁ ଅତି ଗରିବ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଗତିର ସମାନ ସୁଯୋଗ ମିଳିବ । ଯେଉଁଠାରେ ଭେଦଭାବ, ଉଚ୍ଚ-ନିଚ୍ଚର କୌଣସି ସ୍ଥାନ ନଥିବ, ସମସ୍ତଙ୍କ ସମ୍ମାନ ହେଉ । ଯେଉଁଠାରେ ପିଲାଙ୍କ ପାଠ ପଢ଼ା, ଯୁବକମାନଙ୍କୁ ଆୟ ଏବଂ ବୟସ୍କ ମାନଙ୍କୁ ଔଷଧ, ଏହା ପ୍ରାପ୍ତ ହେଉ । ଜୀବନ ସହଜ ହେଉ, ସାଧାରଣ ଜନତାଙ୍କୁ ବ୍ୟବସ୍ଥା ସହିତ ସଂଘର୍ଷ କରିବାକୁ ନ ପଡ଼ୁ । ଭ୍ରଷ୍ଟାଚାର ଏବଂ ଦୂରାଚାର ରହିତ ସମାଜ ହେଉ ଆଉ ବ୍ୟବସ୍ଥା ମଧ୍ୟ ହେଉ, ଏଭଳି ନିଉ ଇଣ୍ଡିଆ ଆଡ଼କୁ ଆମେ ଅଗ୍ରସର ହେଉଛୁ ।

ଆମେ ଭାରତ ଏବଂ ପ୍ରଶାସନରେ ଅନେକ ସଂସ୍କାର କରିଛୁ । ପ୍ରକ୍ରିୟା ଗୁଡିକୁ ସରଳ କରିଛୁ ଆଉ ଦୁନିଆ ଆମର ଏହି ପଦକ୍ଷେପକୁ, ଆମେ ଯେଉଁ ପଦକ୍ଷେପ ଉଠାଇଛୁ, ଆଜି ଦୁନିଆରେ ଚାରିଆଡେ ତାହାର ପ୍ରଶଂସା ହେଉଛି । ଆମେ ରାଷ୍ଟ୍ର ନିର୍ମାଣ ଆଉ ଜନ ଭାଗିଦାରୀର ସମ୍ବନ୍ଧ ଆହରି ମଜବୁତ କରୁଛୁ । ନେପାଳର ସାଧାରଣ ମଣିଷର ଜୀବନରେ ମଧ୍ୟ ହସଖୁସି ଭରି ଦେବା ପାଇଁ ଯୋଗଦାନ ନିମନ୍ତେ ଶହେ ପଚିଶ କୋଟି ହିନ୍ଦୁସ୍ଥାନୀଙ୍କୁ ମଧ୍ୟ ଖୁସି ଲାଗିବ, ଏହା ମୁଁ ଆପଣମାନଙ୍କୁ ବିଶ୍ୱାସ କରିବା ପାଇଁ କହିବାକୁ ଆସିଛି ।

ସାଥୀଗଣ, ବନ୍ଧୁତା ସେତେବେଳେ ଆହୁରି ପ୍ରଗାଢ ହୋଇଥାଏ ଯେତେବେଳେ ଆମେ ଜଣେ-ଅନ୍ୟଜଣଙ୍କ ଘରକୁ ଯିବା-ଆସିବା କରିଥାଉ । ମୁଁ ଖୁସି ଯେ, ନେପାଳର ପ୍ରଧାନମନ୍ତ୍ରୀ ଭାରତ ଯାତ୍ରା କରିବାର ତୁରନ୍ତ ପରେ ଆଜି ମୋତେ ଏଠାକୁ ଆପଣମାନଙ୍କ ମଧ୍ୟକୁ ଆସିବାର ସୁଯୋଗ ସୁଯୋଗ ମିଳିଛି । ଯେପରି ମୁଁ ଏଠାକୁ ବାରମ୍ବାର ଆସୁଛି, ଠିକ ସେହିପରି ଦୁଇ ଦେଶର ଲୋକ ମଧ୍ୟ ବିନା ପ୍ରତିବନ୍ଧକରେ ଯିବା-ଆସିବା କରିବା ଦରକାର ।

ଆମେ ହିମାଳୟ ପର୍ବତ ସହିତ ଯୋଡି ହୋଇଛୁ, ତରାଇର ବିଲ-ବାଡି ସହିତ ଯୋଡି ହୋଇଛୁ, ଅଗଣିତ କଚ୍ଚା-ପକ୍କା ରାସ୍ତା ସହିତ ଯୋଡି ହୋଇଛୁ । ଛୋଟ-ବଡ଼ ବାର-ବାରଟି ନଦୀ ସହିତ ଯୋଡି ହୋଇଛୁ ଆଉ ଆମେ ନିଜର ଉନ୍ମୁକ୍ତ ସୀମା ସହିତ ମଧ୍ୟ ଯୋଡି ହୋଇଛୁ । କିନ୍ତୁ ଆଜିର ଯୁଗରେ କେବଳ ଏତିକି ହିଁ ଯଥେଷ୍ଟ ନୁହେଁ । ମୋତେ ଯେତିକି ବିଷୟରେ ଅବଗତ କରାଗଲା, ମୁଁ ବହୁତ ସଂକ୍ଷିପ୍ତରେ ଶେଷ କରି ଦେବି । ଆମକୁ ରାଜପଥରେ ଯୋଡ଼ି ହେବାର ଅଛି, ଆମକୁ ସୂଚନା ପଥ ଅର୍ଥାତ୍ ଆଇ-ୱେ ସହିତ ଯୋଡ଼ି ହେବାର ଅଛି, ଆମକୁ ଟ୍ରାନ୍ସ ୱେଜ୍ ଅର୍ଥାତ୍ ବିଜୁଳି ଲାଇନ୍ ସହିତ ମଧ୍ୟ ଯୋଡ଼ି ହେବାର ଅଛି, ଆମକୁ ରେଳବାଇ ସହିତ ମଧ୍ୟ ଯୋଡ଼ି ହେବାର ଅଛି, ଆମକୁ ସୀମା ତନଖି ଫାଟକ ସହିତ ମଧ୍ୟ ଯୋଡ଼ି ହେବାର ଅଛି, ଆମକୁ ବିମାନ ସେବାର ସଂପ୍ରସାରଣ ସହିତ ମଧ୍ୟ ଯୋଡ଼ି ହେବାର ଅଛି । ଆମକୁ ଅନ୍ତର୍ଦ୍ଦେଶୀୟ ଜଳପଥ ସହିତ ମଧ୍ୟ ଯୋଡ଼ି ହେବାର ଅଛି, ଆମକୁ ଜଳପଥ ସହିତ ମଧ୍ୟ ଯୋଡ଼ି ହେବାର ଅଛି । ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ, ଅବା ମହାକାଶ ହେଉ, ଆମକୁ ନିଜ ମଧ୍ୟରେ ଯୋଡ଼ି ହେବାର ଅଛି । ଲୋକମାନଙ୍କ ମଧ୍ୟରେ ସଂପର୍କ ସୁଦୃଢ଼ ହେଉ, ପ୍ରସ୍ଫୁଟିତ ହେଉ, ଆଉ ମଜବୁତ ହେଉ, ଏଥିପାଇଁ ଯୋଗାଯୋଗ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି କାରଣ କି ଭାରତ ଆଉ ନେପାଳ ମଧ୍ୟରେ ଯୋଗାଯୋଗକୁ ଆମେ ପ୍ରାଥମିକତା ଦେଉଛୁ ।

ଆଜି ହିଁ ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କ ସହିତ ମିଶି ମୁଁ ଜନକପୁରରୁ ଅଯୋଧ୍ୟା ମଧ୍ୟରେ ବସ୍ ସେବା ଉଦ୍ଘାଟନ କରିଛି । ଗତ ମାସରେ ପ୍ରଧାନମନ୍ତ୍ରୀ ଓଲି ମହାଶୟ ଆଉ ମୁଁ ବୀରଗଞ୍ଜରେ ପ୍ରଥମ ସମନ୍ୱିତ ତନଖି ଫାଟକ ଉଦ୍ଘାଟନ କରିଥିଲୁ । ଯେତେବେଳେ ଏହି ଫାଟକ ସଂପୂର୍ଣ୍ଣ ଭାବେ କାମ ଆରମ୍ଭ କରିବ, ସେତେବେଳେ ସୀମାରେ ବ୍ୟବସାୟ ଏବଂ ଯିବା ଆସିବା ଆହୁରି ସହଜ ହୋଇଯିବ । ଜୟନଗର-ଜନକପୁର ରେଳ ଲାଇନ୍ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ଭାଇ ଓ ଭଉଣୀମାନେ,

ଏହି ବର୍ଷ ଶେଷ ସୁଦ୍ଧା ଏହି ଲାଇନକୁ ସଂପୁର୍ଣ୍ଣ କରିବାର ପ୍ରୟାସ କରାଯାଉଛି । ଯେତେବେଳେ ଏହି ରେଳ ଲାଇନ୍ ନିର୍ମାଣ ଶେଷ ହୋଇଯିବ, ସେତେବେଳେ ନେପାଳ-ଭାରତର ବିଶାଳ ନେଟୱାର୍କ, ରେଳ ନେଟୱାର୍କରେ ଯୋଡ଼ି ହୋଇଯିବ । ଏବେ ଆମେ ବିହାରର ରକ୍ସୌଲ ହୋଇ କାଠମାଣ୍ଡୁକୁ ଭାରତ ସହିତ ଯୋଡ଼ିବା ପାଇଁ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଏତିକି ହିଁ ନୁହେଁ, ଆମେ ଜଳପଥରେ ମଧ୍ୟ ଭାରତ ଏବଂ ନେପାଳକୁ ଯୋଡ଼ିବା ପାଇଁ ପ୍ରୟାସ କରୁଛୁ । ନେପାଳର ଜଳ, ଭାରତର ଜଳପଥ ମାଧ୍ୟମରେ ସମୁଦ୍ର ସହିତ ମଧ୍ୟ ଯୋଡ଼ି ହୋଇଯିବ । ଏହିସବୁ ଜଳମାର୍ଗ ଦ୍ୱାରା ନେପାଳରେ ତିଆରି ଜିନିଷ ବିଶ୍ୱର ଅନେକ ଦେଶ ପର୍ଯ୍ୟନ୍ତ ସହଜରେ ପହଂଚି ପାରିବ । ଏହାଦ୍ୱାରା ନେପାଳରେ ଉଦ୍ୟୋଗ ପ୍ରତିଷ୍ଠା ହେବ, ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପ ଗୁଡ଼ିକ ନେପାଳରେ ନା କେବଳ ସାମାଜିକ, ଆର୍ଥିକ ପରିବର୍ତ୍ତନ ପାଇଁ ଜରୁରୀ ଅଟେ, ବରଂ କାରବାର ହିସାବରେ ମଧ୍ୟ ବହୁତ ଆବଶ୍ୟକ ଅଟେ ।

ଆଜି ଭାରତ ଏବଂ ନେପାଳ ମଧ୍ୟରେ ବଡ଼ ମାତ୍ରାରେ ବ୍ୟବସାୟ ହେଉଛି । ବ୍ୟବସାୟ ପାଇଁ ଲୋକ ଏଠାକୁ-ସେଠାକୁ ଯିବା-ଆସିବା ମଧ୍ୟ କରୁଛନ୍ତି । ଗତ ମାସରେ ଆମେ କୃଷି କ୍ଷେତ୍ରରେ ଏକ ନୂତନ ଭାଗିଦାରୀର ଘୋଷଣା କରିଛୁ । ମୁଖ୍ୟମନ୍ତ୍ରୀ ମହାଶୟ ଆପଣ କହୁଥିଲେ କି, ଆମେ ଏକ ନୂତନ ଭାଗିଦାରୀର ଘୋଷଣା କରିଛୁ ଆଉ ଏହି ଭାଗିଦାରୀର ଅଧୀନରେ କୃଷି କ୍ଷେତ୍ରରେ ସହଯୋଗକୁ ଆହୁରି ପ୍ରୋତ୍ସାହନ ଦିଆଯିବ । ଦୁଇ ଦେଶର କୃଷକମାନଙ୍କର ଆୟ କିପରି ବଢ଼ି ପାରିବ, ଏହି ବିଷୟ ଉପରେ ଧ୍ୟାନ ଦିଆଯିବ । କୃଷି କ୍ଷେତ୍ରରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରରେ ଆମେ ସହଯୋଗ ବଢ଼ାଇବା ।     

ଭାଇ ଓ ଭଉଣୀମାନେ,

ଆଜିର ଯୁଗରେ ଟେକ୍ନୋଲଜି ବିନା ବିକାଶ ସମ୍ଭବ ନୁହେଁ । ଭାରତ ମହାକାଶ ଟେକ୍ନୋଲଜିରେ ଦୁନିଆରେ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ରହିଛି । ଆପଣମାନଙ୍କର ମନେଥିବ, ଯେତେବଳେ ମୁଁ ପ୍ରଥମ ଥର ନେପାଳ ଆସିଥିଲି, ସେତେବେଳେ ମୁଁ କହିଥିଲି କି ଭାରତ-ନେପାଳ ଭଳି ନିଜ ପଡ଼ୋଶୀମାନଙ୍କ ପାଇଁ ଏକ ଉପଗ୍ରହ ଭାରତ ପଠାଇବ । ନିଜର ପ୍ରତିଶୃତିକୁ ମୁଁ ଗତ ବର୍ଷ ପୂରଣ କରି ସାରିଛି । ଗତ ବର୍ଷ ପଠାଯାଇଥିବା ଦକ୍ଷିଣ ଏସିଆ ଉପଗ୍ରହ ଆଜି ସଂପୂର୍ଣ୍ଣ କ୍ଷମତାର ସହିତ ନିଜର କାର୍ଯ୍ୟ କରୁଛି ଆଉ ନେପାଳକୁ ଏଥିରୁ ସଂପୂର୍ଣ୍ଣ ଭାବେ ଲାଭ ମିଳୁଛି ।

ଭାଇ ଓ ଭଉଣୀମାନେ,

ଭାରତ ଏବଂ ନେପାଳର ବିକାଶ ପାଇଁ ପାଞ୍ଚଟି ‘ଟି’, ଫାଇଭ୍ ‘ଟି’ ପଥରେ ଆମେ ଚାଲୁଛୁ । ପ୍ରଥମ ‘ଟି’ ହେଉଛି  (Tradition) ପରମ୍ପରା, ଦ୍ୱିତୀୟ ‘ଟି’ ହେଉଛି (Trade) ବ୍ୟବସାୟ, ତୃତୀୟ ‘ଟି’ ହେଉଛି (Tourism) ପର୍ଯ୍ୟଟନ, ଚତୁର୍ଥ ‘ଟି’ ହେଉଛି (Technology) ଟେକ୍ନୋଲଜି ଆଉ ପଂଚମ ‘ଟି’ ହେଉଛି (Transport) ପରିବହନ ଅର୍ଥାତ୍ ପରମ୍ପରା, ବ୍ୟବସାୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ପରିବହନ ମାଧ୍ୟମରେ ଆମେ ନେପାଳ ଆଉ ଭାରତକୁ ବିକାଶ ପଥରେ ଆଗକୁ ନେଇ ଯିବାକୁ ଚାହୁଁଛୁ ।

ସାଥୀଗଣ, ସଂସ୍କୃତି ବ୍ୟତୀତ ଭାରତ ଆଉ ନେପାଳ ମଧ୍ୟରେ ବ୍ୟବସାୟିକ ସଂପର୍କ ମଧ୍ୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳ । ନେପାଳ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶ କରୁଛି । ଆଜି ଭାରତରୁ ପ୍ରାୟ 450 ମେଗାୱାଟ ବିଜୁଳି ନେପାଳକୁ ଯୋଗାଇ ଦିଆ ଯାଉଛି, ଏଥିପାଇଁ ଆମେ ନୂତନ ପରିବହନ ଲାଇନ୍ ବିଛାଇଛୁ ।

ସାଥୀଗଣ, 2014ରେ ନେପାଳର ସମ୍ବିଧାନ ସଭାରେ ମୁଁ କହିଥିଲି କି ଟ୍ରକ ମାଧ୍ୟମରେ ତେଲ କାହିଁକି ଆସିବା ଦରକାର, ସିଧା ସଳଖ ପାଇପ୍ ଲାଇନ୍ ଦ୍ୱାରା କାହିଁକି ନୁହେଁ । ଆପଣମାନେ ଏହା ଜାଣି ଖୁସି ହେବେ କି ଆମେ ମୋତିହାରୀ-ଅମଲେଖଗଞ୍ଜ ତୈଳ ପାଇପ୍ ଲାଇନର କାମ ମଧ୍ୟ ଆରମ୍ଭ କରି ଦେଇଛୁ ।

ଭାରତରେ ଆମ ସରକାର ସ୍ୱଦେଶ ଦର୍ଶନ ନାମରେ ଯୋଜନା ଚଳାଉଛନ୍ତି । ଯାହା ଅଧୀନରେ ଆମେ ନିଜର ଐତିହାସିକ କୀର୍ତ୍ତିରାଜି ଆଉ ଧର୍ମବିଶ୍ଵାସର ସ୍ଥାନକୁ ନିଜ ମଧ୍ୟରେ ଯୋଡ଼ୁଛୁ । ରାମାୟଣ ସର୍କିଟରେ ଆମେ ସେହି ସମସ୍ତ ସ୍ଥାନକୁ ଯୋଡ଼ୁଛୁ, ଯେଉଁ-ଯେଉଁଠାରେ ଭଗବାନ ରାମ ଏବଂ ମାତା ଜାନକୀଙ୍କର ପାଦ ପଡ଼ିଛି । ଏବେ ସେହି ଶୃଙ୍ଖଳରେ ନେପାଳକୁ ମଧ୍ୟ ଯୋଡ଼ିବା ଦିଗରେ ଆମେ ଆଗକୁ ବଢ଼ୁଛୁ । ଏଠାରେ ଯେଉଁ-ଯେଉଁଠାରେ ରାମାୟଣର ଚିହ୍ନ ଅଛି, ତାହାକୁ ଭାରତର ଅନେକ ଅଂଶ ସହିତ ଯୋଡ଼ି କରି ଶ୍ରଦ୍ଧାଳୁମାନଙ୍କୁ ଶସ୍ତା ଆଉ ଆକର୍ଷକ ଯାତ୍ରାର ଆନନ୍ଦ ମିଳୁ ଆଉ ସେମାନେ ବହୁତ ବଡ଼ ମାତ୍ରାରେ ନେପାଳ ଆସନ୍ତୁ, ଏଠାକାର ପର୍ଯ୍ୟଟନର ବିକାଶ ହେଉ ।

ଭାଇ ଓ ଭଉଣୀମାନେ,

ପ୍ରତିବର୍ଷ ବିବାହ ପଞ୍ଚମୀରେ ଭାରତରୁ ହଜାର-ହଜାର ଶ୍ରଦ୍ଧାଳୁ ଅବଧରୁ ଜନକପୁର ଆସନ୍ତି । ବର୍ଷ ସାରା ପରିକ୍ରମା ପାଇଁ ଭକ୍ତମାନଙ୍କର ଧାଡ଼ି ଲାଗି ରହିଥାଏ । ଶ୍ରଦ୍ଧାଳୁମାନଙ୍କୁ କୌଣସି ଅସୁବିଧା ନ ହେଉ, ଏଥିପାଇଁ ମୁଁ ଏହି ଘୋଷଣା କରି ଖୁସି ହେଉଛି କି ଜନକପୁର ଆଉ ଏହାର ଆଖପାଖ ଅଂଚଳର ବିକାଶ ପାଇଁ ନେପାଳ ସରକାରଙ୍କର ଯୋଜନାରେ ଆମେ ସହଯୋଗ ଦେବୁ । ଭାରତ ତରଫରୁ ଏହି କାର୍ଯ୍ୟ ପାଇଁ ଏକ ଶହ କୋଟି ଟଙ୍କାର ସହାୟତା ଦିଆଯିବ । ଏହି କାର୍ଯ୍ୟରେ ନେପାଳ ସରକାର ଆଉ ପ୍ରାଦେଶିକ ସରକାରଙ୍କ ସହିତ ମିଶି ପ୍ରକଳ୍ପର ଚିହ୍ନଟ କରାଯିବ । ଏହା ରାଜା ଜନକଙ୍କ ସମୟରୁ ପରମ୍ପରା ଚାଲି ଆସିଛି କି ଜନକପୁର ଧାମ କେବଳ ଅଯୋଧ୍ୟାକୁ ହିଁ ନୁହେଁ, ସମଗ୍ର ସମାଜ ପାଇଁ କିଛି ନା କିଛି ଦେଇଛନ୍ତି । ଜନକପୁର ଧାମ ଦେଇଛି, ମୁଁ ତ କେବଳ ଏଠି ମାଆ ଜାନକୀଙ୍କୁ ଦର୍ଶନ କରିବାକୁ ଆସିଥିଲି । ଜନକପୁର ପାଇଁ ଏହି ଘୋଷଣା ଭାରତର ଶହେ ପଚିଶ କୋଟି ଜନତାଙ୍କ ତରଫରୁ ମାଆ ଜାନକୀଙ୍କ ପାଦ ତଳେ ମୁଁ ସମର୍ପିତ କରୁଛି ।

ଏହିଭଳି ହିଁ ଆଉ ଦୁଇଟି କାର୍ଯ୍ୟକ୍ରମ ଅଛି । ବୁଦ୍ଧ ସର୍କିଟ ଆଉ ଜୈନ ସର୍କିଟ, ଏହା ମାଧ୍ୟମରେ ବୁଦ୍ଧ ଏବଂ ମହାବୀର ଜୈନଙ୍କ ସହିତ ଜଡ଼ିତ ଯେତେସବୁ ସଂସ୍ଥା ଭାରତରେ ରହିଛି, ସେମାନଙ୍କୁ ପରସ୍ପର ମଧ୍ୟରେ ଯୋଡ଼ା ଯାଉଛି । ନେପାଳରେ ବୌଦ୍ଧ ଆଉ ଜୈନ ଆସ୍ଥା ଓ ଧର୍ମବିଶ୍ଵାସର ଅନେକ ସ୍ଥାନ ଅଛି । ଏହା ମଧ୍ୟ ଦୁଇ ଦେଶର ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଏକ ଭଲ ବନ୍ଧନ ସୃଷ୍ଟି କରିବାର କାର୍ଯ୍ୟ ହୋଇ ପାରିବ । ଏହା ଦ୍ୱାରା ନେପାଳରେ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଡ଼ି ହେବ ।

ଭାଇ ଓ ଭଉଣୀ ମାନେ,

ଆମର ଖାଦ୍ୟ ପାନୀୟ ଏବଂ କଥାବାର୍ତ୍ତାରେ ବହୁତ ଗୁଡ଼ିଏ ସମାନତା ରହିଛି । ମୈଥିଳୀ ଭାଷାଭାଷୀଙ୍କ ସଂଖ୍ୟା ଆମ ଭାରତରେ ଯେତିକି ଅଛି, ଏଠାରେ ନେପାଳରେ ମଧ୍ୟ ସେତିକି ଅଛନ୍ତି । ମୈଥିଳୀ କଳା, ସଂସ୍କୃତି ଆଉ ସଭ୍ୟତାର ଚର୍ଚ୍ଚା ବିଶ୍ୱ ସ୍ତରରେ ହୋଇଥାଏ । ଦୁଇ ଦେଶ ଯେତେବେଳେ ମୈଥିଳୀର ବିକାଶ ପାଇଁ ଯେତେବେଳେ ମିଳିମିଶି ସାମୁହିକ ପ୍ରୟାସ କରିବେ, ତେବେ ଏହି ଭାଷାର ବିକାଶ ଆହୁରି ଅଧିକ ସମ୍ଭବ ହେବା ସହଜ ହୋଇଯିବ । ମୁଁ ଜାଣି ପାରୁଛି କିଛି ମୈଥିଳୀ ଫିଲ୍ମ ନିର୍ମାତା ଏବେ ନେପାଳ-ଭାରତ ସମେତ କତାର ଆଉ ଦୁବାଇରେ ମଧ୍ୟ ଏକ ସଙ୍ଗେ ନୂତନ ମୈଥିଳୀ ଫିଲ୍ମ ରିଲିଜ୍ କରିବାକୁ ଯାଉଛନ୍ତି । ଏହା ହେଉଛି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଏହାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଯେଉଁ ପ୍ରକାରରେ ଏଠାରେ ମୈଥିଳୀ କହୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଅଛି, ଠିକ୍ ସେହିପରି ଭାରତରେ ନେପାଳୀ କହୁଥିବା ଲୋକଙ୍କ ସଂଖ୍ୟା ହେଉଛି ଅଧିକ । ନେପାଳୀ ଭାଷାର ସାହିତ୍ୟର ଅନୁବାଦକୁ ମଧ୍ୟ ପ୍ରୋତ୍ସାହନ ଦେବାର ପ୍ରୟାସ ମଧ୍ୟ ଜାରି ରହିଛି । ଆପଣମାନଙ୍କୁ ଏହା ମଧ୍ୟ କହି ଦେଉଛି କି ନେପାଳୀ ଭାରତର ସେହି ଭାଷାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁ ଭାଷା ଗୁଡ଼ିକୁ ଭାରତୀୟ ସମ୍ବିଧାନ ମାନ୍ୟତା ଦେଇଛି ।

ଭାଇ ଓ ଭଉଣୀ ମାନେ,

ଆଉ ଏକ କ୍ଷେତ୍ର ଅଛି ଯେଉଁଠାରେ ଆମର ଏହି ଭାଗିଦାରୀ ଆହୁରି ଆଗକୁ ବଢ଼ି ପାରିବ । ଭାରତର ଜନତା ସ୍ୱଚ୍ଛତାର ଏକ ବହୁତ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ଏଠାରେ ବିହାର ଏବଂ ପଡ଼ୋଶୀ ଅନ୍ୟ ରାଜ୍ୟଗୁଡ଼ିକରେ, ଯେତେବେଳେ ଆପଣ ନିଜ ସମ୍ପର୍କୀୟଙ୍କ ପାଖକୁ ଯାଆନ୍ତି, ସେତେବେଳେ ଆପଣ ମଧ୍ୟ ଦେଖିଥିବେ ଆଉ ଶୁଣିଥିବେ-କେବଳ ତିନି ଚାରି ବର୍ଷରେ ହିଁ 80 ପ୍ରତିଶତରୁ ଅଧିକ ଭାରତର ଗାଁ ଗୁଡ଼ିକ ଖୋଲା ଶୌଚରୁ ମୁକ୍ତ ହୋଇସାରିଛି । ଭାରତର ପ୍ରତ୍ୟେକ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ସୁନିଶ୍ଚିତ କରାଯାଇଛି । ମୁଁ ଏହା ଜାଣି ବହୁତ ଖୁସି ଯେ ସ୍ୱଚ୍ଛ ଭାରତ ଆଉ ସ୍ୱଚ୍ଛ ଗଙ୍ଗା ଭଳି ଆପଣମାନେ ମଧ୍ୟ, ଆଉ ମେୟର ମହାଶୟଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି, ଜନକପୁରର ଐତିହାସିକ, ଧାର୍ମିକ ସ୍ଥାନଗୁଡ଼ିକୁ ପରିଷ୍କାର କରିବାର ସଫଳ ଅଭିଯାନ ଚଲାଇଛନ୍ତି । ପୌରାଣିକ ମହତ୍ୱ ଥିବା ସ୍ଥାନଗୁଡ଼ିକୁ ସଜାଡ଼ିବାର ପ୍ରୟାସରେ ନେପାଳର ଯୁବକମାନଙ୍କୁ ଯୋଡ଼ିବା ହେଉଛି ଆହୁରି ଖୁସିର କଥା ।

ମୁଁ ବିଶେଷ କରି ଏଠାକାର ମେୟରଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି, ସେମାନଙ୍କ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି, ଏଠାକାର ଯୁବକମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି, ଏଠାକାର ବିଧାୟକମାନଙ୍କୁ, ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ଯେଉଁମାନେ ସ୍ୱଚ୍ଛ ଜନକପୁର ଅଭିଯାନକୁ ଆଗକୁ ବଢ଼ାଇଛନ୍ତି ।

ଭାଇ ଓ ଭଉଣୀ ମାନେ, ଆଜି ମୁଁ ମାଆ ଜାନକୀଙ୍କର ଦର୍ଶନ କଲି । କାଲି ମୁକ୍ତିନାଥ ଧାମ ଆଉ ପୁଣି ପଶୁପତିନାଥଙ୍କର ମଧ୍ୟ ଆଶୀର୍ବାଦ ନେବାର ମୋତେ ସୁଯୋଗ ମିଳିବ । ମୋର ବିଶ୍ୱାସ ଅଛି କି ଦେବତାଙ୍କର ଆଶୀର୍ବାଦ ଆଉ ଜନତା ଜନାର୍ଦ୍ଦନଙ୍କ ଆଶିଷ, ଯାହା ମଧ୍ୟ, ଯାହା ମଧ୍ୟ ବୁଝୁଥିବେ, ତାହା ସମୃଦ୍ଧ ନେପାଳ ଆଉ ସୁଖ ଶାନ୍ତିରେ ପରିପୂର୍ଣ୍ଣ ଭାରତର ସଂକଳ୍ପକୁ ସାକାର କରିବାରେ ସହାୟକ ହେବ ।

ପୁଣି ଥରେ ମୁଁ ନେପାଳର ପ୍ରଧାନମନ୍ତ୍ରୀ ଆଦରଣୀୟ ଓଲି ମହାଶୟଙ୍କର, ରାଜ୍ୟ ସରକାରଙ୍କର, ନଗର ସରକାରଙ୍କର ଏବଂ ଏଠାକାର ଜନତା-ଜନାର୍ଦ୍ଦନଙ୍କୁ ଅନ୍ତଃକରଣ ପୂର୍ବକ କୃତଜ୍ଞତା ଜଣାଉଛି, ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

ଜୟ ସିୟାରାମ । ଜୟ ସିୟାରାମ ।

 

**********