Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରମ୍ପରିକ ଔଷଧ ତଥା ହୋମିଓପାଥିର ପ୍ରଚଳନ ପାଇଁ ଭାରତ ଓ ତାଞ୍ଜାନିଆ ମଧ୍ୟରେ ହେବ ବୁଝାମଣା


ଭାରତ ଓ ତାଞ୍ଜାନିଆ ମଧ୍ୟରେ ପାରମ୍ପରିକ ଔଷଧ ପଦ୍ଧତି ଏବଂ ହୋମିଓପାଥିର ପ୍ରଚଳନ ନିମନ୍ତେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ଏଥିପାଇଁ ଆସିଥିବା ପ୍ରସ୍ତାବକୁ ମଙ୍ଗଳବାର (05.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଏହି ବୁଝାମଣା ପତ୍ର ସଂପାଦନ ଫଳରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏକ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ଯାହାଫଳରେ ଭାରତୀୟ ପାରମ୍ପରିକ ଔଷଧ ପଦ୍ଧତି ଏବଂ ହୋମିଓପାଥି ଚିକିତ୍ସା ପଦ୍ଧତି ତାଞ୍ଜାନିଆରେ ପ୍ରସାର ଓ ପ୍ରଚାର ହୋଇପାରିବ । ଏ କ୍ଷେତ୍ରରେ କୌଣସି ଅତିରିକ୍ତ ଅର୍ଥ ଆବଶ୍ୟକ ହେବନାହିଁ । ତେବେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା, ପ୍ରଶିକ୍ଷଣ, ସମ୍ମିଳନୀ ତଥା ବୈଠକ ନିମନ୍ତେ ଆବଶ୍ୟକ ଅର୍ଥ ତାଙ୍କର ଗଚ୍ଛିତ ପାଣ୍ଠିରୁ ଯୋଗାଇ ଦିଆଯିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ତାଞ୍ଜାନିଆ ହେଉଛି ଏକ ପୂର୍ବ ଆଫ୍ରିକୀୟ ଦେଶ ଯାହା ସହିତ ଭାରତର ଐତିହାସିକ ବନ୍ଧୁତା ରହିଛି । ସେଠାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା 70 ହଜାରରୁ ଅଧିକ । ଅପର ପକ୍ଷରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ପାରମ୍ପରିକ ଔଷଧ ପଦ୍ଧତିର ପ୍ରଚାର ଓ ପ୍ରସାର ନିମନ୍ତେ ଚୀନ, ମାଲେସିଆ, ବାଂଲାଦେଶ, ହଙ୍ଗେରୀ ଓ ନେପାଳ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।