ପିଏମଇଣ୍ଡିଆ
ମହାମହିମ ମହମଦ୍ ଆବ୍ବାସ୍, ପାଲେଷ୍ଟାଇନ୍ ରାଷ୍ଟ୍ରପତି
ପାଲେଷ୍ଟାଇନ୍ ଏବଂ ଭାରତୀୟ ପ୍ରତିନିଧିମଣ୍ଡଳୀର ସଦସ୍ୟଗଣ
ଗଣମାଧ୍ୟମର ପ୍ରତିନିଧି
ଭାଇ ଓ ଭଉଣୀମାନେ
ଭାରତ ଗସ୍ତ ଅବସରରେ ମୁଁ ପୁଣିଥରେ ଭାରତର ପୁରୁଣା ବନ୍ଧୁ ରାଷ୍ଟ୍ରପତି ମହମଦ୍ ଆବ୍ବାସ୍ ଙ୍କୁ ସ୍ୱାଗତ ଜଣାଇ ଖୁସି ଅନୁଭବ କରୁଛି । ସ୍ୱାଧୀନତା ସମୟରୁ ଭାରତ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ ସମନ୍ୱୟ ଏବଂ ବନ୍ଧୁତାର ଆଧାର ଉପରେ ପ୍ରତିଷ୍ଠିତ ହୋଇ ରହିଆସିଛି । ପାଲେଷ୍ଟାଇନ୍ ର ସ୍ୱାର୍ଥ ପାଇଁ ଭାରତର ସହଯୋଗ ପ୍ରମାଣିତ ହୋଇସାରିଛି । ଆମେ ଆଶା କରୁଛୁ ଯେ ଇସ୍ରାଏଲ୍ ସହିତ ଏକ ସାର୍ବଭୌମ, ସ୍ୱାଧୀନ, ଏବଂ ଏକତ୍ର ରାଷ୍ଟ୍ର ଭାବେ ପାଲେଷ୍ଟାଇନ୍ ତିଷ୍ଠି ରହିବ । ଏ ଦିଗରେ ଆମର ପକ୍ଷ କିଭଳି ରହିବ ଆଲୋଚନା ବେଳେ ତାହା ମୁଁ ରାଷ୍ଟ୍ରପତି ଆବ୍ବାସ୍ ଙ୍କୁ ସୁନିଶ୍ଚିତ କରାଇସାରିଛି ।
ବନ୍ଧୁଗଣ,
ରାଷ୍ଟ୍ରପତି ଆବ୍ବାସ୍ ଏବଂ ମୁଁ ଏବେ ଉପଯୋଗୀ ଏବଂ ବିସ୍ତୃତ ଆଲୋଚନା କରିଛୁ ଯାହା ଆମର ଭାଗିଦାରୀତାକୁ ଆହୁରି ସୁଦୃଢ଼ କରିବ । ପଶ୍ଚିମ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟାର ସ୍ଥିତିକୁ ନେଇ ଆମେ ଗଭୀର ଭାବେ ନିଜ ନିଜ ମତ ରଖିଥିଲୁ ।
ପଶ୍ଚିମ ଏସିଆରେ ଦେଖାଦେଇଥିବା ସମସ୍ୟା ରାଜନୈତିକ ଆଲୋଚନା ରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ଆବଶ୍ୟକ ବୋଲି ଆମେ ଉଭୟ ରାଜି ହୋଇଥିଲୁ । ଏକ ବିସ୍ତୃତ ସମାଧାନ ଲାଗି ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ପକ୍ଷ ମଧ୍ୟରେ ଆଲୋଚନା ପୁନଃଆରମ୍ଭ ହେବା ଆବଶ୍ୟକ । ଦ୍ଵିପାକ୍ଷିକ ସ୍ତରରେ ପାଲେଷ୍ଟାଇନ୍ ର ଗୁରୁତ୍ୱପୂର୍ଣ୍ଣ ବିକାଶ ଭାଗିଦାର ଭାବେ ସହଯୋଗ ଯୋଗାଇ ଦେବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ । ପାଲେଷ୍ଟାଇନ୍ ର ଅର୍ଥନୀତି, ଭିତ୍ତିଭୂମି ଏବଂ ଲୋକମାନଙ୍କ ଜୀବନଧାରଣରେ ଉନ୍ନତି ଆଣିବା କ୍ଷେତ୍ରରେ ଯୋଗଦାନ ଲାଗି ବାସ୍ତବ ସହଯୋଗ ଯୋଗାଇ ଦେବା ଲାଗି ରାଷ୍ଟ୍ରପତି ଆବ୍ବାସ ଏବଂ ମୁଁ ସହମତ ହୋଇଛୁ । ଆମେ ପାଲେଷ୍ଟାଇନ୍ ରେ ବିକାଶ ଏବଂ ଦକ୍ଷତା ନିର୍ମାଣ ଉଦ୍ୟମରେ ସହଯୋଗ ଜାରି ରଖିବୁ । ଏହି କ୍ଷେତ୍ରରେ ସହଯୋଗକୁ ସୁନିଶ୍ଚିତ କରିବା ଲାଗି ଆଜି ଚୁକ୍ତିନାମା ସମ୍ପନ୍ନ ହୋଇଛି । ସୂଚନା ଏବଂ ପ୍ରଯୁକ୍ତି, ଯୁବ ଏବଂ ଦକ୍ଷତା ବିକାଶ ପ୍ରତି ଅଧିକ ଗୁରୁତ୍ୱ ଦେବା ଲାଗି ଆମେ ନିଷ୍ପତି ନେଇଛୁ, ଭାରତ ଏଥିପାଇଁ ସହଯୋଗ ଯୋଗାଇଦେବ । ରାମାଲ୍ଲାରେ ଟେକ୍ନୋ ପାର୍କ ପ୍ରକଳ୍ପ ଲାଗି ଫ୍ଲାଗସିପ ସହାୟତା ନିମନ୍ତେ ଭାରତ ପ୍ରକଳ୍ପ ସହାୟତା ଯୋଗାଇଦେବ । ଥରେ ଶେଷ ହୋଇଗଲେ ପାଲେଷ୍ଟାଇନ୍ ର ପ୍ରମୁଖ ଆଇଟି କେନ୍ଦ୍ରରେ ଏହା ପରିଣତ ହେବା ସହ ଆଇଟି ସଂକ୍ରାନ୍ତୀୟ ତାଲିମ୍ ଏବଂ ସେବା ଯୋଗାଇଦେବାରେ ସହାୟକ ହୋଇପାରିବ । ଆମେ ସାଂସ୍କୃତିକ ଭାବ ବିନିମୟ ପାଇଁ ରାଜି ହୋଇଛୁ, ଯୋଗ ବିନିମୟ ଏଥିରେ ନୂତନ ବିଷୟ ଭାବେ ସାମିଲ୍ ହୋଇଛି । ଆସନ୍ତା ମାସରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଅଧିକରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ସାମିଲ୍ ହେବେ ବୋଲି ଆମେ ଆଶା କରୁଛୁ । ଶେଷରେ ମୁଁ ଆଶା କରୁଛି ରାଷ୍ଟ୍ରପତି ମହମଦ ଆବ୍ବାସ୍ ଏବଂ ତାଙ୍କ ସହ ଥିବା ପ୍ରତିନିଧି ମଣ୍ଡଳୀ ଭାରତରେ ଏକ ସୁଖଦ ତଥା ଉପାଦେୟ ରହଣିର ଅଭିଜ୍ଞତା ହାସଲ କରିବେ । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତି ଆବ୍ବାସ୍ ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମୁଁ ଆଗ୍ରହୀ ।
ଧନ୍ୟବାଦ
ବହୁତ ଧନ୍ୟବାଦ ।
Held extensive talks with Mr. Mahmoud Abbas, President of State of Palestine. Sharing my remarks at the press meet. https://t.co/VYvGc99WNi
— Narendra Modi (@narendramodi) May 16, 2017