ପିଏମଇଣ୍ଡିଆ
ପରିସଂଖ୍ୟାନ ସଂଗ୍ରହ ଆଇନ, 2008ରେ ସଂଶୋଧନ ଅଣାଯିବ । ଏଥିଲାଗି ସଂସଦରେ ଏକ ବିଲ୍ ଆଗତ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ପ୍ରସ୍ତାବିତ ସଂଶୋଧନ ଫଳରେ ପରିସଂଖ୍ୟାନ ସଂଗ୍ରହ ଆଇନ, 2008ର ପରିସର ଜାମ୍ମୁ-କାଶ୍ମୀରକୁ ସମ୍ପ୍ରସାରିତ ହେବ । ଏହାଦ୍ୱାରା ଜାମ୍ମୁ-କାଶ୍ମୀରରୁ ଅନେକ ପ୍ରକାରର ପରିସଂଖ୍ୟାନ ସଂଗ୍ରହ ବ୍ୟବସ୍ଥା ମଜବୁତ୍ ହେବ । ସମ୍ବିଧାନର ସପ୍ତମ ପରିଚ୍ଛଦ ମତେ କେନ୍ଦ୍ରୀୟ ତାଲିକା ଏବଂ ମିଶ୍ରିତ ତାଲିକାର ପ୍ରାବଧାନ ଅନୁସାରେ ନୂତନ ସଂଶୋଧନ ଅନୁଯାୟୀ ଜାମ୍ମୁ-କାଶ୍ମୀରରୁ ତଥ୍ୟ ଓ ପରିସଂଖ୍ୟାନ ସଂଗ୍ରହ କରାଯାଇପାରିବ ।
ସମ୍ବିଧାନ (ଜାମ୍ମୁ-କାଶ୍ମୀର ପ୍ରାବଧାନ) ଅର୍ଡର 1954 ଆଧାରରେ ଯୋଉଁ ବ୍ୟବସ୍ଥାମାନ ସଂରକ୍ଷିତ ନୁହେଁ ଏବଂ ସାଧାରଣ ବର୍ଗର ସେହି କ୍ଷେତ୍ରକୁ ସଂଶୋଧିତ ପରିସଂଖ୍ୟାନ ସଂଗ୍ରହ ଆଇନ ସମ୍ପ୍ରସାରିତ ହେବ ।
ପ୍ରସ୍ତାବିତ ସଂଶୋଧନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ । ସେମାନେ ସମସ୍ତ ପ୍ରକାର ତଥ୍ୟ ଓ ପରିସଂଖ୍ୟାନ ସଂଗ୍ରହର ସଂଯୋଜନା କରିବା ସହିତ ଏକୀକୃତ ସଂଗ୍ରହକୁ ପ୍ରୋତ୍ସାହିତ କରିବେ ।