ପିଏମଇଣ୍ଡିଆ
ବନ୍ଧୁଗଣ,
ବିଶ୍ୱ ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାର ପ୍ରାଣକେନ୍ଦ୍ର ଭାବେ ସୁପରିଚିତ ନ୍ୟୁୟର୍କଠାରେ ଆପଣମାନଙ୍କ ସହ ଭେଟ ହେବା ମୋ ପାଇଁ ସୌଭାଗ୍ୟର କଥା । ମୋତେ ଭାରତର ଅନୁଭବ ଏବଂ ସୁଯୋଗ ସଂପର୍କରେ, ଭାରତର ଆଶା ଓ ଆକାଂକ୍ଷା ସଂପର୍କରେ କହିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଁ ବ୍ଲୁମବର୍ଗ ବିଶ୍ଵ ବ୍ୟବସାୟିକ ମଞ୍ଚ ନିକଟରେ କୃତଜ୍ଞ । ଭାରତର ଭବିଷ୍ୟତର ବିକାଶ ଗାଥା ଏବଂ ଆଗାମୀ ଦିନରେ ଏହା କି ପ୍ରକାର ମାର୍ଗରେ ପରିଚାଳିତ ହେବାକୁ ଯାଉଛି ସେ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଋଣୀ ।
ବନ୍ଧୁଗଣ,
ଆଜି, ଆପଣମାନେ ସେହି ଭାରତ ସରକାରଙ୍କ ଆଡ଼େ ନିରୀକ୍ଷଣ କରୁଛନ୍ତି ଯାହା ଗତ ପାଞ୍ଚବର୍ଷ ପୂର୍ବେ ଜନସାଧାରଣଙ୍କ ନିକଟରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲା ଏବଂ ପୁଣି ଥରେ ଅଧିକ ଜନସମର୍ଥନର ସହ କ୍ଷମତାକୁ ଫେରିଛି । ଆପଣମାନଙ୍କ ବକ୍ତବ୍ୟରେ ଆପଣମାନେ ସବୁବେଳେ ବ୍ୟବସାୟିକ ବିବୃତି ମାନ ଦେଇଥାନ୍ତି । ଏହି ନିର୍ବାଚନରେ, 130 କୋଟି ଭାରତୀୟ କେବଳ ସେମାନଙ୍କର ମନୋଭାବ ବ୍ୟକ୍ତ କରିନଥିଲେ ବରଂ ସେମାନେ ମଧ୍ୟ ସେମାନଙ୍କର ବିଚାରଶକ୍ତି ବ୍ୟକ୍ତ କରିଥିଲେ ଯେ ବିକାଶ ଉପରେ ସେମାନେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରନ୍ତି । ଆଜି ଯେଉଁ ବ୍ୟବସାୟିକ ନେତୃବର୍ଗ ଏଠାରେ ଉପସ୍ଥିତ ଅଛନ୍ତି ସେମାନେ ଏଥିରୁ ସହଜରେ ହୃଦୟଙ୍ଗମ କରିପାରୁଥିବେ ଯେ ବିକାଶ ସପକ୍ଷରେ ମିଳିଥିବା ଏଭଳି ବିଶାଳ ଜନସମର୍ଥନ ବାସ୍ତବିକ ଭାରତରେ ନୂତନ ସୁଯୋଗର ଉଦ୍ଘୋଷଣା । ଆଜି, ଭାରତର ଜନସାଧାରଣ ଏହି ସରକାରଙ୍କ ସହ ଏକତ୍ର ଠିଆ ହୋଇଛନ୍ତି ଯାହା ଦେଶରେ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଦିଗରେ କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଜଟିଳ ନିଷ୍ପତ୍ତି ନେବାକୁ ସୁଦ୍ଧା ପଶ୍ଚାତପଦ ହେଉନାହିଁ । ଆଜି ଏଭଳି ଏକ ଭାରତ ସରକାର ଗଠିତ ହୋଇଛି ଯାହା ବ୍ୟବସାୟିକ ଦୁନିଆକୁ ଉପଯୁକ୍ତ ସମ୍ମାନ ପ୍ରଦାନ କରେ ଏବଂ ସଂପଦ ସୃଷ୍ଟିକୁ ଉପଯୁକ୍ତ ମାନ୍ୟତା ଦିଏ ।
ବନ୍ଧୁଗଣ,
ଆପଣମାନେ ସଭିଏଁ ଏ ସଂପର୍କରେ ଅବଗତ ଅଛନ୍ତି ଯେ କିଛି ଦିନ ତଳେ, ଆମେ କର୍ପୋରେଟ ଟିକସରେ ବଡ଼ ଧରଣର ଛାଡ ଘୋଷଣା କରିଛୁ । ନିବେଶ ଦୃଷ୍ଟିକୋଣରୁ ଏହା ଏକ ଅତ୍ୟନ୍ତ ବୈପ୍ଳବାତ୍ମକ ପଦକ୍ଷେପ ଏବଂ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ, ବ୍ୟବସାୟିକ ଦୁନିଆର ସଭିଏଁ ଯେଉଁମାନଙ୍କୁ କି ମୁଁ ଇତିମଧ୍ୟରେ ସାକ୍ଷାତ କରିଛି କିମ୍ବା ସେମାନଙ୍କ ସହ କୌଣସି ଆଲୋଚନା କରିଛି, ସେମାନେ ସମସ୍ତେ ଏହାକୁ ଏକ ଐତିହାସକ ପଦକ୍ଷେପ ବୋଲି ମତ ପୋଷଣ କରିଛନ୍ତି । ଚଳିତ ଥର, ସରକାରଙ୍କ ପକ୍ଷରୁ ଗୋଟିକ ପରେ ଗୋଟିଏ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣ କରାଯାଇଛି ଯାହାକି ଦେଶରେ ନିବେଶ ବୃଦ୍ଧି ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଏଥିସହ ଆମେ 50ଟିରୁ ଅଧିକ ପୁରୁଣା ନିୟମକୁ ମଧ୍ୟ ଉଚ୍ଛେଦ କରିଛୁ ଯାହାକି ବିକାଶ କାର୍ଯ୍ୟରେ ଦୀର୍ଘ ଦିନରୁ ବାଧକ ସାଜିଥିଲା । ପୁଣିଥରେ ମୁଁ ଆପଣମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଛି ଯେ ଆମ ନୂଆ ସରକାର ଗଠନ ହେବାର ତିନି ଚାରି ମାସ ମାତ୍ର ହୋଇଛି । ଆଜି ଏହି ମଞ୍ଚ ଉପରୁ ମୁଁ କହିବାକୁ ଚାହେଁ ଯେ ଏହା କେବଳ ଅୟମାରମ୍ଭ ମାତ୍ର । ଆଗକୁ ଆହୁରି ଅନେକ ପଥ ଅତିକ୍ରମ କରିବାର ଅଛି । ବିଶ୍ୱବ୍ୟାପୀ ବ୍ୟବସାୟିକ ସମାଜ ସକାଶେ ଭାରତ ସହ ବିକାଶ ଯାତ୍ରାରେ ସାମିଲ ହେବା ନିମନ୍ତେ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ବନ୍ଧୁଗଣ,
ଭାରତ ଆଜି ଏକ ବିଶେଷ ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ଆମର ଦ୍ରୁତ ବିକାଶ ଆମର ବିବିଧ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି । ଆମର ନାଗରିକମାନେ ଦାରିଦ୍ର୍ୟକୁ ପ୍ରତିହତ କରିପାରୁଛନ୍ତି, ସେମାନେ ଅର୍ଥନୀତିକ ଶିଢ଼ିରେ ଆଗକୁ ଚଢ଼ିବାକୁ ଲାଗିଛନ୍ତି ଏବଂ ସେମାନଙ୍କର ଉପଭୋଗକୁ ସବୁ ଦିଗରେ ସଂପ୍ରସାରିତ କରୁଛନ୍ତି । ତେଣୁ, ଆପଣମାନେ ଯଦି ଏଭଳି ଏକ ବଜାରରେ ପୁଞ୍ଜି ନିବେଶ କରିବାକୁ ଇଚ୍ଛୁକ ଯାହାର କି ବିଶାଳ ପ୍ରଗତିର ଶିଢ଼ି ରହିଛି, ତେବେ ଆପଣମାନେ ଭାରତକୁ ଆସନ୍ତୁ । ଆମର ମଧ୍ୟମ ବର୍ଗଙ୍କ ସଂଖ୍ୟା ବିଶାଳ, ଯେଉଁମାନଙ୍କର ଅସମ୍ଭବ ଆଶା ଆକାଂକ୍ଷା ରହିଛି ଏବଂ ସେମାନଙ୍କର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ବିଶ୍ୱସ୍ତରୀୟ । ତେଣୁ ଆପଣମାନେ ଯଦି ଏଭଳି ଏକ ବଜାରରେ ନିବେଶ କରିବାକୁ ଇଚ୍ଛୁକ, ଯେଉଁଠାରେ ସର୍ବାଧୁନିକ ଟ୍ରେଣ୍ଡ ପ୍ରତି ଆଗ୍ରହ ରହିଛି ଏବଂ ବୈଶିଷ୍ଟ୍ୟ ପ୍ରତି ମଧ୍ୟ ଶ୍ରଦ୍ଧା ଅଛି, ତେବେ ଭାରତକୁ ଆସନ୍ତୁ । ଆପ ଅର୍ଥବ୍ୟବସ୍ଥାକୁ ବ୍ୟବହାର କରିବାରେ ଆମର ଯୁବଗୋଷ୍ଠୀ ହେଉଛନ୍ତି ସର୍ବାଧିକ । ଖାଦ୍ୟ ଠାରୁ ନେଇ ପରିବହନ ପର୍ଯ୍ୟନ୍ତ ଏବଂ ସିନେମା ଠାରୁ ନେଇ ହାଇପର ଲୋକାଲ ଡେଲିଭରୀ ପର୍ଯ୍ୟନ୍ତ, ଷ୍ଟାର୍ଟ ଅପ୍ ସବୁ କ୍ଷେତ୍ରକୁ ଛୁଇଁବାରେ ଲାଗିଛି । ତେଣୁ ଷ୍ଟାର୍ଟ ଅପର ବିଶାଳ ବଜାରରେ ଯଦି ଆପଣମାନେ ପୁଞ୍ଜି ଖଟାଇବାକୁ ଚାହାନ୍ତି, ତେବେ ଭାରତ ଆସନ୍ତୁ । ଆମର ଭିତ୍ତିଭୂମି ସୃଷ୍ଟି ମାତ୍ରା ଦିନକୁ ଦିନ କଳ୍ପନାତୀତ ଭାବେ ସଂପ୍ରସାରିତ ହେବାରେ ଲାଗିଛି । ରାଜପଥ ଠାରୁ ନେଇ ମେଟ୍ରୋ ପର୍ଯ୍ୟନ୍ତ, ରେଳପଥ ଠାରୁ ଆରମ୍ଭ କରି ବନ୍ଦର ଯାଏ, ବିମାନ ବନ୍ଦର ନିର୍ମାଣ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅର୍ଥ ନିବେଶ ହୋଇଚାଲିଛି ଏବଂ ସେଥିରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ତେଣୁ, ଆପଣମାନେ ଯଦି ବିଶ୍ୱର ଏକ ସର୍ବବୃହତ୍ ଭିତ୍ତିଭୂମି ବାତାବରଣରେ ନିଜର ଅର୍ଥ ନିବେଶ ପାଇଁ ଆଗ୍ରହୀ, ତେବେ ଭାରତକୁ ଆସନ୍ତୁ । ଆମେ ଦ୍ରୁତ ଗତିରେ ଆମର ସହରଗୁଡ଼ିକର ଆଧୁନିକୀକରଣ କରିଚାଲିଛୁ । ସେସବୁରେ ଅତ୍ୟାଧୁନିକ ସମ୍ବଳ ବ୍ୟବସ୍ଥା କରୁଛୁ ଏବଂ ତାହା କରାଯାଉଛି ନାଗରିକ ଅନୁକୂଳ ପରିବେଶ ଓ ସମ୍ବଳ ମଧ୍ୟରେ । ତେଣୁ ଯଦି ଆପଣମାନେ ସହରୀକରଣ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଇଚ୍ଛା ପ୍ରକଟ କରୁଥାନ୍ତି, ତେବେ ଭାରତକୁ ଆସନ୍ତୁ । ଆମେ ଆମର ପ୍ରତିରକ୍ଷା କ୍ଷେତ୍ରର ଦ୍ୱାର ମଧ୍ୟ ଉନ୍ମୁକ୍ତ କରିଛୁ ଯାହା ଇତି ପୂର୍ବରୁ କେବେ ସୁଦ୍ଧା ଏଭଳି ହୋଇନଥିଲା । ଆପଣମାନେ ଯଦି ମେକ୍ ଇନ୍ ଇଣ୍ଡିଆକୁ ଚାହୁଁଥାନ୍ତି, ଭାରତ ପାଇଁ କିଛି କରିବାକୁ ଚାହୁଁଥାନ୍ତି ଏବଂ ଭାରତରେ କିଛି କରିବାକୁ ଚାହୁଁଥାନ୍ତି, ତା’ହେଲେ ଭାରତକୁ ଆଗେଇ ଆସନ୍ତୁ ।
ବନ୍ଧୁଗଣ,
ଆଜି ଆମ ସରକାର ଭାରତର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯେତିକି ଅର୍ଥ ନିବେଶ କରୁଛି, ତାହା ଅତୀତରେ କେବେ ସୁଦ୍ଧା ହୋଇନଥିଲା । ଆଗାମୀ ବର୍ଷ ମାନଙ୍କରେ ଆମେ ଆଧୁନିକ ଭିତ୍ତିଭୂମି ନିର୍ମାଣ ସକାଶେ ପ୍ରାୟ 100 ଲକ୍ଷ କୋଟି ଅର୍ଥାତ, 1.3 ଟ୍ରିଲିୟନ ଡ଼ଲାର ନିବେଶ କରିବାକୁ ଯାଉଛୁ । ଏହାବ୍ୟତୀତ, ଲକ୍ଷ ଲକ୍ଷ କୋଟି ଟଙ୍କା ଭାରତର ସାମାଜିକ ଭିତ୍ତିଭୂମି କ୍ଷେତ୍ର ପାଇଁ ବ୍ୟୟ କରାଯାଉଛି । ଭାରତର ବିକାଶ ଗାଥାକୁ ଉଭୟ ପରିମାଣାତ୍ମକ ଏବଂ ଗୁଣାତ୍ମକ ଦୃଷ୍ଟିକୋଣରୁ ଏହା ପ୍ରଶସ୍ତ କରିଛି ଏବଂ ତାହା ଏବେ ସର୍ବତ୍ର ରୂପାନ୍ତରିତ ହୋଇଚାଲିଛି । ବର୍ତ୍ତମାନ ଭାରତ ନିଜ ପାଇଁ ଏକ ବିରାଟ ଲକ୍ଷ୍ୟ ଧାର୍ଯ୍ୟ କରିଛି- ଦେଶକୁ 5 ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ।
ବନ୍ଧୁଗଣ,
2014ରେ ଆମେ ଯେତେବେଳେ ସରକାରକୁ ଆସିଲୁ, ସେତେବେଳେ ଦେଶର ଅର୍ଥବ୍ୟବସ୍ଥା ମାତ୍ର 2 ଟ୍ରିଲିୟନ ଡ଼ଲାର ଥିଲା । ବିଗତ ପାଞ୍ଚ ବର୍ଷ ଭିତରେ, ଆମେ ଏଥିରେ ଏକ ଟ୍ରିଲିୟନ ଡ଼ଲାର ଯୋଡ଼ିଛୁ । ଏବଂ ଆମେ ଏବେ ଏହାକୁ 5 ଟ୍ରିଲିୟନ ଡ଼ଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
ଏହି ବିଶାଳ ଲକ୍ଷ୍ୟ ହାସଲ କରିବା ସକାଶେ, ଆମର କ୍ଷମତା ରହିଛି ଏବଂ ସାହସ ମଧ୍ୟ ଅଛି । ସେହିଭଳି ପରିସ୍ଥିତି ମଧ୍ୟ ଅନୁକୂଳ ରହିଛି । ଆଜି ଭାରତର ବିକାଶ ଗାଥାରେ ଚାରିଟି ପ୍ରମୁଖ ପ୍ରସଙ୍ଗ କାର୍ଯ୍ୟ କରୁଛି ଯାହାକି ବିଶ୍ୱର ଅନ୍ୟତ୍ର କ୍ୱଚିତ ଦେଖିବାକୁ ମିଳିବ । ସେହି ଚାରିଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଲା – ଗଣତନ୍ତ୍ର, ଜନସଂଖ୍ୟା, ଚାହିଦା ଓ ନିଷ୍ପତ୍ତିଗ୍ରହଣ । ମୁଁ ଯଦି ପ୍ରଥମ ସର୍ତ୍ତଟି ଉପରେ ଆଲୋଚନା କରିବି ତେବେ ଏଭଳି ପ୍ରକାର ସୁଯୋଗ ଏବଂ ଭାରତର ରାଜନୈତିକ ସ୍ଥିରତା ଅନେକ ଦଶନ୍ଧି ପରେ ଏଠାରେ ଆସିଛି ବୋଲି କୁହାଯିବ । ଗଣତନ୍ତ୍ରର ସୁଦୃଢ଼ ଆଧାର, ରାଜନୈତିକ ସ୍ଥିରତା, ପୁଣି ଆଶାନୁରୂପ ନୀତି ଓ ସ୍ୱାଧୀନ ନ୍ୟାୟପାଳିକା ରହିଛି । ସର୍ବୋପରି ସୁରକ୍ଷା, ନିରାପତ୍ତା ଓ ନିବେଶର ବିକାଶ ଉପରେ ଆତ୍ମବିଶ୍ୱାସ ଭଳି ବାତାବରଣ ଏଠାରେ ସହଜରେ ଯେକେହି ଲକ୍ଷ୍ୟ କରିପାରିବେ ।
ବନ୍ଧୁଗଣ,
ଭାରତ ଏହିଭଳି ଜନସାଂଖିକ ଶକ୍ତି ବିକାଶକୁ ସୁଦୃଢ଼ କରିଛି ଏବଂ ତାହା ଭାରତ ପାଇଁ ଯୁବ ତଥା ଉତ୍ସାହୀ ପ୍ରଜ୍ଞାର ଭଣ୍ଡାର ସୃଷ୍ଟି କରିଛି । ଆଜି ଭାରତ ଏଭଳି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ବିବେଚିତ ହେଉଛି ଯେଉଁଠାରେ ଇଞ୍ଜିନିୟରିଂ ଶିକ୍ଷାର ମୂଳ ଆଧାର ସୃଦୃଢ଼ ରହିଛି ଏବଂ ବିଶ୍ୱର ଶ୍ରେଷ୍ଠତମ ଗବେଷଣା ଓ ବିକାଶ ସୁଯୋଗ ମହଜୁଦ ଅଛି । ଭାରତରେ ଯୁବଶକ୍ତିମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ନାନା ପ୍ରକାର ଅଭିନବତ୍ୱ ସୃଷ୍ଟି କରିଚାଲିଛି ଏବଂ ଆମେରିକା ଓ ଚୀନ ପରେ ୟୁନିକର୍ଣ୍ଣ ଆଧାରରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ରରେ ପରିଣତ ହୋଇଛି ।
ବନ୍ଧୁଗଣ,
ତୃତୀୟ ପ୍ରସଙ୍ଗଟି ହେଲା ଚାହିଦା । ଯେହେତୁ ଭାରତର ବିଶାଳ ଜନଶକ୍ତି ଏବେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇ ଚାଲିଛନ୍ତି, ସେମାନଙ୍କର କ୍ରୟଶକ୍ତି ମଧ୍ୟ ତଦନୁସାରେ ବୃଦ୍ଧି ପାଇଚାଲିଛି । ସେମାନଙ୍କ ଚାହିଦା ବଢ଼ିବାରେ ଲାଗିଛି । ଉଦାହରଣ ସ୍ୱରୂପ, ଦେଶରେ ବିମାନ ଯାତ୍ରୀଙ୍କ ବିକାଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ସେହି କାରଣରୁ ଆଜି ଭାରତ ବିମାନ ପରିବହନ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ରରେ ପରିଣତ ହୋଇଛି ।
ବନ୍ଧୁଗଣ, ଗଣତନ୍ତ୍ର, ଜନସଂଖ୍ୟା ଏବଂ ଚାହିଦା ସହିତ ଅନ୍ୟ ଯେଉଁ କାରଣଟି ଭାରତକୁ ବଳିଷ୍ଠ କରିବାରେ ସହାୟକ ହୋଇଛି ତାହା ହେଲା ଏହାର ନିଷ୍ପତ୍ତି ଗ୍ରହଣ କ୍ଷମତା । ଏକ ବିବିଧ ତଥା ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ସତ୍ତ୍ୱେ, ଗତ ପାଞ୍ଚବର୍ଷ ମଧ୍ୟରେ ପ୍ରତିବନ୍ଧକହିନ ପ୍ରସ୍ତୁତି, ସମାବେଶୀ ତଥା ସ୍ୱଚ୍ଛ ବ୍ୟବସ୍ଥା ଭାରତର ପ୍ରତ୍ୟେକ କ୍ଷେତ୍ରରେ ଅନୁଭୂତ ହୋଇଛି ।
ଏସବୁ ଟିକସ ସଂସ୍କାର ବ୍ୟତୀତ, ଖୁବ୍ କମ୍ ସମୟ ମଧ୍ୟରେ ଭାରତରେ ବିଶ୍ୱର ସର୍ବବୃହତ୍ ଆର୍ଥିକ ସମାଯୋଜନ ବ୍ୟବସ୍ଥା ସୃଷ୍ଟି କରାଯାଇପାରିଛି । ପ୍ରଥମ ଥର ପାଇଁ ଗତ 4-5 ବର୍ଷ ଭିତରେ ପ୍ରାୟ 370 ନିୟୁତ ନାଗରିକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ାଯାଇଛି । ଆଜି ଦେଶର ପ୍ରାୟ ସମସ୍ତ ନାଗରିକଙ୍କ ନିକଟରେ ଏକକ ପରିଚୟ ପତ୍ର ଉପଲବ୍ଧ ହୋଇଛି, ମୋବାଇଲ ଫୋନ ରହିଛି ଏବଂ ବ୍ୟାଙ୍କ ଜମାଖାତା ମଧ୍ୟ ଅଛି । ଏହା ଫଳରେ ଲକ୍ଷ୍ୟବଦ୍ଧ ବିତରଣ ବୃଦ୍ଧି ପାଇଛି ଏବଂ ସେଥିରେ ଥିବା ବାଟମାରଣାକୁ ରୋକାଯିବା ସହ ସ୍ୱଚ୍ଛତା ଅନେକ ଗୁଣରେ ବୃଦ୍ଧି ପାଇଛି ।
ବନ୍ଧୁଗଣ,
ନୂତନ ଭାରତରେ, ଆମେ ନିୟନ୍ତ୍ରଣମୁକ୍ତ ବାତାବରଣ ଲାଗି ଅଭିଯାନ ଆରମ୍ଭ କରିଛୁ, ଏବଂ ସେଥିରେ ଯେଭଳି କୌଣସି ପ୍ରକାର ବିଳମ୍ବ ନଘଟେ ସେଥିପ୍ରତି ଉପଯୁକ୍ତ ବ୍ୟବସ୍ଥା କରୁଛୁ । ଏଭଳି ସଂସ୍କାର ବ୍ୟବସ୍ଥା ଫଳରେ, ଭାରତ ବିଭିନ୍ନ ପ୍ରକାର ବୈଶ୍ୱିକ ମାନ୍ୟତାରେ କ୍ରମାଗତ ଭାବେ ଉନ୍ନତି କରିଚାଲିଛି । ଲଜିଷ୍ଟିକ୍ସ ପରଫରମାନ୍ସ ସୂଚକାଙ୍କରେ ଏକାଥରକେ 10 ପଏଣ୍ଟ ବୃଦ୍ଧି ଘଟିଛି, ବୈଶ୍ୱିକ ପ୍ରତିଦ୍ୱନ୍ଦିତା ସୂଚକାଙ୍କରେ 13 ପଏଣ୍ଟ ଉପରକୁ ଉଠିଥିବା ବେଳେ ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ 24 ପଏଣ୍ଟ ବୃଦ୍ଧି ଘଟିଛି । ସେହିଭଳି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବ୍ୟବସାୟିକ ସୁଗମତା ମାନ୍ୟତାରେ 65 ଟି ସ୍ଥାନ ଉନ୍ନତି ହୋଇଛି ଯାହାକି ଅଭୂତପୂର୍ବ । ବନ୍ଧୁଗଣ, ଆପଣମାନେ ଏକଥା ଭଲଭାବେ ଜାଣନ୍ତି ଯେ ଏସବୁ ମାନ୍ୟତା ଏତେ ସହଜରେ କେବେ ବୃଦ୍ଧି ପାଏନାହିଁ । ଏଥିପାଇଁ ଆମେ ସକଳ ପ୍ରକାର ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟାଇଛୁ ଏବଂ ସେ ସଂକ୍ରାନ୍ତ ଆଇନକୁ ସରଳ କରିଛୁ ଯାହାକି ଅତି ମାତ୍ରାରେ ଆସି ସାଧାରଣ ସ୍ତରରେ ପହଞ୍ଚିପାରିଛି । ଏହାର ମୁଁ ଏକ ଉଦାହରଣ ଦେଉଛି । ପୂର୍ବରୁ ଶିଳ୍ପସଂସ୍ଥାମାନଙ୍କୁ ବିଜୁଳି ସଂଯୋଗ ପାଇବା ସକାଶେ ବର୍ଷ ବର୍ଷ ସମୟ ଲାଗୁଥିଲା । ଏବେ ସେହି ବିଜୁଳି ସଂଯୋଗ ମାତ୍ର କେଇ ଦିନ ଭିତରେ ମିଳିପାରୁଛି । ସେହିଭଳି, କମ୍ପାନୀକୁ ପଞ୍ଜୀକରଣ କରିବା ନିମନ୍ତେ ପୂର୍ବରୁ ଅନେକ ସପ୍ତାହ ସମୟ ଲାଗୁଥିଲା । ବର୍ତ୍ତମାନ କମ୍ପାନୀ ପଞ୍ଜୀକରଣ ମାତ୍ର କେଇ ଘଣ୍ଟା ଭିତରେ ସମ୍ପନ୍ନ କରାଯାଇପାରୁଛି । ମୁଁ ଆପଣମାନଙ୍କ ସମ୍ମୁଖରେ ଆଉ ଗୋଟିଏ ଉଦାହରଣ ଉପସ୍ଥାପନ କରୁଛି ଯାହାକି ଗତ ପାଞ୍ଚ ବର୍ଷ ଭିତରେ ସାକାର କରାଯାଇପାରିଛି । ଗତ ପାଞ୍ଚ ବର୍ଷ ଭିତରେ ଭାରତରେ 286 ବିଲିୟନ ଡ଼ଲାରର ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ହୋଇଛି । ଏହା ହେଉଛି ଭାରତରେ ବିଗତ 20 ବର୍ଷ ଭିତରେ ହୋଇଥିବା ମୋଟ ଏଫଡ଼ିଆଇର ଅର୍ଦ୍ଧେକ । ଗତ ଏକ ଦଶନ୍ଧି ଭିତରେ ଭାରତରେ ଆମେରିକା କରିଥିବା ଏଫଡ଼ିଆଇର 50 ପ୍ରତିଶତ ଗତ ଚାରିବର୍ଷ ଭିତରେ କରାଯାଇଛି । ଏହା ସେତିକିବେଳେ ହୋଇଛି ଯେତେବେଳେ ଏଫଡ଼ିଆଇ ନିବେଶ ସ୍ତର ସମଗ୍ର ବିଶ୍ୱରେ ହ୍ରାସ ପାଇଚାଲିଛି । ଏଥିରେ ଆଉ ଗୋଟିଏ କୌତୁହଳପ୍ରଦ କଥା ମଧ୍ୟ ରହିଛି । ପ୍ରାୟ 90 ପ୍ରତିଶତ ଏଫଡ଼ିଆଇ ସ୍ୱୟଂକ୍ରିୟ ମାର୍ଗ ଦ୍ୱାରା ସଂପାଦନ କରାଯାଇଛି ଏବଂ 40 ପ୍ରତିଶତ ଗ୍ରୀନଫିଲ୍ଡ ନିବେଶ ଜରିଆରେ । ଏହାର ଅର୍ଥ ହେଲା ଭାରତକୁ ନିବେଶକମାନେ ବିଶ୍ୱାସ କରନ୍ତି ଏବଂ ଭାରତ ଉପରେ ସେମାନଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି । ସେମାନେ ଦୀର୍ଘ ସମୟ ଧରି ଭାରତକୁ ଆସି ଚାଲିଛନ୍ତି ।
ବନ୍ଧୁଗଣ,
ବ୍ଲୁମବର୍ଗର ନିଜ ରିପୋର୍ଟ ମଧ୍ୟ ଏହି ପରିବର୍ତ୍ତନର ସାକ୍ଷୀ, ଯାହାକି ଆଜି ଭାରତରେ ଘଟିଚାଲିଛି । ବ୍ଲୁମବର୍ଗର ନେସନ ବ୍ରାଣ୍ଡ ଟ୍ରାକର- 2018 ସର୍ଭେ ଅନୁସାରେ ଏସିଆରେ ନିବେଶ ଦୃଷ୍ଟିରୁ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଦଶଟି ସୂଚକାଙ୍କ ଭିତରୁ 7ଟିରେ ଭାରତ ପ୍ରଥମ ସ୍ଥାନରେ ରହିଛି । ସେହିସବୁ ସୂଚକାଙ୍କ ହେଲା, ରାଜନୈତିକ ସ୍ଥିରତା, ମୌଦ୍ରିକ ସ୍ଥିରତା, ଉଚ୍ଚ ଗୁଣାତ୍ମକ ଉତ୍ପାଦ, ଦୁର୍ନୀତି ନିରୋଧୀ କାର୍ଯ୍ୟକ୍ରମ, ଉତ୍ପାଦନ ମୂଲ୍ୟର ସ୍ୱଳ୍ପତା, ଷ୍ଟ୍ରାଟେଜିକ ଲୋକେସନ ଏବଂ ଆଇପିଆରକୁ ସମ୍ମାନ ପ୍ରଦାନ । ଅନ୍ୟାନ୍ୟ ସମସ୍ତ ସୂଚକାଙ୍କରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ରହିଛି ।
ବନ୍ଧୁଗଣ,
ଆପଣମାନେ ଆଶା କରନ୍ତି ଏବଂ ଏହା ମଧ୍ୟ ଆମମାନଙ୍କ ସ୍ୱପ୍ନ ଯେ ଆମେ କିଭଳି ଭାବେ ସବୁ ସର୍ତ୍ତାବଳୀକୁ ପୂରଣ କରିପାରିବୁ; ଆପଣମାନଙ୍କ ପ୍ରଯୁକ୍ତି ଏବଂ ଆମର ଜ୍ଞାନ ମିଳିତ ଭାବେ ବିଶ୍ୱକୁ ବଦଳାଇ ଦେଇପାରିବ; ଆପଣମାନଙ୍କ ମାନଦଣ୍ଡ ଏବଂ ଆମର କୌଶଳ ବିଶ୍ୱ ଅର୍ଥବ୍ୟବସ୍ଥାର ବିକାଶ ଧାରାକୁ ବେଗ ପ୍ରଦାନ କରିପାରିବ; ଆପଣମାନଙ୍କ ସକ୍ରିୟ କାର୍ଯ୍ୟପଦ୍ଧତି ଏବଂ ଆମର ସକାରାତ୍ମକ ମାନସିକତା ପରିଚାଳନାର ନୂତନ ଗାଥା ସଂରଚନା କରିପାରିବ ।
ଆପଣମାନଙ୍କ ସୁଚିନ୍ତିତ ମାର୍ଗ ଏବଂ ଆମର ମାନବିକ ମୂଲ୍ୟବୋଧ ବିଶ୍ୱକୁ ଏହାର ଇପସିତ ମାର୍ଗରେ ଆଗକୁ ଆଗେଇ ଯିବାରେ ସହାୟକ ହୋଇପାରିବ । ଯଦି ଏଥିରେ କୌଣସି ସ୍ଥାନରେ କିଛି ତ୍ରୁଟି ଥାଏ ତେବେ ସେହି ଦୂରତ୍ୱକୁ ମୁଁ ବ୍ୟକ୍ତିଗତ ଭାବେ ଦୂର କରିବି ।
ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ!
It’s only been four months since we were re-elected and we have further increased the pace of reform in India.
— Narendra Modi (@narendramodi) September 25, 2019
And, this is just the beginning. pic.twitter.com/OiPqgJrObO
Four reasons that make the India growth story special. pic.twitter.com/HCuPxUrSAK
— Narendra Modi (@narendramodi) September 25, 2019
Our Government is initiating reforms that are aimed at deregulation and delicensing. pic.twitter.com/2JuOzMYPSB
— Narendra Modi (@narendramodi) September 25, 2019
Together we can achieve exceptional things. If there is a gap anywhere, I will be personally there to bridge it. pic.twitter.com/bBUTrGCP6a
— Narendra Modi (@narendramodi) September 25, 2019