Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଞ୍ଚାୟତିରାଜ ଦିବସ ଅବସରରେ ଆସନ୍ତାକାଲି ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ କରିବେ । ମଧ୍ୟପ୍ରଦେଶର ମାଣ୍ଡଲାଠାରେ ଆୟୋଜିତ ପଞ୍ଚାୟତିରାଜ ଦିବସ ସମାରୋହରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଣ୍ଡଲାରୁ ସମଗ୍ର ଦେଶର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ସେହିପରି ସେଠାରେ ଏକ ଜନସମାବେଶକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆଦିବାସୀମାନଙ୍କର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ଏକ ମାର୍ଗଚିତ୍ର ବା ରୋଡ ମ୍ୟାପକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉନ୍ମୋଚନ କରିବେ । ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲାର ମାନେରୀଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ ନିର୍ମିତ ହେବାକୁ ଥିବା ଏକ ଏଲପିଜି ଗ୍ୟାସ ବଟଲିଂ ପ୍ଳାଣ୍ଟର ଆଧାରଶିଳା ମଧ୍ୟ ରଖି ପ୍ରଧାନମନ୍ତ୍ରୀ ଏକ ସ୍ଥାନୀୟ ପ୍ରଶାସନ ଡିରେକ୍ଟୋରିର ଶୁଭ ଉନ୍ମୋଚନ କରିବେ ।

ଏକ ସ୍ୱଚ୍ଛ, ସୁସ୍ଥ ଓ ଆଲୋକିତ ଭାରତର ପ୍ରତିବଦ୍ଧତାକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ି ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ସମାରୋହରେ ସ୍ଥାନୀୟ ସରପଞ୍ଚମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରିବେ । ବିଶେଷକରି ଶତ ପ୍ରତିଶତ ଧୂମ୍ରହୀନ ରୋଷେଇ ଘର ନିର୍ମାଣ, ମିଶନ ଇନ୍ଦ୍ରଧନୁଷ ଅଧିନରେ ଶତ ପ୍ରତିଶତ ଟୀକାକରଣ ଓ ସୌଭାଗ୍ୟ ଯୋଜନା ଅଧିନରେ ଶତ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତକରଣ ଲକ୍ଷ୍ୟ ହାସଲ କରିଥିବା ପଞ୍ଚାୟତର ସରପଞ୍ଚମାନଙ୍କୁ ପୁରସ୍କୃତ କରାଯିବ ।

ସର୍ବଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ଯୋଜନା ଅଧିନରେ ରାଷ୍ଟ୍ରୀୟ ଇ-ପଞ୍ଚାୟତ ପୁରସ୍କାର ଏବଂ ଗ୍ରାମ ପଞ୍ଚାୟତ ବିକାଶ ପୁରସ୍କାର ଯୋଜନାର କୃତି ବିଜେତାମାନଙ୍କୁ ମଧ୍ୟ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯିବ ।

ପରିଶେଷରେ ମଧ୍ୟପ୍ରଦେଶର ଅଭିଳାଷୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ ।

****